କଟକ : କ୍ଷେତରେ ଶଢ଼ୁଛି ପରିବା, ଆସୁନାହାନ୍ତି ବେପାରୀ
କଟକ : ଲକ୍ଡାଉନ୍, ସଟ୍ଡାଉନ୍ କଟକଣା ପରିବା ଚାଷୀଙ୍କ ମୁଣ୍ଡରେ ଚଡ଼କ ପକାଇଛି। ଅନେକ ସମୟରେ କଟକ, ଭୁବନେଶ୍ବର ଏମିତିକି ଗାଁ ବାହାରକୁ ଯାଇପାରୁନି ପନିପରିବା। ପୂର୍ବରୁ ସିଧାସଳଖ କ୍ଷେତ ମୁଣ୍ଡରୁ ବେପାରୀ ଗାଡି ଲଗାଇ ପନିପରିବା ବୋହି ନେଉଥିଲେ। ଏବେ ବେପାରୀଙ୍କ ଦେଖା ମିଳୁନି। ହୋଟେଲ ବ୍ୟବସାୟ ବନ୍ଦ। ଏଭଳି ସ୍ଥିତିରେ ଯେଉଁଠୁ ପ୍ରତିଦିନ ୧୦ ଗାଡି ପରିବା ଯାଉଥିଲା, ଏବେ ସେଠାରୁ ୨/୩ ଗାଡି ପରିବା ଯିବା ବି କଷ୍ଟକର ହୋଇପଡିଛି । ଗାଁରେ ଅଭାବୀ ବିକ୍ରିର ସାମନା କରୁଛି ଚାଷୀ। ଯେତେବେଳେ ସହରକୁ ପରିବା ଯାଉଛି ଦର ଖସି ଯାଉଥିବା ବେଳେ ପରିବାର କ୍ଷେତରେ ସଢିଲେ କଟକ, ଭୁବନେଶ୍ବରରେ ଦର ଆକାଶ ଛୁଆଁ ହେଉଛି।
Sambad is now on WhatsApp
Join and get latest news updates delivered to you via WhatsApp
କଟକ ଜିଲ୍ଲାର ବାଙ୍କୀରେ ବାଇଗଣ, ତିଗିରିଆରେ ଭେଣ୍ଡି, ସାଲେପୁର ଅଂଚଳରେ କଖାରୁ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଯିବା ସହିତ ରାଜ୍ୟ ବାହାରକୁ ବି ଯାଏ। କିନ୍ତୁ ଏବେ ଚାଷୀ କ୍ଷେତରେ ପନିପରିବା ନତୋଳି ସେଭଳି ଛାଡି ଦେଉଛନ୍ତି। ବିକ୍ରି ତ ହେଉନି, ଯଦି ହେଉଛି ତାର ମୂଲ୍ୟ ମିଳୁନି। କଟକ ଜିଲ୍ଲାର ବାଙ୍କୀ, ଆଠଗଡ଼, ତିଗିରିଆ, ବଡମ୍ବା, ନରସିଂହପୁର, କଣ୍ଟାପଡା, ନିଆଳି, ସାଲେପୁର, ବୟାଳିଶମୌଜା ଆଦି ବିଭିନ୍ନ ଅଞ୍ଚଳ ସାରା ରାଜ୍ୟକୁ ପରିବା ଯୋଗାଇ ଥାଏ।
କଟକର ଛତ୍ରବଜାର ହେଉ ବା ଭୁବନେଶ୍ୱର ୧ନମ୍ବର ହାଟ। ସବୁଠି ବାଙ୍କୀ, ଆଠଗଡ ଉପଖଣ୍ଡର ପରିବା ପହଞ୍ଚି ଥାଏ। ବାଙ୍କୀ ବ୍ଲକର ପାଥପୁର, ପଶାଣିଆ, ପୁଇଁଚା, ନୂଆଗାଁ, ପାଣିକୋରଡ଼, ଡେଙ୍ଗାଆମ୍ବ, ଅନୁଆରୀ ଆଦି ଅଂଚଳରେ ବ୍ୟାପକଭାବେ ପନିପରିବା ଚାଷ କରାଯାଉଥିବା ବେଳେ ଚଳିତବର୍ଷ ବାଇଗଣ ପ୍ରଚୁର ଚାଷ ହୋଇଛି। ପୂର୍ବରୁ ଦିନକୁ ପ୍ରାୟ ୨୦ରୁ ୩୦ ମିନିଟ୍ରକ ଓ ୩୦ରୁ ଅଧିକ ବାଇକ୍ରେ ବେପାରୀ ଭୁବନେଶ୍ୱର, କଟକ, ନୟାଗଡ଼, ବାଲୁଗାଁ, ବ୍ରହ୍ମପୁର ଆଦି ଅଂଚଳରୁ ଆସି ପରିବା ନେଉଥିଲେ। ମାତ୍ର ଏବେ ସେମାନଙ୍କ ସଂଖ୍ୟା ୧୦ ବି ଟପୁନି। ଯେଉଁ ବେପାରୀ ଆସୁଛନ୍ତି ସେମାନେ ବାଇଗଣ କିଲୋ ପିଛା ୧୨ରୁ ୧୫ ଟଙ୍କାରେ ନେଉଥିବାରୁ ଚାଷୀ ତାର ମୂଲ୍ୟ ପାଇପାରୁ ନାହାନ୍ତି। ବାଇଗଣ ଛଡା କାକୁଡି, ଜହ୍ନି, କଲରା, ଭେଣ୍ଡି, କଖାରୁ ଆଦି ଏଠାରୁ ବାହାରକୁ ଯାଏ। କଖାରୁ ଚାଷୀ ବିବେକାନନ୍ଦ ବେଉରାଙ୍କ କହିବା କଥା ହେଲା ଚଳିତ ବର୍ଷ ପ୍ରତିକୂଳ ପାଗ ଯୋଗୁଁ ଉତ୍ପାଦନ କମ ହୋଇଥିଲା। କରୋନା କଟକଣା ଯୋଗୁଁ ବେପାରୀ ଆସୁନାହାନ୍ତି।
ବାଇଗଣ ଚାଷୀ ଅଜୟ ଦାସଙ୍କ କହିବା ଅନୁଯାୟୀ ଖୋଲା ବଜାରରେ ବାଙ୍କୀର ଉନ୍ନତ କିସମର ବାଇଗଣ କିଲୋ ୨୦ରୁ ୨୫ ଟଙ୍କାରେ ବିକ୍ରି ହୁଏ। ମାତ୍ର ଏବେ ୧୨ରୁ ୧୫ ଟଙ୍କାରେ ବେପାରୀଙ୍କୁ ଦେଉଛି। ସାର ଓ ପିଡ଼ିଆର ମୂଲ୍ୟ ବୃଦ୍ଧି ପାଇଥିବାବେଳେ ମୂଳଧନ ଉଠିବା ନେଇ ଆଶଙ୍କା ହେଲାଣି। ଏପେଟେ ଶୀତଳଭଣ୍ଡାର ନଥିବାରୁ ପରିବା ଗଚ୍ଛିତ ରଖିବାର ବି ବାଟ ନାହିଁ। ଚାଷୀ ମାନେ କଟକ ଓ ଭୁବନେଶ୍ୱରକୁ ବି ପରିବା ପଠାଇ ପାରୁ ନାହାନ୍ତି। ବେପାରୀଙ୍କ ମୁହଁକୁ ଯାହା ଦର ଆସିଲା ଆମେ ସେହି ଅନୁସାରେ ପନିପରିବା ଦେବାକୁ ବାଧ୍ୟ ହେଉଛୁ।
ତିଗିରିଆ ବ୍ଲକର ଚାଷୀଙ୍କ ପରିବା କଟକ,ଭୁବନେଶ୍ୱର, ପୁରୀ, ଅନୁଗୁଳ, ତାଳଚେର, ରାଉରକେଲାକୁ ଯାଏ। କିନ୍ତୁ ବେପାରୀ ଆସୁ ନଥିବାରୁ ଚାଷୀ ଏବେ ଋଣ ସୁଝିବା ଚିନ୍ତାରେ। ହାଟମାଳ ପଞ୍ଚାୟତ ଅନ୍ତର୍ଗତ ବିଷ୍ଣୁପୁର ଗ୍ରାମର ଚାଷୀ ସୁଶିଲ ସାମଲ, ଅଭିରାମ ସାମଲ, କୁଶ ସାମଲ ଓ ପାଞ୍ଚଗାଁ ପଞ୍ଚାୟତ ଅନ୍ତର୍ଗତ ସୁଦର୍ଶନପୁର ଗ୍ରାମର ଚାଷୀ ଯୋଗେଶ ଚନ୍ଦ୍ର ରାଉତ ଓ ପ୍ରମୋଦ ରାଉତ କହିବା ଅନୁଯାୟୀ ଉତ୍ପାଦିତ ପନିପରିବା ଜମିରେ ନଷ୍ଟ ହେଉଛି। ବର୍ତ୍ତମାନ ଭେଣ୍ଡି ଗୋଟିଏ ବସ୍ତା ବିକ୍ରି କଲେ ସେହି ପଇସାରେ ଆଳୁ କେଜିଏ କିଣିବା ମଧ୍ୟ କଷ୍ଟକର ହୋଇପଡିଛି।