କଟକ: ‌ପୌର ନିଗମ କାଉନ୍‌ସିଲ୍‌ ଗଠନକୁ ଆଜି ବର୍ଷେ ପୂରିଛି। ୨୦୨୨, ଏପ୍ରିଲ ୭ ତାରିଖରେ ମେୟର ଭାବେ ସୁବାସ ସିଂହ ଓ ୫୯ଜଣ କର୍ପୋରେଟର ଶପଥ ଗ୍ରହଣ କରିଥିଲେ। ଉକ୍ତ ଦିନ ନିଗମର ଡେପୁଟି ମେୟର ପଦବି ପାଇଁ ବି ନିର୍ବାଚନ କରାଯାଇଥିଲା। ଏବଂ ଡେପୁଟି ମେୟର ଭାବେ ଦମୟନ୍ତୀ ମାଝୀ ଶପଥ ଗ୍ରହଣ କରିଥିଲେ। ବର୍ଷକ ମଧ୍ୟରେ ନିଗମରେ ଅନେକ ନୂଆ କଥା, ନୂଆ ଯୋଜନା ଦେଖିବାକୁ ମିଳିଛି। ତା ସହିତ ଦୁର୍ନୀତି, ବିବାଦରେ ବି ବର୍ଷ ସାରା ହଟଚମଟ ଜାରି ରହିଛି। କିନ୍ତୁ ପୂର୍ବ ଭଳି ରାସ୍ତା, ଆଲୋକ, ଜଳବନ୍ଦୀ ଭଳି ମୌଳିକ ସମସ୍ୟା ସୁଧୁରି ପାରି ନଥିବାରୁ ସାଧାରଣରେ ଅସନ୍ତୋଷ ବଢିବାରେ ଲାଗିଛି। ଏଥର ଐତିହାସିକ ବ‌ାଲିଯାତ୍ରା ଆୟୋଜନରେ କଟକ ଇନ୍ କଟକ ଭଳି ନୂଆ ପରିକଳ୍ପନା କରି ପୌର ନିଗମ ଚର୍ଚ୍ଚାକୁ ଆସିଥିଲା। କିନ୍ତୁ ତା’ ସହିତ ଯୋଡି ହେଇ ଯାଇଥିଲା ବାଲିଯାତ୍ରା ଭିତ୍ତିଭୂମି ପ୍ରସ୍ତୁତିରେ ଦୁର୍ନୀତି ଅଭିଯୋଗ। କାମକୁ ନିର୍ଦ୍ଦିଷ୍ଟ ପରିବାର ଭିତରେ ବାଣ୍ଟିବା, ଚିହ୍ନା ପରିଚିତ ଲୋକଙ୍କ ହାତରେ କାମ ଟେକି ଦେବା ଭଳି ଅଭିଯୋଗ ଆସିଥିଲା। ପୌର ନିଗମରେ ମଶା ତେଲ କିଣା ଓ ବାରବାଟୀ କିଲ୍ଲା ପରିସରରେ ମେୟରଙ୍କ କ୍ବାର୍ଟର୍ସର ଉନ୍ନତିକରଣ, ନିଗମରେ ୩୦ ଜଣ କ୍ଲଷ୍ଟର ସଂଯୋଜକ ନିଯୁକ୍ତି, କାଉନସିଲରେ ବିନା ଆଲୋଚନାରେ ୩.୬୪ କୋଟି ଟଙ୍କାରେ ୪୫ଟି ବିଓଭି (ବ୍ୟାଟେରି ଚାଳିତ ଗାଡି) କିଣିବା ପରି ପ୍ରସଙ୍ଗକୁ ନେଇ ବିରୋଧୀ କର୍ପୋରେଟରଙ୍କ ପକ୍ଷରୁ ବିଭିନ୍ନ କାଉନ୍‌ସିଲ ବୈଠକରେ କର୍ତ୍ତୃପକ୍ଷଙ୍କୁ ଘେରା ଯାଇଥିଲା।

Advertisment

ସେହିପରି ନାମ ଫଳକ ରାଜନୀତି ଓ ନିଗମର ନିର୍ବାହୀଯନ୍ତ୍ରୀ କର୍ପୋରେଟରଙ୍କୁ ଦୁର୍ବବ୍ୟହାର କରିବା, ଦୀର୍ଘ ବର୍ଷ ଧରି ନିଗମରେ କାମ କରୁଥିବା ଇଂଜିନିୟରଙ୍କ ବଦଳିକୁ ନେଇ କଂଗ୍ରେସ ଓ ବିଜେପି କର୍ପୋରେଟର ନିଗମ କର୍ତ୍ତୃପକ୍ଷଙ୍କୁ ଗତ ଫେବ୍ରୁଆରିରେ ହୋଇଥିବା କାଉନ୍‌ସିଲ୍‌ ବୈଠକରେ ଘେରିବା ସହ ନିଗମ କାର୍ଯ୍ୟାଳୟ ଆଗରେ ୨୬ ଘଣ୍ଟା ଧାରଣାରେ ବସିଥିଲେ। କମିସନର ନିଖିଲ ପୱନ କଲ୍ୟାଣ ମହିଳା କର୍ପୋରେଟରଙ୍କୁ ଆପତ୍ତିଜନକ ପ୍ରଶ୍ନ ପଚାରିବାକୁ ବିରୋଧ କରି ସବୁ କର୍ପୋରେଟର ନିଗମ କାଉନ୍‌ସିଲକୁ ବର୍ଜନ କରିଥିଲେ। ଏହାକୁ ନେଇ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ(ବବି) ବିଜେଡିର ସମସ୍ତ କର୍ପୋରେଟରଙ୍କୁ ନେଇ ଏକ ବୈଠକ କରିବା ବିଷୟ ଆଲୋଚନାରେ ବିଷୟ ହୋଇଥିଲା। ଅନ୍ୟପଟେ ମଶା ନିୟନ୍ତ୍ରଣ ଓ ପଙ୍କୋଦ୍ଧାର ପରି ବିଷୟକୁ ନେଇ ନିଗମ ପକ୍ଷରୁ ପୌର ପରିଷଦର ପୂର୍ବତନ ଅଧ୍ୟକ୍ଷ ତ୍ରିଲୋଚନ କାନୁନ୍‌ଗୋଙ୍କ ସହିତ ଆଲୋଚନା କରିବା, ନିଗମରେ୨୦୨୩-୨୪ ଅ‌ାର୍ଥିକ ବର୍ଷ ପାଇଁ ୬୦୫ କୋଟି ୩ଲକ୍ଷ ୫୭ ହଜାର ଟଙ୍କାର ବଜେଟକୁ କାଉନସିଲରେ ଅନୁମୋଦନ ପ୍ରଦାନ କରାଯିବା, ପୌର ନିଗମର ଆୟକୁ ଦୁଇଗୁଣ କରିବା, ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ରଖି ସହରର ପ୍ରକଳ୍ପ କାମ କରିବା ପରି ନିଷ୍ପତ୍ତି ନିଆଯାଇଛି। ଏକ ବର୍ଷ ମଧ୍ୟରେ ବିଭିନ୍ନ ୱାର୍ଡରେ ଜାଇକା, ଅମୃତ ଯୋଜନା ପରି ବିଭିନ୍ନ ପ୍ରକଳ୍ପ ପାଇଁ ରାସ୍ତା ଖରାପ ହେବା, ଡ୍ରେନ ନିର୍ମାଣ ଓ ସଫେଇକୁ ନେଇ ଦଳମତ ନିର୍ବିଶେଷରେ କର୍ପୋରଟେର ଅସନ୍ତୋଷ ପ୍ରକାଶ କରିଛନ୍ତି। ଅନ୍ୟପଟେ ମେୟରଙ୍କ ୱାର୍ଡ ପରିକ୍ରମା କାର୍ଯ୍ୟକ୍ରମ, ବିଭିନ୍ନ ୱାର୍ଡରେ ଲୋକଙ୍କ ନିକଟତର ହେବା ପାଇଁ ସେଠାରେ ରାତ୍ରୀଯାପନ ଭଳି କାର୍ଯ୍ୟକ୍ରମ ଚର୍ଚ୍ଚାର ପ୍ରସଙ୍ଗ ରହି ଆସିଛି।

ମୋ ୱାର୍ଡ ଅଭିଯାନ ବର୍ଷର ସବୁଠୁ ବଡ ସଫଳତା

‌କାଉନ୍‌ସିଲର ଗୋଟିଏ ବର୍ଷ ମଧ୍ୟରେ ଅନେକ ଅନୁଭୂତି ଓ ଅଭିଜ୍ଞତା ହାସଲ କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକର ଚିତ୍ର ବଦଳାଇବାକୁ ଚେଷ୍ଟା କରିଥିବା ବେଳେ ମୋତେ ନିଗମର ମେୟର ନିର୍ବାଚନ ପାଇଁ ‌ମନୋନୀତ କରିଥିଲେ। କଟକ ସହରର ବିଭିନ୍ନ ବିକାଶ ସହିତ ଦୀର୍ଘ ୪୦ ବର୍ଷ ଧରି ଜଡ଼ିତ ଥିବାରୁ ମୁଖ୍ୟମନ୍ତ୍ରୀ ମୋ ଉପରେ ଆସ୍ଥା ପ୍ରକଟ କରିଥିଲେ। ବର୍ଷକ ମଧ୍ୟରେ ନିଗମର ୫୯ଜଣ କର୍ପୋରେଟର, କମିସନର, ସମସ୍ତ ଅଧିକାରୀ ଓ କର୍ମଚାରୀ ନିଷ୍ଠାର ସହିତ ସହରବାସୀଙ୍କ ପାଇଁ କାମ କରୁଛନ୍ତି। ଗତବର୍ଷ ଏପ୍ରିଲରେ କାଉନ୍‌ସିଲ୍‌ ଗଠନ ହେବା ପରେ ସହରରୁ ଜଳବନ୍ଦୀ ସମସ୍ୟା ଦୂର କରିବା ଦିଗରେ ପଦକ୍ଷେପ ନିଆଯାଇଥିଲା ଓ ଏଥିରେ ନିଗମ ସଫଳ ମଧ୍ୟ ହୋଇଥିଲା। କୋଭିଡ୍‌ର ୨ବର୍ଷ ପରେ ସହରରେ ଦଶହରା ଓ ଗଣେଶ ପୂଜା ଆୟୋଜନ ଜାକଜମକରେ ପାଳିତ ହୋଇଥିଲା। ଏଥିପାଇଁ ରାସ୍ତା ମରାମତିରୁ ଆରମ୍ଭ କରି ବର୍ଷାଜଳ ନିଷ୍କାସନ ଦିଗରେ କାମ କରାଯାଇଥିଲା। ସେହିପରି ଗତବର୍ଷ କଟକ ବାଲିଯାତ୍ରାକୁ ଜାତୀୟସ୍ତରରେ ଦୃଷ୍ଟି ଆକର୍ଷଣ କରିବାରେ ଆମେ ସଫଳ ହୋଇଥିଲୁ।

publive-image Sambad

କାଗଜ ବୋଟ ନିର୍ମାଣ କରି କଟକ ବିଶ୍ବ ରେକର୍ଡ କରିବା, ବିଶ୍ବ ହକି କପ୍‌ର ଉଦ୍‌ଘାଟନୀ ଉତ୍ସବର ସଫଳ ଆୟୋଜନ କରିବା ପରି ବିଷୟ ପୌର ନିଗମକୁ ବିଶ୍ବ ଦରବାରରେ ଗୌରବ ଆଣି ଦେଇଛି। ଏକ ବର୍ଷର କାଉନ୍‌ସିଲ ମଧ୍ୟରେ ବାରବାଟୀ ଦୁର୍ଗ ଓ ଗଡ଼ଖାଇର ନବୀକରଣ କରାଯିବା, ମ୍ୟୁଜିୟମ ଅଫ୍‌ ଜଷ୍ଟିସ୍‌ର ନିର୍ମାଣ ହେବା, ଛତ୍ରବଜାର ଅର୍ବାନ ହାଟ, ୱାଚ୍‌ ଟାୱାର, କର୍ମଜୀବୀ ମହିଳା ହଷ୍ଟେଲ ଯୋଜନା, ଜାଗା ମିଶନରେ ସହରର ବସ୍ତିର ଉନ୍ନତୀକରଣ ଓ ୧୦ଟି ବସ୍ତିରେ ପାଠାଗାର ନିର୍ମାଣ କରାଯିବା, ସହରର ୩ଟି ଶ୍ମଶାନର ଉନ୍ନତୀକରଣ, ସହରର ବହୁ ପୋଖରୀର ପୁନରୁଦ୍ଧାର, ତାଳଦଣ୍ଡା କେନାଲ, ଚଣ୍ଡୀମନ୍ଦିର, ନେତାଜୀ ବସ ଟର୍ମିନାଲ ପରି ବିଭିନ୍ନ ପ୍ରକଳ୍ପର କାମ ଚାଲୁ ରହିବା, ସହରର ୨୦ଟି ହାଇସ୍କୁଲକୁ ୫-ଟିର ତୃତୀୟ ପର୍ଯ୍ୟାୟରେ ରୂପାନ୍ତରଣ କରିବା, ଆର୍ଟ ଗ୍ୟାଲେରି ନିର୍ମାଣ ହେବା, ଗୋରା କବରର ସୌନ୍ଦର୍ଯ୍ୟୀକରଣ, ମଧୁ ସେତୁର ଆଲୋକୀକରଣ, ଜୁଡିସିଆଲ ଏକାଡେମିରୁ ବିଜୁ ପଟ୍ଟନାୟକ ପାର୍କ ପର୍ଯ୍ୟନ୍ତ ୬ ଲେନ୍‌ ହେବା କାର୍ଯ୍ୟରେ ପୌରନିଗମ ସଫଳତା ପାଇଛି। ନୂତନ ବିଶ୍ବନାଥ ପାଠାଗାର, ବିଜୁ ଭବନରେ ନୂଆ ବିଲଡିଂ, ଉପର ବାଲିଯାତ୍ରା ପଡ଼ିଆରେ ଫୁଡ୍‌ କୋର୍ଟ ନିର୍ମାଣ ପରି ଯୋଜନା ଆସନ୍ତା ଦିନରେ ଆରମ୍ଭ କରାଯିବ। ୨୦୨୩ ଡିସେମ୍ବର ସୁଦ୍ଧା ଜାଇକା, ବକ୍ସ ଡ୍ରେନ କାମ ସହ ଅମୃତ ଯୋଜନାରେ ସମସ୍ତ ଘରକୁ ଡ୍ରିଙ୍କିଙ୍ଗ୍‌ ଫ୍ରମ୍‌ ଟ୍ୟାପ୍‌ ପରି କାର୍ଯ୍ୟ ଶେଷ କରାଯିବ। ଏହା ପରେ ସହରର ସମସ୍ତ ରାସ୍ତାକୁ ନୂଆ ରୂପ ଦିଆଯିବ। ନିଗମର ଆବଶ୍ୟକତା ଦେଖି ଅଧିକ ଇଂଜିନିୟର ନିୟୋଜିତ କରିବା ସହ ସେମାନଙ୍କୁ କେବଳ ୱାର୍ଡ କାମରେ ନିୟୋଜିତ କରାଯିବ। ମୋ ୱାର୍ଡ ଅଭିଯାନ ନିଗମର ସବୁଠାରୁ ବଡ ସଫଳତା ବୋଲି କହିଛନ୍ତି ସୁବାସ ସିଂହ
ମେୟର; କଟକ ପୌର ନିଗମ।