କଟକ ସବରେଜିଷ୍ଟର କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟଣା: ଅବକାରୀ ବିଭାଗକୁ ରିପୋର୍ଟ ମାଗିଲେ ଜିଲ୍ଲାପାଳ

କଟକ: କଟକ ସବରେଜିଷ୍ଟ୍ରର କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟଣାରେ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଅବକାରୀ ବିଭାଗକୁ ରିପୋର୍ଟ ମାଗିଛନ୍ତି। ଆଜିର ଏହି ଅଗ୍ନିକାଣ୍ଡରେ ଅବକାରୀ ବିଭାଗର ଷ୍ଟୋର ରୁମରେ ଘଟିଥିଲା। ବର୍ଷ ତମାମର ଜବତ ସାମଗ୍ରୀ ଷ୍ଟୋର ରୁମରେ ରଖିଥିବା ମଦ, ଡ୍ରମ୍, ହାଣ୍ଡି, ଡେକଚି, ଏକ ସାଇକେଲ ଏବଂ ଅନ୍ୟାନ୍ୟ ଜବତ ସାମଗ୍ରୀ ସବୁ ପୋଡି ହୋଇ ନଷ୍ଟ ହୋଇଯାଇଛି। ଏକାଧିକ ଦୁଇ ଚକିଆ ଯାନ ପୋଡ଼ି ପାଉଁଶ ହୋଇ ଯାଇଛି। ନିଆଁ ଏସବିଆଇ ବିଲ୍ଡିଂଗକୁ ଏବଂ ନିବନ୍ଧନ କାର୍ଯ୍ୟାଳୟକୁ ବ୍ୟାପିବା ପୂର୍ବରୁ ଏହାକୁ ଆୟତ୍ତ କରାଯାଇଥିଲା। ହୋଟେଲରେ ନିଆଁ ଲାଗିବା ପରେ ଏହା ଅବକାରୀ ବିଭାଗ ମାଲଖାନାରେ ଥିବା ମଦ ସଂସ୍ପର୍ଶରେ ଆସି ଆହୁରି ବ୍ୟାପକ ରୂପ ନେଇଥିଲା। ଦେଶୀ ମଦ ତଥା ମଦ ତିଆରିରେ ବ୍ୟବହୃତ କଞ୍ଚାମାଲ ରହିଥିବା ଡ୍ରମ ଫାଟିବା ଫଳରେ ତରଳ ପଦାର୍ଥ ବୋହି ନିକଟସ୍ଥ ନାଳରେ ପ୍ରବାହିତ ହୋଇଥିଲା। ଏହା ଫଳରେ ପାଣି ପରି ଡ୍ରେନ ଭିତରେ ନିଆଁ ଆଗକୁ ଆଗକୁ ବଢ଼ିବାରେ ଲାଗିଥିଲା। ଅଗ୍ନିଶମ ବାହିନୀ ସହିତ ସହଯୋଗର ହାତ ବଢାଇଥିଲେ ସ୍ଥାନୀୟ ବାସିନ୍ଦା। ନାଳ ଦେଇ ଏହି ନିଆଁ ନିକଟସ୍ଥ ଗଣେଶଘାଟ ପେଟ୍ରୋଲ ପମ୍ପ ନିକଟରେ ପହଂଚିବା ପୂର୍ବରୁ, ଅନେକ ପରିଶ୍ରମ ପରେ ବିଭିନ୍ନ ସ୍ଥାନରେ ବାଲି ଭର୍ତ୍ତି କରି ନାଳର ନିଆଁକୁ ଅଟକାଇବାରେ ସକ୍ଷମ ହୋଇଥିଲେ ଜନସାଧାରଣ ଓ ଅଗ୍ନିଶମ ଯବାନ।

କେବଳ ପେଟ୍ରୋଲ ପମ୍ପ ନୁହେଁ, ନିବନ୍ଧନ କାର୍ଯ୍ୟାଳୟର ରେକର୍ଡ ରୁମ, ଏସବିଆଇ ମୁଖ୍ୟ ଶାଖାର ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟ ଅଳ୍ପକେ ରକ୍ଷା ପାଇଯାଇଛି। ଅବକାରୀ ମାଲଖାନାରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ନ ଥିବା ଏବଂ ଜବତ ମଦକୁ ଅନେକ ସମୟରେ ସୁରକ୍ଷିତ ସ୍ଥାନରେ ନଷ୍ଟ ନ କରି ନାଳରେ ଢାଳି ଦିଆଯାଉଥିବା ଜନସାଧାରଣ ଅଭିଯୋଗ ଆଣିଛନ୍ତି। ପାଖାପାଖି ଶହେ ମିଟର ପର୍ଯ୍ୟନ୍ତ ଡ୍ରେନ ଭିତରେ ନିଆଁ ମାଡି ଯାଇଥିବାର ଦେଖି ଭୟଭୀତ ହୋଇ ପଡ଼ିଥିଲେ ପଥଚାରୀ। ନିଆଁ ଏତେ ଭୟଙ୍କର ଥିଲା ଯେ, ଡ୍ରେନ ଉପରେ ପକା ଯାଇଥିବା ସ୍ଲାବ ଗୁଡିକ ମଧ୍ୟ ତାତି ଯାଇଥିଲା। ଅବକାରୀ ମାଲଖାନାଟି ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଥିବା ବେଳେ, ଗରମ ହୋଇ ଫାଟି ଯାଇଥିଲା ସବ ରେଜିଷ୍ଟ୍ରାର କାର୍ଯ୍ୟାଳୟର କାନ୍ଥ।

Sambad

ତେବେ ଘଟଣାସ୍ଥଳ ବୁଲି ତମାମ ଦିଗ ଉପରେ ସମୀକ୍ଷା କରି ତଦନ୍ତ ରିପୋର୍ଟ ମାଗିଛନ୍ତି କଟକ ଜିଲ୍ଲାପାଳ। ଅବକାରୀ ବିଭାଗ ନିରୀକ୍ଷକଙ୍କୁ ଏ ନେଇ ଏକ ରିପୋର୍ଟ ଦାଖଲ ପାଇଁ ନିର୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ଏଡିଏମ୍‌ଙ୍କୁ ମଧ୍ୟ ଘଟଣାର ଅନୁଧ୍ୟାନ ପାଇଁ ନିର୍ଦେଶ ଦେଇଛନ୍ତି କଟକ ଜିଲ୍ଲାପାଳ। ଅନ୍ୟପଟେ ଅବକାରୀ ମାଲଖାନାଟି ବହୁତ ପୁରୁଣା। ମଦ ତଥା ମଦ ତିଆରି ପାଇଁ ଉଦିଷ୍ଟ କଞ୍ଚାମାଲ ଜବତ ହୋଇ ରଖାଯାଇଥିଲା। ନିକଟସ୍ଥ ହୋଟେଲ ଗ୍ୟାସ ସିଲିଣ୍ଡର ଫାଟି ନିଆଁ ଲାଗିଛି। କେଉଁ ପରିସ୍ଥିତିରେ ନିଆଁ ଲାଗିଲା ଆମେ ଅନୁଧ୍ୟାନ କରୁଛୁ। ଜବତ ସାମଗ୍ରୀ ଗୁଡିକ କୋର୍ଟରେ ବିଚାରଧୀନ ଥିବା ମାମଲା ଗୁଡିକର ଫଇସଲା ହେବା ପରେ ହିଁ, କୋର୍ଟଙ୍କ ନିର୍ଦେଶ ଅନୁଯାୟୀ ନଷ୍ଟ କରାଯାଇଥାଏ। ମାଲଖାନାରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ନ ଥିଲା। କିନ୍ତୁ ଫାୟାର ସେଫ୍‌ଟିର ଆବଶ୍ୟକତା ରହିଛି। ଆଗକୁ ଧ୍ୟାନ ଦେବୁ” ବୋଲି କହିଛନ୍ତି ଅବକାରୀ ଅଧିକ୍ଷକ।

ତେବେ ଆଜି ଏକ ବଡ଼ ଧରଣର ବିପତ୍ତିରୁ ବର୍ତ୍ତିଲେ ଏକାଧିକ ସରକାରୀ କାର୍ଯ୍ୟାଳୟ ତଥା ଶତାଧିକ ଜନସାଧାରଣ। ଆଜି ସକାଳ ସମୟରେ ହାଇକୋର୍ଟ ନିକଟସ୍ଥ ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା କାର୍ଯ୍ୟାଳୟର ଠିକ ପଛ ପଟକୁ ଥିବା ଜିଲ୍ଲା ନିବନ୍ଧନ କାର୍ଯ୍ୟାଳୟ ଓ ଅବକାରୀ ମାଲଖାନା ପରିସରରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। ଅବକାରୀ ଷ୍ଟୋର ରୁମ ସାମ୍ନାରେ ଥିବା ଏକ ହୋଟେଲର ଗ୍ୟାସ ସିଲିଣ୍ଡର ଫାଟି ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଘଟଣାରେ ଦୁଇ ଜଣ ହୋଟେଲ କର୍ମଚାରୀ ଆହତ ହୋଇଥିବା ବେଳେ ସେମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି। ନିଆଁକୁ ଆୟତ୍ତ କରିବା ପାଇଁ ୩ଟି ଫାୟାର ଟିମ୍ ନିୟୋଜିତ ହୋଇଥିବା ବେଳେ ପାଣି ଏବଂ ଫୋମ୍ ବ୍ୟବହାର କରି ନିଆଁକୁ ନିୟନ୍ତ୍ରଣକୁ ନେଇଥିଲେ ଅଗ୍ନିଶମ ବାହିନୀ।

ସମ୍ବନ୍ଧିତ ଖବର