ମୁଲାକାତ୍ ବନ୍ଦ; ଭିଡିଓ କଲରେ ମୁଲାକାତ ବ୍ୟବସ୍ଥା
ଉଚ୍ଚସ୍ତରୀୟ କମିଟିର ନିର୍ଦ୍ଦେଶ ଖିଲାପ; ବିନା ସ୍ବାବ ପରୀକ୍ଷାରେ ହେଉଛି କୋର୍ଟ ଚାଲାଣ
କଟକ : କରୋନାକୁ ନେଇ ବିସ୍ଫୋରକ ସ୍ଥିତି ସୃଷ୍ଟି ହେବାକୁ ଯାଉଛି ରାଜ୍ୟର ବିଭିନ୍ନ ଜେଲରେ। ରାଜ୍ୟର ମୋଟ ୮୫ଟି ଜେଲ ମଧ୍ୟରୁ ୮ଟି ଜେଲର ୧୦୮ ଜଣ କର୍ମଚାରୀ ଓ କଏଦୀ କରେନାରେ ସଂକ୍ରମିତ ହୋଇସାରିଲେଣି। ବ୍ରହ୍ମପୁର ସର୍କଲ ଜେଲରେ ସବୁଠୁ ଅଧିକ ୬୫ ଜଣ ସଂକ୍ରମିତ ଚିହ୍ନଟ ହେଲେଣି। ଏଭଳି ସ୍ଥିତିରେ ବ୍ରହ୍କପୁର ଜେଲକୁ କୋଭିଡ କେୟାର ସେଣ୍ଟର କରାଗଲାଣି। କିନ୍ତୁ ଅଭିଯୁକ୍ତଙ୍କୁ ପୁଲିସ କୋର୍ଟ ଚାଲାଣ କରିବା ପୂର୍ବରୁ କରୋନା ପରୀକ୍ଷା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଗଠିତ ଉଚ୍ଚ ସ୍ତରୀୟ କମିଟି ବିଜ୍ଞପ୍ତି ଜାରି କରିଥିଲେ ବି ତାହା ଆଜି ଯାଏ କାର୍ଯ୍ୟକାରୀ ହୋଇପାରିଲା ନାହିଁ। କାଁ ଭାଁ ଥାନାକୁ ଛାଡ଼ିଦେଲେ ରାଜ୍ୟରେ କୌଣସି ଜିଲ୍ଲା ପୁଲିସ ଏ ପ୍ରକାର ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରୁନାହାନ୍ତି। ଫଳରେ ତାହା ଜେଲା ପରିସ୍ଥିତିକୁ ଆଗକୁ ଆହୁରି ଗୁରୁତର କରିବ ବୋଲି ଆଶଙ୍କା କରାଯାଉଛି।
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପ୍ରତ୍ୟେକ ରାଜ୍ୟରେ ଗଠିତ ଉଚ୍ଚସ୍ତରୀୟ କମିଟି ଗଲା ମେ' ମାସରେ ନିର୍ଦ୍ଦେଶ ଦେଇଥିଲା ଯେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ପ୍ରଥମେ କରୋନା ପରୀକ୍ଷା କରିବ। ରିପୋର୍ଟ ପଜିଟିଭ୍ ଆସିଲେ ଚିକିତ୍ସା ପାଇଁ ପଠାଇ ଦିଆଯିବ। ପଜିଟିଭ୍ ରୋଗୀଙ୍କୁ କୋର୍ଟରେ ହାଜର କରି ଜେଲ୍ ପଠାଯିବ ନାହିଁ। କରୋନା ରୋଗୀ ବିନା ପରୀକ୍ଷାରେ ଜେଲକୁ ଗଲେ ସଂକ୍ରମଣ ବଢ଼ିବାର ଆଶଙ୍କା ଥିବାରୁ ଏଭଳି ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ଏଭଳି ନିର୍ଦ୍ଦେଶନାମାକୁ ପୁଲିସ ବିଭାଗ ପାଳନ କରୁନଥିବାରୁ ଜେଲରେ ସ୍ଥିତି ସଂଗିନ ହେଲାଣି। ବିନା କରୋନା ପରୀକ୍ଷାରେ ଅଭିଯୁକ୍ତକୁ ଜେଲ୍ ପଠାଇ ଦିଆଯାଉଥିବାରୁ ଜେଲ ଭିତରେ ସଂକ୍ରମଣର ମାତ୍ରା ବୃଦ୍ଧି ପାଇବାରେ ଲାଗିଲାଣି। ଚୌଦ୍ବାର ଜେଲ କର୍ତ୍ତୃପକ୍ଷ ଗଲା ୮ ତାରିଖରେ କଟକ ସିଡିଏମଓଙ୍କୁ ଜେଲର ୧୧୭ ଅଫିସର ଓ କର୍ମଚାରୀ ଏବଂ ୮୧୭ କଏଦୀଙ୍କ କରୋନା ପରୀକ୍ଷା ପାଇଁ ଚିଠି ଲେଖିଥିଲେ। କିନ୍ତୁ ସମସ୍ତଙ୍କ ପରୀକ୍ଷା କରାଗଲା ନାହିଁ। କେବଳ ଲକ୍ଷଣ ଦେଖା ଦେଲେ ପରୀକ୍ଷା କରାଯିବ ବୋଲି କହି ଏଡ଼ାଇ ଦିଆଗଲା। ଚୌଦ୍ବାର ସର୍କଲ ଜେଲରେ ବର୍ତ୍ତମାନ ସୁଦ୍ଧା ମାତ୍ର ୧୨୦ ଜଣଙ୍କ କରୋନା ପରୀକ୍ଷା କରାଯାଇଛି। ସେମାନଙ୍କ ମଧ୍ୟରୁ ଏବେ ୫୦ଜଣ ସଂଗରୋଧରେ ଅଛନ୍ତି। ଜେଲରୁ ଏଯାଏ ଜଣେ କର୍ମଚାରୀ ଓ ୯ ଜଣ କଏଦୀ ସଂକ୍ରମିତ ହୋଇସାରିଲେଣି।
/sambad/media/post_attachments/wp-content/uploads/2020/06/jail3-300x225.jpg)
ଏଭଳି ସ୍ଥିତି ଏବେ ରାଜ୍ୟର ମୋଟ ୮୫ଟି ଜେଲରେ ଦେଖା ଦେଇଛି। ଅନେକ କରୋନା ରୋଗୀ ଲକ୍ଷଣବିହୀନ ଚିହ୍ନଟ ହେଉଥିବାରୁ ଜେଲ କର୍ତ୍ତୃପକ୍ଷ ଏବେ ଅଡ଼ୁଆରେ ପଡ଼ିଯାଇଛନ୍ତି। କାରଗାର ବିଭାଗରୁ ମିଳିଥିବା ତଥ୍ୟ ମୁତାବକ, ପୁରୀ ଜେଲରେ ଏବେ ସୁଦ୍ଧା ୭ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେହିପରି ରାଉରକେଲା ଜେଲରେ ୬ ଜଣ, ବ୍ରହ୍ମପୁର ସର୍କଲ ଜେଲରେ ୬୫ ଜଣ, ଉମରକୋଟ ଜେଲରେ ୨ ଜଣ, ଚୌଦ୍ବାରରେ ୧୦ ଜଣ, ଯାଜପୁର ଟାଉନ ଜଣେ, ବାଣପୁରରେ ୫ ଜଣ, କୋଦଳା ୧୨ କଏଦୀ ଓ କର୍ମଚାରୀ ଚିହ୍ନଟ ହୋଇଛନ୍ତି। ସଂକ୍ରମିତ ୧୩ ଜଣ ଜେଲ କର୍ମଚାରୀଙ୍କ ମଧ୍ୟରୁ ବ୍ରହ୍ମପୁରର ୧୨ ଜଣ ଏବଂ ଜଣେ ଚୌଦ୍ବାର ସର୍କଲ ଜେଲର କର୍ମଚାରୀ ଅଛନ୍ତି। ବ୍ରହ୍ମପୁର ସର୍କଲ ଜେଲରେ ଏବେ କରୋନା ଆକ୍ରାନ୍ତ ସଂଖ୍ୟା ୬୫ରେ ପହଞ୍ଚିବା ପରେ ଜେଲରେ ଥିବା ଅବଶିଷ୍ଟ ୭୪୩ ଜଣ କଏଦୀଙ୍କ ସଂକ୍ରମଣ ଭୟ ବଢ଼ିଯିବାରୁ ସେମାନଙ୍କ ମଧ୍ୟରୁ ୩୦୦ ଜଣଙ୍କୁ ଖଲାସ କରାଯାଇଥିବା ବେଳେ ଅବଶିଷ୍ଟ ୫୦ ଜଣଙ୍କୁ ଦିଗପହଣ୍ଡି ଜେଲକୁ ସ୍ଥାନାନ୍ତର କରାଯାଇଛି।
ଏବେ ସମସ୍ତ ଜେଲରେ ମୁଲାକାତ୍ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି। କଏଦୀଙ୍କ ପରିବାର କିମ୍ବା ଓକିଲ ସିଧାସଳଖ କଏଦୀଙ୍କୁ ଭେଟି ପାରିବେ ନାହିଁ। ଜେଲ ବାହାରେ ଲାପଟପରେ ଭିଡିଓ କଲ୍ ମାଧ୍ୟମରେ ମୁଲାକାତ ବ୍ୟବସ୍ଥା ଜେଲ ପକ୍ଷରୁ କରାଯାଇଛି। ଏହାବାଦ୍ ଜେଲକୁ କଏଦୀ ଯିବା ପୂର୍ବରୁ ସମସ୍ତ କଏଦୀଙ୍କ ଥର୍ମାଲ୍ ସ୍କ୍ରିନିଂ କରିବା ପାଇଁ ଇନଫ୍ରାରେଡ୍ ଥର୍ମୋମିଟର୍ କିଣିବାକୁ ଜେଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରାଥମିକ ଭାବେ ଜେଲରେ ଦୁଇଟି ଲେଖାଏ କିଣାଯାଇଛି। ଜେଲକୁ ଏବେ ଯାଉଥିବା ନୂଆ କଏଦୀଙ୍କ ତାପମାତ୍ରା ଯାଞ୍ଚ କରି ଭିତରକୁ ଛଡ଼ାଯାଉଛି। ପ୍ରତ୍ୟେକ କଏଦୀ ପ୍ରଥମେ ୧୪ ଦିନ ସଂଗରୋଧରେ ରହୁଛନ୍ତି। ପରେ ତାଙ୍କୁ ଡାକ୍ତରୀ ଯାଞ୍ଚ ପରେ ଓ୍ବାର୍ଡକୁ ପଠାଯାଉଛି। ଅନ୍ୟପଟେ ରାଜ୍ୟରେ ୮୫ଟି ଜେଲରେ ୧୯ ହଜାର ୧୬ ଜଣ କଏଦୀ ରହିବାର ବ୍ୟବସ୍ଥା ଥିବା ବେଳେ ମୋଟ ୧୨ ଶହ ୨ କଏଦୀଙ୍କୁ ଖାଲି ଥିବା ଜେଲକୁ ସ୍ଥାନାନ୍ତର କରାଯାଇଛି। ଜାମିନରେ ୭ ହଜାର ୬୧୭ ଜଣଙ୍କୁ ଖଲାସ କରାଯାଇଛି। ସ୍ବତନ୍ତ୍ର ପାରୋଲରେ ୩୮୯ ଜଣଙ୍କୁ ଛଡ଼ାଯାଇଛି। ମୋଟ ଉପରେ କହିବା ଗଲେ ୮ ହଜାର ୬ ଜଣଙ୍କୁ ଘରକୁ ପଠାଇ ଦିଆଯାଇଛି। ଏବେ ୧୬ ହଜାର ୯୩୧ କଏଦୀ ଜେଲରେ ରହୁଛନ୍ତି। ସେମାନଙ୍କୁ ଯେଭଳି ସଂକ୍ରମଣ ନବ୍ୟାପେ ସେଥିପାଇଁ ପ୍ରତ୍ୟେକ କଏଦୀଙ୍କୁ ସାନିଟାଇଜର୍, ମାସ୍କ ଯୋଗାଇ ଦିଆଯାଉଥିବା ବେଳେ ନିୟମିତ ବିଶୋଧନ କରାଯାଉଥିବା କାରାଗାର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।