ବିଦ୍ୟୁତ୍‌ ବିଭାଗର ଡିଜିଟାଲ ମିଟରକୁ ନେଇ ଗ୍ରାହକ ଅସନ୍ତୋଷ; ୪୦ଟଙ୍କା ଲେଖାଏ କଟିବ ୬୦ ମାସ

ବଜାର ମୂଲ୍ୟର ୨ଗୁଣା ଟଙ୍କା ଦେବାକୁ ପଡୁଛି!

କଟକ: ସହରରେ ପ୍ରତିଦିନ ବିଭିନ୍ନ ସ୍ଥାନରେ ବିନା ସୂଚନାରେ ଦୀର୍ଘ ସମୟ ପାଇଁ ବିଜୁଳି କାଟ ହେଉଥିବା ବେଳେ ଏବେ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ଗ୍ରାହକଙ୍କ ଉପରେ ଡିଜିଟାଲ ମିଟରକୁ ନେଇ ଜୁଲୁମ ଆରମ୍ଭ ହୋଇଯାଇଛି। ଗ୍ରାହକଙ୍କୁ ବିଭାଗ ନିକଟରୁ ଡିଜିଟାଲ ମିଟିର ନେବାକୁ ବାଧ୍ୟ କରାଯାଉଛି। ଯଦି କୌଣସି ଗ୍ରାହକ ବଜାରରୁ ଡିଜିଟାଲ ମିଟର କିଣି ବସାଇବାକୁ କହୁଛନ୍ତି ସେମାନଙ୍କ ବିଦ୍ୟୁତ୍‌ ସଂଯୋଗ କାଟିଦେବାକୁ ଧମକ ଦିଆଯାଉଥିବା ଅଭିଯୋଗ ହୋଇଛି। ଏପରି ପରିସ୍ଥିତିରେ ଅନେକ ଗ୍ରାହକ ଏବେ ଆଶଙ୍କା ମଧ୍ୟରେ ଅଛନ୍ତି।

ବିଦ୍ୟୁତ୍‌ ବିଭାଗ ପକ୍ଷରୁ ଏବେ ପ୍ରତିଦିନ ବିନା ସୂଚନାରେ ବିଦ୍ୟୁତ୍‌ କାଟ କରାଯିବା ଏକ ନିୟମିତ କ‌ାର୍ଯ୍ୟରେ ପରିଣତ ହୋଇଛି। ସହରର ବିଭିନ୍ନ ସ୍ଥାନରେ ବିଭାଗ ପକ୍ଷରୁ ଅଘୋଷିତ ବିଦ୍ୟୁତ୍‌ କାଟ କରାଯାଉଛି। ବିଶେଷ ଭାବେ ସକାଳ ୯ରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ବିଦ୍ୟୁତ୍‌ କାଟ ହେଉଛି। ବିନା ସୂଚନାରେ ବିଦ୍ୟୁତ୍‌କାଟ ହେଉଥିବାରୁ ଲୋକଙ୍କୁ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। କେଉଁ କାରଣ ପାଇଁ ବିଦ୍ୟୁତ୍‌ କାଟ ହେଉଛି ପଚାରିଲେ ତାହାର ଉତ୍ତର ବିଭାଗର ଅଧିକାରୀଙ୍କଠାରୁ ଆରମ୍ଭ କରି କର୍ମଚାରୀ କାହାରି ନିକଟରେ ନାହିଁ। ସେପଟେ ବିଭାଗ ପକ୍ଷରୁ ଏବେ ମେକାନିକାଲ୍‌ ମିଟର ବଦଳରେ ଡିଜିଟାଲ ମିଟର ବସାଇବା କାମ ଆରମ୍ଭ ହୋଇଛି। ‌ବିଭାଗ ତରଫରୁ ମିଳୁଥିବା ଡିଜିଟାଲ ମିଟର ବସାଇବାକୁ ଗ୍ରାହକଙ୍କୁ ଏକ ପ୍ରକାର ବାଧ୍ୟ କରାଯାଉଛି। ଉକ୍ତ ମିଟର ବସାଇବା ପାଇଁ ଗ୍ରାହକଙ୍କୁ ୬୦ ମାସ ଧରି ୪୦ଟଙ୍କା ଲେଖାଏ ପ୍ରତିମାସ ବିଦ୍ୟୁତ୍‌ ବିଲରେ ମୋଟ ୨୪ଶହ ଟଙ୍କା ଦେବାକୁ ପଡିବ। ମାତ୍ର ଏହି ଡିଜିଟାଲ ମିଟର ବଜାରରେ ୧୨ରୁ ୧୩ ଶହ ଟଙ୍କା ମଧ୍ୟରେ ମିଳୁଛି। ବଜାରରେ ବିକ୍ରି ହେଉଥିବା ମିଟରକୁ କିଣି ବିଭାଗରେ ଶହେ ଟଙ୍କା ଦେଇ ଟେଷ୍ଟିଂ କରିବା ସହିତ ଏହାକୁ ଗ୍ରାହକ ତାଙ୍କ ଘରେ ଲଗାଇବାର ନିୟମ ରହିଛି।

ବିଭାଗ ତରଫରୁ ଦିଆଯାଉଥିବା ମିଟର ଓ ବଜାରରେ ବିକ୍ରି ହେଉଥିବା ମିଟର ଉପ‌େର ୫ବର୍ଷର ଗ୍ୟାରେଣ୍ଟି ରହୁଛି। ଦୁଇଟି ମିଟର ମଧ୍ୟରେ କୌଣସି ପାର୍ଥକ୍ୟ ନଥିବା ବେଳେ ଗ୍ରାହକଙ୍କଠାରୁ ବିଭାଗ ପକ୍ଷରୁ ମିଟର ବାବଦକୁ ଦୁଇଗୁଣ ଟଙ୍କା ନିଆଯାଉଛି। ଏହାକୁ ଦେଖି ଅନେକ ଗ୍ରାହକ ବିଜାରରୁ ମିଟର କିଣି ବସାଇବାକୁ କହୁଛନ୍ତି। ମାତ୍ର ମିଟର ବସାଇବା ପାଇଁ ଠିକା କର୍ମଚାରୀ ବିଭାଗ ନିକଟରୁ ମିଟର ନେବାକୁ ବାଧ୍ୟ କରୁଛନ୍ତି। ଯଦି ବିଭାଗର ମିଟର ନ ଲଗାନ୍ତି ତେବେ ତାଙ୍କ ବିଦ୍ୟୁତ୍‌ ସଂଯୋଗକୁ ୭ଦିନ ମଧ୍ୟରେ କାଟିଦେବାକୁ ଠିକା କର୍ମଚାରୀ ଧମକ ଦେଉଥିବାର ଅଭିଯୋଗ ହେଉଛି। ଗତ କିଛିଦିନ ଧରି ରାଜାବଗିଚା ଅଞ୍ଚଳରେ ବିଭାଗ ପକ୍ଷରୁ ଡିଜିଟାଲ ମିଟର ବସାଇବା କାମ ଚାଲିଥିବା ବେଳେ ସ୍ଥାନୀୟ କିଛି ଗ୍ରାହାକଙ୍କୁ ଏପରି ଧମକ ମିଳିଥିବାର ଅଭିଯୋଗ ହୋଇଛି। ଅନ୍ୟପଟେ ଡିଜିଟାଲ୍‌ ମିଟିର ବସାଇବାକୁ ନେଇ ଓଡ଼ିଶା ଇଲେକ୍ଟ୍ରିସିଟି ରେଗୁଲେଟରି କମିସନ୍‌ଙ୍କ ପକ୍ଷରୁ ସେପରି କିଛି ବିଜ୍ଞପ୍ତି ପ୍ରକାଶ ପାଇ ନଥିବାର ସୂଚନା ରହିଛି। ପ୍ରତିଦିନ ଦୀର୍ଘ ସମୟ ଧରି ବିନା ସୂଚନାରେ ବିଦ୍ୟୁତ୍‌ କାଟ ସହିତ ବିଭାଗ ପକ୍ଷରୁ ଡିଜିଟାଲ ମିଟର ବସାଇବା ପାଇଁ ଗ୍ରାହାକଙ୍କୁ ବାଧ୍ୟ କରିବାକୁ ନେଇ ଲୋକଙ୍କ ମଧ୍ୟରେ ଦିନକୁ ଦିନ ଅସନ୍ତୋଷ ବଢ଼ିବାରେ ଲାଗିଛି।

ସମ୍ବନ୍ଧିତ ଖବର