କଟକ: କଟକ ପୌର ନିଗମ (ସିଏମ୍ସି) କାଉନସିଲ ବୈଠକ ଆଜି ବିଜୁ ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ମେୟର ସୁବାସ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଭିନ୍ନ ପ୍ରସଙ୍ଗକୁ ନେଇ ପ୍ରବଳ ହଟ୍ଟଗୋଳ ହୋଇଛି। ବିଶେଷକରି ପରିମଳ ପରିଚାଳନା ଟେଣ୍ଡରକୁ ନେଇ ବିରୋଧୀ କର୍ପୋରେଟରମାନେ ବିଭିନ୍ନ ପ୍ରଶ୍ନ ଉଠାଇବା ସହିତ ସହରର ବିକାଶକୁ ନେଇ ବିଭିନ୍ନ ପ୍ରସଙ୍ଗରେ କର୍ତ୍ତୃପକ୍ଷଙ୍କୁ ଘେରିବାକୁ ଉଦ୍ୟମ କରିଥିଲେ। ପରିମଳ ଟେଣ୍ଡରକୁ ନେଇ ଉଠିଥିବା ବିବାଦ ଉପରେ ଆଲୋଚନା କରିବା ପାଇଁ ଏକ ସ୍ବତନ୍ତ୍ର ବୈଠକ ଡାକିବାକୁ ବିଜେପି ଓ କଂଗ୍ରେସର କର୍ପୋରେଟରମାନେ ଦାବି କରିଥିଲେ। ନିଗମର ୩ ଓ ୪ ନମ୍ବର ଜୋନ୍ର ପରିମଳ ଦାୟିତ୍ବ ନେଇଥିବା ମଞ୍ଜୁ ସର୍ଭିସ ବିରୋଧରେ ଏକାଧିକ ଅଭିଯୋଗ ଥିବା ବେଳେ ଏହାକୁ ନେଇ କିଛି ବ୍ୟକ୍ତି ଓ ଅନୁଷ୍ଠାନ କୋର୍ଟର ଆଶ୍ରୟ ନେଇଛନ୍ତି। ସଂସ୍ଥା ବିରୋଧରେ ଥିବା ଅଭିଯୋଗକୁ ନେଇ କୋର୍ଟରେ ମାମଲା ଥିବା ସମୟରେ ସିଏମ୍ସି ଏହାକୁ କିପରି ଟେଣ୍ଡରରେ ଅଂଶଗ୍ରହଣ କରିବାକୁ ଅନୁମତି ଦେଲା ଏବଂ ୨ଟି ଜୋନ୍ର ପରିମଳ ଦାୟିତ୍ବ ଦେଲା ବୋଲି ବିଧାୟକ ମହମ୍ମଦ ମୋକିମଙ୍କ ପ୍ରତିନିଧି କେଦାର ପୃଷ୍ଟି ପ୍ରଶ୍ନ କରିଥିଲେ। ସଂସ୍ଥାକୁ ନେଇ ଚାଲିଥିବା ମାମଲାର ଶୁଣାଣି ତାରିଖ ଆସନ୍ତା ଜୁଲାଇ ମାସରେ ରହିଛି ବୋଲି ଶ୍ରୀ ପୃଷ୍ଟି କହିଥିଲେ। ଏଭଳି ସ୍ଥିତିରେ କୋର୍ଟରେ ମାମଲାର ଶୁଣାଣି ପରେ ମଞ୍ଜୁ ସର୍ଭିସ ସଂପର୍କରେ ନିଷ୍ପତ୍ତି ନିଆଯିବ ଏବଂ ବର୍ତ୍ତମାନ ସଂପୃକ୍ତ ସଂସ୍ଥା କାମ କରିବନି ବୋଲି କମିସନର ନିଖିଲ ପବନ୍ କଲ୍ୟାଣ୍ କହିଥିଲେ। ଅନ୍ୟ ୪ଟି ଜୋନ୍ର ଦାୟିତ୍ବ ନେଇଥିବା ୨ଟି ସଂସ୍ଥା ଜାଗୃତି ଓ ପ୍ରତ୍ୟୁଷର ସମସ୍ତ କାଗଜପତ୍ରକୁ କଣ୍ଟ୍ରାକ୍ଟ କମିଟିକୁ ପଠାଇବାକୁ କମିସନର କହିଥିଲେ।
ବୈଠକରେ ସିଏମ୍ସିର ଆୟକୁ ଦୁଇ ଗୁଣ ବଢାଇବା, ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ରଖି କାମ କରିବା, ସିଏମ୍ସିର କଲ୍ୟାଣ ମଣ୍ଡପ ଖୋଲିବା, ଗୋରାକବର ସ୍ଥିତ ମଧୁସୂଦନ ଦାସଙ୍କ ସମାଧିପୀଠର ଉନ୍ନତୀକରଣ, ୫୯ଟି ୱାର୍ଡରେ ବର୍ଷାଜଳ ନିଷ୍କାସନ, ପଙ୍କୋଦ୍ଧାର, ଭତ୍ତା ପ୍ରଦାନ, ହୋଲଡିଂ, ଦୋକାନ ଘର ଭଡା ଓ ହୋର୍ଡିଂ ଟିକସ ଆଦାୟ ପରି ବିଭିନ୍ନ ପ୍ରସଙ୍ଗକୁ ନେଇ ବୈଠକରେ ଆଲୋଚନା କରାଯାଇଥିଲା।
ସହରର ସମସ୍ତ ରାସ୍ତା ମରାମତି କରିବା ସହ ଜାଇକା ଓ ଡେଙ୍ଗୁ ନିୟନ୍ତ୍ରଣ କାର୍ଯ୍ୟକ୍ରମର ସମୀକ୍ଷା ପାଇଁ ସମସ୍ତ କର୍ପୋରେଟରଙ୍କ ଉପସ୍ଥିତିରେ ଏକ ସ୍ବତନ୍ତ୍ର ବୈଠକ କରିବାକୁ ସ୍ବାସ୍ଥ୍ୟ ଷ୍ଟାଣ୍ଡିଂ କମିଟି ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। ସେହିପରି ନିଗମର ୫୯ଟି ୱାର୍ଡରେ ବିଭିନ୍ନ ଉନ୍ନତିମୂଳକ କାମ ପାଇଁ ପ୍ରତି ୱାର୍ଡକୁ ୩୦ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ପୂର୍ତ୍ତ କମିଟି ତରଫରୁ ପ୍ରସ୍ତାବ ଦିଆଯାଇଛି। ବିଶ୍ବନାଥ କେନ୍ଦ୍ରୀୟ ପାଠାଗାରର କାମ ତୁରନ୍ତ ଆରମ୍ଭ କରିବା ସହ ଚଳିତ ବର୍ଷ ସହରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ଶିକ୍ଷା ଓ ଚିତ୍ତ ବିନୋଦନ କମିଟି ପକ୍ଷରୁ କୁହାଯାଇଛି। ନିଗମରେ ନୂଆ ଲ’ ଅଫିସର ନିଯୁକ୍ତି, ଡାଟା ଅପରେଟରଙ୍କ ଦରମା ବୃଦ୍ଧି, ପ୍ରତିଷ୍ଠାନ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ବିଭାଗ ପାଇଁ ପୃଥକ ଟେଣ୍ଡର କରିବାକୁ ସଂସ୍ଥାପନ କିମଟି ତରଫରୁ କୁହାଯାଇଛି। ହୋଲଡିଂ ଟିକସ ଓ ଦୋକାନ ଘର ଭଡା ଅାଦାୟ ପାଇଁ ସ୍ପେସାଲ ସ୍କ୍ବାଡ୍ ଗଠନ କରିବା ଓ କଲ୍ୟାଣ ମଣ୍ଡପ ଗୁଡିକ ଖୋଲିବାକୁ ଆବେଦନ ଓ ଲାଇସେନ୍ସ କମିଟି ପକ୍ଷରୁ କୁହାଯାଇଛି। ଚଳିତ ଅର୍ଥିକ ବର୍ଷରେ ସିଏମ୍ସିର ଆୟକୁ ଦୁଇଗୁଣା କରିବାକୁ ଟିକସ ଓ ଅର୍ଥ କମିଟି ତରଫରୁ ଏକାଧିକ ପ୍ରସ୍ତାବ ଦିଆଯାଇଛି। ମହାନଗର ନିଗମରେ ଆବଶ୍ୟକ ଥିବା ଭତ୍ତା ଓ ରାସନ କାର୍ଡର ବ୍ୟବସ୍ଥା କରିବା ସହ ଗୋଷ୍ଠୀ ସଂଗଠିକା ବିଭିନ୍ନ କାମରେ ନିର୍ବାଚିତ କର୍ପୋରେଟରଙ୍କୁ ସହଯୋଗ କରିବାକୁ ଅଭିଯୋଗ ଷ୍ଟାଣ୍ଡିଂ କମିଟି ତରଫରୁ ଦାବି ରଖାଯାଇଛି। କର୍ପୋରେଟର ଗଗନ ଓଝା, ସନ୍ତୋଷ ଭୋଳ, ଗୋପାଳ ବେହେରା, କେ କାମେଶ ରାଓ, ରାକେଶ ସ୍ବାଇଁ, ଲିଜାରାଣୀ ରାଉତ, ତାପସ ସାମନ୍ତରାୟ, ପ୍ରମିଳା ମହାନ୍ତି, ସୁବ୍ରତ ଘଡାଇ, ଇତିଶ୍ରୀ ଦାସ, ସୁଭାଶିଷ କୁମାର ପଟ୍ଟନାୟକ, ଝିଲ୍ଲୀ ବିହାରୀ, ଲକ୍ଷ୍ମୀପ୍ରିୟା ବେହେରା, ସୁମିତ୍ରା ବସ୍ତିଆ, ଦୀପ୍ତିମୟୀ ମୂଳିଆ, ପ୍ରଳୟା ବେଉରା, ସ୍ବର୍ଣ୍ଣପ୍ରଭା ପପଶାୟତ, ଦୀପକ କୁମାର ଦାସ, ନମିତା ବାରିକ, ସତ୍ୟରଂଜନ ତ୍ରିପାଠୀ, ଲିପ୍ସା ନାୟକ, ବନଲତା ପ୍ରଧାନ, ମମତା ମହାନ୍ତି, ଲିପ୍ସା ନାୟକ, ଅରବିନ୍ଦ ଜେନା, ପୂର୍ଣ୍ଣିମା ସ୍ବାଇଁ ପ୍ରମୁଖ ସେମାନଙ୍କ ୱାର୍ଡର ବିଭିନ୍ନ ସମସ୍ୟାକୁ ବୈଠକରେ ଉତ୍ଥାପନ କରିଥିଲେ। ବୈଠକରେ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ର, ସିଟି ଇଂଜିନିୟର ସୁବାରାଓ ପାତ୍ର, ବାରବାଟୀ ବିଧାୟକଙ୍କ ପ୍ରତିନିଧି କେଦାର ପୃଷ୍ଟି, ଚୌଦ୍ବାର ବିଧାୟକଙ୍କ ପ୍ରତିନିଧି ରମାକାନ୍ତ ଲେଙ୍କା, ସଦର ବିଧାୟକଙ୍କ ପ୍ରତିନିଧି ମନୋରଂଜନ ମହାପାତ୍ରଙ୍କ ସମେତ ନିଗମର ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ। ଡେପୁଟି ମେୟର ଦମୟନ୍ତୀ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।
୨ ଲକ୍ଷ ଘର, ୭୦ ହଜାର ଦେଉଛନ୍ତି ହୋଲ୍ଡିଂ ଟିକସ
କଟକ ମହାନଗର ଅଞ୍ଚଳରେ ୨ ଲକ୍ଷ ଘର ଥିବା ବେଳେ ମାତ୍ର ୭୦ ହଜାର ଘରୁ ହୋଲଡିଂ ଟିକସ ଆଦାୟ କରାଯାଉ ଥିବା ମେୟର ସୁବାସ ସିଂହ ଆଜିର ବୈଠକରେ ସୂଚନା ଦେଇଛନ୍ତି। ଚଳିତ ଆର୍ଥିକ ବର୍ଷରେ ସହରର ସବୁ ଘରୁ ଟିକସ ଆଦାୟ କରିବାକୁ ଏଥିରେ ନିଷ୍ପତ୍ତି ନିଆଯାଇଛି। ସିଏମ୍ସିର ଦୋକାନ ଘରେ ବ୍ୟବସାୟ କରୁଥିବା ଦୋକାନୀଙ୍କଠାରୁ ବାକି ପଡିଥିବା ଭଡା, ଘରୋଇ କଲ୍ୟାଣ ମଣ୍ଡପ ଓ ନର୍ସିଂହୋମରୁ ବାକି ୟୁଜର୍ସ ଫି ଆଦାୟ କରିବା, ସିଏମ୍ସିର ସମସ୍ତ କଲ୍ୟାଣ ମଣ୍ଡପକୁ ଭଡାରେ ଲଗାଇବା, ବିଡାନାସୀ ଅଞ୍ଚଳରେ ୩ ହଜାର ଘରକୁ ସିଏମ୍ସିରେ ପଞ୍ଜୀକରଣ କରିବା ଦିଗରେ ପଦକ୍ଷେପ ନେଇ ସିଏମସିର ଆୟ ବଢା ଯିବାକୁ ଯୋଜନା ରହିଛି।
ପ୍ରତି ୱାର୍ଡକୁ ୩୦ ଲକ୍ଷ ଟଙ୍କା
ୱାର୍ଡର ରାସ୍ତା ଓ ଡ୍ରେନ ନିର୍ମାଣରୁ ଆରମ୍ଭ କରି ବିଭିନ୍ନ କାମ ପାଇଁ ୨୦୨୨-୨୩ ଆର୍ଥିକ ବର୍ଷରେ ପ୍ରତି ୱାର୍ଡକୁ ୩୦ ଲକ୍ଷ ଟଙ୍କା ଦେବାକୁ ପୂର୍ତ୍ତ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ପ୍ରଦୀପ୍ତ କିଶୋର ଖୁଣ୍ଟିଆ ସଭାରେ ଦାବି କରିଛନ୍ତି। ନିଗମ ନିକଟରେ ରାସ୍ତା ଉନ୍ନୟନ ଯୋଜନାରେ ୧୩ କୋଟି, ମୋଟର ଭେହିକିଲ୍ ଫଣ୍ଡରେ ୧୧ କୋଟି, ୧୪ ଓ ୧୫ ଫାଇନାନ୍ସ କମିସନ୍ରେ ୬୦ କୋଟି, ଡିଭାଲୁସନ୍ ଫଣ୍ଡରେ ୨୨ କୋଟି ଟଙ୍କା ରହିଛି। ସିଏମ୍ସି ନିକଟରେ ଟଙ୍କା ଥିବା ବେଳେ ବିଭିନ୍ନ ୱାର୍ଡରେ ନୂଆ ଓ ମରାମତି କାମ ଟଙ୍କା ପାଇଁ ବନ୍ଦ ରହିବା ବିଷୟକୁ ଶ୍ରୀ ଖୁଣ୍ଟିଆ ବିରୋଧ କରିବା ସହ ଏ ଦିଗରେ କର୍ତ୍ତୃପକ୍ଷ ଚିନ୍ତା କରିବାକୁ କହିଛନ୍ତି।
ଚମକିବ ମଧୁ ସେତୁ
ମଧୁସୂଦନ ସେତୁର ଆଲୋକୀକରଣ ପାଇଁ ଖର୍ଚ୍ଚ ହେବ ଦେଢ କୋଟି ଟଙ୍କା। ଏ ନେଇ ଚୌଦ୍ବାର ବିଧାୟକଙ୍କ ପ୍ରତିନିଧି ରମାକାନ୍ତ ଲେଙ୍କା ସୂଚନା ଦେଇଛନ୍ତି। ଆରଆଣ୍ଡବି ପକ୍ଷରୁ ଦେଢ କୋଟି ଟଙ୍କାରେ ମଧୁସୂଦନ ସେତୁରେ ଲାଇଟ ଲଗାଯିବ। ତେବେ ଏହାର ରକ୍ଷଣାବେକ୍ଷଣ ଦାୟିତ୍ବ ସିଏମ୍ସିକୁ ଦିଆଯିବ ବୋଲି ଶ୍ରୀ ଲେଙ୍କା କହିଛନ୍ତି।
ଜୁଲାଇରୁ ସିଙ୍ଗିଲ୍ ୟୁଜ୍ ପଲିଥିନ୍ ବନ୍ଦ
ମହାନଗର ଅଞ୍ଚଳରେ ଜୁଲାଇ ୧ ତାରିଖରୁ ଥରେ ବ୍ୟବହାର ହେଉଥିବା ପଲିଥିନ୍ ଓ ପ୍ଲାଷ୍ଟିକକୁ ବାରଣ କରିବାକୁ ସହରବାସୀଙ୍କୁ ନିବେଦନ କରାଯାଇଛି। ଆସନ୍ତା ଦିନରେ ସହରରେ ପଲିଥିନ୍ ଗୋଦାମ ସହିତ ଏହାକୁ ପ୍ରସ୍ତୁତ କରୁଥିବା କାରଖାନା ଉପରେ ଚଢଉ କରାଯିବ ବୋଲି କମିସନର ଶ୍ରୀ କଲ୍ୟାଣ୍ ଆଜିର ବୈଠକରେ କହିଛନ୍ତି। ସହରବାସୀ ଓ ବ୍ୟବସାୟୀ ଏହାର ବ୍ୟବହାର ଉପରେ ରୋକ ଲଗାଇବାକୁ କମିସନର ନିବେଦନ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/CMC-COUNCIL-MEETING-6.jpg)