ଆଜି ସ୍ବାୟତ୍ତ ଶାସନ ଦିବସ: ଅଢ଼େଇ ବର୍ଷ ହେଲା ଭାଙ୍ଗିଲାଣି କାଉନ୍‌ସିଲ, ସହରବାସୀଙ୍କ କଥା ଶୁଣିବାକୁ କେହି ନାହାନ୍ତି

କଟକ: ୨୦୧୯ଫେବ୍ରୁଆରି ୧୨ତାରିଖରୁ ଭାଙ୍ଗିଲାଣି କାଉନ୍‌ସିଲ୍। ପାଖାପାଖି ଅଢ଼େଇ ବ‌ର୍ଷ ହେଲା ସହରରେ ନାହାନ୍ତି ନିର୍ବାଚିତ ଜନପ୍ରତିନିଧି। ସେହିଦିନରୁ ସହରବାସୀଙ୍କ ମୌଳିକ ସମସ୍ୟା ବିଗିଡ଼ିବାରେ ଲାଗିଛି। କଟକ ସହରର ଖାଲଖମାପୂର୍ଣ୍ଣ ରାସ୍ତାଘାଟ, ଆବର୍ଜନାପୂର୍ଣ୍ଣ ନାଳନର୍ଦ୍ଦମା, ବିପର୍ଯ୍ୟୟ ପରିମଳ ବ୍ୟବସ୍ଥା ସାଙ୍ଗକୁ ଜାଇକା ଯନ୍ତ୍ରଣାରେ ଅସ୍ତବ୍ୟସ୍ତ ହେଲେଣି ଲୋକେ। ମ୍ୟୁନ୍‌ସିପାଲିଟିରେ ନିର୍ବାଚିତ ଜନପ୍ରତିନିଧି ନଥିବାରୁ ସିଏମ୍‌ସି କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ୱାର୍ଡରେ ୱାର୍ଡ ଅଫିସ୍ ଖୋଲାଯାଇଥିଲା। ସେଠାରେ ସ୍ଥାନୀୟ ବାସିନ୍ଦାଙ୍କ ବିଭିନ୍ନ ସମସ୍ୟାର ଶୁଣାଣି ଓ ଏହାର ସମାଧାନ ପାଇଁ ୱାର୍ଡ ଅଫିସର ନିଯୁକ୍ତି ‌ହୋଇଥିଲେ। ମାତ୍ର ୨୦୧୯ରୁ ଆରମ୍ଭ ହୋଇଥିବା ଏହି ବ୍ୟବସ୍ଥା ସଫଳ ହୋଇ ପାରିଲା ନାହିଁ।

ପୂର୍ବଭଳି ସିଏମ୍‌ସି ନିଜ ଢଙ୍ଗରେ ମନଇଚ୍ଛା କାର୍ଯ୍ୟ କରୁଛି। କେଉଁଠି ଅଳିଆ ଉଠୁଛି ତ ଆଉ କେଉଁଠି ଗଦା ହୋଇ ପଡ଼ି ରହୁଛି ଅଳିଆ। ବିଭିନ୍ନ ମୌଳିକ ସମସ୍ୟା ନେଇ ଲୋକେ ବାଧ୍ୟ ହୋଇ ସିଏମ୍‌ସି ଅଫିସ୍ ଦୈଡୁଛନ୍ତି, ହେଲେ ଫଳ ଶୂନ୍। ଏଭଳି ସ୍ଥିତିରେ ସ୍ବାୟତ୍ତଶାସନ ଦିବସର ଅର୍ଥ କ’ଣ ବୋଲି ପ୍ରଶ୍ନ ଉଠୁଛି। ଗତବର୍ଷ ଏହିଭଳି ଅତିବାହିତ ହୋଇଥିଲା ସ୍ବାୟତ୍ତଶାସନ ଦିବସ। ଏ ବର୍ଷ ମଧ୍ୟ ଅନୁରୂପ ଅବସ୍ଥା।

ମୁଖ୍ୟମନ୍ତ୍ରୀ କଟକକୁ ଭଲ ପାଆନ୍ତି, କଟକବାସୀଙ୍କ କଥା ଚିନ୍ତା କରୁଛନ୍ତି
କଟକ ସହର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମସ୍ଥାନ। କଟକକୁ ସେ ଭଲ ପାଆନ୍ତି, କଟକବାସୀଙ୍କ କଥା ଚିନ୍ତା କରୁଛନ୍ତି। ନେତାଜୀ ସେତୁ, ମଧୁସୂଦନ ସେତୁ, ପ୍ରସ୍ତାବିତ ନେତାଜୀ ବସ୍ ଟର୍ମିନାଲ, ଏସ୍‌ସିବିକୁ ଏମ୍‌ସ ପ୍ଲସରେ ରୂପାନ୍ତରଣ ଆଦିକୁ କାର୍ଯ୍ୟକୁ ସମୀକ୍ଷା କଲେ ସେଥିରେ କଟକର ବିକାଶ ସ୍ପଷ୍ଟ ପ୍ରତିଫଳିତ ହେବ। ବାକି ରହିଲା ସିଏମ୍‌ସି ପ୍ରସଙ୍ଗ। ୨ବର୍ଷ ହେଲା ସିଏମ୍‌ସିର ନିର୍ବାଚିତ ଜନପ୍ରତିନିଧି ନଥିବାରୁ ‌ଲୋକମାନେ ‌ମୌଳିକ ସୁବିଧା ପାଇବାରେ କିଛିଟା ସମସ୍ୟା ଭୋଗୁଛନ୍ତି। ଖୁବ୍‌ଶୀଘ୍ର ନିର୍ବାଚନ ହେବ। ପ୍ରଥମେ ପଞ୍ଚାୟତ ନିର୍ବାଚନ, ପରେ ପୌର ନିର୍ବାଚନ କରାଯିବ। ତେଣୁ ଲୋକମାନଙ୍କର ଯାହା କିଛି ମୌଳିକ ସମସ୍ୟା ରହିଛି, ସିଏମ୍‌ସି କର୍ତ୍ତୃପକ୍ଷଙ୍କୁ ଅବଗତ କଲେ, ସେମାନେ ସମାଧାନ କରିବେ।
ଅନିତା ବେହେରା, ପୂର୍ବତନ ମେୟର, ସିଏମ୍‌ସି

କାଉନ୍‌ସିଲ ଭାଙ୍ଗିବା ପରେ ଲୋକେ ନାହିଁ ନଥିବା ଅସୁବିଧା‌ ଭୋଗୁଛନ୍ତି
ଆଧାରକାର୍ଡ ସଂଶୋଧନ ଠାରୁ ଆରମ୍ଭ କରି ଅଳିଆ ଉଠିବା ପର୍ଯ୍ୟନ୍ତ ସବୁ କାମ କର୍ପୋରେଟରମାନେ କରୁଥିଲେ। ଏବେ ଆଧାରକାର୍ଡ ସଂଶୋଧନ ପାଇଁ ବିଧାୟକଙ୍କ ପାଖକୁ ଯିବାକୁ ପଡ଼ୁଛି। କେତେବେଳେ ଦେଖାମିଳୁନି, କେବେ ବ୍ୟବସ୍ଥା ପାଇଁ କାମ ହୋଇପାରୁନି। ଲୋକ‌େ ବୁଝି‌ଲେଣି, କର୍ପୋରେଟର ନ ଥିବାରୁ କି ପ୍ରକାର ସମସ୍ୟା ହେଉଛି। ରାସନ୍‌ କାର୍ଡ, ଭତ୍ତା କାର୍ଡ, ରାସ୍ତାଘାଟ ସଫା, ଅଳିଆ ଉଠା ଭଳି କାମ ଠିକ୍‌ରେ ହେଉନି। ଜନ୍ମ-ମୃତ୍ୟୁ ପ୍ରମାଣପତ୍ର ପାଇଁ ଅନ୍‌ଲାଇନରେ ଆବେଦନ ହେଉଥିଲେ ବି ଲୋକଙ୍କୁ ବାରମ୍ବାର ଯିବାକୁ ପଡ଼ୁଛି। ସିଏମ୍‌ସିର ଫାଇଲେରିଆ ବିଭାଗ ଆଦୌ କାର୍ଯ୍ୟ କରୁ ନାହିଁ। କାଉନ୍‌ସିଲ୍ ଚାଲିଥିବା ‌ବେଳେ କର୍ପୋରେଟରଙ୍କ ଉଦ୍ୟମ ଓ ବାରମ୍ବାର ତାଗିଦ୍‌ ଫଳରେ ବହୁ କାର୍ଯ୍ୟ ହେଉଥିଲା। କ’ଣ ପାଇଁ ରାଜ୍ୟ ସରକାର ନିର୍ବାଚନ କରୁନାହାନ୍ତି, ତାହା ବୁଝି ‌ହେଉନାହିଁ। ଏଭଳି ସ୍ଥିତିରେ ସ୍ବାୟତ୍ତଶାସନ ଦିବସର ଅର୍ଥ କିଛି ନାହିଁ।
ନମିତା ମଞ୍ଜରୀ ସାହୁ, ପୂର୍ବତନ କର୍ପୋରେଟର

ଲୋକଙ୍କ ସମସ୍ୟା ସଠିକ ଭାବେ ଉପସ୍ଥାପନ ହୋଇ ପାରୁନି
ସିଏମ୍‌ସିରେ ଗତ ଅଢ଼େଇ ବର୍ଷ ଧରି କାଉନସିଲ୍‌ ନଥିବା ବେଳେ ନିଗମ ଅଧିକାରୀଙ୍କ ଦ୍ବାରା ଏହା ଚାଲୁଛି। ମାତ୍ର ଜନପ୍ରତିନିଧି ନଥିବାରୁ ସାଧାରଣ ଲୋକଙ୍କ ବହୁ ସମସ୍ୟା ସଠିକ ଭାବେ ନିଗମର କର୍ତ୍ତୃପକ୍ଷଙ୍କ ନିକଟରେ ପହଞ୍ଚି ପାରୁ ନାହିଁ। ସ୍ଥାନୀୟ ଜନପ୍ରତିନିଧି ଅଞ୍ଚଳବାସୀଙ୍କ ସହିତ ସବୁ ସମୟରେ ରହୁଥିଲେ। ଲୋକଙ୍କ ମୌଳିକ ସମସ୍ୟା ସହିତ ରହି ଜନପ୍ରତିନିଧି ସେମାନଙ୍କ ସ୍ତରରେ ତାହାର ସମାଧାନ କରିବାକୁ ଉଦ୍ୟମ କରିବା ସହିତ ଆବଶ୍ୟକ ପଡ଼ିଲେ କାଉନସିଲ୍‌ରେ ତାହା ଉଠାଉଥିଲେ। ମାତ୍ର ଏବେ ଲୋକଙ୍କୁ ସେମାନଙ୍କ ଅଭିଯୋଗକୁ ନେଇ ସିଏମ୍‌ସିକୁ ଆସିବାକୁ ପଡୁଛି। କରୋନା ପାଇଁ ଦୀର୍ଘଦିନ ଧରି ନିଗମର ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିଛି। ଲୋକ ସେମାନଙ୍କ ସମସ୍ୟାକୁ ନିଗମ କାର୍ଯ୍ୟ‌ାଳୟରେ କାହାକୁ ଜଣାଇ‌ବେ ତାହା ଜାଣି ପାରୁ ନାହାନ୍ତି।
ସୌମେନ୍ଦ୍ର ଘୋଷ, ପୂର୍ବତନ ମେୟର, ସିଏମ୍‌ସି

ସିଏମ୍‌ସି ଅଧିକାରୀ ସେମାନଙ୍କ ଉତ୍ତରଦାୟିତ୍ବକୁ ଭୁଲିଛନ୍ତି
ସିଏମ୍‌ସିରେ ନିର୍ବାଚିତ ପ୍ରତିନିଧି ନଥିବାରୁ କଟକ ସହରର ଅବସ୍ଥା ଏବେ ଅତିଖରାପ ସ୍ଥିତିରେ। ରାସ୍ତାଘାଟ ଖାଲଖମାରେ ଭରିଥିବା ବେଳେ ପରିମଳ ବ୍ୟବସ୍ଥା ବିଗିଡ଼ିବା ସହିତ ମଶା, ବିଜୁଳି ପରି ସମସ୍ୟା ମଧ୍ୟରେ ସହରବାସୀ ଘାଣ୍ଟି ହେଉଛନ୍ତି। ଅଢ଼େଇ ବର୍ଷରୁ ଅଧିକ ସମୟରୁ ନିର୍ବାଚିତ ପ୍ରତିନିଧି ନଥିବାରୁ ସିଏମ୍‌ସି ଅଧିକାରୀ/କର୍ମଚାରୀ ଖାମଖିଆଲି ଭାବେ କାମ କରୁଛନ୍ତି। ଏପରିକି ଅନେକ କ୍ଷେତ୍ରରେ ନିଗମର ପ୍ରଶାସକ ଓ କମିସନ୍‌ରଙ୍କ ନିର୍ଦ୍ଦେଶକୁ ବି ପାଳନ କରୁ ନାହାନ୍ତି। ଏଭଳି ପରିସ୍ଥିତିରେ ନିଗମ ଅଧିକାରୀ ସେମାନଙ୍କ ଉତ୍ତରଦାୟିତ୍ବ ବିଷୟକୁ ଭୁଲି ଯାଇଛନ୍ତି। ବିଧାୟକଙ୍କ ନିର୍ଦ୍ଦେଶରେ ଯାହା କିଛି ଉନ୍ନତିମୂଳକ କାମ ହେଉଛି। ସ୍ବାୟତ୍ତ ଶାସନ ଦିବସରେ ନିଗମରେ ପୂର୍ବପରି ତତ୍ପରତା ଦେଖିବାକୁ ମିଳୁ ନାହିଁ। କାଉନସିଲ୍‌ ନିର୍ବାଚନରେ ପରାଜୟର ଭୟ ଥିବାରୁ ରାଜ୍ୟ ସରକାର ନିର୍ବାଚନ କରାଉ ନାହାନ୍ତି।
ଗିରିବାଳା ବେହେରା, ପୂର୍ବତନ କର୍ପୋରେଟର ଓ ନଗର କଂଗ୍ରେସ ସଭାନେତ୍ରୀ

ସମ୍ବନ୍ଧିତ ଖବର