ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିଲାନି ଏସ୍‌ସିବି କୋଭିଡ଼ ହସ୍ପିଟାଲ

୩ଟି ତାରିଖ ଧାର୍ଯ୍ୟ ପରେ ବି ସରୁନି କାମ

କଟକ: ପ୍ରଥମେ ସେପ୍ଟେମ୍ବର ୨୧, ପରେ ଅକ୍ଟୋବର ୨, ପୁଣି ଅକ୍ଟୋବର ୫… ତଥାପି ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିଲାନି ଏସ୍‌ସିବି କୋଭିଡ୍‌ ହସ୍‌ପିଟାଲ। ଏବେ କୁହାଯାଉଛି ଯେ ପୂର୍ଣ୍ଣମାତ୍ରାରେ ହସ୍ପିଟାଲ ଆରମ୍ଭ ହେବାକୁ ଆହୁରି ଅଧିକ ଦିନ ଲାଗିବ। ଅକ୍ସିଜେନ୍‌ ପାଇପ୍‌ ଲାଇନ୍‌ କାର୍ଯ୍ୟ ଶେଷ ହେଉ ନଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି।

କେବଳ ଗୁରୁତର ରୋଗୀଙ୍କୁ ରଖାଯାଇ ଚିକିତ୍ସା ଚାଲିଥିଲା ବେଳେ ବର୍ଦ୍ଧିତ ଆଇସିୟୁ ପାଇଁ କାମ ଶେଷ ହେବାରେ ଆହୁରି ଅଧିକ ଦିନ ବିଳମ୍ବ ହେବ ବୋଲି ଅଧୀକ୍ଷକ ପ୍ରଫେସର ଡାକ୍ତର ଅନ୍ନଦା ପଟ୍ଟନାୟକ ସୂଚନା ଦେଇଛନ୍ତି।

‌ହସ୍‌ପିଟାଲ ଖୋଲାଯିବା ପାଇଁ ବେଡ୍‌, ଡାକ୍ତର, ଔଷଧ, ଖାଦ୍ୟ ସବୁ ପ୍ରସ୍ତୁତ ହୋଇସାରିଛି। କିନ୍ତୁ ଆଭ୍ୟନ୍ତରୀଣ କାମ ବାକିଥିବାରୁ ଏବଂ ମନ୍ଥର ଗତିରେ କାମ ହେଉଥିବାରୁ ଏଭଳି ପରିସ୍ଥିତି ଉପୁଜିଛି। ‌ଏପଟେ ଆଇସୋଲେସନ୍‌ ସେଣ୍ଟରରେ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହି ଭାର ହ୍ରାସ କରିବା ପାଇଁ କିଛିକିଛି ରୋଗୀଙ୍କୁ ନିଉ ମେଡିସିନ୍‌ ବ୍ଲକ୍‌କୁ ସ୍ଥାନାନ୍ତର କରାଯାଉଛି। ଯେଉଁମାନଙ୍କର ବିଶେଷ ଅଧିକ ଲକ୍ଷଣ ନାହିଁ କେବଳ ସେମାନଙ୍କୁ ନିଉ ମେଡିସିନ୍‌ କୋଭିଡ୍‌ ହସ୍‌ପିଟାଲ୍‌କୁ ନିଆଯାଉଛି।

‌ଦିନକୁ ଦିନ ବଢୁଥିବା ସଂଖ୍ୟାକୁ କିପରି ନିୟନ୍ତ୍ରଣ କରାଯିବ ତାହାକୁ ପ୍ରାଥମିକତା ଦିଆଯାଉଛି। ଏଥିପାଇଁ ଆଇସୋଲେସନ୍‌ ସେଣ୍ଟରରେ ଥିବା ରୋଗୀଙ୍କର ରିପୋର୍ଟ ପଜିଟିଭ୍‌ ବାହାରିବା ମାତ୍ରେ, ସେମାନଙ୍କୁ‌ କୋଭିଡ୍‌ ହସ୍‌ପିଟାଲ୍‌କୁ ପଠାଇ ଦିଆଯାଉଛି। ଯଦି ସେମାନଙ୍କର ଲକ୍ଷଣ ନାହିଁ, ତେ‌େ‌ବ ହୋମ୍‌ ଆଇସୋଲେସନ୍‌ ପାଇଁ ପରାମର୍ଶ ଦିଆଯାଉଛି। କିନ୍ତୁ ଯେଉଁମାନେ ଦୂର ସ୍ଥାନରୁ ଆସିଛନ୍ତି, ସେମାନଙ୍କୁ ମେଡିକାଲ୍‌ରେ କିଛି ଦିନ ରଖିବା ପରେ ଡିସ୍‌ଚାର୍ଜ କରାଯାଉଥିବା ଜଣେ ବରି‌ଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର