କଟକ : କଂଗ୍ରେସରେ କିଛି ଅକର୍ମା ଅଛନ୍ତି, ଯେଉଁମାନେ ଦଳର କ୍ଷତି କରୁଛନ୍ତି। କଂଗ୍ରେସ ଏବେ ଛଅ ସାତ ଭାଗରେ ବିଭକ୍ତ। ଯେଉଁ ନାଥୁରାମ ଗଡସେ ଦିନେ ଜାତିର ପିତାଙ୍କୁ ହତ୍ୟା କରିଥିଲା, ଆଜି ତାଙ୍କ ନାମରେ ମନ୍ଦିର ହୋଇଛି । ଆମେ ଏ ସବୁକୁ କେବଳ ଜଳକା ହୋଇ ଦେଖୁଛୁ। ବେକାରୀ, ଗରିବୀ, ନାରୀ ନିର୍ଯତନା ବଢି ଚାଲିଛି । କଂଗ୍ରେସର ୧୩୩ତମ ପ୍ରତିଷ୍ଠା ଦିବସ ଅବସରରେ ଦଳୀୟ ସ୍ଥିତି ଏବଂ ଦେଶର ସାଂପ୍ରତିକ ଅବସ୍ଥାକୁ ନେଇ ଏପରି କ୍ଷୋଭ ପ୍ରକାଶ କରିଛନ୍ତି ପୂର୍ବତନ ପିସିସି ସଭାପତି ତଥା ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ।
କଟକର ସ୍ୱରାଜ ଆଶ୍ରମଠାରେ ନଗର କଂଗ୍ରେସ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟଅତିଥିଭାବେ ଯୋଗ ଦେଇ ଶ୍ରୀ ପଟ୍ଟନାୟକ ଏପରି ମତବ୍ୟକ୍ତ କରିବା ସହ ଦେଶ ତଥା ରାଜ୍ୟର ସ୍ୱାର୍ଥ ପାଇଁ କଂଗ୍ରେସକୁ ସଂଗଠିତ କରି ଶାସନକୁ ଫେରାଇ ଆଣିବାକୁ କର୍ମୀମାନଙ୍କୁ ଆହ୍ଵାନ ଦେଇଛନ୍ତି। ଶ୍ରୀ ପଟ୍ଟନାୟକ କହିଥିଲେ ଯେ ରାଷ୍ଟ୍ରୀୟ ସ୍ୱଂୟ ସେବକ କାର୍ଯ୍ୟାଳୟରେ ଜାତୀୟ ପତାକା ଉଡୁନାହିଁ । ସେମାନେ ଚାଇନାକୁ ବିରୋଧ କରୁଥିବାବେଳେ ଗୁଜୁରାଟରେ ନିର୍ମିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପ୍ରତିମୂର୍ତ୍ତିକୁ ଚାଇନା କାରିଗର ମାନେ ତିଆରି କରିଛନ୍ତି। ଏବେ ଦେଶର ଜିଡିପି ହ୍ରାସ ପାଇବା ସହ ଦୁର୍ନୀତି ବଢି ଚାଲିଛି । ଦୃଢ ପ୍ରଶାସନ ଏବଂ ବିକାଶ ପାଇଁ କଂଗ୍ରେସ ଶାସନକୁ ଆସିବା ଅତ୍ୟନ୍ତ ଜରୁରୀ ବୋଲି ଶ୍ରୀ ପଟ୍ଟନାୟକ କହିିଛନ୍ତି।
ସେହିପରି ରାଜ୍ୟର ବିଜେଡି ସରକାରକୁ ଟାର୍ଗେଟ କରି ନିରଞ୍ଜନ କହିଛନ୍ତି ଯେ ଓଡିଶାକୁ ଏକ ନମ୍ବର କରିଛନ୍ତି ବୋଲି ବିଜେଡି ଘୋଷଣା କରୁଥିବା ବେଳେ ୧୮ ବର୍ଷ ଭିତରେ ଓଡିଶା ତିନି ନମ୍ବର ସ୍ଥାନରେ ବି ପହଞ୍ଚି ପାରିନାହିଁ । ବିଜେଡି ସରକାର ଲୋକଙ୍କୁ ଭୂଆଁ ବୁଲାଉଥିବାବେଳେ ନୂଆ ଖଣି ଆଇନ ରାଜ୍ୟରେ ଶିଲ୍ପାୟନରେ ପ୍ରତିବନ୍ଧକ ସୃଷ୍ଟି କରିଛି। ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି । ଏପରି ସ୍ଥିତିରେ କଂଗ୍ରେସର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳକୁ ଗାଦିସୀନ କରିବା ପାଇଁ କର୍ମୀମାନେ ଅକ୍ଲାନ୍ତ ପରିଶ୍ରମ କରିବାକୁ ଶ୍ରୀ ପଟ୍ଟନାୟକ ଆହ୍ଵାନ ଦେଇଛନ୍ତି । ନଗର କଂଗ୍ରେସ ସଭାପତି ଇଂଜିନିୟର ମହମ୍ମଦ ମୋକିମଙ୍କ ନେତୃତ୍ୱରେ ଆୟୋଜିତ ଏହି ସଭାରେ ବରିଷ୍ଠ କଂଗ୍ରେସ ନେତା ଜଗଦୀଶ ମହାନ୍ତି, ପିସିସି ଆଇନସେଲ ଅଧ୍ୟକ୍ଷ ରତିକାନ୍ତ ମହାପାତ୍ରଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/12/swaraj-ashram-thare-congress-ra-pratistha-dibasha-palita-10.jpg)