୨୦ରେ ହେବ ସିଏମ୍‌ସି କାଉନ୍‌ସିଲ୍‌ ବୈଠକ: ମଶା, ଜାଇକା ଓ ବକ୍ସ ଡ୍ରେନ୍‌କୁ ନେଇ ପୂର୍ବରୁ ପ୍ରସ୍ତୁତ ହେବ ଯୋଜନା

ମେ’ ୨ୟ ସପ୍ତାହ ସୁଦ୍ଧା ସହରରେ ସରିବ ପଙ୍କୋଦ୍ଧାର କାର୍ଯ୍ୟକ୍ରମ

କଟକ: ସିଏମ୍‌ସି କାଉନସିଲ ଦୀର୍ଘ ତିନି ବର୍ଷ ପରେ ଗଠନ ହୋଇଥିବା ବେଳେ ଆସନ୍ତା ୨୦ ତାରିଖରେ ଚଳିତ କାଉନସିଲର ପ୍ରଥମ ବୈଠକ ବସିବ। ଏହା ପୂର୍ବରୁ ଆଜି ସହରରୁ ପଙ୍କୋଦ୍ଧାର ଉପରେ ଏକ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଆସନ୍ତା ୧୨ ତାରିଖରେ ମଶା ଓ ୧୮ରେ ଜାଇକା ଓ ବକ୍ସ ଡ୍ରେନ ଉପରେ ବୈଠକ ଅନୁ‌‌ଷ୍ଠିତ ହେବ। କାଉନସିଲ ପୂର୍ବରୁ ଅନୁଷ୍ଠିତ ହୋବକୁ ଥିବା ଏହି ବୈଠକରେ ମଶା ବଂଶ ବୃଦ୍ଧିର କାରଣ, ଜାଇକା ଓ ବକ୍ସ ଡ୍ରେନର କାମ କେତେ ଶେଷ ହୋଇଛି, କେତେ ବାକି ଅଛି ଓ କେବେ ‌େଶଷ ହେବ ଏହା ଉପରେ ଆଲୋଚନା କରାଯାଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେବ। ଏହି ତଥ୍ୟ ତଥା ପ୍ରସ୍ତାବକୁ ୨୦ ତାରିଖରେ ହେବାକୁ ଥିବା କାଉନସିଲ୍‌ ବୈଠକରେ ସମସ୍ତ କର୍ପୋରେଟରଙ୍କ ସମ୍ମୁଖରେ ରଖାଯିବ। ୫୯ଟି ୱାର୍ଡରେ ମଶା, ଜାଇକା ଓ ବକ୍ସ ଡ୍ରେନକୁ ନେଇ ଥିବା ବିଭିନ୍ନ ସମସ୍ୟାକୁ କର୍ପୋରେଟରମାନେ କାଉନସିଲରେ ରଖିବା ସହ ସେମାନଙ୍କ ମତାମତ ରଖିବାକୁ କୁହାଯିବ। ମଶା ବଂଶ ନିୟନ୍ତ୍ରଣ ପାଇଁ ୧୨ରେ ହେବାକୁ ଥିବା ବୈଠକରେ ପୌର ପରିଷଦର ପୂର୍ବତନ ଅଧ୍ୟକ୍ଷ ତ୍ରିଲୋଚନ କାନୁନ୍‌ଗୋ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ ବୋଲି ମେୟର ସୁବାସ ସିଂହ ସୂଚନା ଦେଇଛନ୍ତ।

ଆଜି ପଙ୍କୋଦ୍ଧାରକୁ ନେଇ ମେୟର ସୁବାସ ସିଂହଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଡେପୁଟି ମେୟର ଦମୟନ୍ତୀ ମାଝୀ, ସିଏମସି କମିସନର ଅନନ୍ୟା ଦାସ, ସିଟି ଇଂଜିନିୟର ସୁବା ରାଓ, ସ୍ବାସ୍ଥ୍ୟ ଅଧିକାରୀ ସତ୍ୟବ୍ରତ ମହାପାତ୍ର ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ପୂର୍ବରୁ ପଙ୍କ ବାହାର କରି ରାସ୍ତାରେ ପକାଇ ରଖାଯାଉଥିବା ବେଳେ ତାହାକୁ ରାସ୍ତାରୁ ଉଠାଇବା ପୂର୍ବରୁ ସିଏ ପୁଣି ଡ୍ରେନରେ ମିଶି ଯାଉଥିଲା। ସହରର ପରିବେଶ ବି ଖରାପ ହେଉଥିଲା। କିନ୍ତୁ ଏଥର ଡ୍ରେନରୁ ପଙ୍କ କାଢି ତାହାକୁ ଆଉ ରାସ୍ତାରେ ପକାଇ ନ ରଖି ସେହିଠାରୁ ସଙ୍ଗେସଙ୍ଗେ ଉଠାଇ ନିଆଯିବ ବୋଲି ଯୋଜନା ହୋଇଛି। ସହରର ଦୁଇ ବଡ଼ ଡ୍ରେନର ସଫେଇ ମେ’ ଦ୍ବିତୀୟ ସପ୍ତାହ ସୁଦ୍ଧା ଶେଷ ହେବ। ସେହିଭଳି ୧୦ ଦିନ ଭିତରେ ସର୍ଟ ଟେଣ୍ଡର ଡକାଯାଇ ମେ’ ଦ୍ବିତୀୟ ସପ୍ତାହ ସୁଦ୍ଧା ସହରର ସମସ୍ତ ଡ୍ରେନରୁ ପଙ୍କୋଦ୍ଧାର ପାଇଁ ମଧ୍ୟ ଯୋଜନା କରାଯାଇଛି। କାଉନସିଲର ଅନୁମୋଦନ ପରେ ଏ ଦିଗରେ ତୁରନ୍ତ ପଦକ୍ଷେପ ନିଆଯିବ। ଆବଶ୍ୟକତା ଅନୁଯାୟୀ ନୂଆ ମୋଟର ପମ୍ପ କିଣିବା ଏବଂ ୨ଶହ ମୋଟର ପମ୍ପର ମରାମତି କରି ତାହାକୁ ପ୍ରସ୍ତୁତ କରି ରଖିବାକୁ ମଧ୍ୟ ଆଜିର ବୈଠକରେ ଆଲୋଚନା ହୋଇଛି।

ସମ୍ବନ୍ଧିତ ଖବର