ଭୋଜି କରି ସିଏମ୍‌ସି କର୍ମଚାରୀ ଧରାପଡ଼ିବା ଘଟଣା: ଖସାଇ ଦେବାର ବାଟ ସଫା

ଦୋଷ କରିଥିବା କର୍ମଚାରୀଙ୍କ ବିଭାଗର ଅଧିକାରୀଙ୍କୁ ତଦନ୍ତ ଦାୟିତ୍ବ

କଟକ: କୋଭିଡ୍‌ କଟକଣା ଭାଙ୍ଗି ଭୋଜିର ଆୟୋଜନ କରିଥିବା ସିଏମ୍‌ସି ଏନ୍‌ଫୋର୍ସମେଣ୍ଟ ଟିମ୍‌ କର୍ମଚାରୀଙ୍କୁ ସହଜରେ ଖସାଇ ଦେବାର ବାଟ ପ୍ରସ୍ତୁତ ହୋଇଛି। ଏନ୍‌ଫୋର୍ସମେଣ୍ଟ ଟିମ୍‌ କର୍ମଚାରୀଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ଭାର ସେହି ଏନ୍‌ଫୋର୍ସମେଣ୍ଟ ଟିମ୍‌ର ଅଧିକାରୀଙ୍କୁ ଦିଆଯାଇଛି। ଟିମ୍‌ର ଅଧିକାରୀ ତାଙ୍କ ଅଧୀନରେ କାମ କରୁଥିବା କର୍ମଚାରୀଙ୍କ ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ କରିବେ। ଏଥିରେ ତଦନ୍ତ ପ୍ରକ୍ରିୟା ପ୍ରଭାବିତ ହେବା ସହିତ କର୍ମଚାରୀଙ୍କୁ ଖସିବାକୁ ବାଟ ଖୋଲି ଦିଆଯିବାର ମସୁଧା ହୋଇଥିବାର ଅଭିଯୋଗ ହୋଇଛି। ସିଏମ୍‌ସି ଏନ୍‌ଫୋର୍ସମେଣ୍ଟ ଅଧିକାରୀ ତଥା ଡେପୁଟି କମିସନର ଅବିନାଶ ରାଉତଙ୍କୁ ଏହି ଘଟଣାର ତଦନ୍ତ ଭାର ଦିଆଯାଇଛି। ଗୋଟିଏ ବିଭାଗରେ କାମ କରୁଥିବା କର୍ମଚାରୀଙ୍କର ବିରୋଧରେ ଆସିଥିବା ଅଭିଯୋଗର ତଦନ୍ତ ସେହି ବିଭାଗର ଅଧିକାରୀଙ୍କୁ ଦେବା କେତେ ଯୁକ୍ତିଯୁକ୍ତ ତାହାକୁ ନେଇ ଏବେ ପ୍ରଶ୍ନ ଉଠୁଛି। ସିଏମସି କମିସନର ଅନନ୍ୟା ଦାସ କହିବା ଅନୁଯାୟୀ ଏହି ଘଟଣାର ତଦନ୍ତ ସିଏମସି ଏନ୍‌ଫୋର୍ସମେଣ୍ଟ ଡେପୁଟି କମିସନରଙ୍କୁ ଦିଆଯାଇଛି। ତଦନ୍ତ ରିପୋର୍ଟ ଆସିଲେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସୂଚନାଯୋଗ୍ୟ ଯେ ୧୯ ତାରିଖ ରାତିରେ ସିଏମ୍‌ସି ଏନ୍‌ଫୋର୍ସମେଣ୍ଟ ଟିମର ୧୨ରୁ ଅଧିକ କର୍ମଚାରୀ ବିଡ଼ାନାସୀ ନଳିନୀ ମଣ୍ଡପ ନିକଟରେ ଏକ ଘରେ ଭୋଜିର ଆୟୋଜନ କରିଥିଲେ। ଖବର ପାଇ ବିଡ଼ାନାସୀ ଥାନା ପୁଲିସ ସେଠାରେ ଚଢଉ କରି ଭୋଜିକୁ ବନ୍ଦ କରିଥିଲା। ଭୋଜି ସ୍ଥାନରେ ମଦ ଓ ବିରିଆନୀ ଜବତ ହୋଇଥିଲା। କୋଭିଡ୍‌ ନିୟମ ଭାଙ୍ଗି ଥିବାରୁ ସେମାନଙ୍କଠାରୁ ଏକ ହଜାର ଟଙ୍କା ଜରିମାନା ଆଦାୟ କରିଥିଲା ପୁଲିସ। ସାଧାରଣ ଲୋକେ ‌କୋଭିଡ୍‌ ନିୟମ ଭାଙ୍ଗି ଭୋଜି ଆୟୋଜନ କଲେ ୨୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଉ ଥିଲେ ସିଏମସି କର୍ମଚାରୀଙ୍କ ଠାରୁ ଏକ ହଜାର ଟଙ୍କା ଜରିମାନା ଆଦାୟ କରାଯିବା ଘଟଣାକୁ ନେଇ ବି ଏବେ ପ୍ରଶ୍ନ ଉଠୁଛି।

ବାହାଘର ଭୋଜି ଆୟୋଜନ କରି ଗଣିଲେ ୨୦ ହଜାର ତଣ୍ଡ କୋଭିଡ୍‌ କଟକଣାକୁ ଭାଙ୍ଗି ପିଠାପୁରସ୍ଥିତ ଖୁଣ୍ଟିଆ ଲେନ୍‌‌ରେ ଦୁଇଶହ ଲୋକଙ୍କ ପାଇଁ ବାହାଘର ଭୋଜି ଆୟୋଜନ କରାଯାଇଥିବା ବେଳେ ସିଏମସି କୋଭିଡ୍‌ ଏନ୍‌ଫୋର୍ସମେଣ୍ଟ ଟିମ୍‌ ଓ ପୁରୀଘାଟ ଥାନା ପକ୍ଷରୁ ଚଢଉ କରାଯାଇ ଏହାକୁ ବନ୍ଦ କରାଯାଇଛି। ବାହାଘର ଭୋଜି ଆୟୋଜନ କରିଥିବା ଲେନ୍‌ର ଶୈଳ ମହାପାତ୍ରଙ୍କ ଠାରୁ ୨୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ଶ୍ରୀ ମହାପାତ୍ରଙ୍କ ଘର ଛାତ ଉପରେ ୨ଶହ ଲୋକଙ୍କ ପାଇଁ ବାହାଘର ଭୋଜି ପ୍ରସ୍ତୁତ ହୋଇଥିଲା।

ବାହାଘର ଶେଷ ହେବା ପରେ ସାହି ଭାଇ ଓ ବନ୍ଧୁବାନ୍ଧବଙ୍କ ପାଇଁ ଛାତ ଉପରେ ମଧ୍ୟାହ୍ନ ଭୋଜନର ଆୟୋଜନ କରାଯାଇଥିଲା। ଖବର ପାଇ ସିଏମସି କୋଭିଡ୍‌ ଏନ୍‌ଫୋର୍ସମେଣ୍ଟ ଟିମ୍‌ ଓ ପୁରୀଘାଟ ଥାନା ପୁଲିସ ପହଞ୍ଚିଲା ବେଳକୁ ୬୦ରୁ ଅଧିକ ଲୋକ ଖାଇ ସାରିଥିଲେ। ଅନେକ ଲୋକ ଖାଇବାକୁ ଅପେକ୍ଷା କରିଥିବା ବେଳେ ଭୋଜି ଆୟୋଜନକୁ ବନ୍ଦ କରାଯିବା ସହିତ ବଳକା ଖାଦ୍ୟକୁ ନଷ୍ଟ କରାଯାଇଥିଲା। ଉକ୍ତ ଚଢାଉରେ ‌ପୁରୀଘାଟ ଥାନା ଆଇଆଇସି ରଶ୍ମୀରଂଜନ ସାହୁ ଓ ସିଏମ୍‌ସି କୋଭିଡ୍‌ ଏନ୍‌ଫୋର୍ସମେଣ୍ଟ ଅଧିକାରୀ ପରେଶ କୁମାର ନାୟକ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର