ବିମାନରେ ଉଡ଼ି କରୁଥିଲା ଚୋରି: ୩୬ ବର୍ଷରେ ହେମନ୍ତର ୫୦୦ ଅପରାଧ

କଟକ: ୮୦ ଦଶକରେ ମୁମ୍ବାଇର ତାଜ୍ ହୋଟେଲରେ ରହି ଅପରାଧର ମାଷ୍ଟରପ୍ଲାନ୍ ରଚିଥିବା କୁଖ୍ୟାତ ଅପରାଧୀ ହେମନ୍ତ କୁମାର ଦାସ ପୁଲିସ ଜାଲରେ ପଡ଼ିଛି। ବାଦାମବାଡ଼ି ଥାନା ପୁଲିସ ଭୁବନେଶ୍ବର ଲିଙ୍ଗରାଜ ଥାନା ହାଟସାହିର ୫୯ ବର୍ଷିୟ ହେମନ୍ତକୁ ଗିରଫ କରିଛି। ୧୯୮୬ରୁ ଅପରାଧ ଦୁନିଆକୁ ଆସିଥିବା ହେମନ୍ତ ଓଡ଼ିଶାରେ ଏକୁଟିଆ ୧୧୦ଟି ଚୋରି କରିଥିବା ପୁଲିସ ରେକର୍ଡ କହୁଛି। କିନ୍ତୁ ସେ ୫୦୦ରୁ ଅଧିକ ଚୋରି ଏକୁଟିଆ କରିଛି, ଯାହାର ହିସାବ ନିଜେ ହେମନ୍ତ ପୁଲିସକୁ ଦେଇଛି। ଏସବୁ ଚୋରି ଅଭିଯୋଗ ଥାନାରେ ପଞ୍ଜିକରଣ ହୋଇନାହିଁ। ଚୋରି କରିଥିବା ଟଙ୍କା ଓ ଅଳଙ୍କାରରେ ବିମାନରେ ଯାଇ ମୁମ୍ବାଇର ତାଜ୍ ଭଳି ବିଳାସପୂର୍ଣ୍ଣ ହୋଟେଲରେ ଅୟସ କରିବା ଓ ମଦ ପିଇ ଦେହଜୀବୀଙ୍କ ସହିତ ରାତି କଟାଇବା ତାର ସଉକ ଥିଲା। ପୁଲିସ ହେମନ୍ତର ରାଜ୍ୟ ବାହାରେ କରିଥିବା ଅପରାଧ ସମ୍ପର୍କରେ ଖୋଳତାଡ଼ ଆରମ୍ଭ କରିଥିବା ସୂଚନା ମିଳିଛି। ବାଦାମବାଡ଼ି ବିକାଶ ନଗର ଅଞ୍ଚଳର ପ୍ରତାପ ଚନ୍ଦ୍ର ଦାସଙ୍କ ଘର ଓ ଅଫିସର ଘର ତାଲା ଭାଙ୍ଗି ଗଲା ଜାନୁଆରି ୨୯ ତାରିଖରେ ବଡ଼ ଧରଣର ଚୋରି ହୋଇଥିଲା। ଘରୁ ଦୁର୍ବୃତ୍ତ ୩ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟିଥିବା ବେଳେ ଅଫିସରୁ ନଗଦ ୫୦ ହଜାର ଟଙ୍କା, ଚେକ୍ ବହି ଓ ଅନ୍ୟାନ୍ୟ ସାମଗ୍ରୀ ଲୁଟିଥିବା ସମ୍ପର୍କରେ ୩୦ ତାରିଖରେ ବାଦାମବାଡ଼ି ଥାନାରେ ଏତଲା ହୋଇଥିଲା। ପୁଲିସ ଘଟଣାର ତଦନ୍ତ ପରେ ହେମନ୍ତ ଏଭଳି କାଣ୍ଡ ଘଟାଇଥିବା ଜାଣିବାକୁ ପାଇଥିଲା। ଏହି ଲୁଟ୍ ପରେ ସେ ଅଳଙ୍କାରକୁ ବାରଙ୍ଗ ଦାଢ଼ାପାଟଣା ଅଞ୍ଚଳର ବୈଦ୍ୟନାଥ ସାହୁ ନାଁରେ ଜଣେ ବଣିଆକୁ ବିକ୍ରି କରିଥିବା ଜଣାପଡ଼ିଥିଲା। ପୁଲିସ ଉଭୟଙ୍କୁ ଗିରଫ କରିଛି। ଏମାନଙ୍କ ନିକଟରୁ ୪ ହଳ ସୁନା କାନଫୁଲ, ସୁନା ଓ ବ୍ରୋଞ୍ଜ ମିଶା ଚୁଡ଼ି, ୨ଟି ସୁନା ଚେନ୍, ୪ ହଳ ସୁନା ମୁଦି, ରୁପା ମୁକୁଟ, ଦୁଇ ହଳ ରୁପା ପାଉଁଜି, ଗୋଟିଏ ନକଲି ଆଧାର କାର୍ଡ, ମୋବାଇଲ୍ ଫୋନ, ନଗଦ ୨୨ ହଜାର ଟଙ୍କା, ଗ୍ରିଲ ଭାଙ୍ଗିବାରେ ବ୍ୟବହାର ହେଉଥିବା ଦୁଇଟି ସେଣୀ ଜବତ ହୋଇଛି। ମୋଟ ୪୦ ଗ୍ରାମ ଓଜନର ସୁନା ଗହଣା, ୨୫୦ ଗ୍ରାମ ରୁପା ଜବତ ହୋଇଛି।

ହେମନ୍ତର ଅପରାଧ ଫର୍ଦ୍ଦ
ପୁରୀ ସଦର ଥାନାରେ ଗୋଟିଏ ମାମଲା, କୁମ୍ଭାରପଡ଼ା ଥାନାରେ ୨ଟି, ପୁରୀ ଟାଉନରେ ଦୁଇଟି, ପୁରୀ ବାଲିସାହିରେ ଗୋଟିଏ, ଗୋପରେ ଗୋଟିଏ, ପୁରୀ ସଦରରେ ଗୋଟିଏ, ବାଲୁଗାଁରେ ୮ଟି, ଲିଙ୍ଗରାଜ ଥାନାରେ ୨୧ଟି ମାମଲା, ବଡ଼ଗଡ଼ ଥାନାରେ ୧୭ଟି ମାମଲା, କ୍ୟାପିଟାଲ୍ ଥାନାରେ ୪ଟି ମାମଲା, ଚନ୍ଦ୍ରଶେଖର ଥାନାରେ ଗୋଟିଏ, ନୟାପଲ୍ଲୀ ଥାନାରେ ଗୋଟିଏ, ଲକ୍ଷ୍ମୀସାଗର ଥାନାରେ ୪ଟି, ଖଣ୍ଡଗିରିରେ ଗୋଟିଏ, ସହିଦ ନଗର ଥାନାରେ ୧୬ଟି, ଭୁବନେଶ୍ବରରେ ତିନୋଟି, ମଙ୍ଗଳାବାଗ ଥାନାରେ ଦୁଇଟି, ପୁରୀଘାଟ ଥାନାରେ ଦୁଇଟି, ବାଦାମବାଡ଼ିରେ ୪ଟି, ବଡ଼ଚଣା ଥାନାରେ ଗୋଟିଏ, ବରଗଡ଼ ଥାନାରେ ଗୋଟିଏ, ବାଣପୁର କୋର୍ଟରେ ଗୋଟିଏ ମାମଲା, ଅନୁଗୁଳ ଥାନାରେ ୪ଟି, ବ୍ରହ୍ମପୁର ଗୋସାଣୀ ନୂଆଗାଁରେ ଗୋଟିଏ, କେ.ଭି ନଗର ଥାନାରେ ୮ଟି ମାମଲା ରହିଛି। ଏହିପରି ମୋଟ ୧୧୦ ମାମଲା ରାଜ୍ୟର ବିଭିନ୍ନ ଥାନାରେ ରହିଛି। ସେହିପରି ବଣିଆ ବୈଦ୍ୟନାଥ ସାହୁ ବିରୋଧରେ ୧୨ଟି ମାମଲା ରହିଛି। ମଧୁପାଟଣା, ବାରଙ୍ଗ, କଟକ ସଦର, ମଞ୍ଚେଶ୍ବର, ବାଲିଅନ୍ତା, ନୟାପଲ୍ଲୀ, ପୁରୀଘାଟ ଓ ବାଦାମବାଡ଼ି ଥାନାରେ ଚୋରି ଓ ଡକାୟତି ଭଳି ଅପରାଧୀକ ମାମଲା ରହିଛି। ହେମନ୍ତ ଯେଉଁ ସୁନା ଅଳଙ୍କାର ଚୋରି କରୁଥିଲା ତାକୁ ଅନେକ ସମୟରେ ବୈଦ୍ୟନାଥକୁ ବି ଦେଉଥିଲା। ବୈଦ୍ୟନାଥ ୨୦୦୮ ମହିସାରୁ ଚୋରି ଓ ଚୋରା ସୁନା ଅଳଙ୍କାର କିଣିବା ଭଳି କାରନାମାରେ ନିଜକୁ ସାମିଲ କରି ଦେଇଥିଲା। ମୟୁରଭଞ୍ଜରେ ଏକ ଚୋରି ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଥିବା କୁହାଯାଉଥିବା ବେଳେ ପୁଲିସ ଏ ନେଇ ଅଧିକ ତଦନ୍ତ କରୁଛି। ୩୬ ବର୍ଷର ଅପରାଧ ଦୁନିଆରେ କେତେ ଥର ସେ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଛି, ପୁଲିସ ସେ ନେଇ ଅଧିକ ଅନୁସନ୍ଧାନ ଚଳାଇଛି।

୮୦ ଦଶକରେ ଖୋର୍ଧା ଏସ୍‌ପିଙ୍କ ନିଦ ହଜାଇଥିଲା

ହେମନ୍ତ ୧୯୮୬ରେ ଅପରାଧ ଦୁନିଆରେ ପାଦ ଦେଇଥିଲା। ସେହିବର୍ଷ ଭୁବନେଶ୍ବରରେ ଉତ୍ପାତ କରିଥିଲା ହେମନ୍ତ। ପ୍ରଥମ ବର୍ଷରେ ବିଳମ୍ବିତ ରାତିରେ ୬ଟି ଚୋରି ସମାନ ଧରଣର କରିଥିଲା। ବଡ଼ଗଡ଼ ଅଞ୍ଚଳରେ ୪ଟି ଓ ଲିଙ୍ଗରାଜ ଅଞ୍ଚଳରେ ଦୁଇଟି ଚୋରି କରିଥିଲା। ସେତେବେଳେ ଖୋର୍ଧା ଏସପିଙ୍କ ଅଧୀନରେ ଥାଏ ଭୁବନେଶ୍ବର। ଖୋର୍ଧା ଏସପିଙ୍କ ନିଦ ହଜାଇ ଦେଇଥିଲା ହେମନ୍ତ। ଏହାପରଠାରୁ ସେ ରାଜ୍ୟର ଅର୍ଦ୍ଧାଧିକ ଜିଲ୍ଲାରେ ଆତଙ୍କ ସୃଷ୍ଟି କରିଥିଲା। ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ରରେ ବି ଅପରାଧୀକ ମାମଲାରେ ସମ୍ପୃକ୍ତ ରହିଛି। ମୁଖ୍ୟତଃ ଚୋରି, ସିନ୍ଧି ଚୋରି ଭଳି ଅପରାଧ ସେ ଏକୁଟିଆ କରୁଥିଲା।

 

କୁଖ୍ୟାତ ଲୁଟେରା ଅଭି ଡାକୁଆ ନାଁରେ ଆଧାର

ହେମନ୍ତ ନିକଟରୁ ଯେଉଁ ଆଧାର କାର୍ଡ ଜବତ ହୋଇଛି, ଏହା ଅଭି ଡାକୁଆ ନାଁରେ ରହିଛି। ଗଞ୍ଜାମର ଜଣେ ପେଶାଦାର ନିଶା ଦିଆ ଲୁଟେରା ହେଉଛି ଅଭି ଡାକୁଆ। ଅଭି ଡାକୁଆ ନାଁ କହିଲେ ଗଞ୍ଜାମ ପୁଲିସର ଚିନ୍ତା ବଢ଼ିଯାଏ। ଏବେ ସେ ଜେଲରେ ଅଛି। ହେମନ୍ତ ୧୯୮୬ରୁ ଅଜି ସୁଦ୍ଧା ୩୬ ବର୍ଷ ହେବ ଅପରାଧ ଘଟାଉଥିବାରୁ ପୁଲିସ ରେକର୍ଡରେ ବଦନାମ ହୋଇଯାଇଥିଲା। ତେଣୁ ସେ ଅଭି ଡାକୁଆ ନାଁରେ ଏକ ଆଧାର କାର୍ଡ ଗଲା ୭ ବର୍ଷ ତଳେ ତିଆରି କରିଥିଲା। ଗୋଟିଏ ସମୟରେ ସେ ଅଭି ସହିତ ମିଶି ଅପରାଧ କରୁଥିଲା। ପୁଲିସକୁ ଭୂଆଁ ବୁଲାଇବା ପାଇଁ ଆଧାର କାର୍ଡରେ ନାଁ ଅଭିର ଓ ଫଟୋ ନିଜର ବ୍ୟବହାର କରିଥିଲା।

ମହାରାଷ୍ଟ୍ର, କଲିକତାରେ ୧୪ରୁ ଅଧିକ ଅପରାଧ
ମହାରାଷ୍ଟ୍ରରେ ହେମନ୍ତ ୬ରୁ ଉର୍ଦ୍ଧ୍ବ ଓ କଲିକତାରେ ୮ରୁ ଉର୍ଦ୍ଧ୍ବ ଅପରାଧ ଘଟାଇଛି। ମହାରାଷ୍ଟ୍ରରେ ଚୋରି କରିବା ସମୟରେ ସେ ମୁମ୍ବାଇର ତାଜ୍ ହୋଟେଲରେ ରହିଥିଲା। ସେଠାରେ ରହି ମୁମ୍ବାଇର କେଉଁ ଅଞ୍ଚଳରେ ଚୋରି କରିବ, ସେ ନେଇ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରୁଥିଲା। ପରେ ଘଟଣାସ୍ଥଳକୁ ଯାଇ ଚୋରି କରୁଥିଲା। କଲିକତାରେ ଏକ ଦାମୀ ହୋଟେଲରେ ରହି ବାଥରୁମ ସ୍କାଏ ଲାଇଟ୍ ଭାଙ୍ଗି ପାଖ ରୁମରୁ ବି ଚୋରି କରିଥିଲା। ପୁଲିସ ଏ ସମ୍ପର୍କରେ ହେମନ୍ତ ନିକଟରୁ ସୂଚନା ହସ୍ତଗତ କରିଛି। ଓଡ଼ିଶାରେ ହେମନ୍ତର ସମସ୍ତ ଅପରାଧ ରେକର୍ଡ ପୁଲିସ ହାତରେ ଲାଗିଥିବା ବେଳେ ମହାରାଷ୍ଟ୍ର ଓ କଲିକତା ସମ୍ପର୍କରେ ଖୋଳତାଡ଼ ଆରମ୍ଭ ହୋଇଛି।

ପ୍ରଥମ ପସନ୍ଦ କଲିକତାର ସୋନାଗାଚ୍ଛି
ହେମନ୍ତ ବିବାହ କରିଥିବା ବେଳେ ପରିବାରକୁ ଚୋରି ଟଙ୍କାରେ ଚଳାଉଥିଲା। ତା’ର ଏକ ବିଳାସପୂର୍ଣ୍ଣ ହୋଣ୍ଡା କାର୍ ବି ଥିଲା। କିନ୍ତୁ ତାକୁ ନିକଟରେ ବିକ୍ରି କରିଦେଇଛି। ବର୍ଷରେ ଅଧା ଦିନ ସେ କଲିକତାର ସୋନାଗାଚ୍ଛିରେ ରହୁଥିଲା। ସେଠାରେ ସେ ଦେହଜୀବୀଙ୍କ ପଛରେ ଟଙ୍କା ଉଡ଼ାଉ ଥିଲା। ଦେହଜୀବୀଙ୍କ ସହିତ ରାତି କାଟିବା ସହିତ ଦାମୀ ମଦ ପିଉଥିଲା। ଟଙ୍କା ସରିଗଲେ ପୁଣି ଓଡ଼ିଶା ଫେରିଆସି ଚୋରି କରିବାକୁ ଯୋଜନା କରୁଥିଲା। କଲିକତାରେ ଏକ ପ୍ରକାର ସ୍ଥାୟୀ ବାସିନ୍ଦା ହୋଇଯାଇଥିଲା ହେମନ୍ତ। ବଙ୍ଗାଳି ଭାଷା ବି ଭଲ କହି ପାରୁଥିଲା।

ସମ୍ବନ୍ଧିତ ଖବର