କଟକ: କରୋନା ସଂକ୍ରମଣର ଭୟ ନଥିଲା କି କୋଭିଡ୍ କଟକଣାକୁ ପାଳନ କରାଯାଉ ନଥିଲା। ସାମାଜିକ ଦୂରତ୍ବ ନିୟମକୁ ଭୁଲିଗଲେ ସମସ୍ତେ। କାହା ମୁହଁରେ ନଥିଲା ମାସ୍କ। ସରକାରଙ୍କ କରୋନା ନିୟମକୁ କାହାର ଖାତିର ନଥିଲା। ଯେମିତି ଲାଗୁଥିଲା କରୋନା ମହାମାରୀ ଆଦୌ ଆସି ନାହିଁ। ସହରରେ ଆଜି ଦୁଇଶହରୁ ଅଧିକ ବିବାହ ଉତ୍ସବ ଆୟୋଜନ ହୋଇଥିବାବେଳେ ସବୁ ସ୍ଥାନରେ ଏପରି ଅବସ୍ଥା ଦେଖିବାକୁ ମିଳିଥିଲା। ଉତ୍ସବରେ ଯୋଗଦେଇଥିବା ଲୋକେ କୋଭିଡ୍ କଟକଣାକୁ ପାଳନ କରୁ ନଥିବା ବେଳେ ପୁଲିସ ଓ ସିଏମସି ଅଧିକାରୀ ସବୁ ଜାଣି ନଜାଣିଲା ଭଳି ଚୁପ୍ ବସିଥିଲେ।
କରୋନା ମହାମାରୀ ପାଇଁ ଚଳିତବର୍ଷ ମାର୍ଚ୍ଚରୁ ଦେଶରେ ଲକ୍ଡାଉନ୍ ଓ ସଟ୍ଡାଉନ୍ ଦୀର୍ଘମାସ ଧରି ରହିଥିଲା। ଏହା ମଧ୍ୟରେ ସଂକ୍ରମଣକୁ ଦେଖି ବିଭିନ୍ନ ଉତ୍ସବ ବନ୍ଦ ରହିଥିଲା। ଏବେ ସଂକ୍ରମଣ କମିଥିବା ବେଳେ ବିବାହ ଉତ୍ସବ ଆୟୋଜନ ପାଇଁ ଲୋକେ ଲାଗି ପଡିଛନ୍ତି। ସେପଟେ କୋଭିଡ୍ ଟୀକା ନ ଆସିବା ପର୍ଯ୍ୟନ୍ତ ସଂକ୍ରମଣର ବିପଦ ଟଳିନଥିବାର ବିଶେଷଜ୍ଞମାନେ ବାରମ୍ବାର ସଚେତନ କରାଉଛନ୍ତି।
ଆଜି ଗୋଟିଏ ଦିନରେ ସହରରେ ଦୁଇଶହରୁ ଅଧିକ ବିବାହ ଉତ୍ସବ ଆୟୋଜନ କରାଯାଇଥିବାବେଳେ କୌଣସି ଗୋଟିଏ ବି ସ୍ଥାନରେ କୋଭିଡ୍ କଟକଣା ପାଳନ କରାଯାଉଥିବା ଦେଖିବାକୁ ମିଳି ନଥିଲା। ସହରର ବିଭିନ୍ନ ମନ୍ଦିରରୁ ଆରମ୍ଭ କରି ଖୋଲାପଡିଆ, ମଣ୍ଡପରେ ବିବାହ ଉତ୍ସବ ଆୟୋଜନ କରାଯାଇଛି। ପ୍ରଶାସନ ପକ୍ଷରୁ ବିବାହ ଉତ୍ସବରେ ମାତ୍ର ଶହେ ଜଣ ଲୋକଙ୍କ ପାଇଁ ଅନୁମତି ଥିବାବେଳେ ଆଜି ସବୁ ଉତ୍ସବରେ ଅତିକମ୍ରେ ୩ ଶହରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା। ଉତ୍ସବରେ ଯୋଗଦେଇଥିବା ଲୋକଙ୍କ ମଧ୍ୟରେ ସାମାଜିକ ଦୂରତ୍ବ ରହୁ ନଥିବା ବେଳେ କାହା ମୁହଁରେ ମାସ୍କ ନଥିଲା। ଏପରିକି ଉତ୍ସବରେ ଖାଦ୍ୟ ପରଷୁଥିବା ଲୋକ ମୁହଁରେ ବି ମାସ୍କ ଦେଖିବାକୁ ମିଳି ନଥିଲା। ବରଯାତ୍ରୀ ଶୋଭାଯାତ୍ରା ବନ୍ଦ ଥିବାବେଳେ ବିବାହ ଆୟୋଜନ ସ୍ଥାନରେ ସବୁ କଟକଣାକୁ ମାଡ଼ି ମକ୍ଚି ଫିଙ୍ଗି ଦିଆଯାଇଥିଲା।
ବାହାଘରଗୁଡ଼ିକରେ କୋଭିଡ୍ କଟକଣା ପାଳନ କରାଯାଉ ନଥିବା ବେଳେ ପୁଲିସ ଓ ସିଏମସି ପକ୍ଷରୁ ଏହାର ତଦାରଖ କରିବା ଦିଗରେ କୌଣସି ଉଦ୍ୟମ କରାଯାଇ ନଥିଲା। ପୁଲିସ ଓ ସିଏମସି ଏନ୍ଫୋର୍ସମେଣ୍ଟ ଟିମ୍ ଅନେକ ବ୍ୟବସାୟ ପ୍ରତିଷ୍ଠାନକୁ କୋଭିଡ୍ କଟକଣା ପାଇଁ ସିଲ୍ କରୁଥିବାବେଳେ ହଜାର ହଜାର ଟଙ୍କାର ଜରିମାନା ଆଦାୟ କରିଛନ୍ତି। ମାତ୍ର ବିବାହ ଉତ୍ସବରେ ନିୟମ ପାଳନ ହେଉ ନଥିବା ଖବର ପୁଲିସ ଓ ସିଏମସି ପାଖରେ ଥିଲେ ବି ସବୁ ଜାଣି ଅଧିକାରୀମାନେ ହାତ ଟେକି ଦେଇଥିଲେ। ନିୟମ ପାଳିନ କରିବା ଦିଗରେ ଆଜି କୌଣସି ଠୋସ୍ ପଦକ୍ଷେପ ନିଆଯାଇ ନାହିଁ। ଆସନ୍ତା ଶୁକ୍ରବାର ଓ ରବିବାର ବି ଅନେକ ବିବାହ ଓ ଭୋଜି ଆୟୋଜନ ହେବାର ରହିଛି। ପୁଲିସ ଓ ସିଏମସି ଆସନ୍ତା ଦିନରେ ଏଦିଗରେ କି’ ପଦକ୍ଷେପ ନେବେ ତାହା ଦେଖିବାର ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/CMC2092532.jpg)