ଏଥର ରାତି ୮ରୁ ୧୦ ଫୁଟିବ କେବଳ ସବୁଜ ବାଣ

କଟକ: କେବଳ ପରିବେଶ ଅନୁକୂଳ ସବୁଜ ବାଣ ବା ଗ୍ରୀନ କ୍ରାକର‌୍‌ ଫୁଟାଇବାକୁ ହାଇକୋର୍ଟ ଅନୁମତି ଦେବା ପରେ ଆଜି ପ୍ରଥମ ପର୍ଯ୍ୟାୟରେ ୧୦ ଜଣ ବାଣ ବ୍ୟବସାୟୀ କଟକ ସହରରେ ଲାଇସେନ୍ସ ପାଇଁ ଆବେଦନ କରିଛନ୍ତି। କିନ୍ତୁ ଏହି ବ୍ୟବସାୟୀମାନେ ପାଖରେ ପେଟ୍ରୋଲିୟମ ଓ ବିସ୍ଫୋରକ ନିରାପତ୍ତା ସ˚ଗଠନ(ପେସୋ)ର ପ୍ରମାଣପତ୍ର ଦାଖଲ କରିନଥିବାରୁ ସେମାନଙ୍କୁ ଦାଖଲ କରିବାକୁ ପରାମର୍ଶ ଦିଆଯାଇଛି। ଏହାବାଦ୍‌ କଟକ ସହରରେ ବାଲିଯାତ୍ରା ପଡ଼ିଆ ସମେତ ପାଖାପାଖି ୧୧ଟି ସ୍ଥାନରେ ବାଣ ଦୋକାନ ଖୋଲିବାକୁ ସ୍ଥାନ ଚିହ୍ନଟ ହୋଇଛି।

ଗୁରୁବାର ରାତି ୮ଟାରୁ ୧୦ଟା ଭିତରେ ବାଣ ଫୁଟାଇବାକୁ ଅନୁମତି ଦିଆଯିବ। ଏହି ସମୟସୀମା ବାହାରେ କେହି ବାଣ ଫୁଟାଇଲେ କିମ୍ବା ସବୁଜ ବାଣ ବ୍ୟତୀତ ଅନ୍ୟ କୌଣସି ବାଣ ଫୁଟାଇଲେ କିମ୍ବା ବିକ୍ରି କଲେ ସେମାନଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବାଣ ବିକ୍ରି ଓ ଫୁଟାଇବା ଉପରେ ଗଲା ସେପ୍ଟେମ୍ବର ୩୦ ତାରିଖରେ ରାଜ୍ୟ ସରକାର ଅଙ୍କୁଶ ଜାରି କରିଥିଲେ। ଏହାକୁ ବାଣ ବ୍ୟବସାୟୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିବା ପରେ ନିଷେଧାଦେଶକୁ କୋହଳ କରାଯାଇଛି। ଡିସିପି ପ୍ରତୀକ ସି˚ହ କହିଛନ୍ତି ଯେ ୧୦ ଜଣ ବାଣ ଦୋକାନୀ ଲାଇସେନ୍ସ ପାଇଁ ଆବେଦନ କରିଛନ୍ତି। ସେମାନଙ୍କୁ ପେସୋ ପ୍ରମାଣପତ୍ର ଦେବାକୁ କୁହାଯାଇଛି। ପୁଲିସ ନିକଟରେ ପେସୋ ପ୍ରମାଣପତ୍ର ପାଇଥିବା ଦୋକାନୀଙ୍କ ତାଲିକା ରହିଛି। ସେମାନେ ଯେଉଁ ହୋଲସେଲରଙ୍କଠୁ ବାଣ ଆଣିଛନ୍ତି ତାର ବିଲ୍‌ ପୁଲିସ ନିକଟରେ ଦାଖଲ କରିବେ। ପୁଲିସ ବିଲ ଯାଞ୍ଚ କରିବ। କେଉଁ ବ୍ରାଣ୍ତର ବାଣ ଆଣିଛନ୍ତି ତାକୁ ବି ଯାଞ୍ଚ କରାଯିବ। ଏହାପରେ ସେମାନଙ୍କୁ ଦୋକାନ ଖୋଲିବାକୁ ଲାଇସେନ୍ସ ପ୍ରଦାନ କରାଯିବ ବୋଲି ଶ୍ରୀ ସି˚ହ ସୂଚନା ଦେଇଛନ୍ତି।

କଣ ରହିବ କଟକଣା?
୨୦୧୮ ବର୍ଷ ଶେଷରେ ସୁପ୍ରିମ୍‌କୋର୍ଟ ବାଣ ପ୍ରସ୍ତୁତ ଏବ˚ ବିକ୍ରି ଉପରେ କଟକଣା ଜାରି କରିଥିଲେ। ପରିବେଶ ଏବ˚ ସ୍ବାସ୍ଥ୍ୟ ଉପରେ ବାଣର ଖରାପ ପ୍ରଭାବ ପଡ଼ୁଥିବା ଦର୍ଶାଇ ନିର୍ଦ୍ଦେଶନାମା ଜାରି ହୋଇଥିଲା। ଦୀପାବଳିରେ ରାତି ୮ଟାରୁ ୧୦ଟା ପର୍ଯ୍ୟନ୍ତ ବାଣ ଫୁଟାଇବାକୁ ଅନୁମତି ମିଳିବ। କେବଳ ଲାଇସେନ୍ସପ୍ରାପ୍ତ ବିକ୍ରେତାଙ୍କ ନିକଟରୁ ସବୁଜ ବାଣ କିଣିପାରିବେ ଗ୍ରାହକ। ଚାଇନା ବାଣ କିଣିବା ଓ ବିକ୍ରି କରିବା ସମ୍ପୂର୍ଣ୍ଣ ନିଷେଧାଦେଶ ଜାରି କରାଯାଇଛି। ଏହା ଆଇନ ବିରୋଧୀ କାର୍ଯ୍ୟ ବୋଲି ଧରାଯିବା ସହିତ ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ପୁଲିସ। ୧୨୫ ଡେସିବେଲରୁ ଅଧିକ ଶବ୍ଦ ସୃଷ୍ଟି କରୁଥିବା ବାଣ ଫୁଟାଇବା ଉପରେ କଟକଣା ଜାରି କରାଯାଇଛି। ହସ୍ପିଟାଲ୍‌, ଶିକ୍ଷାନୁଷ୍ଠାନ, କୋର୍ଟ, ଧାର୍ମିକ ସ୍ଥାନ କିମ୍ବା ସରକାର ଘୋଷଣା କରିଥିବା ସମ୍ବେଦନଶୀଳ ଅଞ୍ଚଳରେ ବାଣ ଫୁଟାଇବା ଉପରେ ନିଷେଧାଦେଶ ଜାରି କରାଯିବ। ଏହି ଅଞ୍ଚଳଗୁଡ଼ିକ ‘ସାଇଲେନ୍ସ ଜୋନ୍‌’ ଭାବେ ଘୋଷଣା କରାଯାଇଛି। ନିଷେଧ ହୋଇଥିବା ବାଣ ବିକ୍ରି କିମ୍ବା ଧାର୍ଯ୍ୟ ସମୟ ବାହାରେ ଯେପରି କେହି ବାଣ ନଫୁଟାନ୍ତି, ସେଥିପ୍ରତି ଥାନା ପୁଲିସ ଦୃଷ୍ଟି ଦେବ। ଥାନା ଵାରି ନିଜ ଅଞ୍ଚଳରେ ଲାଇସେନ୍ସପ୍ରାପ୍ତ ବାଣ ବ୍ୟବସାୟୀଙ୍କ ତାଲିକା ଥାନା ଆଇଆଇସି ପ୍ରସ୍ତୁତ କରି ଡିଆଇବିରେ ଦାଖଲ କରିବାକୁ ନିଷ୍ପତ୍ତି ହୋଇଛି।

କେମିତି ମିଳିବ ପୁଲିସର ଅନୁମତି?
କଟକ ସହରରେ ଯେଉଁ ବ୍ୟବସାୟୀ ଓ ଡିଲରମାନେ ପେଟ୍ରୋଲିୟମ ଓ ବିସ୍ଫୋରକ ନିରାପତ୍ତା ସ˚ଗଠନ(ପେସୋ)ର ପ୍ରମାଣପତ୍ର ରଖିଥିବେ ସେମାନେ ଡିସିପିଙ୍କ ଅଫିସରେ ବାଣ ଲାଇସେନ୍ସ ପାଇଁ ଆବେଦନ କରିବେ। ଏହା ସହିତ ଓରିଜିନାଲ୍‌ ବିଲ୍‌ ଡିସିିପିଙ୍କ ଅଫିସରେ ଜମା କରିବାକୁ ପଡ଼ିବା। ଲାଇସେନ୍ସ ଫର୍ମ ସହିତ ୩୦୦ ଟଙ୍କା ଟ୍ରେଜେରି ଚାଲାଣ ରସିଦ୍‌ ବି ଦାଖଲ କରାଯିବ। ଏହାପରେ ସ୍ଥାନୀୟ ଥାନା ପୁଲିସ ସମ୍ପୃକ୍ତ ଆବେଦନକାରୀଙ୍କ ବିଲ୍‌ ଅନୁଯାୟୀ ଷ୍ଟକ୍‌ ଯାଞ୍ଚ କରି ବାଣ ଦୋକାନ ଖୋଲିବାକୁ ଅନୁମତି ଦେବ। ପେସୋ ପ୍ରମାଣପତ୍ର କିମ୍ବା ଉପଯୁକ୍ତ ବିଲ୍‌ ନଥିଲେ ସେମାନଙ୍କୁ ଅନୁମତି ମିଳିବ ନାହିଁ।

ସବୁଜ ବାଣ କଣ?
ଏହି ବାଣ ପରିବେଶ ଅନୁକୂଳ। ଅନ୍ୟ ସାଧାରଣ ବାଣ ତୁଳନାରେ କମ୍‌ ପ୍ରଦୂଷଣ କରିଥାଏ। ଏଥିରେ ପ୍ରଦୂଷଣ ଓ ହାନିକାରକ ବାଷ୍ପ ନିର୍ଗତ କରୁଥିବା ରାସାୟନିକ ସାମଗ୍ରୀ ଯଥା ଆଲୁମିନିୟମ, ବେରିୟମ, ପୋଟାସିୟମ ନାଇଟ୍ରେଟ୍‌, ଅଙ୍ଗାରକାମ୍ଳ ଅଳ୍ପ ମାତ୍ରାରେ ବ୍ୟବହାର କରାଯାଏ। ଗୋଟିଏ ସାଧାରଣ ବାଣ ୧୬୦ ଡେସିବଲ୍‌ ଶବ୍ଦ କରୁଥିବା ବେଳେ ଗ୍ରୀନ କ୍ରାକର‌୍‌ ବା ସବୁଜ ବାଣ ୧୧୦ରୁ ୧୨୫ ଡେସିବେଲ୍‌ ଶବ୍ଦ କରିଥାଏ। ଏହି ବାଣରୁ କମ୍‌ ପରିମାଣରେ ଧୂଆଁ ବାହାରିଥାଏ। ସବୁଜ ବାଣ ସାଧାରଣ ବାଣଠାରୁ ଅଧିକ ମୂଲ୍ୟ। ସାଧାରଣ ବାଣ ମୂଲ୍ୟ ୨୦୦ ଟଙ୍କା ହେଲେ ସବୁଜ ବାଣ ହାରାହାରି ୩୫୦ ଟଙ୍କା ପଡ଼ିବ।

ଦୋକାନ ଖୋଲିବାକୁ ୧୧ ସ୍ଥାନ ଚିହ୍ନଟ
ଦୀର୍ଘ ୨୦ ବର୍ଷ ହେବ ଚୌଧୁରୀବଜାର ଓ ନନ୍ଦୀସାହିରେ ବିକ୍ରି ହୋଇଆସୁଥିବା ସ୍ଥାୟୀ ବାଣ ଦୋକାନ ୨୦୧୮ରୁ ସୁପ୍ରିମକୋର୍ଟର ଗାଇଡଲାଇନ୍‌ ଅନୁଯାୟୀ ଉଚ୍ଛେଦ ପରେ ସହର ବାହାରେ ବିକ୍ରି ହେଉଛି। ତେଣୁ ଚଳିତ ବର୍ଷ ଖାନନଗର କାଳୀ ମନ୍ଦିର ସାମନା ଖୋଲା ସ୍ଥାନ, ଖାନନଗର ପଞ୍ଚମୁଖୀ ମନ୍ଦିର ସାମନା ପ଼ଡ଼ିଆ, ଓଏମପି, ନେତାଜୀ ଖେଳ ପଡ଼ିଆ, ଉପର ବାଲିଯାତ୍ରା ପଡ଼ିଆ, ତଳ ବାଲିଯାତ୍ରା, କୃଷକ ବଜାର ନିକଟ ପଡ଼ିଆ, ସିଡିଏ ସେକ୍ଟର ୯ ସରଶ୍ବତୀ ଶିଶୁ ମନ୍ଦିର ପଡ଼ିଆ, ଦେବୀଗଡ଼ା, ଜେଲ୍‌ ପଡ଼ିଆ, ଜଗତପୁରରେ ବିକ୍ରି ଦୋକାନ ଖୋଲିବାକୁ ପୁଲିସ ଅନୁମତି ଦେବା ନେଇ ଯୋଜନା କରୁଛି।

ସମ୍ବନ୍ଧିତ ଖବର