କଟକ: କରୋନା ଛଡାଇ ନେଇଥିଲା ସ୍ବପ୍ନ। ତଥାପି ସେମାନେ କିଛି ନୂଆ କରିବାର ସାହାସ କରିଛନ୍ତି। ସେମାନେ ବି କିଛି କରିପାରିବେ ସେଭଳି ଆତ୍ମବିଶ୍ବାସ ନେଇ ଆଗକୁ ବଢୁଛନ୍ତି। ଭିଟାମାଟି ଛାଡି କିଏ ସି-ମ୍ୟାନ୍ ଭାବେ ତ ପୁଣି କିଏ କ୍ୟାସିଅର ତ ପୁଣି କିଏ ଡାଇମଣ୍ଡ କମ୍ପାନିରେ କଟିଙ୍ଗ କରି ରୋଜଗାର କରୁଥିଲେ। ହେଲେ ଲକ୍ଡାଉନ୍, ସଟ୍ଡାଉନ୍ ପରେ ଫେରି ଆସିଲେ ଗାଁକୁ। ଗାଁକୁ ଫେରିବା ପାଇଁ ସଂଘର୍ଷ, ରହିବା ପାଇଁ ସଂଘର୍ଷ ଆଉ ପରେ ପେଟପାଟଣା ପାଇଁ ଅନେକ ପୁଣି ଭିଟାମାଟି ଛାଡି ଫେରି ଯିବାକୁ ବାଧ୍ୟ ହେଲେ। କିନ୍ତୁ ବ୍ରହ୍ମାନନ୍ଦ, ସୁଜିତ୍, ରିଙ୍କୁ, ବିଜୟ, ବିଶ୍ବନାଥଙ୍କ ଭଳି ଅନେକ ଆଉ ଭିଟାମାଟି ନ ଛାଡିବାକୁ ନିଷ୍ପତ୍ତି ନେଇ ଗାଁରେ ନିଜେ ସ୍ବାବଲମ୍ବୀ ହୋଇ ପରିବାର ସହିତ ରହିବାକୁ ସଂକଳ୍ପ ନେଲେ। ପ୍ରଶାସନ ପକ୍ଷରୁ ବି ଏଭଳି ପ୍ରବାସୀଙ୍କୁ ଚିହ୍ନଟ କରାଯାଇ ୩୦ରୁ ୮୦ ହଜାର ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ଦିଆଯାଇଛି। ସରକାରୀ ସହାୟତା ଓ ନିଜର ଉଦ୍ୟମରେ ଏବେ ସେମାନେ ନୂଆ ସ୍ବପ୍ନ ଦେଖୁଛନ୍ତି।
ବାଙ୍କୀ ବ୍ଲକ୍ ରଗଡିର ବ୍ରହ୍ମାନନ୍ଦ ନାହା। ମାଟ୍ରିକ୍ ପାସ କରିଥିବା ବ୍ରହ୍ମାନନ୍ଦ ତନ୍ତ ଚଳାଇବା ଶିଖି ଥିଲେ। ଘରେ ତନ୍ତ ଥିଲା। ବାପା ବି ତନ୍ତ ବୁଣୁଥିଲେ। ହେଲେ ତନ୍ତ ବୁଣାରୁ ତାଙ୍କୁ ସେଭଳି ସୁଫଳ ମିଳିଲାନି କି ଟଙ୍କା ବି ପାଇଲାନି। ଫଳରେ କାମଧନ୍ଦା ପାଇଁ ଦିଲ୍ଲୀ ପଳାଇଲେ। ସେଠାରେ ଏକ ଟୋଲଗେଟ୍ରେ କ୍ୟାସିଅର ଭାବେ କାର୍ଯ୍ୟକରି ମାସିକ ୧୭/୧୮ହଜାର ଟଙ୍କା ଦରମା ପାଉଥିଲେ। ଯାହା ମିଳୁଥିଲା ବେଶ୍ ଭଲରେ ଚାଲିଥିଲା ତାଙ୍କ ସଂସାର। କିନ୍ତୁ କରୋନା ପାଇଁ ଗତବର୍ଷ ଅଗଷ୍ଟ ମାସରେ ସେ ଓଡ଼ିଶା ଫେରିଲେ। ଘରେ କିଛି ଦିନ ବସିବା ପରେ ଓରମାସ୍ ପକ୍ଷରୁ ତାଙ୍କୁ କୋଭିଡ୍ ସହାୟତା ପ୍ୟାକେଜ୍ରେ ୬୦ ହଜାର ଟଙ୍କା ଦେଲା ପ୍ରଶାସନ। ନିଜେ ରଖିଥିବା ୬୦ହଜାର ଓ ପ୍ରଶାସନ ଦେଇଥିବା ୬୦ ହଜାର, ଏଭଳି ମୋଟ ୧ଲକ୍ଷ ୨୦ହଜାର ଟଙ୍କାରେ ସେ ଅନ୍ଲାଇନ୍ରେ ସୁରତରୁ ମଗାଇଥିଲେ ତନ୍ତବୁଣା ମେସିନ୍। ଘରେ ରହି ଏବେ ସାତ /ଆଠ ହଜାର ଟଙ୍କା ରୋଜଗାର କରୁଛନ୍ତି ବ୍ରହ୍ମାନନ୍ଦ। ଆଗକୁ ଯଦି କିଛି ସହାୟତା ମିଳେ ତାହେଲେ ପୁଣି ଆଉ ଗୋଟେ ତନ୍ତ ପକାଇ, ଅନ୍ଲାଇନ୍ ମାର୍କେଟିଂ ଉପରେ ଗୁରୁତ୍ବ ଦେବେ।
ତନ୍ତ ଛାଡ଼ିଥିଲେ, ଏବେ ତନ୍ତ ଦେଉଛି ଦାନା
ଯାହା କରିବେ ଘରେ ଆଉ ଗାଁରେ ରହି କରିବେ। ଆଉ ଭିଟାମାଟି ଛାଡି ଦିଲ୍ଲୀ ଯିବେନି। ଯେଉଁ କୁଳବେଉସା ତନ୍ତକୁ ଛାଡି ସେ ଦିଲ୍ଲୀ ଯାଇଥିଲେ, ସେହି ତନ୍ତ ଏବେ ତାଙ୍କୁ କରୋନା ଭଳି କଠିନ ସମୟରେ ପେଟକୁ ଦାନା ଦେଉଛି ବୋଲି କହିଛନ୍ତି ବ୍ରହ୍ମାନନ୍ଦ। ଉକ୍ତ ବ୍ଲକ୍ର ରଗଡି ଗାଁର ରିଙ୍କୁ ବେହେରା, ବିଜୟ ମହାପାତ୍ର, ବିଶ୍ବନାଥ ମହାପାତ୍ର ବିଶାଖାପାଟଣାରେ ସି-ମ୍ୟାନ୍ ଭାବେ କାମ କରୁଥିଲେ। ୧୫ହଜାର ଟଙ୍କା ରୋଜଗାର କରୁଥିଲେ। ପ୍ରତ୍ୟେକଙ୍କୁ ୪୦ ହଜାର ଟଙ୍କା ପ୍ରଶାସନ ପକ୍ଷରୁ କୋଭିଡ୍ ପ୍ୟାକେଜ୍ ସହାୟତା ଦିଆଯାଇଛି। ରିଙ୍କୁ ବେହେରା ପ୍ଲାଏ ବୋର୍ଡ କାମ କରୁଥିବାବେଳେ ବିଜୟ ମହାପାତ୍ର ଗ୍ରୋସରି ଦୋକନ ଦେଇ ୮ ହଜାର ଟଙ୍କା, ବିଶ୍ବନାଥ ମହାପାତ୍ର ଛତୁ ଚାଷ କରି ୮ହଜାର ଟଙ୍କା ରୋଜଗାର କରିପାରୁଛନ୍ତି। ସେହିପରି କୁସୁନ୍ଦା ଗ୍ରାମର ସୁଜିତ୍ କୁମାର ବାରିକ୍ ସୁରତରେ ଏକ ଡାଇମଣ୍ଡ କମ୍ପାନିରେ କାମ କଟିଙ୍ଗ କାମ କରୁଥିଲେ। ମାସକୁ ୨୦ହଜାର ପାଖାପାଖି ରୋଜଗାର କରୁଥିଲେ। କିନ୍ତୁ ଏବେ ଗାଁରେ କରିଛନ୍ତି ପାର୍ଲର। ଏଥିରେ ବି ସେ ରୋଜଗାର କରିବା ସହିତ ଆଗକୁ ବଢିବା ପାଇଁ ସାହସ କୁଳାଉଛନ୍ତି।