କଟକ : ସ୍ୱତନ୍ତ୍ର ଚିଟଫଣ୍ଡ ଅଦାଲତରେ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ଟ୍ରେଷ୍ଟି ସିକ୍ୟୁରିଟିଜ ଲିମିଟେଡ କମ୍ପାନି ବିରୋଧରେ ଚୂଡାନ୍ତ ଚାର୍ଜସିଟ ଦାଖଲ କରିଛି। ବିଭିନ୍ନ ଯୋଜନା ମାଧ୍ୟମରେ ଟ୍ରେଷ୍ଟି ସଂସ୍ଥା ସାଧାରଣ ଜମାକାରୀଙ୍କ ନିକଟରୁ ପ୍ରାୟ ୧୦ କୋଟି ଟଙ୍କା ସଂଗ୍ରହ କରି ଆଉ ଧରାଛୁଆଁ ଦେଇ ନଥିଲା ବୋଲି ଅଭିଯୋଗ ହୋଇଥିଲା। ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜରେ ସଂସ୍ଥା ପକ୍ଷରୁ ଖୋଲା ଯାଇଥିବା କାର୍ଯ୍ୟାଳୟ ପରବର୍ତ୍ତୀ ସମୟରେ ବନ୍ଦ ହୋଇ ଯାଇଥିଲା। ସଂସ୍ଥା ବିରୋଧରେ ୨୦୧୫ରେ କ୍ରାଇମବ୍ରାଞ୍ଚ ମାମଲା ରୁଜୁ କରି ଏହାର ପରିଚାଳନା ନିର୍ଦ୍ଦେଶକ ଦୟାନିଧି ମହାପାତ୍ର ଓ ଅନ୍ୟ କେତେକ ନିର୍ଦ୍ଦେଶକଙ୍କୁ ଗିରଫ କରିଥିଲା।
ପୂର୍ବରୁ ପ୍ରାଥମିକ ଚାର୍ଜସିଟ ଦାଖଲ ହୋଇଥିବା ବେଳେ ଆଜି କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ଟ୍ରେଷ୍ଟି ଠକେଇ ନେଇ ଚୂଡାନ୍ତ ଚାର୍ଜସିଟ ଦାଖଲ କରିଛି। କମ୍ପାନିର ପରିଚାଳନା ନିର୍ଦ୍ଦେଶକ ଦୟାନିଧି ମହାପାତ୍ର, ନିର୍ଦ୍ଦେଶକ ହରି ଅର୍ଜୁନ ପଣ୍ଡା, ରଶ୍ମିରଂଜନ ମହାପାତ୍ର, ଶଶିଭୂଷଣ ଦାସ, ଅଶୋକ କୁମାର ରାଉତ ଓ ଟ୍ରେଷ୍ଟି କମ୍ପାନି ବିରୋଧରେ ଚାର୍ଜସିଟ ଦାଖଲ କରାଯାଇଛି। ଆଇପିସିର ଦଫା ୪୬୭, ୪୬୮, ୪୭୧, ୪୦୬, ୪୨୦ ଓ ୧୨୦(ବି), ଓପିଆଇଡି ଆକ୍ଟ ଧାରା ୬ ଓ ପ୍ରାଇଜ ଚିଟ୍ସ ଆଣ୍ଡ ମନି ସାର୍କୁଲେସନ ସ୍କିମ୍(ବ୍ୟାନିଂ) ଆଇନର ଧାରା ୪, ୫ ଓ ୬ରେ ଚାର୍ଜସିଟ ଦାଖଲ ହୋଇଛି। ସଂସ୍ଥାର ନିର୍ଦ୍ଦେଶକ ଅଶୋକ କୁମାର ରାଉତ ଫେରାର ଥିବାରୁ ତାଙ୍କ ବିରୋଧରେ ଜାମିନ ବିହୀନ ପରୱାନା ଜାରି ପାଇଁ ଇଓଡବ୍ଲୁ ପକ୍ଷରୁ ଅଦାଲତରେ ପ୍ରାର୍ଥନା କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/crime-1.jpg)