ମୃତ କରୋନା ଯୋଦ୍ଧାଙ୍କୁ ସହାୟତା ପ୍ରହସନ!

୧୦ ମାସ ତଳେ ମୃତ ଏସ୍‌ସିବି କର୍ମଚାରୀଙ୍କ ପତ୍ନୀ ଦୌଡ଼ି ଦୌଡ଼ି ହତାଶ

କଟକ: ୧୦ ମାସ ତଳେ କରୋନା ସଂକ୍ରମଣରେ ପ୍ରାଣ ହରାଇ ଥିବା ଜଣେ ଆଗଧାଡିର ‘ଯୋଦ୍ଧା’ ଏଯାଏ ସରକାରୀ ସହାୟତାରୁ ବଂଚିତ। ସରକାରଙ୍କ ଘୋଷଣା ଅନୁଯାୟୀ ସହାୟତା ପାଇବାକୁ ତାଙ୍କ ପତ୍ନୀ ବିଭିନ୍ନ ଅଫିସକୁ ଦୌଡି ଦୌଡି ନିରାଶ ହେଲେଣି। ଗୋଟିଏ ପଟେ ମୃତ୍ୟୁର କାରଣକୁ ନେଇ ପ୍ରଥମେ ଟଣାଓଟରା ଆଉ ଏବେ ସହାୟତା ମିଳିବାରେ ବିଳମ୍ବ ଘଟଣା କରୋନା ଲଢେଇରେ ସାମିଲ ଆଗଧାଡ଼ିର ଯୋଦ୍ଧାଙ୍କୁ ହତାଶ କରିବ ବୋଲି ଅଭିଯୋଗ ହେଉଛି। ସୂଚନା ଅନୁଯାୟୀ କଟକ ବଡଡାକ୍ତରଖାନାରେ କାର୍ଯ୍ୟ କରୁଥିବା ୱାର୍ଡ ଆଟେଣ୍ଡାଣ୍ଟ ନୃସିଂହଚରଣ ଦାସ (ଟିକନ)ଙ୍କର ଗତ ୧୦ ମାସ ତଳେ କରୋନାରେ ମୃତ୍ୟୁ ଘଟିଥିଲା। ଟିକନ କଟକ ବଡମେଡିକାଲର ଏକ ଜଣାଶୁଣା କର୍ମଚାରୀ ଥିଲେ। ୱାର୍ଡ ଆଟେଣ୍ଡାଣ୍ଟ ପଦବିରେ ଥିଲେ ବି ସେ ମେଡିସିନ ଆଉଟଡୋର‌ରେ ରେଜି‌ଷ୍ଟ୍ରେସନ ଦାୟିତ୍ବରେ ଥିଲେ। ତାଙ୍କର ଭଲ ବ୍ୟବହାର ଓ ସହଯୋଗ ମନୋବୃତ୍ତି ଯୋଗୁଁ ସେ ସମସ୍ତଙ୍କର ପ୍ରିୟଭାଜନ ହୋଇପାରିଥିଲେ। ୨୦୨୦ ସେପ୍ଟେମ୍ବର ୪ ତାରିଖ ଦିନ ଏସସିବି କୋଭିଡ ୱାର୍ଡରେ କରୋନାରେ ତାଙ୍କର ମୃତ୍ୟୁ ହୋଇଥିଲା। ଦୀର୍ଘ ୧୫ ଦିନର ଚିକିତ୍ସା ପରେ ସେ ପ୍ରାଣ ହରାଇଥିଲେ। ତାଙ୍କ ମୃତ୍ୟୁର ଦୁଇ ଦିନ ପ‌ରେ ତାଙ୍କ ମା’ ବି ପ୍ରାଣ ହରାଇଥିଲେ।

ପରିବାର ଉପରେ ଏଭଳି ଚଡ଼କ ପଡିଥିଲେ ବି ଟିକନଙ୍କ ମୃତ୍ୟୁ କୋଭିଡରେ ହୋଇଛି ବୋଲି ‌ସେ ସଂପର୍କିତ ପ୍ରମାଣପତ୍ର ମିଳି ପାରି ନଥିଲା। ପରେ ଏସସିବି ଅଧୀକ୍ଷକ ଏଥିରେ ହସ୍ତକ୍ଷେପ କରି ତାଙ୍କ ପ୍ୟାଡରେ ଟିକନଙ୍କର ମୃତ୍ୟୁ କୋଭିଡ ଜନିତ ବୋଲି ପ୍ରମାଣପତ୍ର ଦେଇଥିଲେ। ମେଡିକା‌ଲ ବୋର୍ଡ ମଧ୍ୟ ଏହାକୁ ମଂଜୁର କରିଥିଲା। କିନ୍ତୁ ତା’ ପରେ ବି ୧୦ ମାସ ହେଲା ଟିକନଙ୍କ ପରିବାରକୁ ସହାୟତା ମିଳିପାରିନାହିଁ। ଘରେ ତାଙ୍କର ପତ୍ନୀ, ଏକମାତ୍ର ଝିଅ ଓ ବୃଦ୍ଧ ବାପା ସଂପୂର୍ଣ୍ଣ ଅସହାୟ ସ୍ଥିତିରେ ଅଛନ୍ତି। ଘର ଚଳାଇବା ବି ପତ୍ନୀଙ୍କ ପାଇଁ ସମ୍ଭବ ହେଉନାହିଁ। ସରକାର ଏଭଳି କରୋନା ଯୋଦ୍ଧାଙ୍କ ମୃତ୍ୟୁରେ ୫୦ ଲକ୍ଷ ଟଙ୍କା ସହାୟତା ରାଶି ଦେବେ ବୋଲି ଘୋଷଣା କରିଛନ୍ତି। କିନ୍ତୁ ବାସ୍ତବ କ୍ଷେତ୍ରରେ ସହାୟତା ପ୍ରଦାନରେ ଟାଳଟୁଳ ନୀତି ଏବେ ବିଭିନ୍ନ ମହଲରେ ପ୍ରତିକ୍ରିୟାର କାରଣ ହୋଇଛି।

ସମ୍ବନ୍ଧିତ ଖବର