ଦଶହରା ପାଇଁ ସ୍ଥିତି ସମୀକ୍ଷା : ଦଫା ୧୧୦ରେ ଗିରଫ ପାଇଁ ୨୦୦ ଅପରାଧୀଙ୍କ ତାଲିକା ପ୍ରସ୍ତୁତ

କଟକ: ଦୁର୍ଗାପୂଜା ପୂର୍ବରୁ ୨୦୦ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଗିରଫ କରିବାକୁ କମିସନରେଟ୍ ପୁଲିସ ତାଲିକା ପ୍ରସ୍ତୁତ କରିଛି। ସିଆରପିସିର ଧାରା ୧୧୦ରେ ଏହି ତାଲିକାଭୁକ୍ତ ଅପରାଧୀଙ୍କୁ ଗିରଫ କରାଯିବ। ଏହାବାଦ୍ ୪୦୦ ଓ୍ବାରେଣ୍ଟିଙ୍କୁ ବି ଗିରଫ କରାଯିବ। କଟକରେ ଯେଭଳି ଦୁର୍ଗାପୂଜା ସମୟରେ ଏଭଳି ଅସାମାଜିକ କୌଣସି ପ୍ରକାର ଗଣ୍ଡଗୋଳ ନ ଘଟାନ୍ତି ସେ ଦିଗରେ ପୁଲିସ ପକ୍ଷରୁ ଅଭିଯାନ ଆରମ୍ଭ ହୋଇଛି। ଯଦିଓ ଏଥର ଦୂର୍ଗାପୂଜା ଜାକଜମକରେ ହେବନାହିଁ କିନ୍ତୁ ଅପରାଧୀ ଗୋଷ୍ଠୀ ଦାଦାବଟି, ବୋମା ମାଡ଼ ଏବଂ ଡକାୟତି ଭଳି କାଣ୍ଡ ଘଟାଇବାର ଆଶଙ୍କା କରୁଛି।

ଏ ସବୁକୁ ଦୃଷ୍ଟିରେ ରଖି କଟକ ଡିସିପି ପ୍ରତୀକ ସିଂହ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ଆଜି ଦିନ ପ୍ରାୟ ୧୨ଟା ବେଳେ ଥାନା ଓ୍ବାରି ପୁଲିସ ଇନସ୍ପେକ୍ଟରଙ୍କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିଥିଲେ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ସହରର ଅପରାଧ ସ୍ଥିତି ସମୀକ୍ଷା କରିଥିଲେ। ପୂଜା ଓ ଭସାଣି ସମୟରେ ଯଦିଓ ସହରର ସ୍ଥିତି ସମ୍ଭାଳିବା ଏଥର ଚାଲେଞ୍ଜ ନାହିଁ କିନ୍ତୁ ସାହି ଗୁଡ଼ିକରେ ଚାନ୍ଦା ଆଦାୟକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି।

news18.com

ପ୍ରାୟ ୧୨ଟି ଅଞ୍ଚଳରେ ଚାନ୍ଦା ଆଦାୟକୁ ନେଇ ବିବାଦ ଥିବା ପୁଲିସ ତାଲିକା ପ୍ରସ୍ତୁତ କରିଛି। ଏହି ସାହିଗୁଡ଼ିକ ସହିତ ଥାନା ସ୍ତରରେ ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅଥବା ଜୋନ ସ୍ତରରେ ବିବାଦ ସମାଧାନ କରିବାକୁ ଉଦ୍ୟମ କରାଯିବ। ଦୁର୍ଗାପୂଜାରେ ସାହି ବଜାରରେ ଏରାଗୁଲା ଗ୍ୟାଙ୍ଗ୍ ଅଧିକ ସଂଖ୍ୟାରେ ଉତ୍ପାତ କରିଆସୁଥିବା ଦେଖିବାକୁ ମିଳେ। ତେଣୁ ଏହି ଧରଣର ଅପରାଧୀଙ୍କୁ ଚିହ୍ନଟ କରାଯାଇ ଗିରଫ କରାଯିବାକୁ ପୁଲିସ ତାଲିକା ପ୍ରସ୍ତୁତ କରିଛି। ପୂଜା ସମୟରେ ସହରରେ ବେଆଇନ ମଦ କାରବାର ଅଧିକ ସଂଖ୍ୟା ବୃଦ୍ଧି ପାଇଥାଏ। ମାଛୁଆ ବଜାର, ବାରଙ୍ଗ, ସିଡିଏ, ପଟ୍ଟାପୋଲ ଇତ୍ୟାଦି ଅଞ୍ଚଳରେ ଚୋରା ମଦ କାରବାର ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଠିପି ବନ୍ଦ ମଦ ଦୋକାନ ବାହାରେ ମଦ ପିଉଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପୂଜା ମଣ୍ଡପଗୁଡ଼ିକ କେହି ଯେମିତି ଡେକୋରେସନ୍ କରିବେ ନାହିଁ, ଏସବୁ ଥାନା ଆଇଆଇସି ସୁନିଶ୍ଚିତ କରାଇବେ। ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ଯେଭଳି ଦୁର୍ଗା ପୂଜା ଚଳିତ ବର୍ଷ ଆୟୋଜନ ହେବ ସେଥିପ୍ରତି କଡ଼ା ନଜର ରଖାଯିବ। କୋଭିଡ୍ ଗାଇଡଲାଇନ୍ ପୂଜା ଆୟୋଜନ ସମୟରେ ଖିଲାପ ହେଲେ ସେହି ଅନୁଯାୟୀ, ଜରିମାନା ସହିତ ମାମଲା ରୁଜୁ କରିବାକୁ କମିସନରେଟ୍ ପୁଲିସ ପକ୍ଷରୁ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର