କଟକ ଯୁବକଙ୍କ ନେତୃତ୍ବରେ ୧୦ଜଣିଆ ଟିମ୍‌ ଯିବ ନାସା

ତିଆରି ଚାଲିଛି ଚନ୍ଦ୍ରପୃଷ୍ଠ ଅନ୍ବେଷଣ କରିପାରୁଥିବା ‘ରୋଭର୍‌’; ବାଧକ ସାଜିଛି ଅର୍ଥ

କଟକ: ଓଡ଼ିଶାରୁ ଏକ ୧୦ ଜଣିଆ ତରୁଣ ଦଳ ନାସା ଯିବେ। ୪୨ମୌଜା ବରାଳସ୍ଥିତ ନବନ୍ବେଷ ପ୍ରସାର ଫାଉଣ୍ଡେସନର ମିଶନ ଡାଇରେକ୍ଟର ଅନୀଲ ପ୍ରଧାନ ଓ ବୈଶାଳୀ ଶର୍ମାଙ୍କ ନେତୃତ୍ବରେ ଏହି ୧୦ଜଣିଆ ଦଳ ଆସନ୍ତା ଏପ୍ରିଲ ୧୫ତାରିଖରେ ନାସା ଯିବା ପାଇଁ ଚୂଡାନ୍ତ ‌ହୋଇଛି। ଅନୁଷ୍ଠାନ ପକ୍ଷରୁ ଚନ୍ଦ୍ରପୃଷ୍ଠରେ ପଦାର୍ପଣ କରିପାରୁଥିବା ଓ ଚନ୍ଦ୍ରପୃଷ୍ଠକୁ ଅନ୍ବେଷଣ କରିପାରୁଥିବା ଭଳି ଏକ ସ୍ବତନ୍ତ୍ର ‘ରୋଭର’ ପ୍ରକଳ୍ପ ନାସାକୁ ପଠାଯାଇଥିଲା। ଉକ୍ତ ପ୍ରକଳ୍ପ ନାସା ଦ୍ବାରା ମନୋନୀତ ‌ହୋଇଥିବାରୁ ନାସା ପକ୍ଷରୁ ଓଡ଼ିଶାର ଏହି ୧୦ଜଣିଆ ଦଳକୁ ଆମନ୍ତ୍ରଣ କରାଯାଇଥିଲା। ନାସା ଦ୍ବାରା ଚୟନ ହୋଇଥିବା ଏହି ‘ରୋଭର’ର ନିର୍ମାଣ ଏବେ ୮୦ ଭାଗ ସଂପୂର୍ଣ୍ଣ ହୋଇଥିବା ‌ବେଳେ ଅବଶିଷ୍ଟ ୨୦ ଭାଗ ଆଉ ଅଳ୍ପ ଦିନରେ ନିର୍ମାଣ କରିବାକୁ ଉଦ୍ୟମ ଚାଲିଛି। ହେଲେ ‘ରୋଭର’ର ଅବଶି‌ଷ୍ଟ ନିର୍ମାଣ କାମ ସହ ଦଳର ସଭ୍ୟଙ୍କ ନାସା ଗସ୍ତ ଖର୍ଚ ଏବେ ଅନୁଷ୍ଠାନ ପାଇଁ ବାଧକ ସାଜିଛି। ସରକାର, ବିଭିନ୍ନ କର୍ପୋରେଟ୍‌ ହାଉସ୍‌, ସାମାଜିକ ସଂଗଠନ, ବ୍ୟକ୍ତି ବିଶେଷ ସହାୟତା ପାଇଁ ଆଗେଇ ଆସିବାକୁ ଅନୁଷ୍ଠାନ ପକ୍ଷରୁ ଅନୁରୋଧ କରାଯାଉଛି।

୪୨ମୌଜା ବରାଳ ଗ୍ରାମର ଯୁବକ ଅନୀଲ ପ୍ରଧାନ ଓ ତାଙ୍କ ସହଯୋଗୀ ବୈଶାଳୀ ଶର୍ମା ୨୦୧୫ରେ ଗଢ଼ିଥିଲେ ‘ନବନ୍ବେଷ ପ୍ରସାର ଫାଉଣ୍ଡେସନ’। ଗ୍ରାମାଞ୍ଚଳରେ ରହି ଯାଉଥିବା ପ୍ରତିଭାର ବିକାଶ କରିବା ଅନୁଷ୍ଠାନର ମୂଳ ଉଦ୍ଦେଶ୍ୟ ଥିଲା। ଏଥି ପାଇଁ ଫାଉଣ୍ଡେସନ ଅଧିନରେ ‘ ଇଣ୍ଟରନ୍ୟାସନାଲ ସ୍କୁଲ ଫର୍‌ ରୁରାଲ ଇନୋଭେସନ’ ନାମକ ଏକ ସ୍କୁଲ ଆରମ୍ଭ ହେଲା। ବିଦ୍ୟାଳୟର ଅନ୍ୟାନ୍ୟ ଶିକ୍ଷା ପ୍ରଦାନ ସହ ‘ନାସା ହ୍ୟୁମାନ ଏକ୍ସପ୍ଲୋରେସନ୍‌ ଚାଲେଞ୍ଜ୍’କୁ ଅଗ୍ରାଧିକାର ଦିଆଯାଇଥିଲା। ଅନୁଷ୍ଠାନ ପକ୍ଷରୁ ଚନ୍ଦ୍ରପୃଷ୍ଠ ଅନ୍ବେଷଣ କରିପାରୁଥିବା ‘ରୋଭର’ ପ୍ରକଳ୍ପ ବିଷୟରେ ଏକ ପ୍ରସ୍ତାବ ‘ନାସା’କୁ ପଠାଯାଇଥିଲ। ନାସା ଏହି ପ୍ରକଳ୍ପକୁ ମନୋନୀତ କରିବା ସହିତ ଏହାକୁ ଆଗେଇ ନେବାକୁ ସ୍ବୀକୃତି ଦେଇଥିଲା। ଏଥି ପାଇଁ ପକ୍ଷରୁ ସାରା ଓଡ଼ିଶାରୁ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବା ପଢ଼ୁଥିବା ୧୪ରୁ ୧୯ବ‌ର୍ଷ ବୟସ ବର୍ଗର ୧୦ଜଣ ପ୍ରତିଭାଙ୍କୁ ଚୟନ କରାଯାଇଥିଲା। ପରେ ୨୦୨୦ ମସିହା ନଭେମ୍ବର ମାସରୁ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ‌‌ହୋଇଥିଲା। ଏବେ ପ୍ରସ୍ତାବିତ ‘ରୋଭର’ ୮୦ପ୍ରତିଶତ କାର୍ଯ୍ୟ ସଂପୂର୍ଣ୍ଣ ହୋଇଥିବା ବେଳେ ଏଥି ପାଇଁ ୧୧ରୁ ୧୨ଲକ୍ଷ ଟଙ୍କା ବ୍ୟୟ ହୋଇଛି।

ଅବଶି‌ଷ୍ଟ ପ୍ରକଳ୍ପ ସହିତ ନାସା ଯିବାକୁ ମୋଟ ୫୪ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି ବୋଲି ଫାଉଣ୍ଡେସନର ମିଶନ ଡାଇରେକ୍ଟର ଅନୀଲ ପ୍ରଧାନ ସୂଚନା ‌ଦେଇଛନ୍ତି। ଶ୍ରୀ ପ୍ରଧାନଙ୍କ କହିବା ଅନୁସାରେ, ନାସା ପକ୍ଷରୁ ସାରା ବିଶ୍ବର ୮୭ଟି ଦଳ ଭାଗ ନେଉଥିବା ବେଳେ ଓଡ଼ିଶାରୁ ତାଙ୍କ ଦଳ ଚୟନ ହୋଇଛି। ଆସନ୍ତା ଏପ୍ରିଲ୍‌ ୧୫ ତାରିଖରେ ସୁଦୂର ଆମେରିକାର ‘ନାସା’ କେନ୍ଦ୍ରରେ ଦଳ ପକ୍ଷରୁ ଚନ୍ଦ୍ରପୃଷ୍ଠରେ ଅବତରଣ ଓ ପୃଷ୍ଠକୁ ଅନ୍ବେଷଣ କରିପାରୁଥିବା ସ୍ବତନ୍ତ୍ର ଉପକରଣ ‘ରୋଭର୍‌’ ପ୍ରଦର୍ଶନ କରାଯିବ। ୨୦୨୪ରେ ନାସା ପକ୍ଷରୁ ୨ଜଣ ମହାକାଶକୁ ଯିବାକୁ ଯୋଜନା ରହିଥିବା ଶ୍ରୀ ପ୍ରଧାନ କହିଛନ୍ତି। ଏହି ଦଳରେ ଶ୍ରୀ ପ୍ରଧାନ ଓ ବ‌ୈଶାଳୀ ଶର୍ମାଙ୍କ ନେତୃତ୍ବରେ ଋଷିକେଶ ଅମିତ ନାୟକ, ନୀତିଶ ପଟ୍ଟନାୟକ, ଅଙ୍କନ ମଣ୍ଡଳ, ଏ. ପଟ୍ଟନାୟକ, ତାନ୍‌ଭି ମଲ୍ଲିକ, ରୀନା ବାଘ, କୈଳାସ ବାରିକ, ଦଣ୍ଡପାଣି ପାତ୍ର, ଶ୍ରେୟାଂଶ ବିକାଶ ମିଶ୍ର, କେ. ବାର୍ଷିନୀ ପ୍ରମୁଖ ରହିଛନ୍ତି।

ସମ୍ବନ୍ଧିତ ଖବର