କଟକ: ନିଗମର ଯନ୍ତ୍ରୀ କର୍ପୋରେଟରଙ୍କ କଥା ଶୁଣୁ ନାହାନ୍ତି। ୱାର୍ଡର ଉନ୍ନତିମୂଳକ କାମରେ କର୍ପୋରେଟରଙ୍କ ମତାମତକୁ ଲୋଡାଯାଉ ନାହିଁ। ଇଂଜିନିୟରଙ୍କ ଇଚ୍ଛାରେ ୱାର୍ଡର କାମ ପାଇଁ ଟେଣ୍ଡର ଡକାଯାଉଛି। ନିମ୍ନମାନର କାମ ଅଭିଯୋଗ ହେଲେ ଇଂଜିନୟର ହାତ ଟେକି ଦେଉଛନ୍ତି। ଯନ୍ତ୍ରୀଙ୍କ ବଦଳି ପାଇଁ ମେୟର ଓ କମିସନରଙ୍କୁ ବାରମ୍ବାର କହିଲେ କୌଣସି ସୁଫଳ ମିଳୁ ନାହିଁ ବୋଲି ଦଳମତ ନିର୍ବିଶେଷରେ ସବୁ କର୍ପୋରେଟର ଅଭିଯୋଗ କରୁଛନ୍ତି।

Advertisment

ସିଡିଏ ସ୍ବେରେଜ୍‌କୁ ସଜାଡ଼ିବା ପାଇଁ ଯୋଜନା
କାଉନ୍‌ସିଲ ଗଠନର ଏକ ବର୍ଷ ମଧ୍ୟରେ ୱାର୍ଡରେ ବିଭିନ୍ନ ଉନ୍ନତିମୂଳକ କାମ କରାଯାଇଛି। ୱାର୍ଡରେ ଥିବା ଷଣ୍ଢପୁର ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ସୌନ୍ଦର୍ଯ୍ୟୀକରଣ କାମ ଶେଷ ହୋଇଛି। ୱାର୍ଡର ସିଡ଼ିଏ ୧୩ ନମ୍ବର ସେକ୍ଟରେ ଥିବା ଡ୍ରେନ ଗୁଡିକର ପୁନରୁଦ୍ଧାର କରାଯାଇଛି। ଧବଳେଶ୍ବର ଗଡା ବସ୍ତିରେ ୨ଟି, ଷଣ୍ଢପୁରରେ ଗୋଟିଏ, ବେଣ୍ଟକାରପଡାରେ ୨ଟି ରାସ୍ତା ନିର୍ମାଣ ‌ହୋଇଛି। ୱାର୍ଡରେ ଆବଶ୍ୟକ ଅନୁସାରେ ୧୨ଟି ହାଇମାଷ୍ଟ ଲାଇଟ୍‌ ଲାଗିଛି। ଦୀର୍ଘ ବର୍ଷ ଧରି ୱାର୍ଡରେ ଥିବା ପାଣି ସମସ୍ୟା ଦୂର ହୋଇଛି। ଏହା ମଧ୍ୟରେ ବିଦ୍ୟାଧରପୁର, ଷଣ୍ଢପୁର, ବେଣ୍ଟକାରପଡା ଅଞ୍ଚଳକୁ ପାଣି ସଂଯୋଗ କରାଯାଇଛି। ଏକ ବର୍ଷ ମଧ୍ୟରେ ୪୦ରୁ ଅଧିକ ଭତ୍ତା କାର୍ଡ ବଣ୍ଟାଯାଇଛି। ବିଦ୍ୟାଧରପୁର ପ୍ରବେଶ ପଥର କାମ ଦୀର୍ଘ ୨୦ ବର୍ଷ ଧରି ଅବହେଳିତ ଅବସ୍ଥାରେ ପଡ଼ିଥିଲା। ଏହାକୁ କାଉନ୍‌ସିଲର ଏକ ବର୍ଷ ମଧ୍ୟରେ ମରାମତି କରାଗଲା। ଆସନ୍ତା ଦିନରେ ୱାର୍ଡରେ ଥିବା ୫ଟି ଶ୍ମଶାନର ଉନ୍ନତୀକରଣ, ସେକ୍ଟର-୧୦ରେ ଏକ ନୂତନ ପେଟ୍ରୋଲ ପମ୍ପ ନିର୍ମାଣ, ସିଡ଼ିଏ ସେକ୍ଟର-୧୦ ଓ ୧୧ର ସ୍ବେରେଜ ବ୍ୟବସ୍ଥାକୁ ସଜାଡିବା ପରି ବିଷୟ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି।
ପ୍ରଦୀପ କୁମାର ରାଉତ
ବିଜେଡି କର୍ପୋରେଟର, ୱାର୍ଡ ନମ୍ବର ୩

ରୂପାନ୍ତରିତ ହେବ ୱାର୍ଡର ଉର୍ଦ୍ଦୁ ପାଠାଗାର
ଏପ୍ରିଲ ୭ ତାରିଖରେ ପୌର ନିଗମର କାଉନ୍‌ସିଲକୁ ଏକ ବର୍ଷ ହେବ। ଏହା ମଧ୍ୟରେ ୱାର୍ଡରେ ବହୁ ଉନ୍ନତିମୂଳକ କାମ କରାଯାଇ ଥିବା ବେଳେ ଅନେକ କାମର ପେପ୍‌ର କାମ ଶେଷ ହୋଇଛି। ୱାର୍ଡର ପେନ୍‌ସନ୍‌ ଲେନ, ପଟ୍ଟାପୋଲ, ମୋଚୀ ସାହି, ଟ୍ରିପୁଲ ସି ହୋଟେଲ ପଛ ରାସ୍ତା ନିର୍ମାଣ ହୋଇଛିି। ଏହା ମଧ୍ୟରେ ପଟ୍ଟାପୋଲ ଅଞ୍ଚଳରେ ଏକ ଅଙ୍ଗନବାଡି କେନ୍ଦ୍ରର ନିର୍ମାଣ ଚାଲିଛି। ପ୍ରୋଜେକ୍ଟ ସମ୍ମାନରେ ଥିବା ଶୌଚାଳୟର ମରାମତି କାମ ହେଉଛି। କଳିଙ୍ଗ ତେଲଗୁ ସ୍କୁଲ ମଧ୍ୟରେ ମୁକ୍ତା ଯୋଜନାରେ ଓପନ ସ୍ପେସ୍‌ ଡେଭଲପମେଣ୍ଟ କାମ କରାଯାଇଛି। ସତ୍ୟରାଓ ନିୟୁ କଲୋନିରେ ଥିବା ‌ପୁରୁଣା ଶୌଚାଳୟକୁ ଭଙ୍ଗା ଯାଇ ଏକ କମ୍ୟୁନିଟି ସେଣ୍ଟର, ପାଠାଗାର ଓ ନୂଆ ଶୌଚାଳୟ ନିର୍ମାଣ କରାଯିବ। ଗାନ୍ଧୀ ସରକାରୀ ସ୍କୁଲର ରୂପାନ୍ତରୀକରଣ କରାଯିବ। ୱାର୍ଡରେ ଥିବା ଉର୍ଦ୍ଦୁ ପାଠାଗାରର ରୂପାନ୍ତରଣ କାମ ପାଇଁ ଫାଇଲ୍‌ କାମ ଶେଷ ହୋଇଛି। ଦଶହରା ସମୟରେ ୱାର୍ଡର ଏକାଧିକ ରାସ୍ତା ମରାମତି କରାଯାଇ ଥିବା ବେଳେ ସଫେଇ କାମକୁ ବ୍ୟବସ୍ଥିତ କରାଯାଇଛି। ଏକ ବର୍ଷ ମଧ୍ୟରେ ୪୨ଟି ନୂଆ ଭତ୍ତା କାର୍ଡ ବଣ୍ଟା ଯାଇଥିବା ବେଳେ ୨୫ ଜଣଙ୍କ ନାମରେ ହରିଶ୍ଚନ୍ଦ୍ର ଟଙ୍କା ପ୍ରଦାନ କରାଯାଇଛି। ନିଗମର ମେୟର, କମିସରନ ଓ ସମସ୍ତ ଅଧିକାରୀଙ୍କ ସହଯୋଗରେ ୱାର୍ଡର ଉନ୍ନତିମୂଳକ କାମ ଚାଲିଛି।
ଏ. ଶ୍ରୀଦେବୀ, ଅଧ୍ୟକ୍ଷା, ଲାଇସେନ୍ସ ଓ ଆବେଦନ କମିଟି
ବିଜେଡି କର୍ପୋରେଟର, ୱାର୍ଡ ନମ୍ବର୧୭

କୌଣସି କାମ ହୋଇପାରୁନି
କାଉନ୍‌ସିଲର ଏକ ବର୍ଷ ମଧ୍ୟରେ ୱାର୍ଡରେ କୌଣସି କାମ କରାଯାଇ ନାହିଁ। ନିଗମର ଯନ୍ତ୍ରୀ ନିଜକୁ ଇଂଜିନିୟର ସହ କର୍ପୋରେଟର ବୋଲି ଭାବୁଛନ୍ତି। ୱାର୍ଡ ବାସିନ୍ଦା ଓ କର୍ପୋରେଟରଙ୍କ ମତକୁ ହେୟ ମଣି ତାଙ୍କ ଇଚ୍ଛାରେ କାମ କରୁଛନ୍ତି। ଇଂଜିନିୟରଙ୍କ ବଦଳି ପାଇଁ ମେୟର ଓ କମିସନରଙ୍କୁ ବାରମ୍ବାର ଲିଖିତ ଭାବେ ଜଣାଇଥିଲେ ବି ଏହା ଉପରେ କିଛି କରାଗଲା ନାହିଁ। ୱାର୍ଡର ରାସ୍ତା, ଡ୍ରେନ ଓ କଲଭର୍ଟ ଗୁଡିକ ବିପର୍ଯ୍ୟସ୍ତ ଅବସ୍ଥାରେ ଥିବା ବେଳେ ଏହାର ମରାମତି କରାଯାଉ ନାହିଁ। ବିଶେଷ ଭାବେ କାଳୀ ମନ୍ଦିର ପଛ ପାର୍ଶ୍ବର କଲଭର୍ଟ, କାଜିବଜାର ସ୍କୁଲ ରାସ୍ତା, ମେହେନ୍ଦିପୁର କଳିଙ୍ଗ ଗ୍ୟାସ ଆଗ ଗଳି ରାସ୍ତାର ଟେଣ୍ଡର କାମ ଦୀର୍ଘ ମାସ ଧରି ଶେଷ ହୋଇଥିବା ବେଳେ ଏହା କରାଯାଉ ନାହିଁ। ବୁଢୀ ଠାକୁରାଣୀ ମନ୍ଦିର ନିକଟରେ ଏକ ଡ୍ରେନ ନିର୍ମାଣ କରାଯଉଛି। ମାତ୍ର ଏହା ମଧ୍ୟରେ ଲୁହା ଛଡ ବ୍ୟବହାର କରାଯାଉ ନାହିଁ। ଏନେଇ ଇଂଜିନିୟରଙ୍କୁ ଅଭିଯୋଗ କରିଲେ ସେ ମେୟର ଓ କମିସନରଙ୍କ ଅନୁମତିରେ କାମ କାରୁଥିବାର କହୁଛନ୍ତି। ୱାର୍ଡର ଲାଲବାଗ ସ୍କୁଲ ପୋଖରୀ ନିକଟରେ ଏକ ଅଙ୍ଗନବାଡି କେନ୍ଦ୍ର ହୋଇଛି। କେନ୍ଦ୍ର ମଧ୍ୟରେ ଥିବା ଗଛ କାଟିବାକୁ ୬ ମାସ ତଳେ କୁହାଯାଇ ଥିଲା। ହେଲେ ‌ଏବେ ସୁଦ୍ଧା ଗଛ କଟା ଗଲାନାହିଁ। ୱାର୍ଡରେ ୧୫ଟି ନୂଆ ଭତ୍ତା ଦିଆଯାଇଛି। ଆବଶ୍ୟକତାକୁ ଦେଖି ଅଧିକ ଭତ୍ତା ୱାର୍ଡକୁ ପ୍ରଦାନ କରାଯାଉ। ବର୍ଷକ ମଧ୍ୟରେ ୱାର୍ଡରେ କୌଣସି କାମ କରାଯାଇ ନଥିବାରୁ ୱାର୍ଡ ବାସିନ୍ଦାଙ୍କ ଅସନ୍ତୋଷ ବଢିବାରେ ଲାଗିଛି।
ସତ୍ୟ ରଂଜନ ତ୍ରିପାଠୀ
ବିଜେଡି କର୍ପୋରେଟର, ୱାର୍ଡ ନମ୍ବର ୧୩

ବର୍ଷକରେ ରାସ୍ତା ଓ ଡ୍ରେନ୍‌ କାମ ଅଧିକ ହୋଇଛି
କାଉନ୍‌ସିଲ ଗଠନର ଏକ ବର୍ଷ ମଧ୍ୟରେ ପୌର ନିଗମରୁ ବହୁତ କିଛି ଶିଖିବାକୁ ମିଳିଛି। ଏହା ମଧ୍ୟରେ ୱାର୍ଡରେ ଏକ କୋଟିରୁ ଅଧିକ ଟଙ୍କାରେ ରାସ୍ତା ଓ ଡ୍ରେନ କାମ କରାଯାଇଛି। ରାଜେନ୍ଦ୍ରନଗରର ପାର୍ଲର ଗଳି ଓ ବଜେନ୍ଦ୍ର ନାୟକ ଗଳିରେ ଫେବର ବ୍ଲକ୍‌ରେ ରାସ୍ତା ହେବା ସହ ଡ୍ରେନ କାମ ହୋଇଛି। ସେହିପରି କାଜିଡ଼ିହ, କଲ୍ୟାଣ ନଗର ପୋଷ୍ଟାଲ କଲୋନିରେ ଫେବର ବ୍ଲକ୍‌ରେ ରାସ୍ତା କରାଯାଇଥିବା ବେଳେ ବି ପି ଲ୍ୟାବ ନିକଟରେ ଡ୍ରେନ ନିର୍ମାଣ ସହ ଏହାକୁ ସ୍ଲାବ୍‌ରେ ଆବଦ୍ଧ କରାଯାଇଛି। ବିନାୟକ ବିହାର, ଶ୍ରୀରାମ ନଗରରେ ଓ ମଧୁପାଟଣାରେ ରାସ୍ତା ଓ ଡ୍ରେନ କାମ ହୋଇଛି। କାଜିଡ଼ିହ ଓ ରାଜେନ୍ଦ୍ର ନଗରରେ ୨ଟି ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ପାଇଁ ଟେଣ୍ଡର ସରିଛି। ୱାର୍ଡରେ ଥିବା ବିଭିନ୍ନ ବସ୍ତି‌େର ମୁକ୍ତା ଯୋଜନାରେ ଉନ୍ନତିମୂଳକ କାମ ପାଇଁ ପ୍ରସ୍ତାବ ଦିଆଯାଇଛି। ଏକ ବର୍ଷ ମଧ୍ୟରେ ୪୦ଟି ନୂଆ ଭତ୍ତା ପ୍ରଦାନ କରାଯାଇଛି। ୱାର୍ଡରେ ଆବଶ୍ୟକ ଥିବା ୭ଟି ସ୍ଥାନରେ ସେମି ହାଇମାଷ୍ଟ ଲାଇଟ୍‌ ଲାଗିଥିବା ବେଳେ ଆଉ ୭ଟି ପାଇଁ ପ୍ରସ୍ତାବ ଦିଆଯାଇଛି। ପରିମଳ ବ୍ୟବସ୍ଥାର ଉନ୍ନତି ହୋଇଥିବା ବେଳେ ଓ ଜଳବନ୍ଦୀ ସମସ୍ୟା ବହୁ ମାତ୍ରାରେ ଦୂର ହୋଇଛି।
ସୌଭାଗିନୀ ଜେନା
ବିଜେଡି କର୍ପୋରେଟର, ୱାର୍ଡ ନମ୍ବର ୫୨

କର୍ତ୍ତୃପକ୍ଷଙ୍କ ସହଯୋଗରେ ୱାର୍ଡରେ କାମ ହେଉଛି
କାଉନ୍‌ସିଲ ଗଠନର ଏକ ବର୍ଷ ମଧ୍ୟରେ ୱାର୍ଡରେ ବହୁ କାମ ହୋଇଛି। ୱାର୍ଡର ତଳସାହିରେ ଫେବର ବ୍ଲକ୍‌ ରାସ୍ତା ନିର୍ମାଣ ଚାଲିଛି। ହକି ଉଦ୍‌ଘାଟନୀ ଉତ୍ସବ ପାଇଁ ରିଂ ବନ୍ଧ ସୌନ୍ଦର୍ଯ୍ୟୀକରଣ ଓ କମଳାକାନ୍ତ ବିଦ୍ୟାପୀଠ ନିକଟରେ ଓପନ୍‌ ଜିମ୍‌ ପରି ବିଷୟ କରାଯାଇଛି। କୋର ପୋଖରୀର ଟ୍ରିଟମେଣ୍ଟ କରାଯାଇ ଏହାର ପାଣିକୁ ବ୍ୟବହାର ଯୋଗ୍ୟ କରିବା। ନଦୀକୂଳ ସାହିରେ ମିଶନ ଶକ୍ତି ଗୃହ ନିର୍ମାଣ କରାଯାଇଛି। ୱାର୍ଡରେ ଯେଉଁ ଅଞ୍ଚଳରେ ବସ୍ତି ରହିଛି ତାହା ଲୋକଙ୍କ ନିଜ ଜମିରେ ହୋଇଥିବାରୁ ଏହାର ଉନ୍ନତିକରଣ ଦିଗରେ କାମ କରାଯାଉ ନାହିଁ। ଏକ ବର୍ଷ ମଧ୍ୟରେ ୫୦ଟି ନୂଆ ଭତ୍ତା ବଣ୍ଟାଯାଇଛି। ୱାର୍ଡରେ ଆବଶ୍ୟକତାକୁ ଦେଖି ୧୫ରୁ ଅଧିକ ନୂଆ ଲାଇଟ୍‌ ଲାଗିଛି। ତଳସାହିରେ ଡ୍ରେନ ନିର୍ମାଣ କରାଯାଇଛି। ୫-ଟିରେ କମଳାକାନ୍ତ ବିିଦ୍ୟାପୀଠର ରୂପାନ୍ତରଣ କାମ କରାଯାଇଛି। ୩୧ ଲକ୍ଷ ଟଙ୍କାରେ କୋର ପୋଖରୀ ନିକଟରେ ଏକ ବଡ ଡ୍ରେନର ନିର୍ମାଣ ହୋଇଛି। କାଳିଆବୁଦା ଶ୍ମଶାନର ବିକାଶ ସହିତ ଜଳବନ୍ଦୀ ସମସ୍ୟା ଦୂର କରିବା ପାଇଁ ଶିଖରପୁର ଅଞ୍ଚଳରେ ରେଳ ବିଭାଗ ସହଭାଗିତାରେ ଡ୍ରେନ କାମ କରିବାକୁ ପ୍ରସ୍ତାବ ଦିଆଯାଇଛି। କାଉନ୍‌ସିଲର ଏକ ବର୍ଷ ମଧ୍ୟରେ ନିଗମ କର୍ତ୍ତୃପକ୍ଷଙ୍କ ଠାରୁ ସମସ୍ତ ପ୍ରକାର ସହଯୋଗ ମିଳିଛି।
ପ୍ରଳୟା ବେଉରା, ଅଧ୍ୟକ୍ଷା, ଅଭିଯୋଗ କମିଟି
ବିଜେଡି କର୍ପୋରେଟର, ୱାର୍ଡ ନମ୍ବର ୪୬