ଗୋଷ୍ଠୀ ବେତାର କେନ୍ଦ୍ର ସହାୟତା ଉପରେ ରୋକ୍ ଲଗାଇଛି ଇମେଜ୍‌, ପ୍ରଭାବିତ ହେବ ୨୧ କମ୍ୟୁନିଟି ରେଡିଓ

କମ୍ୟୁନିଟି ‌ରେଡିଓକୁ ଆଉ ମିଳିବନି ସହାୟତା ରାଶି

କଟକ: ରାଜ୍ୟରେ ଗୋଷ୍ଠୀ ବେତାର କେନ୍ଦ୍ର( କମ୍ୟୁନିଟ୍ ରେଡିଓ ସେଣ୍ଟର) ଗୁଡ଼ିକ ବନ୍ଦ ‌ହେବାର ଆଶଙ୍କା ଉପୁଜିଛି। କୃଷି ସଂପ୍ରସାରଣ ପରିଚାଳନା ପ୍ରତିଷ୍ଠାନ(ଇମେଜ୍‌) ପକ୍ଷରୁ କମ୍ୟୁନିଟ୍ ରେଡିଓ ସେଣ୍ଟର ଗୁଡିତୁ ଦିଆଯାଇଥିବା ସହାୟତା ଉପରେ ରୋକ୍ ଲଗାଇଛି। ଏହାକୁ ଅଚଳ କାର୍ଯ୍ୟକ୍ରମ ଇମେଜ୍‌ ଏହି ନିଷ୍ପତ୍ତି ନେଇଛି। ସହାୟତା ଦେଉଥିବା ସଂସ୍ଥ‌ା ଆତ୍ମାକୁ ଏଥିପାଇଁ ବାରଣ କରାଯାଇଛି। କେନ୍ଦ୍ର କୃଷି ମନ୍ତ୍ରଣାଳୟର ଚିଠିକୁ ତ୍ରୁଟିପୂର୍ଣ୍ଣ ଉପସ୍ଥାପନା କରାଯାଇ ଏଭଳି ନିଷ୍ପତ୍ତି ନିଆଯାଇଥିବା ଅଭି‌ଯୋଗ ହୋଇଛି। ଗୋଷ୍ଠୀ ବେତାର କାର୍ଯ୍ୟକ୍ରମକୁ ଏକ ଅଚଳ କାର୍ଯ୍ୟକ୍ରମ ଦର୍ଶାଇ ଏଭଳି ନିଷ୍ପତ୍ତି ନିଆଯାଇଛି। ଇମେଜ୍‌ର ନିଷ୍ପତ୍ତିକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଅନ୍ୟପକ୍ଷରେ କାମ ନକରି କମ୍ୟୁନିଟି ‌ରେଡିଓ ନାମରେ ଅର୍ଥ ‌ରୋଜଗାର କରୁଥିବା କିଛି ଅଚଳ କମ୍ୟୁନିଟି ‌ରେଡିଓ ପ୍ରମାଦ ଗଣିବା ଆରମ୍ଭ କରିଛନ୍ତି। ତଥ୍ୟଭିଜ୍ଞଙ୍କ କହିବା କଥା ଧୁଆମୂଳା-ଅଧୁଆ ମୂଳା ନ୍ୟାୟରେ ସମସ୍ତଙ୍କୁ ସମାନ ନକରି ଯେଉଁମ‌ାନେ କାମ କରୁଛନ୍ତି ତାଙ୍କ ପ୍ରତି କଠୋର ନ ହେବାକୁ ନିବେଦନ କରାଯାଇଛି। ଏଣିକି ନୂତନ ପ୍ରସ୍ତାବ ନପଠାଇବାକୁ ରାଜ୍ୟସ୍ତରରେ କାର୍ଯ୍ୟରତ ଇମେଜ୍ ପ୍ରତ୍ୟେକ ଜିଲାର ଆତ୍ମା କାର୍ଯ୍ୟାଳୟକୁ ଚିଠି (ସଂଖ୍ୟ ୨୭୪, ତା-୧୮ ଜାନୁଆରି) କରିଛି। କୃଷି ବୈଷୟିକ ପରିଚାଳନା ସଂସ୍ଥା (ଆତ୍ମା) ଏକ ରେଜିଷ୍ଟ୍ରିଭୁକ୍ତ ସଂସ୍ଥା ଭାବେ ଜିଲ୍ଲାସ୍ତରରେ ବୈଷୟିକ ଜ୍ଞାନକୌଶଳ ଆଦାନ ପ୍ରଦାନ କରିଥାଏ। କ୍ଷେତ୍ର ପ୍ରଦର୍ଶନୀ ଠାରୁ ଆରମ୍ଭ କରି କ୍ଷେତ୍ର ପରିଦର୍ଶନ, ଷ୍ଟଡି ଟୁର୍, ପ୍ରଦର୍ଶନୀ ଆଦି ଆତ୍ମା ପକ୍ଷରୁ ଅନେକ କାର୍ଯ୍ୟକ୍ରମ କରାଯାଇଥାଏ। କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ପକ୍ଷରୁ ଗତ ୨୦୨୧, ଅକ୍ଟୋବର ୧୮ତାରିଖ ଦିନ ଏକ ଚିଠି କୃଷି ବିଭାଗ ପ୍ରମୁଖ ଶାସନ ସଚିବଙ୍କ ନିକଟକୁ ଆସିଥିଲା। ଚିଠିରେ ଗୋଷ୍ଠୀ ବେତାର କେନ୍ଦ୍ରକୁ ଏକ ଅଚଳ କାର୍ଯ୍ୟକ୍ରମ ବୋଲି ଉଲ୍ଲେଖ ନଥିଲେ ବି ଏହାକୁ ବିଭ୍ରାନ୍ତିକର ଭାବେ ଉପସ୍ଥାପନ କରାଯ‌ାଇ ସେହି ଆଳରେ କମ୍ୟୁନିଟି ସେଣ୍ଟର୍‌ ସହାୟତା ବନ୍ଦ କରାଯାଇଛି।

ଅନ୍ୟପକ୍ଷରେ ଅର୍ଥ ମନ୍ତ୍ରଣାଳୟ, କୃଷି ସମ୍ପ୍ରସାରଣ କାର୍ଯ୍ୟକ୍ରମକୁ ୨୦୨୧-୨୨ରୁ ୨୦୨୫-୨୬ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ରାଜ୍ୟ ସରକାରଙ୍କ ସ୍ୱୟଂଚାଳିତ ପ୍ରତିଷ୍ଠାନ ଇମେଜ୍‌, ଗୋଷ୍ଠୀ ବେତାର କେନ୍ଦ୍ରକୁ ଅଚଳ କାର୍ଯ୍ୟକ୍ରମ ଦର୍ଶାଇବା ରାଜ୍ୟ ସରକାରଙ୍କ ନିଷ୍ପତ୍ତିର ବିରୁଦ୍ଧାଚରଣ କରୁଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜୁ ଗାଁ ରେଡିଓ ଯୋଜନା ପ୍ରଚଳନ କରି ରେଡିଓକୁ ଲୋକଙ୍କ ନିକଟତର କରିବାକୁ ପ୍ରୟାସ କରୁଥିବା ବେଳେ ରାଜ୍ୟ ସରକାରଙ୍କର ଏହି ସଂସ୍ଥା ଗୋଷ୍ଠୀ ବେତାର କେନ୍ଦ୍ରକୁ ଅଚଳ କାର୍ଯ୍ୟକ୍ରମ ଦର୍ଶାଇବାକୁ ବୁଦ୍ଧିଜୀବୀ ମହଲରେ ନାପସନ୍ଦ କରାଯାଇଛି। ରାଜ୍ୟର ପ୍ରଥମ ଗୋଷ୍ଠୀ ବେତାର କେନ୍ଦ୍ର ରେଡିଓ ନମସ୍କାରର ପ୍ରତିଷ୍ଠାତା ତଥା କମ୍ୟୁନିଟି ରେଡିଓ ଆସୋସିଏସନ୍ ଅଫ୍ ଇଣ୍ଡିଆର ପୂର୍ବତନ ସଭାପତି ଏନ୍.ଏ. ସାହା ଅନ୍‌ସାରୀଙ୍କ କହିବା କଥା, ଗୋଷ୍ଠୀ ବେତାର କେନ୍ଦ୍ର କାର୍ଯ୍ୟକ୍ରମ ଦନିକୁ ଦିନ ଜନପ୍ରିୟ ହେବା ସହ ଲୋକମାନଙ୍କ ଭିତରେ ସୂଚନା ଆଦାନ ପ୍ରଦାନରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। କମ୍ୟୁନିଟି ‌ରେଡିଓରୁ ସହାୟତା ପ୍ରତ୍ୟାହାର କରିବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି। ଅନ୍ୟପଟେ ରାଜ୍ୟରେ ୨୧ଟି କମ୍ୟୁନିଟି ‌ରେଡିଓରୁ ଅଧାରୁ ଅଧିକ ଏକପ୍ରକାର ଅଚଳ ରହିଛି। ‌ନାମକୁ ମାତ୍ର ‌ରେଡିଓ ସେଣ୍ଟର୍‌ ଖୋଲି ଏହାକୁ ଅର୍ଥ ଉପାର୍ଜନର ମାଧ୍ୟମ କରାଯାଇଛି। ବିନା କାମରେ ଟଙ୍କା ନେଉଥିବା ସଂସ୍ଥା ଉପ‌ରେ ରୋକ ଲଗାଇ ଯେଉଁମାନେ କାମ କରୁଛନ୍ତି ସେମାନଙ୍କୁ ଚିହ୍ନଟ କରି ସହାୟତା ଦିଆଗଲେ ଏହା ଆହୁରି ‌ଲୋକାଭିମୁଖି ହୋଇପାରିବ ମତପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର