ପୁଣି ଇତିହାସ ଲେଖିବ କି କଟକ…?

କଟକ : ହକିର ଜନ୍ମସ୍ଥାନ କଟକ। ହକିର ଗଡ଼ ହୋଇପାରେ ସୁନ୍ଦରଗଡ଼। କିନ୍ତୁ କଟକ ହେଉଛି ରାଜ୍ୟରେ ହକିର ଜନ୍ମସ୍ଥାନ। ଇଂରେଜ ଶାସନ ସମୟରୁ ହକି ଖେଳ ବିଧିବଦ୍ଧ ଭାବେ ଆରମ୍ଭ ହୋଇଥିଲା କଟକର ଶିକ୍ଷାନୁଷ୍ଠାନରୁ। ହକିର ଜନ୍ମସ୍ଥାନରେ ଯଦିଓ ଏବେ ହକି ଅଲୋଡା, ତଥାପି ଏଥର ଉଦ୍‌ଘାଟନ କାର୍ଯ୍ୟକ୍ରମ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଆୟୋଜନ ହେବା ଘଟଣା ନୂଆ ଉତ୍ସାହର କାରଣ ହୋଇଛି। କଟକର ଭେଟେରାନ୍‌ ହକି ଖେଳାଳି ପ୍ରଣବ କିଶୋର ପଟ୍ଟନାୟକ ୫ଥର ଓଡିଶା ହକି ଦଳର କ୍ୟାପ୍‌ଟେନ୍‌ ଥିଲେ। ଏବେ ସେ କୋଚ୍‌ ରହିଛନ୍ତି। କିନ୍ତୁ ଏବେ କଟକରେ ହକି ବିଶ୍ବକପ୍ ଉଦ୍‌ଘାଟନୀ କାର୍ଯ୍ୟକ୍ରମକୁ ନେଇ ସହର ଉତ୍ସବମୁଖର ହୋଇ ଉଠିଥିବା ବେଳେ ପୁରୁଣା ଖେଳାଳି କିନ୍ତୁ ଅଲୋଡା ହେଇଯାଇଛନ୍ତି। ତଥ୍ୟ କହୁଛି କଟକରୁ ଶହେରୁ ଅଧିକ ହକି ଖେଳାଳି ବାହାରିଛନ୍ତି। ଯେଉଁମାନେ କି ଓଡିଶା ଦଳରେ ସାମିଲ ହେବା ସହ ନେତୃତ୍ବ ବି ନେଇଛନ୍ତି। ଜାତୀୟ କୋଚ୍‌, ଆମ୍ପୟାର ମଧ୍ୟ ରହିଛନ୍ତି। କିନ୍ତୁ ଏବେ ଭିତ୍ତିଭୂମିର ଅଭାବ ଯୋଗୁଁ କଟକ ଅଥବା ଅନ୍ୟ ଉପକୂଳ ଜିଲ୍ଲାରୁ ଭଲ ହକି ଖେଳାଳି ବାହାରି ପାରୁ ନାହାନ୍ତି। ବର୍ତ୍ତମାନ ସାଧାରଣ ଭାବେ କ୍ରୀଡା ଛାତ୍ରାବାସରେ ସ୍ଥାନ ପାଉଥିବା ଖୋଳାଳିଙ୍କୁ ତାଲିମ ମିଳୁଛି ଓ ସେମାନେ ହିଁ ସ୍ଥାନ ପାଉଛନ୍ତି ହକି ଦଳରେ। କଟକକୁ କ୍ରୀଡା ରାଜଧାନୀ କୁହାଯାଉଥିଲେ ବି ଏଠି ହକିର ଭିତ୍ତିଭୂମି ନାହିଁ। ଦିନେ ଧ୍ୟାନଚାନ୍ଦଙ୍କଠାରୁ ଆରମ୍ଭ କରି ଯଶବୀର ସିଂହ, ମିଷ୍ଟର ଭିଲନ୍‌, ଶଶିନାଥନ୍‌ଙ୍କ ଭଳି ଖେଳାଳି ଓ କୋଚ୍‌ ସମସ୍ତ ଆସିଥିଲେ କଟକକୁ। ସତ୍ୟବ୍ରତ ଷ୍ଟାଡିୟମ୍‌ରେ ଦେଉଥିଲେ ହକିର ପ୍ରଶିକ୍ଷଣ। ସେ ସବୁ ଇତିହାସ ପାଲଟି ଯାଇଛି। ହକି ବିଶ୍ବକପ୍ ଉଦଘାଟନ ସମାରୋହ ସହିତ କଟକରେ ପୁଣି ହକିର ଇତିହାସ ଲେଖା ହେବ କି ବୋଲି ସବୁ ମହଲରେ ପ୍ରଶ୍ନ ଉଠୁଛି।

ଆମେ ଏବେ ଅଲୋଡ଼ା- ୧୯୮୩-୮୪ରେ ଓଡିଶା ପାଇଁ ହକି ଖେଳୁ ଥିଲି। ପରେ ଆନ୍ତର୍ଜାତିକ ଅମ୍ପାୟାର ହେଲି। ଏବଂ ଓଡିଶା ପୋଷ୍ଟାଲ ଦଳର କୋଚ ମଧ୍ୟ ଥିଲି। ଅନେକ ଜାତୀୟ, ଆନ୍ତର୍ଜାତିକ ମ୍ୟାଚ୍‌ ପଚିଳାନା କରିଛି। ଆମ ଟିମ୍‌କୁ ଅନେକ ଖେଳରେ ବିଜୟୀ କରାଇଛୁ। ଏଥିପାଇଁ ଗର୍ବ ବି ଅନୁଭବ ହୁଏ। ମୋ’ ଘର କଟକ ତୁଳସୀପୁରରେ। ଡାକବିଭାଗରୁ ଅବସର ନେବା ପରେ ଏବେ କଟକରେ ବି ରହୁଛି। ବିଶ୍ବକପ୍‌ ହକି ପାଇଁ ‌କେତେ କଣ ଆୟୋଜନ କରାଯାଉଛି। କିନ୍ତୁ ଆମେ ଆଜି ଅଲୋଡା ହୋଇପଡିଛୁ। ଆମକୁ କେହି ମନେ ପକାଉ ନାହାନ୍ତି। ନିମନ୍ତ୍ରଣ ମଧ୍ୟ କରାଯାଇନି। ଦୁଃଖ ଲାଗୁଛି କିନ୍ତୁ କହିବୁ କାହାକୁ? କଟକ ହିଁ ତ ହକିର ଜନ୍ମସ୍ଥାନ। କିନ୍ତୁ ଏଠି ହକିକୁ ବିଲୋପ କରିଦେଲେ। ପିଲା ବାହାରିବେ କେମିତି, ହକି ପାଇଁ ପଡିଆ ଥିଲେ ତ ପିଲା ବାହାରିବେ? ଜାଣିଶୁଣି ହକିର ଅପମୃତ୍ୟୁ କରି ଦିଆଗଲା କଟକରେ ବୋଲି କହିଛନ୍ତି ପ୍ରାକ୍ତନ୍‌ କୋଚ ତଥା ଆନ୍ତର୍ଜାତିକ ହକି ଅମ୍ପାୟାର ଦୁର୍ଗା ପ୍ରସାଦ ପଣ୍ଡା।

କଟକରୁ ପାନପୋଷ ଛାତ୍ରାବାସ ଉଠିଯିବା ପରେ ସବୁ ବଦଳି ଗଲା- ଓଡ଼ିଶାରେ ହକିର ଆରମ୍ଭ କଟକରୁ। ବ୍ରିଟିଶ୍‌ମାନେ ଆରମ୍ଭ କରିଥିଲେ ଏହି ଖେଳ। କଟକରେ ସ୍ବାଧୀନତା ପୂର୍ବରୁ ଥିବା ‌ରେଭେନ୍ସା କଲେଜ, ରେଭେନ୍ସା କଲିଜିଏଟ୍‌ ସ୍କୁଲ, ଖ୍ରୀଷ୍ଟ କଲେଜ, ଖ୍ରୀଷ୍ଟ କଲିଜିଏଟ୍‌ ସ୍କୁଲ ଭଳି ଅନୁଷ୍ଠାନରେ ବ୍ରିଟିଶମାନ ହକି ଖେଳକୁ ଆରମ୍ଭ କରିଥିଲେ। ଯାହାର ପ୍ରଥମ ମ୍ୟାଚ୍‌ ଓ ମୂଳଦୁଆ ପଡିଥିଲା ରେଭେନ୍ସା କଲେଜରେ। କଟକରେ ହକି ପାଇଁ ସ୍ବତନ୍ତ୍ର ଛାତ୍ରାବାସ ମଧ୍ୟ ଥିଲା। ହକି ଖେଳାଳି ତଥା ତତ୍କାଳୀନ କ୍ରୀଡ଼ା ସଚିବ ଏମ୍‌. ଲାଲ କଟକରେ ହକି ଛାତ୍ରାବାସ ଖୋଲିଥିଲେ। ଯେଉଁଠି କୋଚିଂ ଦିଆଯାଉଥିଲା। ଅଲମ୍ପିଆନ୍‌ ଉଇଲିୟମ୍‌ ଖାଲକୋ ଏହି ଛାତ୍ରାବାସରୁ ବାହାରି ଥିଲେ। ସୁନିଲ ଟପୋ ମଧ୍ୟ ଏହି ଛାତ୍ରବାସରୁ ବାହାରିଛନ୍ତି। ଦୀର୍ଘ ଦିନ ଧରି ହକି କହିଲେ ‌ବୁଝାଉଥିଲା ଓଡିଶା ପୁଲିସ ଓ ଆରଏସ୍‌ପି ରାଉରକେଲା ଟିମ୍‌କୁ। କିନ୍ତୁ ୨୦୧୦-୧୧ରେ ଏହି ଛାତ୍ରାବାସକୁ କଟକରୁ ସୁନ୍ଦରଗଡ ଜିଲ୍ଲାର ପାନପୋଷକୁ ଉଠାଇ ନିଆଯାଇଥିଲା। ସେହି ସମୟରେ ଏହାକୁ ବିରୋଧ କରିଥିଲୁ। କିନ୍ତୁ କେହି ଶୁଣି ନଥିଲେ ଆମ କଥା। ଏବେ ହକି ବିଶ୍ବକପ୍‌ ଓଡିଶାରେ ହେଉଛି, କଟକରେ ହେଉଛି ତାର ଉଦ୍‌ଘାଟନ ସମାରୋହ। କିନ୍ତୁ ଆମ ଭଳି ପୁରୁଣା ଖେଳାଳି, ଯେଉଁମାନେ ଦିନେ ଓଡିଶାକୁ ପ୍ରତିନିଧିତ୍ବ କରୁଥିଲେ, ସେମାନଙ୍କୁ ସରକାର ସଂପୂର୍ଣ୍ଣ ଭୁଲି ଯାଇଛନ୍ତି। ଲାଗୁଛି ହକି ‌ଏବେ ସଂପୂର୍ଣ୍ଣ ସରକାରଙ୍କ ନିୟନ୍ତ୍ରଣରେ ରହିଛି। ଆମ ଭଳି ସବୁ ପୁରୁଣା ଖେଳାଳିଙ୍କର କୌଣସି ଭୂମିକା ବି ନାହିଁ ବୋଲି କହିଛନ୍ତି ପ୍ରାକ୍ତନ ଓଡିଶା ହକି ଦଳର କ୍ୟାପ୍‌ଟେନ୍‌ ତଥା ବର୍ତ୍ତମାନର କୋଚ୍  ପ୍ରଣବ କିଶୋର ପଟ୍ଟନାୟକ।

Sambad

 

ଆମ ଦେଶର ଖେଳ… ଆମ ଜାତିର ଖେଳ… ଆମ ଜାତୀୟ ଖେଳ ହକି- ଆମ ଦେଶର ଖେଳ… ଆମ ଜାତିର ଖେଳ…ଆମ ଜାତୀୟ ଖେଳ ହକି…। ବିଶ୍ବକପ୍‌ ହକି ପାଇଁ ପଞ୍ଚମୁଖୀ ଷ୍ଟୁଡିଓରେ ଓଲିଉଡ୍‌ କଳାକାରଙ୍କୁ ନେଇ ହକି ବିଶ୍ବକପ୍ ଥିମ୍ ସଙ୍ଗ ପ୍ରସ୍ତୁତ ହୋଇଛି। ଆମ ଦେଶର ଖେଳ…ଆମ ଜାତିର ଖେଳ… ନାଁରେ ଗୀତ ରହିଛି। ଏହି ଗୀତକୁ ଓଲିଉଡ୍‌ର ବିଶିଷ୍ଟ ଗୀତିକାର ବିଭୂତି ସ୍ବାଇଁ ଏହାକୁ ଲେଖିଥିବା ବେଳେ ସଂଗୀତ ନିର୍ଦ୍ଦେଶନା ସହିତ କଣ୍ଠଦାନ କରିଛନ୍ତି ଯୁବ କଣ୍ଠଶିଳ୍ପୀ ବିଶ୍ବଜିତ ଆଚାର୍ଯ୍ୟ। ମିଟୁ-ପପୁଲି ସଂଗୀତର ପ୍ରୋଗ୍ରାମିଂ କରିଛନ୍ତି। ହକି ବିଶ୍ବକପ୍ ପରିବେଶକୁ ସରଗରମ କରିବା ପାଇଁ ଏହି ଗୀତ ସହାୟକ ହେବ ବୋଲି ଆଲୋଚନା ହେଉଛି। ଏହି ଗୀତ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି।

କର୍ପୋରେଟର୍‌ଙ୍କ ପାଇଁ ଲକ୍ଷେ ୧୮ ହଜାର ଟଙ୍କା ବ୍ୟୟ- ବିଶ୍ବକପ ହକି ଉଦ୍‌ଘାଟନୀ ଉତ୍ସବ ପାଇଁ ପୌର ନିଗମ ୧ ଲକ୍ଷ ୧୮ ହଜାର ଟଙ୍କାର ଟିକେଟ ନିଗମ କର୍ପୋରେଟରଙ୍କୁ ବାଣ୍ଟିଛି। ଉଦ୍‌ଘାଟନୀ ଉତ୍ସବ ଆୟୋଜନର ବିଭିନ୍ନ ଦିଗକୁ ନେଇ ବହୁ କ‌ର୍ପୋରେଟର ଅସନ୍ତୋଷ ପ୍ରକାଶ କରୁଥିବା ବେଳେ ସେମାନଙ୍କୁ ସନ୍ତୁଷ୍ଟ କରିବାକୁ ନିଗମ ପକ୍ଷରୁ ଏପରି ଉଦ୍ୟମ କରାଯାଇଥିବା ଆଲୋଚନା ହେଉଛି। ଗତ ୫ ତାରିଖରେ ନିଗମ ୫ ଶହ ଟଙ୍କାର ବ୍ଲକ୍‌ -ଏଫ୍‌ର ଦୁଇଟି ଟିକେଟ ପ୍ରତ୍ୟେକ କର୍ପୋରେଟରଙ୍କୁ ବାଣ୍ଟିଥିଲା। ଆଜି ପୁଣି ଅଢେଇ ଶହ ଟଙ୍କାର ଗ୍ୟାଲେରି ୭ ନମ୍ବରର ୪ଟି ଟି‌କେଟ ପ୍ରତ୍ୟେକ କର୍ପୋରେଟରଙ୍କୁ ଦେଇଛି। ୨ ହଜାର ଟଙ୍କା ଦେଇ ନିଗମ ୬ଟି ଟିକେଟ କିଣି ପ୍ରତ୍ୟେକ କର୍ପୋରେଟରଙ୍କୁ ବାଣ୍ଟିଛି। ୫୯ ଜଣ କର୍ପୋରେଟରଙ୍କୁ ଟିକଟ ବାଣ୍ଟିବା ବାବଦରେ ନିଗମ ମୋଟ ୧ ଲକ୍ଷ ୧୮ ହଜାର ଟଙ୍କା ଖର୍ଚ୍ଚ କରିଛି। ସୂଚନାଯୋଗ୍ୟ, ବାଲିଯାତ୍ରା ସମୟରେ ପୌର ନିଗମ ଲକ୍ଷାଧିକ ଟଙ୍କାର ଦୋଳି ଟିକେଟ କିଣି କର୍ପୋରେଟରଙ୍କୁ ବାଣ୍ଟିଥିଲା। ଏହାକୁ ନେଇ ବିବାଦ ଥମି ନଥିବା ବେଳେ ଏବେ କର୍ପୋରେଟରଙ୍କୁ ଟିକେଟ କିଣି ବାଣ୍ଟିବା ଘଟଣାକୁ ନେଇ ଚର୍ଚ୍ଚା ହେଉଛି।

Sambad

ବାରବାଟୀରେ ଚୂଡ଼ାନ୍ତ ସମୀକ୍ଷା- ବାରବାଟୀ ‌ଷ୍ଟାଡିୟମରେ ହେବାକୁ ଥିବା ହକି ଉଦ୍‌ଘାଟନୀ ଉତ୍ସବର ପ୍ରସ୍ତୁତି କାର୍ଯ୍ୟକୁ ଆଜି ସଂଧ୍ୟ‌ାରେ ୫-ଟି ସଚିବ ଭି.କେ. ପାଣ୍ଡିଆନ୍‌ ସମୀକ୍ଷା କରିଛନ୍ତି। ଉଦ୍‌ଘାଟନୀ ଉତ୍ସବର ପ୍ରସ୍ତୁତି ମଞ୍ଚ, ନିମନ୍ତ୍ରିତ ଅତିଥି, ଖେଳାଳିଙ୍କ ବସିବା, ଟ୍ରାଫିକ ବ୍ୟବସ୍ଥା ପରି ବିଭିନ୍ନ ବିଷୟକୁ ନେଇ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହିତ ସେ ଆଲୋଚନା କରିଛନ୍ତି। ଶ୍ରୀ ପାଣ୍ଡିଆନ୍‌ଙ୍କ ସହିତ କ୍ରୀଡ଼ା ସଚିବ ଭିନିଲ କ୍ରିଷ୍ଣା, ମେୟର ସୁବାସ ସିଂହ, ଓସିଏ ସଭାପତି ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ, ବିଧାୟକ ସୌଭିକ ବିଶ୍ବାଳ, ବିଧାୟକ ଦେବୀ ରଂଜନ ତ୍ରିପାଠୀ, ବିଧାୟକ ଚନ୍ଦ୍ରସାରଥି ବେହେରା, ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, କମିସନର ନିଖିଲ ପୱନ କଲ୍ୟାଣ, ସିଡିଏ ଅଧ୍ୟକ୍ଷ ଅନୀଲ କୁମାର ସାମଲ, ଡିସିପି ପିନାକ ମିଶ୍ର, ନିରାମୟର ଉପଦେଷ୍ଟା ଡକ୍ଟର ରଂଜନ ବିଶ୍ବାଳ, ବିଜେଡି ନେତା ଅରିନ୍ଦମ ରୟଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ଯନ୍ତ୍ରୀ ଉପସ୍ଥିତ ଥିଲେ।

ହକି ପାଇଁ ପାର୍କିଂ ଫି, ବାଇକ୍‌ ୨୦, କାର୍‌ ଓ ଅଟୋ ୫୦; ବସ୍‌ ୧୦୦ ଟଙ୍କା – ହକି ଉଦ୍‌ଘାଟନୀ ଉତ୍ସବ ପାଇଁ ପୌର ନିଗମ ପକ୍ଷରୁ ୫ଟି ପାର୍କିଂ ସ୍ଥାନ ହୋଇଥିବା ବେଳେ ସେଥିରୁ ବିନା ଟେଣ୍ଡରରେ ୪ଟି ପାର୍କିଂ ସ୍ଥାନ ଜଣେ ବ୍ୟକ୍ତିଙ୍କୁ ଦିଆଯାଇଥିବା ଅଭିଯୋଗ ହୋଇଛି। ଜାନୁଆରି ୧୧ ତାରିଖରେ ବାରବାଟୀରେ ହକି ଉଦ୍‌ଘାଟନୀ ଉତ୍ସବ ହେବାକୁ ଥିବା ବେଳେ ନିଗମ ପକ୍ଷରୁ ୫ଟି ପାର୍କିଂରୁ ଗୋଟିଏ ପାର୍କିଂ ଭିଆଇପିଙ୍କ ପାଇଁ ରହିଛି। ଏହାକୁ ପୁଲିସ ନିୟନ୍ତ୍ରଣ କରିବ। ଅନ୍ୟ ୪ଟି ପାର୍କିଂକୁ ୩୦ ହଜାର ଟଙ୍କାରେ ବିନା ଟେଣ୍ଡର ପ୍ରକ୍ରିୟାରେ ନିଗମର କର୍ତ୍ତୃ୍ପକ୍ଷ ଜଣଙ୍କୁ ଦେଇଛନ୍ତି। ବାରବାଟୀ‌ରେ ହକି ଉତ୍ସବ ଆୟୋଜନ ପାଇଁ ୨ ମାସ ପୂର୍ବରୁ ଯୋଜନା ପ୍ରସ୍ତୁତ ହୋଇଥିଲା। ମାତ୍ର ଏହା ମଧ୍ୟରେ ନିଗମ ପାର୍କିଂ ପାଇଁ ଟେଣ୍ଡର ନକରି ଜଣେ ଲୋକଙ୍କୁ ୪ଟି ପାର୍କିଂ ଦେବାକୁ ନେଇ ଅନେକ ପ୍ରଶ୍ନ ମୁଣ୍ଡ ଟେକିଛି। ଦେୟ ଯୁକ୍ତ ୪ଟି ପାର୍କିଂରେ ସାଧାରଣ ଲୋକେ ବାଇକ୍ ପାଇଁ ୨୦ ଟଙ୍କା, କାର ଓ ଅଟୋ ପାଇଁ ୫୦ ଟଙ୍କା ଓ ବସ ପରି ବଡ ଗାଡି ପାଇଁ ୧୦୦ ଟଙ୍କା ଦେବାକୁ ପଡିବ। ବାଲିଯାତ୍ରା ତଳ ପଡ଼ିଆର ବୋଇତ ଗେଟ୍‌ର ଉଭୟ ପାର୍ଶ୍ବରେ ଦୁଇଟି ପାର୍କିଂ କରାଯାଇଛି। ସେଥି ମଧ୍ୟରୁ ଗେଟ୍‌ର ବାମ ପାର୍ଶ୍ବ ପାର୍କିଂରେ ଭିଆଇପିଙ୍କ ଗାଡି ରଖିବାର ବ୍ୟବସ୍ଥା ହୋଇଛି। ଗେଟର ଡାହାଣ ପାର୍ଶ୍ବରେ ଥିବା ପାର୍କିଂରେ ସାଧାରଣ ଲୋକେ ଟଙ୍କା ଦେଇ ଗାଡି ରଖିପାରିବେ। ସେହିପରି ଦୟାଶ୍ରମ, କେମ୍ବ୍ରିଜ୍‌ ସ୍କୁଲ ପରିସର ଓ ତୁଳସୀପୁର ଖ୍ରୀଷ୍ଟିୟାନ ପଡ଼ିଆରେ ସାଧାରଣ ଲୋକଙ୍କ ପାଇଁ ଦେୟଯୁକ୍ତ ପାର୍କିଂ ବ୍ୟବସ୍ଥା କରାଯାଇଛି।

ବିଶ୍ବକପ୍‌ ହକି ପାଇଁ ଏସ୍‌ସିବି ପ୍ରସ୍ତୁତ, ୧୪ ଆଇସିୟୁ, ୫୦ ସାଧାରଣ ବେଡ୍‌, ସ୍ବତନ୍ତ୍ର ଆମ୍ବୁଲାନ୍ସ- ବିଶ୍ବକପ୍‌ ହକି ପାଇଁ ଏସ୍‌ସିବି ମେଡିକାଲ୍‌ରେ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଛି। ଏଥିପାଇଁ ଏସ୍‌ସିବି ପକ୍ଷରୁ ସ୍ବତନ୍ତ୍ର ବିଶେଷଜ୍ଞ ଟିମ୍‌ ଗଠନ କରାଯିବା ସହ ୧୪ଟି ଆଇସିୟୁ ବେଡ୍‌, ୫୦ଟି ସାଧାରଣ ବେଡ୍‌ ପ୍ରସ୍ତୁତ ରଖାଯାଇଛି। ଏଥିସହ ଷ୍ଟାଡିୟମ୍‌ ପାଖରେ ଏଏଲ୍‌ଏସ୍‌ ଆମ୍ବୁଲାନ୍ସ ପ୍ରସ୍ତୁତ ରଖାଯାଇଥିବାବେଳେ ଏଥିରେ ଏକ ଡାକ୍ତରି ଟିମ୍‌ ପ୍ରସ୍ତୁତ ହୋଇ ରହିବେ। ସେହିପରି ଏସ୍‌ସିବି ଟ୍ରମା କାଜୁଆଲିଟିରେ ୧୪ଟି ଆଇସିୟୁ ବେଡ୍‌ ପ୍ରସ୍ତୁତ ରଖାଯାଇଛି। ଚକ୍ଷୁ ବିଭାଗର ୩ୟ ଓ ୪ର୍ଥ ମହଲାରେ ଥିବା ୫୦ଟି ବେଡ୍‌ ଏଥିପାଇଁ ପ୍ରସ୍ତୁତ ରଖାଯାଇଛି। ନିଶ୍ଚେତକ, ମେଡିସିନ୍‌, ସର୍ଜରି, ଅର୍ଥୋପେଡିକ୍‌, କାର୍ଡିଓଲୋଜି ବିଭାଗ ଡାକ୍ତରଙ୍କୁ ନେଇ ଟିମ୍‌ ଗଠନ କରାଯାଇଛି। ଟ୍ରମା କାଜୁଆଲିଟିରେ ଉକ୍ତ ଟିମ୍‌ ପ୍ରସ୍ତୁତ ରହିବେ ବୋଲି ଏସ୍‌ସିବି ଜରୁରିକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର