କରୋନାର କରୁଣ ଚିତ୍ର; ଦୁନିଆ ଦେଖିବା ଆଗରୁ ବାପାଙ୍କୁ ହରାଇଛି ବବ୍‌ଲୀ

ବିବାହର ଦେଢ଼ ବର୍ଷରେ ବିଧବା ସାଜିଲେ ରଶ୍ମିତା

କଟକ: ମାତୃ ଗର୍ଭରେ ଥାଇ ବାପ ଛେଉଣ୍ଡ ହେଲା ବବ୍‌ଲୀ। ବିବାହର ଦେଢ଼ ବର୍ଷରେ ସ୍ବାମୀଙ୍କୁ ହରାଇଲେ ରଶ୍ମିତା। ଏକମାତ୍ର ରୋଜଗାରିଆ ଭେଣ୍ଡିଆ ପୁଅକୁ ହରାଇ ସଂପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି ବାପାମା’। ସାନ ଭାଇଉଭଣୀ ଏବେ ଝୁରି ହେଉଛି ବଡ଼ ଭାଇ ପ୍ରବୀଣ(ବବ୍‌ଲୁ)ଙ୍କୁ। କରୋନାର ଏଭଳି କରୁଣ ଚିତ୍ର ଦେଖିବାକୁ ମିଳିଛି ମାଛୁଆ ବଜାରରେ। ନାରାୟଣ ବେହେରାଙ୍କ ସୁନା ସଂସାରକୁ ଚୂନା କରିଦେଇଛି କରୋନା। ବୃଦ୍ଧ ନାରାୟଣ ଏବେ ତାଙ୍କ ଦୁର୍ବଳ କାନ୍ଧରେ ସାରା ପରିବାରର ବୋଝ ବୋହୁଛନ୍ତି। କିନ୍ତୁ ୭ମାସର ନାତୁଣୀ ବବ୍‌ଲୀ ଭବିଷ୍ୟତ କ’ଣ ହେବ? ବାପା ବିଷୟରେ ପଚାରିଲେ ସେ କି ଉତ୍ତର ଦେବେ? ଏଭଳି ଭାବି ଦୁର୍ବଳ ହୋଇଗଲେଣି ନାରାୟଣ।

ମାଛୁଆବଜାର ବାସିନ୍ଦା ନାରାୟଣ ବେହେରାଙ୍କ ପରିବାର କହିଲେ, ପତ୍ନୀ ଗୀତାରାଣୀ, ବଡ଼ପୁଅ ପ୍ରବୀଣ ବେହେରା(ବବ୍‌ଲୁ), ବୋହୂ ରଶ୍ମିତା ବେହେରା, ସାନପୁଅ, ଝିଅ ରାଜଶ୍ରୀଙ୍କୁ ବୁଝାଏ। ମେଡିସିନ୍‌‌ ଷ୍ଟୋର୍ କରିଥିବା ବଡ଼ପୁଅ ପ୍ରବୀଣଙ୍କ ରୋଜଗାର ଉପରେ ସଂପୂର୍ଣ୍ଣ ପରିବାର ନିର୍ଭର କରେ। ଦେଢ଼ ବ‌ର୍ଷ ତଳେ ପୁଅ ପ୍ରବୀଣଙ୍କର ବାହାଘର ହୋଇଥିଲା। ଗତବର୍ଷ ଅଗଷ୍ଟରେ ନିଜେ ନାରାୟଣ, ପତ୍ନୀ ଗୀତାରାଣୀ, ବଡ଼ପୁଅ ପ୍ରବୀଣ ଓ ଝିଅ ରାଜଶ୍ରୀଙ୍କର କରୋନା ପଜିଟଭ୍ ବାହାରିଲା। ପତ୍ନୀ ଗୀତାରାଣୀ ଓ ଝିଅ ରାଜଶ୍ରୀ ହୋମ୍‌ ଆଇସୋଲେସନ୍‌ରେ ରହିଲେ। ବାପା ନାରାୟଣ ଓ ପୁଅ ପ୍ରବୀଣ ଅଗଷ୍ଟ୨୨ତାରିଖରେ ବିଦ୍ୟାଧରପୁର କୋଭିଡ୍ ସେଣ୍ଟରରେ ଭର୍ତ୍ତି ହେଲେ। ଅଧିକ ଚିକିତ୍ସା ଦରକାର ହେବାରୁ ଅଗଷ୍ଟ ୨୪ରେ ନାରାୟଣଙ୍କୁ ଏସ୍‌ସିବିକୁ ଓ ୨୬ରେ ପୁଅ ପ୍ରବୀଣଙ୍କୁ ଜଗତପୁର ସଦ୍‌ଗୁରୁ ହସ୍ପିଟାଲକୁ ସ୍ଥାନାନ୍ତର କରାଗଲା।

ପରେ ବଡ଼ ମେଡିକାଲରୁ ନାରାୟଣଙ୍କୁ ଅଶ୍ବିନୀକୁ ନିଆଗଲା ଓ ସେଠାରୁ ସେ ସୁସ୍ଥ ହୋଇଫେରିଲେ। କିନ୍ତୁ ସଦ୍‌ଗୁରୁରେ ଚିକିତ୍ସିତ ପ୍ରବୀଣଙ୍କ ଅବସ୍ଥା ଗୁରୁତର ହେବା ସହିତ ସେଠାରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ସେପ୍ଟେମ୍ବର ୪ ତାରିଖରେ ପ୍ରବୀଣଙ୍କ ପରଲୋକ ଘଟିଥିଲା। ପ୍ରବୀଣଙ୍କ ମୋବାଇଲ୍‌ ଫୋନ, ଏଟିଏମ୍ କାର୍ଡ, ଡିଏଲ୍, ପାଖରେ ଥିବା ୪ ହଜାର ଟଙ୍କା ଇତ୍ୟାଦି ଏଯାଏ ସେମାନଙ୍କୁ ମିଳି ପାରି ନାହିଁ। ପ୍ରବୀଣଙ୍କ ମୃତ୍ୟୁ ସମୟରେ ପତ୍ନୀ ରଶ୍ମିତା ଥିଲେ ୭ ମାସର ଗର୍ଭବତୀ। ବିବାହର ଦେଢ଼ ବର୍ଷରେ ବିଧବା ସାଜିଥିଲେ ରଶ୍ମିତା। ଝିଅ ବବ୍‌ଲୀ ଏବେ ୭ମାସର। ପୁଅକୁ ଝୁରି ଝୁରି ବାପା ନାରାୟଣ ଭାଙ୍ଗି ପଡ଼ିଥିବା ବ‌େଳେ ମା’ ଗୀତାରାଣୀ ପାଗଳ ‌ଭଳି ହେଉଛନ୍ତି। ସରକାରଙ୍କ ଆଶୀର୍ବାଦ ଯୋଜନାରେ ବବଲୀକୁ ସାମିଲ କରିବାକୁ ଦାବି ହେଉଛି।ଦୁନିଆ ଦେଖିବା ଆଗରୁ ବାପାଙ୍କୁ ହରାଇଛି ବବ୍‌ଲୀ

ସମ୍ବନ୍ଧିତ ଖବର