କାଉନ୍‌ସିଲ୍‌କୁ ପୂରିବ ବର୍ଷେ, କିଛି ସନ୍ତୁଷ୍ଟ; ଅନେକ ଅସନ୍ତୁଷ୍ଟ

କଟକ: ଏପ୍ରିଲ ୭ରେ କଟକ ପୌର ନିଗମର ନିର୍ବାଚିତ କାଉନସିଲକୁ ବ‌ର୍ଷେ ପୂରିବ। ତେବେ ବର୍ଷକ ମଧ୍ୟେର ବିଭିନ୍ନ ୱାର୍ଡରେ ହୋଇଥିବା କାମକୁ ନେଇ ଏବେ ହିସାବନିକାଷ ଆରମ୍ଭ ହୋଇଯାଇଛି। କେଉଁ କର୍ପୋରେଟର ନିଜ ୱାର୍ଡକୁ କେତେ କାମ ନେଇଛନ୍ତି, କିଏ ପଛେଇ ଯାଇଛନ୍ତି, ତାହାର ହିସାବ ଆରମ୍ଭ ହୋଇଛି। କିନ୍ତୁ ଅଧିକାଂଶ ୱାର୍ଡର କର୍ପୋରେଟର କର୍ତ୍ତୃପକ୍ଷଙ୍କ ବିରୋଧରେ ଲମ୍ବା ଅଭିଯୋଗ ଆଣୁଛନ୍ତି।

କାମ କରୁନି ଇଂଜିନିୟରିଂ ବିଭାଗ
ବର୍ଷକ ମଧ୍ୟରେ ବହୁତ କିଛି ଶିଖିବାକୁ ମିଳିଛି। ବର୍ଷକ ମଧ୍ୟରେ ୱାର୍ଡର ପରିମଳକୁ ପ୍ରାଥମିକତା ଦିଆଯାଇ ଏଜେନ୍ସି ମାଧ୍ୟମରେ ଦୁଇ ବେଳା ସଫେଇ କରାଯାଉଛି। ୱାର୍ଡର ଅଲିଶା ବଜାରସ୍ଥିତ ଉର୍ଦ୍ଦୁ ସ୍କୁଲଠାରେ ‌େଗାଟିଏ ମିଶନ ଶକ୍ତି ଗୃହ ନିର୍ମାଣ ହୋଇଛି। ୱାର୍ଡର ୨ଟି ସ୍ଥାନ ଯଥା ଅଲିଶା ବଜାର ହରିଜନ ସାହି ଓ ଉର୍ଦ୍ଦୁ ସ୍କୁଲ‌ଠାରେ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ପାଇଁ ଟେଣ୍ଡର ଶେଷ ହୋଇ ଥିବା ବେଳେ ଖୁବଶିଘ୍ର କାମ ଆରମ୍ଭ କରାଯିବ। ଆବଶ୍ୟକତାକୁ ଦେଖି ୱାର୍ଡର ଅଲିଶା ବଜାର, ନନ୍ଦିଆ ବଜାର, ଅଲିଶା ବଜାର ଦୁର୍ଗା ଘର, ମଙ୍ଗଳାସାହି, କେଉଟ ସାହିରେ ହାଇ‌ମାଷ୍ଟ, ମିନିମାଷ୍ଟ ଲାଇଟ୍ ଖୁଣ୍ଟି ଲାଗିଛି। ମାତ୍ର ବିଦ୍ୟୁତ ସଂଯୋଗ ହୋଇନଥିବାରୁ ଏହା କାର୍ଯ୍ୟକ୍ଷମ ହୋଇନାହିଁ। ୱାର୍ଡରେ ଡ୍ରେନ ସଫେଇ ବ୍ୟବସ୍ଥିତ ଭାବେ କରାଯାଉ ନାହିଁ କି ପୁରୁଣା କଲଭର୍ଟ ଗୁଡିକର ମରାମତି କରାଯାଉ ନାହିଁ। ନିଗମର ଇଂଜିନିୟରିଂ ବିଭାଗର ଇଂଜିନିୟର ସେମାନଙ୍କ କାମ ଠିକ୍‌ ଭାବେ କରୁ ନଥିବାରୁ ୱାର୍ଡରେ ସବୁ କାମ କଚ୍ଛପ ଗତିରେ ଚାଲିଛି।
ଦୀପାଞ୍ଜଳି ସିଂହ
ବିଜେଡି କର୍ପୋରେଟର, ୱାର୍ଡ ନମ୍ବର ୧୨

ୱାର୍ଡର ସମ୍ପୂର୍ଣ ବିକାଶ କରିବି
କର୍ପୋରେଟର ହେବା ଗୋଟେ ବର୍ଷ ମଧ୍ୟରେ ବହୁତ କିଛି ଶିଖିବାକୁ ମିଳିଛି। ପ୍ରଥମ ଥର ପାଇଁ ଏକ ଗୃହିଣୀଙ୍କୁ ସ୍ବାସ୍ଥ୍ୟ କମିଟି ଅଧ୍ୟକ୍ଷା ଭାବେ ଏକ ଗୁରୁ ଦାୟିତ୍ୱ ମିଳିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଥମେ ଧନ୍ୟବାଦ ଜଣାଉଛି। ୱାର୍ଡବାସୀଙ୍କ ସହଯୋଗରେ ପ୍ରଥମ ପର୍ଯ୍ୟାୟରେ ୱାର୍ଡରେ ନୂତନ ପାଣି ପାଇପ୍ ଲାଇନ୍ ବିଛା ଯାଉଛି। ହରିପୁର ଅଞ୍ଚଳରେ ଏକ ନୂତନ ଫେବର୍ ବ୍ଲକ୍ ରାସ୍ତା ନିର୍ମାଣ କାମ ଚାଲୁଛି। ମହିଳାଙ୍କ ପାଇଁ ସାଆନ୍ତସାହିରେ ଏକ ନୂତନ ମିଶନ ଶକ୍ତି ଗୃହ ସମ୍ପୂର୍ଣ ହୋଇଛି। ଏହା ସହିତ ୱାର୍ଡରେ ମାଗଣା ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯିବା ସହିତ ବୟସ୍କ, ବିଧବା, ଭିନ୍ନକ୍ଷମ ଲୋକଙ୍କୁ ୩୦ରୁ ଅଧିକ ଭତ୍ତା ପ୍ରଦାନ କରଯାଇଛି l ଆସନ୍ତା ଦିନରେ ପୌର ନିଗମର ଅଧିକାରୀ ଓ ୱାର୍ଡବାସିନ୍ଦାଙ୍କ ସହଯୋଗରେ ୨୪ ନମ୍ବର ୱାର୍ଡର ସମ୍ପୂର୍ଣ ଉନ୍ନତି କରାଇବି।
ଦୀପ୍ତିମୟୀ ମୂଳିଅ
ଅଧ୍ୟକ୍ଷା, ସ୍ବାସ୍ଥ୍ୟ ଷ୍ଟାଣ୍ଡିଂ କମିଟି,
ବିଜେଡି କର୍ପୋରେଟର, ୱାର୍ଡ ନମ୍ବର ୨୪

ୱାର୍ଡରେ କାମକୁ ନେଇ ମୁଁ ସନ୍ତୁଷ୍ଟ
୨୦୦୯ରୁ ଏବେ ସୁଦ୍ଧା ଲଗାତର ଭାବେ କାଉନ୍‌ସିଲକୁ ତିନିଥର କର୍ପୋରେଟର ଭାବେ ନିର୍ବାଚିତ ହୋଇ ଆସିଛି। ୱାର୍ଡର ରାସ୍ତା, ଡ୍ରେନ, ପିଇବା ପାଣି, ସ୍କୁଲ, ସ୍ବାସ୍ଥ୍ୟ କେନ୍ଦ୍ର ସହ ବସ୍ତି ଗୁଡିକର ଉନ୍ନତୀକରଣ କାମ ଦୀର୍ଘ ବର୍ଷ ଧରି କରି ଆସୁଛି। ଚଳିତ କାଉନ୍‌ସିଲରେ ମୁକ୍ତା ଯୋଜନାରେ ଗାନ୍ଧୀ ପଲ୍ଲୀ, ନେହରୁ ପଲ୍ଲୀ, ପୋତାପୋଖରୀ ଆଦି ଅଞ୍ଚଳରେ ଓପନ୍‌ ଜିମ୍‌ ନିର୍ମାଣ ହୋଇଛି। ୱାର୍ଡର ତିନିଟି ସ୍ଥାନରେ ପରିଚୟ କେନ୍ଦ୍ର ନିର୍ମାଣ କରାଯାଇଛି। ୱାର୍ଡରେ ଅଧିକ ସଂଖ୍ୟାରେ ସେମି ହାଇମାଷ୍ଟ ଲାଇଟ୍‌ ଲଗାଇଛି। ଏକ ବର୍ଷ ମଧ୍ୟରେ ୱାର୍ଡରେ ୪୪ଟି ନୂତନ ଭତ୍ତା କାର୍ଡ କରିଛି। ୱାର୍ଡର ଉନ୍ନତି ପାଇଁ ସବୁ କ୍ଷେତ୍ରରେ ବିଧାୟକଙ୍କ ସହଯୋଗ ଥିବାରୁ କାମ କରିବାରେ ଖୁସି ମିଳୁଛି। ଆସନ୍ତା ଦିନରେ ୱାର୍ଡରେ ୨ କୋଟି ଟଙ୍କାର ବିଭିନ୍ନ କାମ ପାଇଁ ଟେଣ୍ଡର କରାଯାଇଛି। କାଉନ୍‌ସିଲର ଗୋଟିଏ ବର୍ଷ ମଧ୍ୟରେ ୱାର୍ଡରେ ହୋଇଥିବା କାର୍ଯ୍ୟକୁ ନେଇ ସନ୍ତୁଷ୍ଟ ‌ଅଛି।
ତାପସରଂଜନ ସାମନ୍ତରାୟ
ବିଜେଡି କର୍ପୋରେଟର, ୱାର୍ଡ ନମ୍ବର ୫୪

ନିଷ୍ପତ୍ତି ନିଆଯାଉଛି ହେଲେ କାମ ହେଉନି
ଏପ୍ରିଲ ୭ ତାରିଖକୁ ପୌର ନିଗମ କାଉନ୍‌ସିଲକୁ ଏକ ବର୍ଷ ହେବ। ଏହା ମଧ୍ୟରେ ନିଗମର ଅନେକ ନିଷ୍ପତ୍ତିକୁ ସମର୍ଥନ କରାଯାଇଛି ଓ ଆଉ କିଛିକୁ ବିରୋଧ କରାଯାଇଛି। ନିଗମରେ ବିଭିନ୍ନ ଯୋଜନା କରାଯାଉଛି। ମାତ୍ର ସେଗୁଡିକୁ କାର୍ଯ୍ୟକାରୀ କରାଯାଉ ନାହିଁ। ୱାର୍ଡର ସଫେଇ କାମ ୨ଟି ଘରୋଇ ସଂସ୍ଥା ଦ୍ବାରା କରାଯାଉ ଥିବାରୁ ବହୁ ସମସ୍ୟା ହେଉଛି। ଗୋଟିଏ ଏଜେନ୍ସି ଦ୍ବାରା ଘରୁ ଅଳିଆ ସଂଗ୍ରହରୁ ଆରମ୍ଭ କରି ଡ୍ରେନ ସଫେଇ କାମ କରିବାକୁ ବାରମ୍ବାର ପ୍ରସ୍ତାବ ଦିଆଯାଉ ଥିବା ବେଳେ ଏହା ଉପରେ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଗୋଟିଏ ବର୍ଷ ମଧ୍ୟରେ ନୂଆ କାମ କରାଯାଇ ନାହିଁ। କେବଳ ଗଣେଶ ଘାଟ ପେଟ୍ରୋଲ ପମ୍ପରୁ ସ୍ବରାଜ ଆଶ୍ରମ ପର୍ଯ୍ୟନ୍ତ ଫେବର ବ୍ଲକ୍‌ କାମ ହୋଇଛି। ୱାର୍ଡରେ କାମ କରିବା ପୂର୍ବରୁ ଏଷ୍ଟିମେଟର ଆବଶ୍ୟକତା ରହିଛି। ହେଲେ ନିଗମର ଇଂଜିନିୟର ୱାର୍ଡକୁ ଆସି ଏ ଦିଗରେ କାମ କରିବାକୁ ପ୍ରସ୍ତୁତ ନାହାନ୍ତି। ୱାର୍ଡର ରାସ୍ତା, ଡ୍ରେନ୍‌, ସ୍ଲାବ୍‌ କାମ ପାଇଁ ନିଷ୍ପତ୍ତି ନିଆଯାଇ ଥିବା ବେଳେ ଏହାକୁ କାର୍ଯ୍ୟକାରୀ କରିବାକୁ ଆସନ୍ତା ଦିନରେ କାଉନ୍‌ସିଲରେ ଉଠାଯିବ। ‌
ଲକ୍ଷ୍ମୀଧର ବେହେରା
ବିଜେପି କର୍ପୋରେଟର, ୱାର୍ଡ ନମ୍ବର ୨୦

କଲ୍ୟାଣ ମଣ୍ଡପ, ୱାର୍ଡ ଅଫିସ ପାଇଁ ପ୍ରସ୍ତାବ ଯାଇଛି
ଗୋଟିଏ ବର୍ଷ ମଧ୍ୟରେ ୱାର୍ଡର ବିଦ୍ୟାଧରପୁର-୧ ଓ ୨ରେ ଦୁଇଟି ଅଙ୍ଗନବାଡି କେନ୍ଦ୍ରର କାମ ଚାଲିଛି। ପୁରୁଣା କାମ ଭାବେ ୱାର୍ଡର ଦୀପୁ ସେଠୀଙ୍କ ଘରୁ ଜାଗୁଳାଇ ମନ୍ଦିର ଓ ଆନ୍ଥୋନି ସ୍କୁଲରୁ ପାରାଦୀପ ରୋଡ ପର୍ଯ୍ୟନ୍ତ ୨ଟି ଫେବର ବ୍ଲକ୍‌ କାମ ଚାଲିଛି। ୱାର୍ଡରେ ୩୦ଜଣଙ୍କୁ ନୂଆ ଭତ୍ତା ମିଳିଥିବା ବେଳେ ଆଉ ୧୯ଟି ଭତ୍ତା କାର୍ଡ ଆସନ୍ତା ଦିନରେ ହିତାଧିକାରୀଙ୍କୁ ବଣ୍ଟାଯିବ। ଆସନ୍ତା ଦିନରେ ୱାର୍ଡରେ ଏକ କଲ୍ୟାଣ ମଣ୍ଡପ, ୱାର୍ଡ ଅଫିସ, ବିଭିନ୍ନ ବସ୍ତିରେ ପରିଚୟ ଗୃହ, ବସ୍ତିର ଖୋଲା ଅଞ୍ଚଳର ସୌନ୍ଦର୍ଯ୍ୟୀକରଣ ପରି ବିଭିନ୍ନ କାମ କରିବାକୁ ନିଗମକୁ ପ୍ରସ୍ତାବ ଦିଆଯାଇଛି। ୱାର୍ଡର ରଘୁନାଥ ବିହାର ଅଞ୍ଚଳରେ ଦୀର୍ଘ ବର୍ଷ ଧରି ନିର୍ମାଣ ହୋଇ ପାରୁନଥିବା ଏକ ଡ୍ରେନର କାମ ପାଇଁ ୧୯ ଲକ୍ଷ ଟଙ୍କାର ଟେଣ୍ଡର ହୋଇଛି। କାଉନ୍‌ସିଲ ଗଠନ ହେବା ଦିନରୁ ୱାର୍ଡର ପରିମଳ ଓ ପଙ୍କ ସଫେଇକୁ ଗୁରୁତ୍ବ ଦିଆଯାଇଛି। ୫-ଟିରେ ସିଆରଆରଆଇ ହାଇସ୍କୁଲର ରୂପାନ୍ତରଣ ହୋଇଛି। ୫୭ ଲକ୍ଷ ଟଙ୍କାରେ ସିଆରଆରଆଇର ରାସ୍ତା କାମ କରାଯିବ।
ବିଶ୍ବବନ୍ଦିତା ପଣ୍ଡା
ବିଜେଡି କର୍ପୋରେଟର, ୱାର୍ଡ ନମ୍ବର ୫୫

ସମ୍ବନ୍ଧିତ ଖବର