କଟକରେ ପୁଣି ଏନ୍‌କାଉଣ୍ଟର, ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧି ଆହତ

କଟକ : କିଛିଦିନର ନିରବତ୍ତା ପରେ ପୁଣି କଟକରେ ପୁଲିସ କରିଛି ଏନ୍‌କାଉଣ୍ଟର। ଏନ୍‌କାଉଣ୍ଟରେ ଦୁର୍ଦ୍ଦାନ୍ତ ଅପରାଧି ଉତ୍ତମ ସିଂ ଓରଫ କାବୁଆ ଆହତ ହୋଇଛି। ତାକୁ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଆଜି ରାତି ପ୍ରାୟ ୮ଟା ପାଖାପାଖି ସମୟରେ ଦୁର୍ଦ୍ଦାନ୍ତ ଅପରାଧି କାବୁଆ କୋଠପାଟଣା ଅଞ୍ଚଳରେ ବୁଲୁଥିବାର କୌଣସି ସୂତ୍ରରୁ ଖବର ପାଇଥିଲା ପୁଲିସ। ତାକୁ ଧରିବାକୁ ଘଟଣାସ୍ଥଳକୁ ଏକ ପୁଲିସ ଟିମ୍‌ ଯାଇଥିଲା। ଏହି ସମୟରେ ପୁଲିସକୁ ଦେଖି ପ୍ରଥମେ କାବୁଆ ଗୁଳି ଚଳାଇ ଖସିଯିବାକୁ ଉଦ୍ୟମ କରିଥିଲା। ଆତ୍ମରକ୍ଷା ପାଇଁ ପୁଲିସ ପକ୍ଷରୁ ପାଲଟା ଗୁଳିମାଡ଼ ଫଳରେ ଦୁର୍ଦ୍ଦାନ୍ତ ଅପରାଧ କାବୁଆ ଆହତ ହୋଇଛି। ତାର ବାମ ଗୋଡରେ ଗୁଳି ବାଜିଛି। ତାକୁ ଚିକିତ୍ସା ପାଇଁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି।

କୁରୁଣ୍ଟି ଗାଁରେ ପୁଲିସ ଉପରକୁ ବୋମାମାଡ଼ରେ ସମ୍ପୃକ୍ତ ଥିଲା କାବୁଆ। ଘଟଣାସ୍ଥଳରୁ କାବୁଆ ଠାରୁ ଗୋଟିଏ ବନ୍ଧୁକ, ୨ଟି ଗୁଳି ଓ ଗୋଟିଏ ଖୋକା ଜବତ କରିଛି ପୁଲିସ। କାବୁଆ ନାଁରେ ବିଭିନ୍ନ ଥାନାରେ ବହୁ ଅପରାଧିକ ମାମଲା ଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର