ଫେଲ୍‌ ମାରିଛି ବର୍ଷା ଜଳ ସଂରକ୍ଷଣ ଯୋଜନା! ୨ ବର୍ଷରେ ୨୯୦ରୁ ସରିଛି ୯୪ ପ୍ରକଳ୍ପ

କଟକ: ପୌର ନିଗମ ପକ୍ଷରୁ ସହରର ମାଟି ତଳ ଜଳସ୍ତର ବୃଦ୍ଧି ପାଇଁ ୨ ବର୍ଷ ତଳେ ଆରମ୍ଭ ହୋଇଥିଲା ବର୍ଷା ଜଳ ସଂରକ୍ଷଣ ପ୍ରକଳ୍ପ ଯୋଜନା। ରାଜ୍ୟ ସରକାରଙ୍କ ତରଫରୁ ଏଥିପାଇଁ ‘ୟୁଡବ୍ଲୁଇଆଇ’ ଓ ‘ମୁକ୍ତା’ ଯୋଜନାରେ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିଲା। ଗତ ୨ବର୍ଷ ମଧ୍ୟ‌େର ୨୯୦ଟି ପ୍ରକଳ୍ପ କରିବାକୁ ସ୍ଥିର କରାଯାଇ ବେଳେ ଏବେ ସୁଦ୍ଧା ମାତ୍ର ୯୪ଟି ପ୍ରକଳ୍ପ ଶେଷ ହୋଇଛି। ଯୋଜନାରେ ୨୦୨୦ ଓ ୨୦୨୧ରେ ୨୪ ପ୍ରକଳ୍ପ ହୋଇଥିବା ବେଳେ ଚଳିତ ବର୍ଷ ୭୦ଟି କରାଯାଇଛି। ସହରର ମାଟି ତଳ ଜଳସ୍ତର ବୃଦ୍ଧି କରିବାକୁ ସରକାର ୧୯ଶହରୁ ଅଧିକ ପ୍ରକଳ୍ପ ପାଇଁ ପ୍ରସ୍ତାବ ଦେଇଥିଲେ। ମାତ୍ର ନିଗମ ପକ୍ଷରୁ ୨୯୦ଟି ପ୍ରକଳ୍ପ କରିବାକୁ ଯୋଜନା ପ୍ରସ୍ତୁତ ହୋଇ ମାତ୍ର ୯୪ଟି ଶେଷ ହୋଇଛି। ଏଥିରୁ ଏହି ଯୋଜନା ପ୍ରତି ନିଗମ କର୍ତ୍ତୃପକ୍ଷଙ୍କ କେତେ ଆଗ୍ରହ ତାହା ସ୍ପଷ୍ଟ ହୋଇଯାଉଛି। ପୌରା ଅଞ୍ଚଳର ବିଭିନ୍ନ ସ୍ଥାନରେ ଗତ ବର୍ଷ ହେବ ମାଟି ତଳ ଜଳସ୍ତର କମିବାରେ ଲାଗିଛି। ପୂର୍ବରୁ ୨୦ରୁ ୩୦ ଫୁଟ ଗଭୀରରେ ପାଣି ମିଳୁଥିବା ସ୍ଥାନରେ ଏବେ ୬୦ ଫୁଟ ଖୋଳିବାକୁ ପଡୁଛି। ଆଗାମୀ ଦିନରେ ଏହା ସହର ପାଇଁ ଏକ ବଡ ସମସ୍ୟା କରିବ ବୋଲି ପରିବେଶବିତ୍‌ ମାନେ କହୁଛନ୍ତି।

ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଭୂତଳ ଜଳସ୍ତର ବୃଦ୍ଧି କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଥିଲା। ୨୦୨୦ ଓ ୨୦୨୧ରେ ଉକ୍ତ କାମକୁ ‘ଅର୍ବାନ ୱେଜ୍‌ ଏମ୍ପୋୟମେଣ୍ଟ ଇନ୍‌ଟାଟିଭ୍‌’ (ୟୁଡବ୍ଲୁଇଆଇ) ଓ ‘ମୁଖ୍ୟମନ୍ତ୍ରୀ କର୍ମ ତତ୍ପରତା ଅଭିଯାନ ଯୋଜନା’ (ମୁକ୍ତା)ରେ ଏହି କରିବାକୁ କୁହାଯାଇଥିଲା। ଦୁଇ ବର୍ଷରେ ନିଗମର ୫୯ଟି ୱାର୍ଡରେ ମୋଟି ୧୯ଶହ ୮୦ଟି ପ୍ରକଳ୍ପ କରିବାକୁ ସରକାରଙ୍କ ତରଫରୁ ସିଏମ୍‌ସିକୁ ଭିନ୍ନ ଭିନ୍ନ ସମୟରେ ଚିଠି ହୋଇଥିଲା। ୨୦୨୧ ଜୁନ୍‌୧୫ ତାରିଖ ମଧ୍ୟରେ ପ୍ରକଳ୍ପ ଗୁଡିକୁ ଶେଷ କରିବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଥିଲା। ପୌର ନିଗମର ବିଭିନ୍ନ ପାର୍କ ଓ ସରକାରୀ ଖୋଲା ଜମିରେ ଏହାକୁ କରିବାକୁ ସ୍ଥିର ହୋଇଥିଲା। ସହରର ବିଭିନ୍ନ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଦ୍ବାରା ଏହା କରିବାକୁ କୁହାଯାଇଥିଲା। ନିଗମ ପକ୍ଷରୁ ୧୧ଶହ ୮୦ ସ୍ଥାନରେ ୨୯୦ଟି ପ୍ରକଳ୍ପ କରିବାକୁ ସ୍ଥିର ହୋଇଥଲା। ମାତ୍ର ଗତ ୨ବର୍ଷ ମଧ୍ୟରେ ମାତ୍ର ୨୪ଟି କରାଯାଇଥିବା ବେଳେ ଏ ବର୍ଷ ୭୦ଟି ପ୍ରକଳ୍ପ ନିର୍ମାଣ କରାଯାଇଛି। ନିଗମର ନିଷ୍ପତ୍ତି କ୍ରମେ ୨୯୦ରୁ ମାତ୍ର ୯୪ଟି ଶେଷ ହୋଇଥିବା ବେଳେ ବାକି ୧୯୬ଟି ପ୍ରକଳ୍ପ କେବେ ଶେଷ ହେବ ତାହାର ଉତ୍ତର କାହା ପାଖରେ ନାହିଁ। ପୌର ନିଗମ ପକ୍ଷରୁ ବର୍ଷା ଜଳ ସଂରକ୍ଷଣ ପାଇଁ ୨୯୦ଟି ପ୍ରକଳ୍ପ ଯୋଜନା କରାଯାଇ ଏବେ ସୁଦ୍ଧା ୯୪ଟି ଶେଷ ହୋଇଥିବା ବେଳେ ୯୪ଟିର ନିର୍ମାଣ କାମ ଚାଲିଥିବାର ନିଗମର ଇଂଜିନିୟରିଂ ବିଭାଗ ପକ୍ଷରୁ କୁହାଯାଇଛି। ସହରର ଭୂତଳ ଜଳସ୍ତର ବୃଦ୍ଧି ପାଇଁ ପ୍ରସ୍ତୁତ ହୋଇଥିବା ଯୋଜନାକୁ ନିଗମର ଅଧିକାରୀ ଗୁରୁତ୍ବ ଦେଉ ନଥିବା ବେଳେ ଏ ନେଇ ସାଧାରଣରେ ‌ଅସନ୍ତୋଷ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର