ଦୁର୍ଦ୍ଦାନ୍ତ ନିତିଆକୁ ‘ତଡ଼ିପାର‌୍‌’; ଦେଖାଦେଲେ ଗିରଫ ନିର୍ଦ୍ଦେଶ

ତଡ଼ିପାର‌୍‌ ତାଲିକାରେ ଆହୁରି ୧୦

କଟକ: କମିସନରେଟ୍‌ ପୁଲିସ ଦୁର୍ଦ୍ଦାନ୍ତ ନିତିଆ ଓରଫ ରବୀନ୍ଦ୍ର ବେହେରାକୁ ‘ତଡ଼ିପାର‌୍‌’ କରିଛି। ମଙ୍ଗଳାବାଗ ଅଞ୍ଚଳରେ ୧୨ରୁ ଅଧିକ ସ˚ଗୀନ ଅପରାଧିକ ମାମଲା ରହିଛି। ବାରମ୍ବାର ମଙ୍ଗଳାବାଗ ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବାରୁ ତାକୁ ପୁଲିସ କମିସନରଙ୍କ ନିର୍ଦ୍ଦେଶ ଆଧାରରେ ‘ତଡ଼ିପାର‌୍‌’ କରାଯାଇଛି। ନଟିଆ ମଙ୍ଗଳାବାଗ ଅଞ୍ଚଳରେ ଚଳପ୍ରଚଳ କଲେ ପୁଲିସ ତାକୁ ଗିରଫ କରିବା ନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି। ଅନ୍ୟପଟେ କଟକ ସହରରେ ଆହୁରି ପ୍ରାୟ ୧୦ ଜଣ ପେସାଦାର ଅପରାଧୀଙ୍କୁ ତଡ଼ିପାର‌୍‌ କରିବାକୁ ଡିସିପି ଅଫିସ ତରଫରୁ କମିସନରେଟ୍‌ ପୁଲିସକୁ ସୁପାରିଶ କରାଯାଇଛି। ଏହି ଅପରାଧୀମାନଙ୍କ ବର୍ତ୍ତମାନର କାର୍ଯ୍ୟକଳାପ ଉପରେ ଅନୁଧ୍ୟାନ କରାଯାଉଛି। ଖୁବ ଶୀଘ୍ର ଏମାନଙ୍କୁ ବି ତଡ଼ିପାର‌୍‌ କରାଯିବା ନେଇ ଯୋଜନା କରାଯାଉଛି। ଏହା ସହିତ ଆଉ କିଛି ଅପରାଧୀଙ୍କୁ ଏନ୍‌ଏସ୍‌ଏ(ଜାତୀୟ ନିରାପତ୍ତା ଆଇନ) ଆଧାରରେ ବୁକ୍‌ କରିବାକୁ ବି କମିସନରେଟ୍‌ ପୁଲିସ ଯୋଜନା କରୁଥିବା ସୂଚନା ମିଳିଛି।

ଦୁର୍ଦ୍ଦାନ୍ତ ନିତିଆ ୨୦୦୮ ଜୁନ ୧ ତାରିଖରୁ ପୁଲିସ ରେକର୍ଡରେ ନାଁ ଚଢ଼ାଇଥିଲା। ମଙ୍ଗଳାବାଗ ଥାନାରେ ନିତିଆ ବିରୋଧରେ ପ୍ରଥମ ଥର ଏକ ଅପରାଧିକ ମାମଲା ରୁଜୁ ହୋଇଥିଲା। ଚୋରା ବନ୍ଧୁକ କାରବାରରେ ନିତିଆର ସମ୍ପୃକ୍ତି ଥିବା ଅଭିଯୋଗରେ ପୁଲିସ ନଟିଆ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଶେଷ ମାମଲା ୨୦୨୦ ମାର୍ଚ୍ଚ ୧୧ ତାରିଖରେ ରୁଜୁ ହୋଇଥିଲା। ଶେଷ ମାମଲାରେ ନିତିଆ ହତ୍ୟା ଉଦ୍ୟମ କରିଥିବା ମଙ୍ଗଳାବାଗ ଥାନାରେ ଅଭିଯୋଗ ହୋଇଥିଲା। ନିତିଆ ବିରୋଧରେ ରୁଜୁ ହୋଇଥିବା ୧୩ଟି ମାମଲା ମଙ୍ଗଳାବାଗ ଥାନା ଅଞ୍ଚଳରେ ରୁୁଜୁ ହୋଇଛି। ଏଥିରେ ସେ ଏକାଧିକ ହତ୍ୟା ଉଦ୍ୟମ, ଡକାୟତି, ଚୋରା ବନ୍ଧୁକ କାରବାର ଭଳି ସ˚ଗୀନ ମାମଲା ରହିଛି। ୭ରୁ ଅଧିକ ମାମଲାରେ କୋର୍ଟରୁ ନିର୍ଦ୍ଦୋଷରେ ଖଲାସ ହୋଇଥିବା କୁହାଯାଉଛି। ସାକ୍ଷୀଙ୍କୁ ଭୟଭୀତ କରି ଆଇନ ଆଖିରୁ ଖସିଯାଉଥିବାରୁ ପୁଲିସ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଥିଲା।

୨୦୨୦ ନଭେମ୍ବର ୨୯ ତାରିଖରେ ଧଳସାମନ୍ତଙ୍କ ସହଯୋଗୀ ଦୁର୍ଦ୍ଦାନ୍ତ ଅପରାଧୀ ଚାଉଳିଆଗଞ୍ଜ ଥାନା ଗଣ୍ତରପୁର ଅଞ୍ଚଳର ଭାରତ ଭୂଷଣ ସ୍ବାଇଁକୁ ‘ତଡ଼ିପାର‌୍‌’ କରାଯାଇଥିଲା। ଭାରତ ୧୫ରୁ ଅଧିକ ଅପରାଧିକ ମାମଲାରେ ସମ୍ପୃକ୍ତ ଥିଲା। ୧୯୮୩ରୁ ଅପରାଧ ଜଗତକୁ ଆସିଥିବା ଭାରତ ସ୍ଥାନୀୟ ଅଞ୍ଚଳରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବାରୁ କମିସନରେଟ୍‌ ପୁଲିସ ‘ତଡ଼ିପାର‌୍‌’ କରିଥିଲା। ସେହିପରି ନଭେମ୍ବର ୩୦ ତାରିଖରେ ଧଳସାମନ୍ତ ସହଯୋଗୀ ଶିବ ଗୋଚ୍ଛିକୁ ଚାଉଳିଆଗଞ୍ଜ ଅଞ୍ଚଳରୁ ‘ତଡ଼ିପାର‌୍‌’ କରାଯାଇଥିଲା। ପୁଲିସ କମିସନରଙ୍କ ନିର୍ଦ୍ଦେଶ ବଳରେ ‘ତଡ଼ିପାର‌୍‌’ ନିର୍ଦ୍ଦେଶନାମା କାର୍ଯ୍ୟକାରୀ କରାଯାଇଥିଲା।

ସମ୍ବନ୍ଧିତ ଖବର