ଦୁର୍ଦ୍ଦାନ୍ତ ଡକାୟତ ଅନିଲ ବେହେରାକୁ ଏନ୍‌କାଉଣ୍ଟର : ପିସ୍ତଲ୍‌, ଗୁଳି, କ୍ୟାଟ୍ରିଜ୍‌ ଜବତ

କଟକ : ଦୁର୍ଦ୍ଦାନ୍ତ ଡକାୟତ ଚିକୁ ଓରଫ ଅନିଲ ବେହେରାକୁ ପୁରୀଘାଟ ଥାନା ପୁଲିସ ନୂଆପଡ଼ା ଅଭିରାମ ମଠ ନିକଟରେ ଏନ୍‌କାଉଣ୍ଟର କରିଛି। ମଙ୍ଗଳାବାଗ ଥାନା ଅନ୍ତର୍ଗତ ରାଣୀହାଟ ଶଗଡ଼ିଆ ସାହିରେ ରହୁଥିବା ଅନିଲର ବାମ ଗୋଡ଼ ଆଣ୍ଠୁରେ ଗୋଟିଏ ଗୁଳି ବାଜିଛି। ତାକୁ କଟକ ବଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିବା ବେଳେ ପୁଲିସ ତା’ ନିକଟରୁ ଗୋଟିଏ ୭ ଏମ୍‌ଏମ୍‌ ପିସ୍ତଲ, ଦୁଇଟି ଜୀବନ୍ତ ଗୁଳି, ୨ଟି ଖାଲି କାଟ୍ରିଜ୍‌, ମୋବାଇଲ୍‌ ଫୋନ୍‌ ଜବତ କରିଛି।

ସୂଚନା ଅନୁଯାୟୀ ପୁରୀଘାଟ ଥାନାରେ ଗତ ୨ ତାରିଖରେ ରୁଜୁ ହୋଇଥିବା ଏକ ଡକାୟତି ମାମଲାରେ ଅନିଲ୍‌ ଓ୍ଵାଣ୍ଟେଡ୍‌ ଥିଲା। ସେଦିନ ରାତି ପ୍ରାୟ ୧୦ଟା ୩୫ ବେଳେ ବ୍ୟବସାୟୀ ସୁମିତ କୁମାର ବାଣ୍ଠିଆ ପୀଠାପୁରରେ ଥିବା ବ୍ୟାଗ୍‌ ଓ ଛତା ଦୋକାନ ବନ୍ଦ କରି ଆକ୍ଟିଭାରେ ୭ ଲକ୍ଷ ଟଙ୍କା ଧରି ଘରକୁ ଫେରୁଥିବା ବେଳେ ନନ୍ଦୀ ସାହି ନିକଟରେ ତିନି ଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ଚାରି ରାଉଣ୍ଡ ଗୁଳି ଫୁଟାଇ ସୁମିତ୍‌ଙ୍କ ସ୍କୁଟି ସହିତ ଟଙ୍କା ଛଡ଼ାଇ ନେଇଥିଲେ। ଏହି ଘଟଣାରେ ପୁରୀଘାଟ ଥାନା ପୁଲିସ ପ୍ରଥମେ ବାଦାମବାଡ଼ି ଥାନା ଖାନନଗର ଗୁରୁ ସାହିର ଲୋକେନ୍‌ ଗୁରୁକୁ ଗିରଫ କରିବା ସହିତ ହୋଣ୍ଡା ଆକ୍ଟିଭା ଗାଡ଼ି, ମୋବାଇଲ୍‌ ଫୋନ୍‌ ଏବଂ ନଗଦ ୯ ହଜାର ଟଙ୍କା ଜବତ ହୋଇଥିଲା।

ଅନିଲ ଫେରାର ଥିବା ବେଳେ ତାକୁ ଧରିବା ପାଇଁ ପୁୁଲିସ ଜାଲ ବିଛାଇଥିଲା। ଆଜି ରାତି ପ୍ରାୟ ୮ଟା ୫୦ ବେଳେ ସେ ନୂଆପଡ଼ା ଅଭିରାମ ମଠ ନିକଟରେ ବୁଲୁଥିବା ସଂପର୍କରେ ପୁରୀଘାଟ ଥାନା ଅଧିକାରୀ ରଶ୍ମି ରଞ୍ଜନ ସାହୁ ଖବର ପାଇଥିଲେ। ଏସିପି ଅନିଲ ମିଶ୍ର, ଏସିପି ପ୍ରମୋଦ ରଥଙ୍କ ନେତୃତ୍ୱରେ ଶ୍ରୀ ସାହୁ ଏବଂ ସ୍ପେଶାଲ ସ୍କ୍ଵାଡ୍‌ର ପୁଲିସ କର୍ମଚାରୀ ସେଠାରେ ଚଢ଼ଉ କରିଥିଲେ। ପୁଲିସକୁ ଦେଖି ପ୍ରଥମେ ଅନିଲ ଖସିଯିବାକୁ ଉଦ୍ୟମ କରିଥିଲା। ପୁଲିସ ତାକୁ ଅଟକାଇବାକୁ ଚେଷ୍ଟା କରିବାରୁ ଅନିଲ ଗୁଳି ଫୁଟାଇ ଥିଲା। ଉକ୍ତ ଗୁଳିଟି ଇନ୍‌ସ୍ପେକ୍ଟର ଶ୍ରୀ ସାହୁଙ୍କ ବାମ କାନ ପାର୍ଶ୍ୱରେ ଖସିଯାଇଥିଲା। ଜୀବନ ବଂଚାଇବା ପାଇଁ ଇନ୍ସପେକ୍ଟର ଶ୍ରୀ ସାହୁ ଗୋଟିଏ ରାଉଣ୍ଡ ପାଲଟା ଗୁଳି ଫୁଟାଇବାରୁ ଗୁଳିଟି ତା ବାମ ଗୋଡ଼ ଆଣ୍ଠୁର ଉପରେ ବାଜିଥିଲା। ଅନିଲ ସେଠି ତଳେ ପଡି ଯାଇଥିଲା। ତାକୁ ଉଦ୍ଧାର କରି ବଡ଼ ମେଡିକାଲ୍‌ର ଜରୁରିକାଳୀନ ଓ୍ଵାର୍ଡରେ ଭର୍ତ୍ତି କରାଯାଇଥିବା ଡିସିପି ଅଖିଳେଶ୍ୱର ସିଂହ କହିଛନ୍ତି।

ସମ୍ବନ୍ଧିତ ଖବର