କଟକ: ଜାତୀୟ ଗ୍ରିନ ଟ୍ରିବୁନାଲ (ଏନଜିଟି)ରେ ମାମଲା ବିଚାରାଧୀନ ଥିବା ବେଳେ ଭୁବନେଶ୍ବର ତହସିଲ ଅନ୍ତର୍ଗତ ନଖରାଠାରେ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ କ୍ୟାମ୍ପସ-୨ ନିର୍ମାଣ କାର୍ଯ୍ୟ ଚାଲି ପାରିବ ବୋଲି ହାଇକୋର୍ଟ ରାୟ ଦେଇଛନ୍ତି। ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ଅନୁମତି ଅନୁସାରେ ଆବେଦନକାରୀ ନିର୍ମାଣ କାର୍ଯ୍ୟ କରି ପାରିେବ। ଏହି ନିର୍ଦ୍ଦେଶ ଦ୍ବାରା କୌଣସି ଭାବେ ପ୍ରଭାବିତ ନ ହୋଇ ଏନଜିଟି ଏହି ପ୍ରସଙ୍ଗରେ ଚୂଡାନ୍ତ ରାୟ ପ୍ରକାଶ କରି ପାରିବେ ବୋଲି ହାଇକୋର୍ଟ କହିବା ସହିତ ଏ ସଂପର୍କିତ ମାମଲାର ଶୁଣାଣିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଡକ୍ଟର ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଶିକ୍ଷା ଓ ଅନୁସନ୍ଧାନ ଚାରିଟେବୁଲ ଏଜୁକେସନ ସୋସାଇଟି ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଏନଜିଟିରେ ପ୍ରତାପ ଚନ୍ଦ୍ର ମହାନ୍ତି ଓ ଅନ୍ୟମାନଙ୍କ ତରଫରୁ ଦାୟର ଆବେଦନରେ ଉଲ୍ଲେଖ କରାଯାଇଥିଲା ଯେ ୨୦୨୧, ସେପ୍ଟେମ୍ବର ୪ରେ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ଉପରୋକ୍ତ ପ୍ରକଳ୍ପ ନିର୍ମାଣ ପାଇଁ ୮.୯୪ ଏକର ଜମି ପ୍ରଦାନ କରିଥିଲା। ଏହି ପ୍ରକଳ୍ପ ଅଧୀନରେ ୮୯,୭୧୨.୨୩ ବର୍ଗ ମିଟରରେ ସ୍ଥାନରେ ନିର୍ମାଣ ପାଇଁ ପ୍ରସ୍ତାବ ରହିଥିଲା। ପରିବେଶ ମଞ୍ଜୁରୀ ମିଳି ନଥିବା ବେଳେ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଡକ୍ଟର ପୁରୁଷୋତ୍ତମ ଚୁଳି ଓ ପ୍ରିୟମ୍ବଦା ନାଥ ମାମଲା ପରିଚାଳନା କରୁଥିଲେ।