କଟକ: ‌କାଉନ୍‌ସିଲ ଗଠନ ହେବାର ଏକ ବର୍ଷ ମଧ୍ୟରେ ୱାର୍ଡର ଉନ୍ନତୀକରଣ କାମ ପାଇଁ ଏକାଧିକ ପ୍ରସ୍ତାବ ଦିଆଯାଇଛି। ହେଲେ ନିଗମର ଇଂଜିନିୟରିଂ ବିଭାଗର ଅଧିକାରୀ ସେଗୁଡିକୁ ଗୁରୁତ୍ବ ଦେଉ ନାହାନ୍ତି। ବିରୋଧୀ କର୍ପୋରେଟରଙ୍କ ୱାର୍ଡକୁ କର୍ତ୍ତୃପକ୍ଷ ଜାଣିଶୁଣି ଅବହେଳା କରୁଥିବା କର୍ପୋରେଟରଙ୍କ ପକ୍ଷରୁ ଅଭିଯୋଗ ହୋଇଛି।

Advertisment

ୱାର୍ଡ ସୀମା ବିବାଦର ସମାଧାନ ପାଇଁ ଉଦ୍ୟମ ହେଉ ନାହିଁ
କାଉନ୍‌ସିଲର ଗୋଟିଏ ବର୍ଷ ମଧ୍ୟରେ ୱାର୍ଡରେ କୌଣସି ନୂଆ କାମ ହୋଇନାହିଁ। ୱାର୍ଡର ପରିସୀମାକୁ ନେଇ ଲାଗି ରହିଥିବା ବିବାଦର ସମାଧାନ ଦିଗରେ କେହି ଉଦ୍ୟମ କରୁ ନାହାନ୍ତି। ୱାର୍ଡର ଡ୍ରେନ ଗୁଡିକ ପାଇଁ ଆବଶ୍ୟକ ଥିବା ସ୍ଲାବ୍‌ ମଗା ଯାଇଥିଲା। ମାତ୍ର ତାହା ମିଳିଲା ନାହିଁ। ପୁରୁଣା କାମ ମଧ୍ୟରେ ଝାଞ୍ଜିରୀମଙ୍ଗଳା ଖଣ୍ଡାୟତ ସାହିରେ ଫେବର ବ୍ଲକ୍‌ ଓ ଝାଞ୍ଜିରୀମଙ୍ଗଳା ପ୍ରାଥମିକ ସ୍କୁଲ ନିକଟରେ କଂକ୍ରିଟ ରାସ୍ତା କରାଯାଇଛି। ଝାଞ୍ଜିରୀମଙ୍ଗଳା ମୁଖ୍ୟ ରାସ୍ତାକୁ ‌ଫେବର ବ୍ଲକ୍‌ କରିବା ପାଇଁ ୱାର୍କ ଅର୍ଡର ମିଳିଥିବା ବେଳେ ସ୍ଥାନୀୟ ମୁରବିଙ୍କ ବିରୋଧ ଯୋଗୁଁ ଏହା ହୋଇପାରୁ ନାହିଁ। ସେହିପରି ମୋନାଲିସା ଗଳିରୁ ଦୋଳମୁଣ୍ଡାଇ ଛକ ପର୍ଯ୍ୟନ୍ତ ରାସ୍ତା ଓ ଡ୍ରେନ, ଝାଞ୍ଜିରୀମଙ୍ଗଳା ଗଡା କଲଭର୍ଟ, ପିଠାପୁର ଓ ଲେବର କଲୋନି ଅଞ୍ଚଳ ରାସ୍ତା କାମ ପାଇଁ ବହୁ ଦିନ ପୂର୍ବରୁ ପ୍ରସ୍ତାବ ଦିଆଯାଇଛି। ମାତ୍ର ଏହା ଉପରେ ଆଜି ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ୱାର୍ଡରେ ଏକ ବର୍ଷ ମଧ୍ୟରେ ୬୦ଟି ଭତ୍ତା ଓ ୫୦ ଜଣଙ୍କ ନାମ ରାସନ କାର୍ଡକୁ ଉଠିଛି। ୱାର୍ଡର ୭୦ ପ୍ରତିଶତ ଅଞ୍ଚଳରେ ଜାଇକା କାମ କରାଯାଇ ନାହିଁ। ଜାଇକା ଅଧିକାରୀଙ୍କୁ ବାରମ୍ବାର କହିବା ସତ୍ତ୍ବେ ସୁଫଳ ମିଳୁନାହିଁ। ୱାର୍ଡର ୪ଟି ବସ୍ତିରେ କେବଳ ଡ୍ରେନ୍‌ ସର୍ଭେ କରାଯାଇଛି।
ସୁମିତ୍ରା ବସ୍ତିଆ
ସ୍ବାଧୀନ କର୍ପୋରେଟର, ୱାର୍ଡ ନମ୍ବର ୨୯

ବର୍ଷକ ମଧ୍ୟ‌େର ୱାର୍ଡର ନକ୍‌ସା ମିଳିଲା ନାହିଁ
କାଉନସିଲର ଏକ ବର୍ଷ ମଧ୍ୟରେ ନିଗମର ଇଂଜିନିୟରିଂ ବିଭାଗ ତରଫରୁ ୱାର୍ଡର ନକ୍‌ସା ମିଳି ପରିଲା ନାହିଁ। ୱାର୍ଡର ସୀମାକୁ ଲାଗିକି ଥିବା ଅନ୍ୟ ୪ଟି ୱାର୍ଡର ଆବର୍ଜନା ଏଠାରେ ଆସି ଗଦାଯାଉଛି। ଏହାର ସଫେଇ କାମ ୱାର୍ଡ ପକ୍ଷରୁ କରାଯାଉ ଥିବା ‌େବଳେ ୱାର୍ଡର ବିଭିନ୍ନ କାମର ଟେଣ୍ଡର ଅନ୍ୟ ୱାର୍ଡକୁ ଯାଉଛି। ସମସ୍ୟାର ସମାଧାନ ପାଇଁ ମେୟର, କମିସନର, ସିଟି ଇଂଜିନିୟରଙ୍କୁ ବାରମ୍ବାର କୁହାଯାଇ ଥିବା ବେଳେ ଏହା ଉପରେ ‌ପଦକ୍ଷେପ ନିଆଯାଉ ନାହିଁ। ଦଶହରା ସମୟରେ ଓଡ଼ିଆ ବଜାରୁ ଦେୱାନ୍‌ ବଜାର ମଧ୍ୟରେ କେବଳ ରାସ୍ତା କାମ ହୋଇଥିଲା। ଜାଇକା ଯୋଗୁଁ ଦେୱାନ ବଜାର ଅଞ୍ଚଳରେ ଟିକିଏ ବର୍ଷାରେ ଜଳବନ୍ଦୀ ସମସ୍ୟା ଦେଖାଯାଉଛି। ଏହାର ସମାଧାନ ପାଇଁ ଏକ ପାଣି ପମ୍ପ ବସାଇବା ପାଇଁ ଦାବି ହୋଇଥିବା ବେଳେ ଏହାର ଦାୟିତ୍ବ ନେବାକୁ କେହି ପ୍ରସ୍ତୁତ ନାହାନ୍ତି। ଜାଇକାକୁ ସମସ୍ୟା ବିଷୟରେ କ‌ହିଲେ ସେ ନିଗମ ଇିଂଜିନିୟରିଂ ବିଭାଗ କରିବ ବୋଲି କହୁଥିବା ବେଳେ ନିଗମକୁ କହିଲେ ସେ ଜାଇକା ଉପରେ କାମ ଛାଡି ଦେଉଛି। ବର୍ଷକ ମଧ୍ୟରେ ୭ଟି ନୂଆ ଭତ୍ତା କାର୍ଡ ଦିଆଯାଇଛି। ରାସନ୍‌ କାର୍ଡ ଓ ସାମଗ୍ରୀ ବିଷୟରେ ଯୋଗାଣ ବିଭାଗ ପକ୍ଷରୁ କୌଣସି ସହଯୋଗ ମିଳୁନାହିଁ। ୨ଟି ନୂଆ ଅଙ୍ଗନବାଡି କେନ୍ଦ୍ର ପାଇଁ ପ୍ରସ୍ତାବ ଦିଆଯାଇଛି। ୱାର୍ଡରେ ଟାଟା ପାୱାର ଅଧିକାରୀଙ୍କ ମନମୁଖୀ କାମକୁ ନେଇ ୱାର୍ଡବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି।
କୁରେଶା ନୁର
ବିଜେଡି କର୍ପୋରେଟର, ୱାର୍ଡ ନମ୍ବର ୧୯

ଗୋଟିଏ ବି ନୂଆ କ‌ାମ ହେଲା ନାହିଁ
ଏପ୍ରିଲ ୭ରେ କାଉନ୍‌ସିଲ ଗଠନକୁ ଗୋଟିଏ ବର୍ଷ ପୂରିବ। ନିର୍ବାଚନ ପୂର୍ବରୁ ଯେପରି ଲୋକଙ୍କ ଘରକୁ ଭୋଟ ପାଇଁ ଯାଉଥିଲି। ଏବେ ସେମାନଙ୍କ ସମସ୍ୟା ଶୁଣିବାକୁ ସେମାନଙ୍କ ନିକଟକୁ ଯାଉଛି। ଗୋଟିଏ ବର୍ଷ ମଧ୍ୟରେ ୱାର୍ଡରେ ୪୦ଟି ନୂଆ ଭତ୍ତା କାର୍ଡ ବଣ୍ଟା ଯାଇଥିବା ବେଳେ ୧୦ଟି ନାଁ ରାସନ୍‌ କାର୍ଡକୁ ଉଠିଛି। କାଉନ୍‌ସିଲର ଏକ ବର୍ଷ ମଧ୍ୟରେ ୱାର୍ଡରେ ନୂଆ କାମ ହୋଇନାହିଁ। ପୂର୍ବରୁ ଅନୁମୋଦନ ହୋଇଥିବା ଭଣ୍ଡାରିସାହି ଓ ହରିଜନ ସାହିରେ ‌ରାସ୍ତା ଓ ଡ୍ରେନ କାମ ହୋଇଛି। ୱାର୍ଡର ରାଣୀହାଟ ଛକ ନିକଟରେ ଏକ କଲ୍ୟାଣ ମଣ୍ଡପ, ହରିଜନ ସାହିରେ ଶୌଚାଳୟ ଓ ଓପନ୍‌ ଜିମ, ତେଲିସାହି ଜଗନ୍ନାଥ ମନ୍ଦିରରୁ ସପ୍ତେଶ୍ବର ମନ୍ଦିର, ହନୁମାନ ମନ୍ଦିରରୁ ଚମ୍ପାଦେଇ ମନ୍ଦିର, ବାଟା ଗଳି, ପ୍ରଫେସରପଡ଼ାରୁ ଛତ୍ରବଜାର ପର୍ଯ୍ୟନ୍ତ ଅଞ୍ଚଳରେ ନୂଆ ରାସ୍ତା ପାଇଁ ୱାର୍କ ଅର୍ଡର ଆସିଛି। ୱାର୍ଡର ବିଭିନ୍ନ ସ୍ଥାନରେ ୭୦ଟି ଲାଇଟ୍‌ ଓ ୫ଟି ବଦ୍ୟୁତ ଖୁଣ୍ଟି ବସାଇବା ପାଇଁ ପ୍ରସ୍ତାବ ଦିଆଯାଇଛି। ୱାର୍ଡର ବିକାଶ ପାଇଁ ପୌର ନିଗମର ଅଧିକାରୀ ଓ ୱାର୍ଡବାସିନ୍ଦାଙ୍କ ଠାରୁ ସମସ୍ତ ପ୍ରକାର ସହଯୋଗ ମିଳୁଛି।
ପଦ୍ମିନୀ ସାହୁ
ବିଜେଡି କର୍ପୋରେଟର, ୱାର୍ଡ ନମ୍ବର ୩୧

୨୦ଟି ପ୍ରସ୍ତାବରୁ ଗୋଟିଏ ବି କାମ ହେଲା ନାହିଁ
କାଉନ୍‌ସିଲ ଗଠନ ହେବାର ଏକ ବର୍ଷ ମଧ୍ୟରେ ୱାର୍ଡର ଦୀର୍ଘ ଦିନ ଧରି ଥିବା ରାସ୍ତା ଓ ଡ୍ରେନର ମରାମତି, ନିର୍ମାଣ ପାଇଁ ୨୦ରୁ ଅଧିକ ପ୍ରସ୍ତାବ ଦେଇଛି। ହେଲେ ଏବେ ସୁଦ୍ଧା ଗୋଟିଏ ବି କାର୍ଯ୍ୟକାରୀ ହୋଇନାହିଁ। ଯୋବ୍ରା ମୁରାଦଖାଁ ପାଟଣାର ମୁଖ୍ୟ ଡ୍ରେନର ନିର୍ମାଣ, ତଳସାହି ବଡ ଠାକୁର ଘରୁ ମଝିସାହି ଲକ୍ଷ୍ମୀ ବଜାର, ଶ୍ରୀରାମ ହସ୍ପିଟାଲରୁ ତପନ ସାହୁ ଘର ପରି ୨୦ଟି ରାସ୍ତା ଓ ଡ୍ରେନର କାମ କରିବା ପାଇଁ ପ୍ରସ୍ତାବ ଦିଆଯିବା ସହ ବାରମ୍ବାର ଦାବି କରାଯାଇଛି। ତେବେ ନିଗମ ପକ୍ଷରୁ ଡ୍ରେନ ନିର୍ମାଣ କରାଯାଉ ନାହିଁ, ମାତ୍ର ଡ୍ରେନ ଉପରେ ବ୍ୟବସାୟ କରୁଥିବା ଛୋଟ ବ୍ୟବସାୟୀଙ୍କୁ ବାରମ୍ବାର ଉଚ୍ଛେଦ କରାଯାଉଛି। ନୂଆ କାମ ମଧ୍ୟରେ ସାରଳା ମନ୍ଦିର ନିକଟରେ କଲଭର୍ଟ ଓ ‌ରାସ୍ତା କାମ କରାଯିବା ସହ ଏକ ଓପନ୍‌ ଜିମ୍‌ ନିର୍ମାଣ କରାଯାଇଛି। ୫-ଟିରେ ଯୋବ୍ରା ହାଇସ୍କୁଲର ରୂପାନ୍ତରଣ କରାଯାଇ ଥିବା ବେଳେ ଏହାର ପାଚେରି ଭାଙ୍ଗି ପଡିଛି। ୩୨ଟି ନୂଆ ଭତ୍ତା ସହ ୩୦ଟି ରାସନ୍‌ କାର୍ଡ ଦିଆଯାଇଛି। ୱାର୍ଡର ୪ଟି ବସ୍ତିରେ ଏକ ବର୍ଷ ମଧ୍ୟରେ କୌଣସି କାମ କରାଯାଇ ନାହିଁ। ୱାର୍ଡରୁ ବିରୋଧୀ ଦଳର କର୍ପୋରେଟର ଜିତି ଥିବାରୁ ନିଗମ ପକ୍ଷରୁ କୌଣସି ବିଷୟରେ ସହଯୋଗ ମିଳୁନାହିଁ।
ସ୍ବର୍ଣ୍ଣପ୍ରଭ‌ା ପଶାୟତ
କଂଗ୍ରେସ କର୍ପୋରେଟର, ୱାର୍ଡ ନମ୍ବର ୪୧

ୱାର୍ଡର ଜଳବନ୍ଦି ସମସ୍ୟା ଦୂର ହୋଇଛି
ୱାର୍ଡ ବାସିନ୍ଦାଙ୍କ ପାଇଁ ଦୀର୍ଘ ବର୍ଷ ଧରି କାମ କରି ଆସୁଥିବା ବେଳେ ଏକ ବର୍ଷ ହେବ କର୍ପୋରେଟର ଭାବେ କାମ କରିବାର ସୁଯୋଗ ପାଇଛି। ୱାର୍ଡର ଜଳବନ୍ଦୀ ସମସ୍ୟାର ସମାଧାନ ଦିଗରେ ସଫଳ ହୋଇଛି। ସ୍ଥାନୀୟ ସୀମା ଲେନ୍‌ରୁ ଦୁଲ୍ଲାଦେଇ ରୋଡ ଓ ଦୁଲ୍ଲାଦେଇ ରୋଡରୁ ଶନି ମନ୍ଦିର ପର୍ଯ୍ୟନ୍ତ ନୂଆ ଡ୍ରେନ ନିର୍ମାଣ କରାଯାଇଛି। ୱାର୍ଡର ଭିଜିଲାନ୍ସ କଲୋନିରୁ ଅନ୍ଦରପୁର, ଶିବମନ୍ଦିରରୁ ଅଙ୍ଗଦ ସ୍ବାଇଁଙ୍କ ଘର, ଦୁଲ୍ଲାଦେଇ ରୋଡରୁ ଯୋବ୍ରା କଲୋନି ମଧ୍ୟରେ ଫେବର ବ୍ଲକ୍‌ ରାସ୍ତା କାମ କରାଯାଇଛି। ୱାର୍ଡରେ ଦୁଇଟି ଖେଳ ପଡ଼ିଆର ସୌନ୍ଦର୍ଯ୍ୟୀକରଣ କାମ ହୋଇଛି। କୁସୁମଦେବୀ ମହିଳା କଲେଜ‌ର ବିକାଶ ପାଇଁ ବିଧାୟକଙ୍କ ପାଣ୍ଠିରେ କାମ ଚାଲିଛି। ୫-ଟିରେ ସତସଙ୍ଗ ନୋଡାଲ ସ୍କୁଲର ରୂପାନ୍ତରଣ କାମ ଚାଲିଛି। ନିର୍ବାଚନ ଜିତିବାର ଏକ ସପ୍ତାହ ମଧ୍ୟରେ ମେଡିକାଳ ନିକଟରେ ଏକ ବଡ କଲଭର୍ଟ କାମ କରାଯାଇଛି। ଦରଖାପାଟଣାରେ ଡ୍ରେନ କରାଯିବା ସହ ୱାର୍ଡ ଅଫିସ ଓ ୨ଟି ଅଙ୍ଗନବାଡିର କାମ ଚାଲିଛି। ବର୍ଷକ ମଧ୍ୟରେ ୨ଶହଟି ଷ୍ଟ୍ରିଟ ଲାଇଟ୍‌ ଓ ୫ଟି ହାଇମାଷ୍ଟ ଲାଇଟ ଲଗାଯିବା ସହ ୧୫ଟି ନୂଆ ଭତ୍ତା ବଣ୍ଟା ଯାଇଛି।
ଅରବିନ୍ଦ ଜେନା
ବିଜେଡି କର୍ପୋରେଟର, ୱାର୍ଡ ନମ୍ବର ୫୩