ମୁମ୍ବାଇ ଡନ୍‌ଙ୍କ ଷ୍ଟାଇଲ୍‌ରେ ଅପରାଧରେ ବ୍ୟବହାର କରୁଛି ଯୁବତୀଙ୍କୁ, କଲେଜ ଛାତ୍ରଙ୍କୁ ସାମିଲ କରି ଗ୍ୟାଙ୍ଗ୍‌ ଗଢ଼ୁଛି

କଟକ: ୨୦୧୬ ପରଠାରୁ ଧଳସାମନ୍ତ ଭାଇ ଜେଲ ଯିବା ପରେ କଲେଜ ଗଣ୍ଡଗୋଳରୁ ଗ୍ୟାଙ୍ଗଷ୍ଟର ପାଲଟି ଯାଇଥିବା ମହମ୍ମଦ ସକିଲ୍ ବିରୋଧରେ ଏବେ ୩୦ରୁ ଅଧିକ ସଂଗିନ ଅପରାଧୀକ ମାମଲା। ମୁମ୍ବାଇ ଡନଙ୍କ ଭଳି ଗାର୍ଲଫ୍ରେଣ୍ଡଙ୍କ ଜରିଆରେ ଅପରାଧୀକ ନେଟଓାର୍କ ଜେଲରୁ ନିୟନ୍ତ୍ରଣ କରୁଥିବା ସକିଲର କାରନାମା ପୁଲିସକୁ ଏବେ ଚକିତ କରିଛି। କୋରାପୁଟ ଜେଲରେ ଥିବା ସକିଲ ତୃତୀୟ ଗାର୍ଲଫ୍ରେଣ୍ଡ ମାନସୀ ନାୟକ ମାଧ୍ୟମରେ ନିଜର ଖାସ୍ ସହଯୋଗୀ କ୍ୟାଣ୍ଟନମେଣ୍ଟ ପେନସନ ଲେନର ବରେନ୍ ବାବୁକୁ ଟଙ୍କା ଯୋଗାଉଥିଲା। ସକିଲ୍ ଜେଲ୍ ଯିବା ପରେ ଜେଲ୍ ବାହାରେ ବରେନ୍ ସକିଲର ଗ୍ୟାଙ୍ଗ୍ ସମ୍ଭାଳୁଥିଲା। ଗ୍ୟାଙ୍ଗ ପାଇଁ ଟଙ୍କା ଆବଶ୍ୟ ହେଉଥିବାରୁ ମାନସୀ ତାହା ଯୋଗାଉ ଥିଲା। ଗଲା ଏପ୍ରିଲ ୨୯ ତାରିଖରେ ବାରଙ୍ଗରେ ଦରଘାବଜାର ପୁଲିସ ଦ୍ବାରା ଏନକାଉଣ୍ଟରର ଶିକାର ହୋଇ ବରେନ୍ ଜେଲ୍ ଯିବା ପରେ ସକିଲ୍ ଗ୍ୟାଙ୍ଗ୍ ସହିତ ସମ୍ପର୍କ କାଟିଦେଇଛି। କିନ୍ତୁ ମାନସୀ ଏବେ ବରେନର ନୂଆ ଗାର୍ଲଫ୍ରେଣ୍ଡ ପାଲଟିଛି।

ମାନସୀ ଗ୍ୟାଙ୍ଗଷ୍ଟର ସକିଲ ସମେତ ଦୁର୍ଦ୍ଦାନ୍ତ ଅପରାଧୀ ବରେନ୍, କେଶରପୁରର ଡାଡୁ ଓ କାଳୀଗଳୀର ନଓାଜ ସରିଫର ବି ଗାର୍ଲଫ୍ରେଣ୍ଡ ଥିବା ପୂର୍ବରୁ ଜଣା ପଡ଼ିଥିଲା। ସଦର ଥାନା ଭାଣପୁର ପୀରବଜାର ଅଞ୍ଚଳର ଵାଜ ମହମ୍ମଦର ପୁଅ ମହମ୍ମଦ ସକିଲ କିନ୍ତୁ ମଙ୍ଗଳାବାଗ ଅଖାପଟି ଲେନରେ ନିଜ ମାମୁଁ ଘରେ ରୁହେ। ୨୦୧୧ ବେଳକୁ ସକିଲ୍ ଖ୍ରୀଷ୍ଟ କଲେଜ, ଷ୍ଟିଓାର୍ଟ କଲେଜ ଓ ରେଭେନ୍ସା କଲେଜରେ ଅଣଛାତ୍ର ଭାବ ବେଶ ସକ୍ରିୟ ରହି ଆସିଥିଲା। ମାମୁଁ ଅମିର ଖାଁର ଚା ଦୋକାନରେ ବି ସକିଲ୍ କାମ କରୁଥିଲା। ପରେ ପରେ ମଙ୍ଗଳାବାଗ, ବକ୍ସିବଜାର ଅଞ୍ଚଳରେ ୩ରୁ ୪ ଜଣ ଲୋକଙ୍କ କାର୍ ଡ୍ରାଇଭର ଭାବେ ବି କାମ କରି ପକେଟ୍ ଖର୍ଚ୍ଚ ଉଠାଉଥିଲା। ଷ୍ଟିଓାର୍ଟ କଲେଜ ଗଣ୍ଡଗୋଳ ଘଟଣାରେ କ୍ୟାଣ୍ଟନମେଣ୍ଟ ଥାନା ପୁଲିସ ତାକୁ ପ୍ରଥମେ ଗିରଫ କରିଥିଲା। କଲେଜ ଗଣ୍ଡଗୋଳ ମାମଲାରେ ପ୍ରାୟ ୩ ଥର ସକିଲ ଜେଲ୍ ଯିବା ପରେ ଅପରାଧୀକ କାର୍ଯ୍ୟକଳାପରେ ସକ୍ରିୟ ହୋଇଯାଇଥିଲା। ଜେଲରୁ ଫେରି କେଶରପୁର ଅଞ୍ଚଳରୁ ୨୦୧୨ ପରେ ବଟି ଆଦାୟ ଆରମ୍ଭ କରି ଦେଇଥିଲା। ଡାଲି ବ୍ୟବସାୟୀ ଫାରୁକ ହତ୍ୟାକାଣ୍ଡର ସକିଲର ସମ୍ପୃକ୍ତି ତା’ ବିରୋଧରେ ରହିଥିବା ପ୍ରଥମ ହତ୍ୟା ମାମଲା ବୋଲି କୁହାଯାଏ। ୨୦୧୪ ନଭେମ୍ବର ୧୧ ତାରିଖରେ ଡାଲି ବ୍ୟବସାୟୀ ଫାରୁକ ହତ୍ୟା ମାମଲାରେ ମାଲଗୋଦାମ ପୁଲିସ ୩୦ ତାରିଖରେ ମହମ୍ମଦ ସକିଲ ଓ ଅସିତ ଦାସକୁ ଗିରଫ କରିଥିଲା। ପୁଲିସ ଏମାନଙ୍କ ନିକଟରୁ ଗୋଟିଏ ବନ୍ଧୁକ ଓ ୪ ରାଉଣ୍ତ ଗୁଳି ଜବତ କରିଥିଲା।

ସକିଲ୍ ଜେଲରେ ଥିବା ବେଳେ ଜେଲ୍‌ ଭିତରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବାକୁ ଜେଲ୍‌ କର୍ମଚାରୀଙ୍କୁ ସକିଲର ଖାସ୍ ସହଯୋଗୀ ସେକ୍ ବାବୁ ଧମକ ଦେଇଥିଲା। କିନ୍ତୁ ଜେଲ୍‌ କର୍ତ୍ତୃପକ୍ଷ ସହଯୋଗ ନ କରିବାରୁ ବାବୁ ଓ ଅନ୍ୟ ସହଯୋଗୀମାନେ ୨୦୧୪ ଡିସେମ୍ବର ୨୬ ତାରିଖରେ ଚୌଦ୍ବାର ଜେଲ୍‌ ବାହାରେ ବୋମା ମାଡ଼ କରିଥିଲେ। ୨୦୧୭, ଫେବ୍ରୁଆରି ୨୧ ତାରିଖରେ ବାଲିଯାତ୍ରା ଉପର ପଡ଼ିଆରେ ବିଜେଡ଼ି କର୍ମୀ ବାଙ୍କୀ ନିର୍ବାଚନୀ ସଫଳତା ପାଇଁ ବାଣ ଫୁଟାଇବାକୁ ଯୋଜନା କରୁଥିବା ବେଳେ ସକିଲ୍‌ ଓ ବାବୁଙ୍କ ସମେତ ୪୦ ଅପରାଧୀ ସ˚ଘବଦ୍ଧ ଭାବେ ବିଜେଡ଼ି କର୍ମୀଙ୍କୁ ଗୋଡେ଼ଇ ବାଡେ଼ଇ ଥିଲେ। ୫ ବିଜେଡି କର୍ମୀ ଆହତ ହୋଇଥିଲେ। ୨୦୧୭, ମାର୍ଚ୍ଚ ୨୪ ତାରିଖରେ ବଟି ଆଦାୟକୁ ନେଇ କେଶରପୁର ସାହି ମୁରବୀ କାଦର‌୍‌ ନୁର‌୍‌ଙ୍କ ଘର ଉପରକୁ ବୋମା ମାଡ଼ ଏବ˚ ସାହି ସମ୍ପାଦକ ମହମ୍ମଦ ସାଜନ୍‌ଙ୍କୁ ବୋମା ମାରି ମୁହଁ ଫଟାଇବା ଘଟଣାରେ ସକିଲ ଓ ବାବୁଙ୍କ ସମ୍ପୃକ୍ତି ଥିଲା। ୨୦୧୭, ମାର୍ଚ୍ଚ ୨୭ ତାରିଖରେ କ୍ୟାଣ୍ଟନ୍‌ମେଣ୍ଟ ରୋଡ ଓପିଏସ୍‌ସି କାର୍ଯ୍ୟାଳୟ ରାସ୍ତାରେ ଯୁବ ବ୍ୟବସାୟୀ ରିକି ଓରଫ ସେକ୍‌ ଜଲାଲ୍‌ ଦୁଇ ପିଲାଙ୍କୁ ସ୍କୁଲ୍‌ରେ ଛାଡ଼ି ଆକ୍ଟିଭାରେ ଫେରୁଥିଲେ। ଏହି ସମୟରେ ସକିଲ୍‌ ଓ ବାବୁଙ୍କ ସମେତ ଅନ୍ୟ ସହଯୋଗୀ ରାସ୍ତାରେ ତାଙ୍କୁ ଅଟକାଇ ଗୁଳିମାଡ଼ କରିଥିଲେ। ସେହି ବର୍ଷ ଜୁନ ୨୫ ତାରିଖରେ ସକିଲ ଏଭଂ ସହଯୋଗୀ ଅକ୍ରମ ଓରଫ ୱାସିମ୍ ଅକ୍ରମକୁ ହାଇଦ୍ରାବାଦରୁ ଗିରଫ କରାଯାଇଥିଲା।

ଫାରୁକ ହତ୍ୟାକାଣ୍ଡ ସମୟରେ ଧଳସାମନ୍ତ ଗ୍ୟାଙ୍ଗ ସହିତ ସାମିଲ ହୋଇଥିଲା। ପୂର୍ବରୁ ଗ୍ୟାଙ୍ଗଷ୍ଟର ଟିଟୋ ପାଇଁ କାମ କରୁଥିଲା। ଦୁଇ ଗ୍ୟାଙ୍ଗଷ୍ଟରଙ୍କୁ ଛାଡ଼ି ସକିଲ୍ ନିଜସ୍ବ ଗ୍ୟାଙ୍ଗ ଗଢ଼ି ପାଲଟି ଯାଇଥିଲା ଗ୍ୟାଙ୍ଗଷ୍ଟର୍। ଧଳସାମନ୍ତ ଭାଇ ୨୦୧୬ରେ ଜେଲ ଯିବା ପରେ ସମସ୍ତ ସହଯୋଗୀ କଟକରେ ନିଷ୍କ୍ରିୟ ହେବା ଆରମ୍ଭ କଲେ। ଏହି ସମୟରେ ସକିଲ ନିଜ ଗ୍ୟାଙ୍ଗ ମଜବୁତ କରିବାରେ ସୁଯୋଗ ପାଇଥିବା କୁହାଯାଏ। ଶେଷ ଥର ୨୦୧୯ ଡିସେମ୍ବର ୧୪ ତାରିଖରେ ବକ୍ସିବଜାରର ଆନନ୍ଦ ସ୍ପୋର୍ଟସ୍ ମାଲିକ ଯୋଗେଶ ଅଗ୍ରଓାଲଙ୍କୁ ୧୦ ଲକ୍ଷ ଟଙ୍କା ବଟି ମାଗିବା ମାମଲାରେ ଦରଘାବଜାର ଥାନା ପୁଲିସ ସକିଲ ସମେତ ମୋଟ ୧୭ ଜଣଙ୍କ ବିରୋଧର ମାମଲା ରୁଜୁ କରିଥିଲା। ପୁଲିସ ସକିଲର ବାପା ମହମ୍ମଦ ଵାଜା, ଭାଇ ମହମ୍ମଦ ଅକିଲ, ସକିଲର ଦୁଇ ପ୍ରେମିକା କେଶରପୁରର ରେସମ ଓରଫ ନିଖାତ୍ ନସିମ୍, ଡେଜି ଓରଫ ନସରିନ୍ ଖାଁଙ୍କୁ ଗିରଫ କରିଥିଲା। ଗଲା ୨୫ ତାରିଖରେ ଜମି ବ୍ୟବସାୟୀ ମହମ୍ମଦ ରହେମାନଙ୍କୁ ଶିଶୁଭବନ ପଛପଟେ ଆକ୍ରମଣ ମାମଲାରେ ତୃତୀୟ ବାନ୍ଧବୀ ମାନସୀ ନାୟକକୁ ଗିରଫ କରାଯାଇଥିଲା। ଅନ୍ୟପଟେ ସକିଲ ଦିଵାନ ବଜାର, ଓଡ଼ିଆ ବଜାର, ସୂତାହାଟ ଏବ˚ କଦମରସୁଲ ଅଞ୍ଚଳର କଲେଜ ଛାତ୍ରଙ୍କୁ ଏକାଠି କରି ଗ୍ୟାଙ୍ଗର କଳେବର ବୃଦ୍ଧି ଯୋଜନାରରେ ଥିବାରୁ ପୁଲିସ ପାଇଁ ଆଗାମୀ ଦିନରେ ବଡ଼ ଚ୍ୟାଲେଞ୍ଜ ହେବା ଆଶଙ୍କା କରାଯାଉଛି।

ସମ୍ବନ୍ଧିତ ଖବର