କଟକ: ଜେଲରେ ଦିନ ବିତାଉଥିବା ଧଳ ସାମନ୍ତ ବ୍ରଦର୍ସଙ୍କ ସହିତ ଲିଙ୍କ ଥିବା ଅଭିଯୋଗରେ କମିସନରେଟ ପୁଲିସ ବୁଧବାର କଟକ ମହାନଗର ନିଗମର ବିଜେଡି କର୍ପୋରେଟର ରଂଜିତା ବିଶ୍ୱାଳଙ୍କୁ ଗିରଫ କରିଛି। ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଧଳ ସାମନ୍ତ ବ୍ରଦର୍ସଙ୍କ ପାଇଁ ରଂଜିତା ଜଣେ ସହଯୋଗୀ ଭାବରେ କାମ କରୁଥିଲେ। ୭ ନମ୍ବର କର୍ପୋରେଟର ରଂଜିତାଙ୍କୁ ପୂର୍ବରୁ ମଧ୍ୟ ଜୋର କରାଯାଇଥିଲା। ରଂଜିତା ଗିରଫ ହେବା ପରେ ଦଳ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଇଛି। ବିଜେଡି ତାଙ୍କୁ ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରିଛି। ଦଳ ବିରୋଧୀ କାର୍ଯ୍ୟ ଏବଂ ଅସାମାଜିକ ତତ୍ତ୍ୱଙ୍କ ସହ ସମ୍ପର୍କ ରଖିଥିବା ଅଭିଯୋଗରେ ଦଳ ଏପରି ନିଷ୍ପତ୍ତି ନେଇଥିବା ବିଜେଡି ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, କର୍ପୋରେଟର ରଂଜିତା ବିଶ୍ୱାଳ ଗତ ଥର ମହାନଗର ନିଗମ ନିର୍ବାଚନରେ ବିଜୁ ଜନତା ଦଳରୁ ଛିଡ଼ା ହୋଇ କଟକ ୭ ନମ୍ବର ଓ୍ଵାର୍ଡରୁ ବିଜୟୀ ହୋଇଥିଲେ। ତାଙ୍କର ନିର୍ବାଚନ ବିଜୟରେ କଟକ-ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। କିନ୍ତୁ ଗତ କିଛି ମାସ ହେବ ବିଧାୟକ ସାମନ୍ତରାୟ ଓ କର୍ପୋରେଟର ବିଶ୍ୱାଳଙ୍କ ମଧ୍ୟରେ ମତମତାନ୍ତର ହୋଇଥିଲା।