ଚାହିଦା ଅନୁସାରେ ପଇଡ଼ ନାହିଁ, ନଡ଼ିଆ ସମସ୍ୟା ବି ଉତ୍କଟ; ଫନି ପରେ ଅଧାକୁ ଖସିଛି ଉତ୍ପାଦନ

କୋଭିଡ୍ ସମୟରୁ ଦୁଇ ଗୁଣା ବଢ଼ିଲାଣି ଦର

କଟକ: ଗୋଟିଏ ପଟେ ରାଜ୍ୟରେ ଏବେ ପଇଡ଼ର ଚାହିଦା ତିନି ଗୁଣ ବଢିଛି। ଅନ୍ୟପଟେ ସେହି ଅନୁଯାୟୀ ଉତ୍ପାଦନ ବଢୁ ନଥିବାରୁ ରାଜ୍ୟରେ ଏବେ ପଇଡ଼ ସଙ୍କଟ ଦେଖା ଦେଇଛି। ପଇଡ଼ ସାଙ୍ଗକୁ ନଡ଼ିଆ ଉତ୍ପାଦନ ବି ଗୁରୁତର ଭାବେ ହ୍ରାସ ପାଇ ଚାଲିଛି। ପୂର୍ବରୁ ଯେଉଁ ଗଛରେ ୧୦ କାନ୍ଦି ଫଳୁଥିଲା, ସେଥିରେ ଏବେ ଦୁଇ କାନ୍ଦି ଫଳୁନି। ଫଳରେ ଗତ ୬ ମାସ ହେବ ରାଜ୍ୟରେ ପଇଡ଼ର ଘୋର ଅଭାବ ଦେଖାଦେଇଛି। ପଇଡ଼ ଅଭାବ ‌ଯୋଗୁଁ ଏହାର ଦର ଦୁଇ ଗୁଣା ବଢିଛି। ଯେଉଁ ପଇଡ଼ ପୂର୍ବରୁ ୧୫ରୁ ୨୫ ଟଙ୍କାରେ ମିଳୁଥିଲା ତାହା ଏବେ ୩୦ରୁ ୫୦ ଟଙ୍କାରେ ବିକ୍ରି ହେଉଛି। ବ୍ୟବସାୟୀ ଅଗ୍ରୀମ ଦେଇ ବି ଚାହିଦା ମୁତାବକ ପଇଡ଼ ପାଉ ନାହାନ୍ତି। ଏପଟେ ପଇଡ଼ ଦର ଅଧିକ ରହୁଥିବାରୁ ଚାଷୀ ଏବେ ଗଛରୁ ସବୁ ପଇଡ଼ କାଟି ଦେଉଛନ୍ତି। ଫଳରେ ରାଜ୍ୟରେ ଏବେ ନଡିଆ ସଙ୍କଟ ବି ଦେଖ‌ାଦେଇଛି। ଫନି ବାତ୍ୟା ପରେ ସର୍ବାଧିକ ପଇଡ଼ ଉତ୍ପାଦନ ହେଉଥିବା ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା ଓ ଯାଜପୁର ଜିଲ୍ଲାରେ ପୂର୍ବ ଭଳି ଆଉ ପଇଡ଼ ମିଳୁନାହିଁ। ଆଗକୁ ଏହି ସ୍ଥିତି ଆହୁରି ଉଦ୍‌ବେଗଜନକ ହେବ ବୋଲି ଜଣେ ବ୍ୟବସାୟୀ କହିଛନ୍ତି। ଓଡ଼ିଶାରୁ ବାହାର ରାଜ୍ୟକୁ ବି ପଇଡ଼ ରତ୍ପାନି ହେଉଥିବାରୁ ରାଜ୍ୟ ଭିତରେ ବି ଦର ବଢିବା ଆରମ୍ଭ କରିଛି। ନଡିଆ ସଙ୍କଟ ଯୋଗୁଁ ଏବେ ଧୀରେ ଧୀରେ ରାଜ୍ୟର କତା ଶିଳ୍ପ ବି ସମସ୍ୟାର ସମ୍ମୁଖୀନ ହେବା ଆରମ୍ଭ କରିଛି।

ତଥ୍ୟ ମୁତାବକ, ଓଡ଼ିଶାର ପଇଡା ବଜାରର ମୁଖ୍ୟ ଅଞ୍ଚଳ କୁହାଯାଉଥିବା ପୁରୀ ଜିଲ୍ଲାର ସାକ୍ଷୀଗୋପାଳ ଓ ଏହାର ଆଖପାଖ ଅଞ୍ଚଳରେ ଆଉ ଆଗଭଳି ପଇଡ ମିଳୁନାହିଁ। କିନ୍ତୁ ପଇଡର ଚାହିଦା ବଢୁଥିବାରୁ ଏବେ ବ୍ୟବସାୟୀ ରାଜ୍ୟ ବାହାରୁ ପଇଡ଼ ମଗାଇବା ଆରମ୍ଭ କଲେଣି। ବାହାର ରାଜ୍ୟରୁ ଆସୁଥିବା ପଇଡ କିନ୍ତୁ ନିୟମିତ ଆସୁନାହିଁ। ଫଳରେ ଦିନେ ପଇଡ ବିକ୍ରି କଲେ ଅନେକ ବ୍ୟବସାୟୀ ଦୁଇ ଦିନ ଦୋକାନ ବନ୍ଦ ରଖୁଛନ୍ତି। ରାଜ୍ୟର ପଇଡ଼ ଅଭାବକୁ ନେଇ ହର୍ଟିକଲଚର ବିଭାଗର ଉପନିର୍ଦ୍ଦେଶକ ଦେବଦାସ ଦତ୍ତ କହିଛନ୍ତି ଯେ ପଇଡ଼ ଅଭାବର ମୁଖ୍ୟ କାରଣ ହେଉଛି ଆବଶ୍ୟକତା ଅନୁସାରେ ଉତ୍ପାଦନ ବୃଦ୍ଧି ନ ହେବା। ରାଜ୍ୟକୁ ନଡିଆ, ପଇଡ ‌ଯୋଗାଉଥିବା ପୁରୀ ଜିଲ୍ଲା ଫନିରେ ପ୍ରଭାବିତ ହେବା ପରେ ଏଭଳି ସଙ୍କଟ ଦେଖାଦେଇଛି। ଅନ୍ୟପକ୍ଷରେ ଏବେ ଅଧିକ ଲୋକ ସ୍ବାସ୍ଥ୍ୟ ସଚେତନ ହୋଇଛନ୍ତି। ଅନ୍ୟ ପାନୀୟ ଠାରୁ ପଇଡକୁ ଅଧିକ ଲୋକ ପସନ୍ଦ କରୁଛନ୍ତି। ପଇଡ ବିକ୍ରି ଗତ ଦୁଇ ବର୍ଷ ଭିତରେ ୫ ଗୁଣା ବୃଦ୍ଧି ପାଇଛି। ଗୋଟିଏ ପଟେ ଉତ୍ପାଦନ କମିବା ଅନ୍ୟପଟେ ଲୋକଙ୍କ ଚାହିଦା ବଢିଥିବାରୁ ଏଭଳି ସ୍ଥିତି ଉପୁଜିଛି। ତେବେ ପଇଡ ଅପେକ୍ଷା ରାଜ୍ୟରେ ଏବେ ନଡିଆ ସଙ୍କଟ ଅଧିକ ଗୁରୁତର ହେବାକୁ ଯାଉଛି। ଚାଷୀ ପଇଡରୁ ଅଧିକ ଲାଭବାନ ହେଉଥିବାରୁ ଆଉ ନଡିଆ ପାଇଁ ପଇଡ଼ ଛାଡୁନାହାନ୍ତି। ରାଜ୍ୟରେ କିଭଳି ପଇଡ ଉତ୍ପାଦନ ବଢିବ, ଅଧିକରୁ ଅଧିକ ନଡିଆ ଚାଷ ହେବ ସେଥିପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଫନିରେ ଉପୁଡିଥିବା ନଡିଆ ଗଛ ବଦଳରେ ନଡିଆ ଗଛ ଲଗାଯାଉଛି। ଏହି ସମସ୍ୟା ଧୀରେ ଧୀରେ ସୁଧୁରି ଯିବ ବୋଲି ଶ୍ରୀ ଦତ୍ତ କହିଛନ୍ତି।

ସମ୍ବନ୍ଧିତ ଖବର