କୋଭିଡ୍‌ କଟକଣା ପାଳନ କରିବାକୁ ସିଏମସିର ସତର୍କ ସୂଚନା; ଆଜିଠୁ ଚଢ଼ାଉ, ଗଠନ ହେଲା ୨ଟି ଟିମ୍‌

ସିଏମସିରୁ ରବିବାର ୩ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ

କଟକ: ଦେଶର ୫ଟି ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇଥିବା ବେଳେ ବିଭିନ୍ନ ସ୍ଥାନରେ ଲକ୍‌ଡାଉନ୍‌ ଓ ରାତ୍ରକାଳୀନ କର୍ଫ୍ୟୁ ଲଗାଯାଇଛି। ଏହାକୁ ଦେଖି ରାଜ୍ୟ ସରକାର ମଧ୍ୟ କୋଭିଡ୍‌ କଟକଣାକୁ ଅଧିକ ଗୁରୁତ୍ବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପାରିପ୍ରେକ୍ଷୀରେ କଟକ ମହାନଗର ନିଗମ ପକ୍ଷରୁ ଆସନ୍ତାକାଲିଠାରୁ ସହରରେ କରୋନା କଟକଣା ନିୟମକୁ ଅଧିକ କଡ଼ାକଡ଼ି କରାଯିବ ବୋଲି ଏକ ବିଜ୍ଞପ୍ତି ପ୍ରକାଶ କରାଯାଇ ସୂଚନା ଦିଆଯାଇଛି। ନିଗମ ପକ୍ଷରୁ ବିଭିନ୍ନ ଭିଡ଼ ଅଞ୍ଚଳ, ଯଥା; ଛକ, ବଜାର, ଦୋକାନ, ଧାର୍ମିକ ଅନୁଷ୍ଠାନ, ସାମାଜିକ ଅନୁଷ୍ଠାନ, ବିବାହ ଉତ୍ସବରେ କୋଭିଡ୍‌ କଟକଣା ପାଳନ କରାଯାଉଛି କି ନାହିଁ ତାହାର ତଦାରଖ କରାଯିବ। ଏଥିପାଇଁ ସିଏମ୍‌ସି ପକ୍ଷରୁ ଦୁଇଟି ଟିମ୍‌ ଗଠନ କରାଯାଇଛି। ସକାଳ ୯ଟାରୁ ‌ଦୁଇଟି ଟିମ୍ ସହରରେ ବୁଲି ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ବ ଆଦି କୋଭିଡ୍‌ କଟକଣା କିପରି ପାଳନ କରାଯାଉଛି ତାହା ଦେଖିବେ।

ଡେପୁଟି କମିସନର ଅବିନାଶ ରାଉତଙ୍କ ନେତୃତ୍ବରେ ସରୋଜ କୁମାର ଆଚାର୍ଯ୍ୟ ଓ ପରେଶ କୁମାର ନାୟକଙ୍କ ଅଧୀନରେ ୪ ଜଣ ଲେଖାଏ ସଦସ୍ୟଙ୍କୁ ନେଇ ଦୁଇଟି ଟିମ୍‌ ଗଠନ କରାଯାଇଛି। ଆସନ୍ତାକାଲି ସକାଳ ୯ଟାରୁ ୨ଟି ଟିମ୍‌ ସହର ବୁଲିବ ବୋଲି ସିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି। ସହରବାସୀ ମାସ୍କ ଓ ସାମାଜିକ ଦୂରତ୍ବ ନିୟମକୁ ଗୁରୁତ୍ବ ଦେଇ ପାଳନ କରିବାକୁ ନିଗମ ପକ୍ଷରୁ ନିଦେବନ କରାଯାଇଛି। ଅନ୍ୟପଟେ ଆଜି ମହାନଗର ନିଗମ‌ର ପିଠାପୁର, ଯୋବ୍ରା ଓ ମଧୁପାଟଣା ଅଞ୍ଚଳରୁ ଆଜି ଜଣେ ଲେଖାଏ ମୋଟ ୩ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ସୁଦ୍ଧା ସିଏମ୍‌ସିରେ ମୋଟ ୧୬ ହଜାର ୩୯୨ ଆକ୍ରାନ୍ତ ବାହାରିଛନ୍ତି। ସେମାନଙ୍କ ମଧ୍ୟରୁ ୧୬ ହଜାର ୨୮୮ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ୧୬ଜଣଙ୍କ ଚିକିତ୍ସା ଚାଲିଛି ଓ ୮୮ଜଣଙ୍କ ମୃତ ହୋଇଥିବାର ସିଏମସି ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର