ସିଏମ୍‌ସି କାଉନ୍‌ସିଲ ବୈଠକ: ଜଳ ନିଷ୍କାସନ, ପଙ୍କୋଦ୍ଧାର, ରାସ୍ତାଘାଟ ମୁଖ୍ୟ ପ୍ରସଙ୍ଗ

ଖୁବଶୀଘ୍ର ସମସ୍ୟା ସମାଧାନ ପାଇଁ ମେୟର୍‌ ସୁବାସ ସିଂହଙ୍କ ପ୍ରତିଶ୍ରୁତି, ଉନ୍ନୟନ କାର୍ଯ୍ୟ ଅନୁଧ୍ୟାନ ପାଇଁ ୱାର୍ଡସ୍ତରରେ ଗଠନ ହେବ କମିଟି

କଟକ: କଟକ ମହାନଗର ନିଗମ ନିର୍ବାଚିତ କାଉନସିଲ୍‌ର ୪ର୍ଥ ବୈଠକ ତଥା ସାଧାରଣ ଅଧିବେଶନ ଆଜି ବିଜୁ ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ମେୟର ସୁବାସ ସିଂହଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ନିଗମର ୫୯ଟି ୱାର୍ଡର ବର୍ଷା ଜଳ ନିଷ୍କାସନ, ପଙ୍କୋଦ୍ଧାର ଓ ପାଣି ପମ୍ପ ମରାମତି ବିଷୟ ଉପରେ ଆଲୋଚନା କରାଯାଇଛି। ଏସବୁ ସମସ୍ୟା ସହିତ ସହରର ରାସ୍ତଘାଟ ସମସ୍ୟାର ସମାଧାନ ଦିଗରେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ମେୟର ସୁବାସ ସିଂହ ପ୍ରତିଶ୍ରୁତି ଦେଇଛନ୍ତି। ବୈଠକରେ ସିଏମ୍‌ସିର ଇଂଜିନୟରଙ୍କୁ ଦାୟିତ୍ବ ଦିଆଯାଇଥିବା ୱାର୍ଡର ଡ୍ରେନ ନିର୍ମାଣ ଓ ପଙ୍କୋଦ୍ଧାର କାମର ତଦାରଖ କରିବାକୁ ମେୟର ଇଂଜିନୟରିଂ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ୫୯ଟି ୱାର୍ଡରେ ସିଏମ୍‌ସି ପକ୍ଷରୁ ଚାଲିଥିବା ବିଭିନ୍ନ କାମକୁ ଦେଖିବା ପାଇଁ ନିଗମର ଇଂଜିନିୟର, ସେକ୍ଟର ଅଫିସର, ସାନିଟାରି ଇନ୍ସିପେକ୍ଟର ଓ କର୍ପୋରେଟରଙ୍କୁ ନେଇ କମିଟି ଗଠନ କରିବାକୁ ବୈଠକରେ ସ୍ଥିର ହୋଇଛି। କଟକର ଚିତ୍ର ବଦଳାଇବା ପାଇଁ ସିଏମ୍‌ସିର ୫୯ ଜଣ କର୍ପୋରେଟର, ନିଗମର ଅଧିକାରୀ ଓ କର୍ମଚାରୀଙ୍କୁ ଏକାଠି ହୋଇ କାମ କରିବାକୁ ମେୟର ଶ୍ରୀ ସିଂହ ବୈଠକରେ ଆହ୍ବାନ ଦେଇଛନ୍ତି। କାଉନସିଲ ବୈଠକ ଆରମ୍ଭରେ ଗତ ଏପ୍ରିଲ ମାସର ନିଗମର ଆୟ ଓ ବ୍ୟୟ ଉପରେ ବିତ୍ତ ଅଧିକାରୀ ଲୁସି ସ୍ବାଇଁ ସୂଚନା ଦେଇଥିଲେ। ଗତ ମାସରେ ନିଗମର ୨ କୋଟି ୭୯ ଲକ୍ଷ ୯୮ ହଜାର ଟଙ୍କା ଆୟ ହୋଇଥିବା ବେଳେ ୧୯ କୋଟି ୫୮ ଲକ୍ଷ ୮୦ ହଜାର ଟଙ୍କ ବ୍ୟୟ ହୋଇଛି। ଚଳିତ ବର୍ଷ ସିଏମ୍‌ସିରେ ପଙ୍କୋଦ୍ଧାର ପାଇଁ ୧୧୫ଟି ଟେଣ୍ଡର କରାଯାଇଛି ବୋଲି ସିଟି ଇଂଜିନିୟର ସୁବାରାଓ ପାତ୍ର କହିଛନ୍ତି। ବୈଠକରେ ସିଏମ୍‌ସିର ଏମ୍‌ଏସ୍‌ଡବ୍ଲୁସି ୧ ଓ ୨ର ସଫେଇ କାମ ଜାଇକା, ବିଏସ୍‌ଡବ୍ଲୁସି ଡ୍ରେନର କାମ ସିଏମ୍‌ସିର ଇଂଜିନିୟରିଂ ବିଭାଗ ଓ ସର୍ଫେସ ଡ୍ରେନର ପଙ୍କୋଦ୍ଧାର କାମ ନିଗମର ସ୍ବାସ୍ଥ୍ୟ ବିଭାଗ କରିବ ବୋଲି ସୂଚନା ଦିଆଯାଇଛି।

ୱାର୍ଡରେ ଡ୍ରେନ ସଫେଇ ଚାଲିଥିବା ବେଳେ ନିଗମ ଇଂଜିନିୟର ଏହାର ତଦାରଖ କରିବାକୁ ଆସୁନଥିବା ବହୁ କର୍ପୋରେଟର ଅଭିଯୋଗ ଆଣିଥିଲେ। ଡ୍ରେନ ସଫେଇ ଓ ମରାମତି କାମ ଦେଖିବାକୁ ପ୍ରତିଦିନ ଦୁଇ ଚକିଆ ଗାଡିରେ ୱାର୍ଡ ବୁଲିବାକୁ ସିଏମ୍‌ସିର ସମସ୍ତ ଇଂଜିନୟରଙ୍କୁ ମେୟର ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି। ଜାଇକା ପକ୍ଷରୁ ଗୋଟିଏ ରାସ୍ତାକୁ ବାରମ୍ବାର ଖୋଳି କାମ କରାଯିବା ବିଷୟକୁ ସଭା‌ରେ ଉଠାଯାଇଥିଲା। ଗୋଟିଏ ରାସ୍ତାକୁ ଥରେ ଖୋଳି କାମ ଶେଷ କରିବାକୁ ଜାଇକାକୁ ବୈଠକରେ ନିର୍ଦ୍ଦେଶ ଦିଆଯାଇଛି। ବର୍ଷାଜଳ ନିଷ୍କାସନ ପାଇଁ ସିଏମ୍‌ସି ନିକଟରେ ୨୨୦ଟି ପାଣି ପମ୍ପ ଥିବା ବେଳେ‌ ସେଥିରୁ ୮୦ଟି ଖରାପ ରହିଛି ବୋଲି ସୂଚନା ଦିଆଯାଇଥିଲା। ଏବେ ୩୦ଟି ପମ୍ପର ମରାମତି ଚାଲିଥିବା ସମୟରେ ୨୪ଟି ଭଲଭୋ ପମ୍ପର ଡ୍ରାଇଭର ଓ କର୍ମଚାରୀଙ୍କ ପାଇଁ ପ୍ରଶିକ୍ଷଣ ଶିବିର ଆୟୋଜନ କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ମାସ ୧୫ ତାରିଖ ସୁଦ୍ଧା ସହରର ସମସ୍ତ ଡ୍ରେନ ସଫେଇ କାମ ଶେଷ ହେବ। ପୂର୍ବରୁ ତଳିଆ ଅଞ୍ଚଳର ଲୋକେ ରାତି ରାତି ଜଳବନ୍ଦି ମଧ୍ୟରେ ରହୁଥିବା ‌ବେଳେ ଆଗାମୀ ଦିନରେ ଏହି ସମସ୍ୟା ଏକ ଘଣ୍ଟା ମଧ୍ୟରେ ଦୂର ହେବ ବୋଲି ମେୟର ସୁବାସ ସିଂହ ସହରବାସୀଙ୍କୁ ଆଜିର ବୈଠକରେ ପ୍ରତିଶ୍ରୁତି ଦେଇଛନ୍ତି। ବୈଠକରେ କମିସନର ଅନନ୍ୟା ଦାସ, ଡେପୁଟି ମେୟର ଦମୟନ୍ତୀ ମାଝୀ, ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ର, ସିଟି ଇଂଜିନିୟର ସୁବାରାଓ ପାତ୍ର, ବାରବାଟୀ-କଟକ ବିଧାୟକଙ୍କ ପ୍ରତିନିଧି କେଦାର ପୃଷ୍ଟି, ଚୌଦ୍ବାର-କଟକ ବିଧାୟକଙ୍କ ପ୍ରତିନିଧି ରମାକାନ୍ତ ଲେଙ୍କା, ସଦର ବିଧାୟକଙ୍କ ପ୍ରତିନିଧି ମନୋରଂଜନ ମହାପାତ୍ରଙ୍କ ସହିତ ନିଗମର ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।

ବଡ଼ ଡ୍ରେନ୍‌ ସଫେଇ ସରିବାକୁ ନେଇ ଆଶଙ୍କା
ଜାଇକା ପକ୍ଷରୁ ଏମ୍‌ଏସ୍‌ଡବ୍ଲୁସି ଡ୍ରେନ ଓ ସିଏମ୍‌ସି ଇଂଜିନିୟରିଂ ବିଭାଗ ତରଫରୁ ବିଏସ୍‌ଡବ୍ଲୁସି ଡ୍ରେନର ସଫେଇ କାମ କରାଯାଉଛି। ହେଲେ ମାତ୍ର ୪ଟି ମିନି ଏକ୍ସାଭେଟର ମେସିନ ଦ୍ବାରା ଇଂଜିନିୟରିଂ ବିଭାଗ ସଫେଇ କାମ କରୁଥିବା ବେଳେ ଏହା ବର୍ଷା ପୂର୍ବରୁ ଶେଷ ହେବାକୁ ନେଇ ପ୍ରଶ୍ନ ଉଠିଛି। ସେହିପରି ଜାଇକା ଏମ୍‌ଏସ୍‌ଡବ୍ଲୁସି ଡ୍ରେନ ସଫେଇ ପାଇଁ ଗତ ୪ ତାରିଖରେ ଫାଇନାନ୍‌ସିଆଲ ବିଡ୍‌ ଖୋଲିଥିବା ବେଳେ ଏବେ ସୁଦ୍ଧା ସଫେଇ କାମ ଆରମ୍ଭ କରି ନାହିଁ। ଏକ ମାସ ମଧ୍ୟରେ ୧୯ କିଲୋମିଟର ବଡ ଡ୍ରେନକୁ ସଫା କରିବା ଓ ପଙ୍କକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ସମ୍ଭବ ହେବ ନାହିଁ ବୋଲି ବୈଠକରେ ଅନେକ ମତ ଦେଇଥିଲେ।

ସ୍ବାସ୍ଥ୍ୟ ବିଭାଗ ଓ ଇଂଜିନିୟରିଂ ବିଭାଗ ମଧ୍ୟରେ ରହୁନି ସମନ୍ବୟ
ସହରରେ ଡ୍ରେନ ‌ସଫେଇ କାମ ଆରମ୍ଭ ହୋଇଥିବା ସିଏମ୍‌ସି ପକ୍ଷରୁ ଦାବି କରାଯାଉଛି। ମାତ୍ର ୱାର୍ଡକୁ କୁଲି ଦେବା ଓ ମେସିନ୍‌ ଦ୍ବାରା ଡ୍ରେନ ସଫେଇ କରିବା ବିଷୟକୁ ନେଇ ସିଏମ୍‌ସି କର୍ପୋରେଟରମାନଙ୍କୁ ଦ୍ବନ୍ଦ୍ବରେ ରଖୁ ଥିବା ବୈଠକରେ ଅଭିଯୋଗ ହୋଇଛି। ବଡ ଡ୍ରେନର ସଫେଇ ପାଇଁ ସିଏମ୍‌ସି ପ୍ରତି ମାସରେ ୫ ଦିନ ୱାର୍ଡକୁ ‌ମେସିନ୍‌ ଦେଉଛି। ମାତ୍ର ଏନେଇ କର୍ପୋରେଟରଙ୍କୁ କୌଣସି ସୂଚନା ଦେଉ ନଥିବା ଅଭିଯୋଗ ହୋଇଛି। ସ୍ବାସ୍ଥ୍ୟ ବିଭାଗ ଓ ଇଂଜିନିୟରିଂ ବିଭାଗ ପରସ୍ପର ମଧ୍ୟରେ ଆଲୋଚନା କରି କୁଲି ଓ ମେସିନ୍‌ ୱାର୍ଡକୁ ଦେବାକୁ ଦାବି ହୋଇଛି।

Sambad

ବିଜେଡି-ବିଜେପି କର୍ପୋରେଟର୍‌ ମୁହାଁମୁହିଁ

ବୈଠକରେ ବିଜେପି ଓ ବିଜେଡି କର୍ପୋରେଟରଙ୍କ ମଧ୍ୟରେ ଏଜେଣ୍ଡା ବାହାରକୁ ଯାଇ ବିଭିନ୍ନ ବିଷୟ ଆଲୋଚନା ଘଟଣାକୁ ନେଇ ପାଟିତୁଣ୍ଡ ହୋଇଥିଲା। ୩୪ ନମ୍ବର ୱାର୍ଡର ବିଜେପି କର୍ପୋରେଟର ଦୀପକ କୁମାର ଦାସ ୱାର୍ଡ‌ର ବିଏସ୍‌ଏନ୍‌ଏଲ୍‌ କାର୍ଯ୍ୟାଳୟ ପରିସର ବୁଦା ଗଛରେ ଭରି ହୋଇଥିବା ବେଳେ ଏହାର ସଫେଇ ପାଇଁ ଦାବି ରଖିଥିଲେ। ବୈଠକରେ ବର୍ଷାଜଳ ନିଷ୍କାସନ, ‌ପଙ୍କୋଦ୍ଧାର ପରି ବଷୟ ଉପରେ ଆଲୋଚନା କରାଯାଉ ଥିବା ବେଳେ ଏଜେଣ୍ଡା ବାହାରକୁ ଯାଇ ଆଲୋଚନା କରିବା ଘଟଣାକୁ ୪୪ ନମ୍ବର ୱାର୍ଡର ବିଜେଡିର ବରିଷ୍ଠ କର୍ପୋରେଟର ପ୍ରଦୀପ୍ତ କିଶୋର ଖୁଣ୍ଟିଆ ବିରୋଧ କରିଥିଲେ। ଏହାକୁ ନେଇ ବିଜେପି ଓ ବିଜେଡି କର୍ପୋରେଟରଙ୍କ ମଧ୍ୟରେ ଦୀର୍ଘ ସମୟ ପାଇଁ ପାଟିତୁଣ୍ଡ ଚାଲିଥିଲା। ଏଥିରେ ଉଭୟ ଦଳର ଅନ୍ୟ କର୍ପୋରେଟର ମାନେ ମଧ୍ୟ ଯୋଡ଼ି ହେଇ ଯାଇଥିଲେ। ମେୟର ଓ କମିସନର ଏଥିରେ ହସ୍ତକ୍ଷେପ କରିବାରୁ କିଛି ସମୟ ପରେ ପରିସ୍ଥିତି ଶାନ୍ତ ପଡିଥିଲା। ଆଗକୁ ବୈଠକରେ ଏପରି ଆଚରଣ ନକରିବା ସହ କେବଳ ଏଜେଣ୍ଡାକୁ ଗୁରୁତ୍ବ ଦେବାକୁ କମିସନର ଅନନ୍ୟା ଦାସ ପରାମର୍ଶ ଦେଇଥିଲେ।

ନାଳ ସଫେଇ ପାଇଁ ଅଧିକ କୁଲି ଦେବାକୁ ଦାବି
ବର୍ଷା ପୂର୍ବରୁ ସମସ୍ତ ଡ୍ରେନ୍‌କୁ ସଫେଇ କରିବାକୁ କାଉନସିଲ ବୈଠକରେ ଆଲୋଚନା କରାଯାଇଥିଲା। ୱାର୍ଡର ସର୍ଫେସ ଡ୍ରେନକୁ କୁଲିଙ୍କ ଦ୍ବାରା ସଫେଇ କରାଯାଉ ଥିବା ବେଳେ ସିଏମ୍‌ସି ପକ୍ଷରୁ ପ୍ରତି ୱାର୍ଡକୁ ୫ଜଣ ସଫେଇ କର୍ମଚାରୀଙ୍କୁ ଦିଆଯାଇଛି। ମାତ୍ର ସେମାନଙ୍କ ମଧ୍ୟରେ ଜଣେ ଦୁଇଜଣ ବିଭିନ୍ନ ସମୟରେ ବାହାନା କରି ଆସୁ ନାହାନ୍ତି ବୋଲି ଅଭିଯୋଗ ‌ହୋଇଥିଲା। ୫ଜଣ କୁଲି ଡ୍ରେନରୁ ପଙ୍କ ବାହାର କରିବା, ଟ୍ରାକ୍ଟରରେ ପଙ୍କ ବୋଝେଇ କରିବା କାମ କରୁଛନ୍ତି। ଅଳ୍ପ ସଂଖ୍ୟାର ସଫେଇ କାର୍ମଚାରୀଙ୍କ ଦ୍ବାରା ଠିକ ଭାବେ କାମ ହୋଇ ପାରୁ ନଥିବାରୁ ୱାର୍ଡ ଗୁଡିକୁ ଅଧିକ ସଫେଇ କର୍ମଚାରୀ ଦେବାକୁ ବୈଠକରେ ଦାବି ହୋଇଛି।

Sambad

୨୩ ନମ୍ବର ୱାର୍ଡ ସମସ୍ୟା ଉଠାଇଲେ ୨୬ ନମ୍ବର ୱାର୍ଡ କର୍ପୋରେଟର୍‌
ସିଏମ୍‌ସି ୨୩ ନମ୍ବର ୱାର୍ଡର କାଠଗଡ଼ା ଛକରୁ ଚୌଧୁରୀ ବଜାର ଛକ ରାସ୍ତା ମଧ୍ୟରେ ଥିବା ଏକ ଡ୍ରେନର ମରାମତି କରିବାକୁ ୨୬ ନମ୍ବର ୱାର୍ଡର ବିଜେପି କର୍ପୋରେଟର ଗଗନ ଓଝା ଦାବି କରିଛନ୍ତି। ଡ୍ରେନ୍‌ ମରାମତି ପାଇଁ ୫ ହଜାର ଟଙ୍କା ଆବଶ୍ୟକ ଥିବା ବେଳେ ଏଥିପାଇଁ ଟେଣ୍ଡର କରିବାକୁ ଇଂଜିନିୟର ବିଭାଗ ପକ୍ଷରୁ କୁହାଯାଇଛି ବୋଲି ସେ କହିଥିଲେ। କାଠଗଡାସାହି ଯୁବକ ସଂଘ ସଂପାଦକ ହୋଇ ଥିବାରୁ ଏନେଇ ତାଙ୍କ ନିକଟକୁ ବାରମ୍ବାର ଅଭିଯୋଗ ଆସୁଛି। ଏଥିପାଇଁ ଏହାର ମରାମତି କରିବାକୁ ସେ ଦାବି କରିଥିଲେ।

ସଦରର ୬ଟି ୱାର୍ଡ ନିଗମର ସାବତ ପୁଅ
ସିଏମ୍‌ସି ଅଧୀନରେ ସଦରର ୬ଟି ୱାର୍ଡ ଥିବା ବେଳେ ସେଗୁଡ଼ିକୁ ସାବତ ପୁଅ ପରି ବ୍ୟବହାର କରାଯାଉଥିବା ବୈଠକରେ ଅଭି‌ଯୋଗ ହୋଇଛି। ଏହି ସମସ୍ତ ୱାର୍ଡରେ ନିଗମର କୌଣସି ଅଧିକାରୀଙ୍କ ପାଦ କେବେ ପଡ଼ୁ ନଥିବା ଅଭିଯୋଗ ହେଇଛି। ଏଠାରେ ପରିମଳ ଓ ପଙ୍କୋଦ୍ଧାର ପରି ମୌଳିକ ବିଷୟଗୁଡ଼ିକ ନିୟମିତ ଭାବେ କରାଯାଉ ନଥିବାରୁ ୱାର୍ଡଗୁଡ଼ିକର କର୍ପୋରେଟରଙ୍କ ପକ୍ଷରୁ କ୍ଷୋଭ ପ୍ରକାଶ କରାଯାଇଛି। ଆଗାମୀ ଦିନରେ ୬ଟି ୱାର୍ଡକୁ ଅଧିକ ଗୁରୁତ୍ବ ଦେଇ ସେଗୁଡିକର ବିକାଶ କରିବାକୁ କର୍ପୋରେଟର ମାନେ ଦାବି କରିଛନ୍ତି।

ନିଜ ୱାର୍ଡ ସମସ୍ୟା ଉଠାଇଲେ କର୍ପୋରେଟର୍‌
କାଉନସିଲକୁ ପ୍ରଥମ ଥର ନିର୍ବାଚିତ ହୋଇ ଆସିଥିବା ଅନେକ କର୍ପୋରେଟର ଆଜି ସେମାନଙ୍କ ୱାର୍ଡ ସମସ୍ୟାକୁ ବୈଠକରେ ଉଠାଇଛନ୍ତି। ସିଏମ୍‌ସି ୫୦ ନମ୍ବର କର୍ପୋରେଟର ସନ୍ତୋଷ କୁମାର ଭୋଳ, ୭ ନମ୍ବର ନମିତା ବାରିକ, ୧୫ ନମ୍ବର ଲିଜାରାଣୀ ରାଉତ, ୨୦ର ଲକ୍ଷ୍ମୀଧର ବେହେରା, ୯ର ବିକାଶ ରଂଜନ ବେହେରା, ୩୮ର ସୁଭାଶିଷ ପଟ୍ଟନାୟକ, ୫୧ର ରାକେଶ ସ୍ବାଇଁ, ୨୬ର ଗଗନ ଓଝା, ୪୬ର ପ୍ରଳୟା ବେଉରା, ୫୭ର ପୂର୍ଣ୍ଣିମା ସ୍ବାଇଁ, ୫୯ର ମମତା ମହାନ୍ତି, ୪୨ର ମୀନା ସାହୁ, ୪୧ର ସ୍ବର୍ଣ୍ଣପ୍ରଭା ପଶାୟତ, ୩୪ର ଦୀପକ କୁମାର ଦାସ, ୪୭ର ଇଂଜିନିୟର ସୁବ୍ରତ ଘଡ଼େଇ, ୨୯ର ସୁମିତ୍ରା ବସ୍ତିଆ, ୨୪ର ଦୀପ୍ତିମୟୀ ମୂଳିଆ, ୫୪ର ତାପସ ରଂଜନ ସାମନ୍ତରାୟ, ୩୨ର ପ୍ରଦୀପ ସାହୁ, ୩୭ର ଯତିନ କୁମାର ବେହେରା, ୫୨ର ସୌଭାଗିନୀ ଜେନା, ୧୬ର ଲକ୍ଷ୍ମୀପ୍ରିୟା ବେହେରା, ୫୮ର ଜନାର୍ଦ୍ଦନ ପରିଡ଼ା, ୪୦ର ଝିଲ୍ଲୀ ବେହେରା, ୫୬ର ଲିପ୍ସା ନାୟକ, ୨୭ର ଇତିଶ୍ରୀ ଦାସ, ୩୫ର ଜେ.କାମେଶ୍ବର ରାଓ, ୧୮ର ମହମ୍ମଦ ଇଫତକାର ଆଲମ୍‌, ୧୩ର ସତ୍ୟରଂଜନ ତ୍ରିପାଠୀ ସେମାନଙ୍କ ୱାର୍ଡର ଡ୍ରେନ ସଫେଇ, ଅଧିକ ସଂଖ୍ୟାର ସଫେଇ କର୍ମଚାରୀ ଓ ଟ୍ରାକ୍ଟର ପ୍ରଦାନ, ୱାର୍ଡକୁ ମେସିନ ଦେବାର ପୂର୍ବସୂଚନା ପରି ବିଭିନ୍ନ ସମସ୍ୟାକୁ ଉପସ୍ଥାପନା କରିଛନ୍ତି।

ସମ୍ବନ୍ଧିତ ଖବର