କଟକ: ସହରରେ ଜାରି ରହିଛି ଶୀତର ଲହରି। ଏହି ଋତୁରେ ସହରରେ ଖାସ୍ କରି ଦେଖିବାକୁ ମିଳିଥାଏ ବିଭିନ୍ନ ବିଦେଶୀ କିସମର ଫୁଲ। କଲିକତା, ବେଙ୍ଗାଲୁରୁ, ପୁନା, ଆନ୍ଧ୍ର ପ୍ରଭୃତି ଅଞ୍ଚଳରୁ ଭିନ୍ନ ଭିନ୍ନ ପ୍ରକାରର ଫୁଲ ଗଛ ଓ ଚାରା ସହରକୁ ବିକ୍ରି ପାଇଁ ଆସିଥାଏ। ଶୀତଋତୁରେ ଡାଲିଆ, ଏକ୍ସଟର, ଜିନିଆ, ସେବତୀ, ଗେଣ୍ତୁ, ପିଟୁନିଆ, ପାନ୍ସି, ଫ୍ଲକ୍ସ, ଆଣ୍ଟିନିୟମ, ବାରବେନିଆ, ବ୍ରହ୍ମକମଳ, ପାରିଜାତ, ଆଜେଲିଆ, କାମେଲିଆ, କଶୁଲା ଭଳି ଚାରା ଓ ଫୁଲ ଗଛ ସହରକୁ ଆସୁଥିବାରୁ ଲୋକଙ୍କ ମଧ୍ୟରେ ଏହାକୁ କିଣିବାର ବିଶେଷ ଉତ୍କଣ୍ଠା ରହିଥାଏ। ହେଲେ ଚଳିତବର୍ଷ ସସମ୍ତ ଉତ୍କଣ୍ଠାକୁ ପାଣିରେ ମିଶାଇଛି କରୋନା। ନା’ ଆସି ପାରୁଛି ଭଳି କି ଭଳି କିସମର ଚାରା, ନା’ ହୋଇ ପାରୁଛି ବେପାର। ଅପରପକ୍ଷେ, କରୋନା ଯୋଗୁଁ ଆର୍ଥିକ ଅସୁବିଧା ଉପୁଜିଥିବାରୁ ଅନେକ ଲୋକ ଚାରା ବା ଗଛ କିଣିବାକୁ ମଧ୍ୟ ଇଚ୍ଛା କରୁ ନାହାନ୍ତି।
ସ୍ବତନ୍ତ୍ର ଚାରା ଓ ଫୁଲଗଛ ବାହାର ଅଞ୍ଚଳରୁ ଆସୁଥିବାରୁ ଯାତାୟତରେ ବାଧା ଆଣିଛି କରୋନା। ଏପରିକି କରୋନା ଯୋଗୁଁ ଜାରି ରହିଥିବା ଲକ୍ଡାଉନ ଓ ସଟ୍ଡାଉନ୍ ଯୋଗୁଁ ଫୁଲ ଚାଷୀମାନେ ଚାଷ କରିବାରେ ବିଫଳ ମଧ୍ୟ ହୋଇଛନ୍ତି। ଶୀତ ଋତୁ ଆରମ୍ଭରୁ ଯେଉଁଠି ଚାରା ଦୋକାନଗୁଡ଼ିକରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଥିଲା ଏବେ କାଁ ଭାଁ ଗ୍ରାହକ ଆସୁଥିବା ପରିଲକ୍ଷିତ ହେଉଛି। ଚାରା ବେପାରୀମାନେ ପୂର୍ବରୁ ଯେଉଁଠି ଦିନକୁ ୩ ହଜାରରୁ ଅଧିକ ବେପାର କରୁଥିଲେ ଏବେ ବହୁ କଷ୍ଟରେ ୧ ହଜାର ଟଙ୍କା ରୋଜଗାର ହେଉଛି। ବହୁ ବର୍ଷ ଧରି କରିଆସୁଥିବା ଏହି ଚାରା ବେପାରକୁ କିଭଳି ବଜାୟ ରଖି ନିଜ ପରିବାର ପୋଷିବେ ଏବେ ସେହି ଚିନ୍ତାରେ ବ୍ୟବସାୟୀ।
ବେପାର ସମ୍ପୂର୍ଣ୍ଣ ବନ୍ଦ୍ ହୋଇଯାଇଛି
ବେପାର ଆରମ୍ଭ କରିବା ଦିନଠୁ ଏଭଳି ପରିସ୍ଥିତି କେବେ ଉପୁଜି ନଥିଲା। ହେଲେ, କରୋନା ଏବର୍ଷ ହଇରାଣ କରିଦେଇଛି। ଅଧା ସମୟ ଦୋକାନ ବନ୍ଦ ରହିବା ଓ ପରେ ଚାହିଦା ଅନୁଯାୟୀ ଜିନିଷ ନଥିବାରୁ ବେପାର ବିଶେଷ ଭାବେ ପ୍ରଭାବିତ ହୋଇଛି। ମୁଖ୍ୟତଃ ବାହାରୁ ଆସୁଥିବା ଚାରା ଓ ଫୁଲଗଛ ଆସିବାରେ ବହୁ ସମସ୍ୟା ଦେଖା ଦେଇଥିବାରୁ ଏହାର ପ୍ରଭାବ ସିଧାସଳଖ ବେପାର ଉପରେ ପଡ଼ୁଛି।
ଅମ୍ଲେଶ ଗୁହା, ବ୍ୟବସାୟୀ
ଇଚ୍ଛା ଥାଇ ବି ମୁହଁ ଫେରାଉଛନ୍ତି ଗ୍ରାହକ
ଶୀତଋତୁରେ ଖାସ କରି କିଛି ଫୁଲ ସ୍ବତନ୍ତ୍ର ଭାବେ ସହରକୁ ଆସିଥାଏ। ହେଲେ ଚଳିତବର୍ଷ କରୋନା ପାଇଁ ସବୁ ବିଗିଡ଼ି ଯାଇଛି। ବାହାରୁ ଜିନିଷ ଆସିବାରେ ବହୁ ସମସ୍ୟା ଉପୁଜୁଛି। ଜିନିଷ ନଥିବାରୁ ଲୋକେ ମୁହଁ ଫେରାଇ ନେଉଛନ୍ତି। ବହୁବର୍ଷ ଧରି ବେପାର କରି ଆସୁଥିବାବେଳେ ଚଳିତବର୍ଷ ଏଭଳି ସମସ୍ୟା ପ୍ରଥମ କରି ଉପୁଜିଛି। ବେପାର ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇଯାଇଛି। ଏପରିକି ପରିବାର ପୋଷିବା ବହୁ କଷ୍ଟକର ହୋଇପଡ଼ିଛି।
ମଳୟ ପ୍ରଧାନ, ବ୍ୟବସାୟୀ
ବିପୁଳ କ୍ଷତିର ସାମ୍ନା କରୁଛୁ
ଭଲ ଦୁଇ ପଇସା ବେପାର ପାଇଁ ବର୍ଷକ ମଧ୍ୟରେ ଏହି ଶୀତ ଦିନକୁ ଆମେ ଚାହିଁ ରହିଥାଉ। ହେଲେ ଏହାକୁ ମଧ୍ୟ କରୋନା ବୁଡ଼ାଇଦେଲା। କାଁ ଭାଁ ଗ୍ରାହକଙ୍କୁ ନେଇ ବେପାର ହେଉଛି। ଯାହା ରୋଜଗାର ହେଉଛି ସେଥିରେ ପରିବାର ଚଳାଇବା କଷ୍ଟକର ହୋଇପଡ଼ିଛି। ଯେଉଁଠି ଦିନକୁ ୩ ହଜାର ରୋଜଗାର ହେଉଥିଲା ଏବେ ସେଠି ୧ ହଜାର ଟଙ୍କା ଛୁଉଁ ନାହିଁ। ଏଭଳି ସ୍ଥିତି ଆଗାମୀ ଦିନରେ ବଜାୟ ରହିଲେ ଜୀବିକା ବଞ୍ଚାଇ କଷ୍ଟକର ହୋଇଯିବ।
ଅଞ୍ଜନ ପ୍ରଧାନ, ବ୍ୟବସାୟୀ