କଟକ-ବିଦ୍ୟାଧରପୁର: ରବିବାର ସନ୍ଧ୍ୟା ୬ଟା ବେଳେ ନୂଆବଜାର ପୋତାପୋଖରୀ ମାର୍କେଟ କମ୍ପ୍ଲେକ୍ସ୍ ଅଞ୍ଚଳରେ ଜଣେ ଯୁବକ ଉନ୍ମତ କାଣ୍ଡ ଘଟାଇଛି। ବଟିମାଗି ନ ମିଳିବାରୁ ନିଶାସକ୍ତ ଅବସ୍ଥାରେ ସେ ଭୁଜାଲି ଧରି ଜଣେ ଦୋକାନୀଙ୍କୁ ହାଣିବା ପାଇଁ ଗୋଡ଼ାଇଛି। ଜୀବନ ବଞ୍ଚାଇବାକୁ ଦୋକାନୀଜଣକ ଭୟରେ ଏଣେତେଣେ ଦୌଡ଼ିଛନ୍ତି। ତାଙ୍କୁ ରକ୍ଷା କରିବାକୁ ଯାଇ ଯୁବକଙ୍କୁ ବାଧା ଦେଇଥିବା ଅନ୍ୟ ଦୋକାନୀମାନଙ୍କୁ ବି ଯୁବକଜଣକ ହାଣିବାକୁ ଗୋଡ଼ାଇଛନ୍ତି। ଏହି କାରଣରୁ କିଛି ସମୟ ପାଇଁ ମାର୍କେଟ୍ କମ୍ପ୍ଲେକ୍ସ୍ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଥିଲା।
ଖବର ମୁତାବକ, ସ୍ଥାନୀୟ ଅଞ୍ଚଳର ବିଜୁଆ ନାୟକ ଆଜି ସଂଧ୍ୟାରେ ମଦ୍ୟପାନ କରି ଏକ ଭୁଜାଲି ଧରି ବୁଲିବା ସହ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲା।
ସେଠାରେ ଦୋକାନ କରିଥିବା ଭାସ୍କର ମହାରଣାଙ୍କୁ ବଟି ମାଗି ନିରାଶ ହେବାରୁ ସେ ଭୁଜାଲିରେ ତାଙ୍କୁ ହାଣିବାକୁ ଗୋଡାଇଥିଲା। ଏ ନେଇ ଚାଉଳିଆଗଞ୍ଜ ଥାନାରେ ୧୧ଜଣ ଦୋକାନୀ ଦେଇଥିବା ଏତଲାରେ ଦର୍ଶାଇଛନ୍ତି ଯେ, ମାର୍କେଟ କମ୍ପ୍ଲେକ୍ସ କାଠଦୋକାନ ପାଖରେ ସୁବାଷ ନାମକ ଜଣେ ବ୍ୟକ୍ତି ଜବରଦଖଲ କରି ଏକ ଆଜବେଷ୍ଟସ ଘର କରି ରହୁଥିଲା। ସେଠାରେ ଅନୈତିକ କାର୍ଯ୍ୟକଳାପ ସହ ନିଶା କାରବାର ଚଳାଇ ଆସୁଥିଲା। ବେଳେ ବେଳେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ କାଠଦୋକାନୀ କାମ କରୁଥିବାରୁ ଉକ୍ତ ଅସାମାଜିକ ଯୁବକମାନଙ୍କ ଅନୈତିକ କାର୍ଯ୍ୟରେ ଅସୁବିଧା ହେଉଥିଲା। ତେଣୁ ସେମାନଙ୍କ ରାଗ କାଠଦୋକାନୀ ଉପରେ ଥିଲା।
ଆଜି ବିଜୁଆ ଉକ୍ତ କାଠଦୋକାନୀଙ୍କୁ ହାଣିବାକୁ ଗୋଡ଼ାଇବା ସହ ତାଙ୍କ ଆସବାବପତ୍ର ବାହାରେ ଫୋପାଡି ସେଥିରେ ନିଆଁ ଲଗାଇବାକୁ ଚେଷ୍ଟା କରିଥିଲା। ଅନ୍ୟ ଦୋକାନୀମାନେ ଏଥିରେ ବାଧା ଦେବାରୁ ବିଜୁଆ ସେମାନଙ୍କୁ ବି ହାଣିବାକୁ ଧମକ ଦେଇଥିଲା।ଏହାକୁ ନେଇ ୧୧ଜଣ ଦୋକାନୀ ବିଜୁଆ ବିରୋଧରେ ଥାନାରେ ଏତଲା ଦେଇଛନ୍ତି। ଏହାକୁ ନେଇ ସଂଧ୍ୟାରେ ପୋତାପୋଖରୀ ଅଞ୍ଚଳରେ କିଛି ସମୟ ଆତଙ୍କ ଦେଖାଦେଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/06/Crime1.jpg)