କଟକ ଦଶହରାରେ ମୂର୍ତ୍ତି ଉଚ୍ଚତା ବିବାଦ : ପୁଲିସ କମିସନରଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ; ହାଇକୋର୍ଟଙ୍କ ଜବାବ ତଲବ

କଟକ: କଟକ ଦଶହରାରେ ମୂର୍ତ୍ତିର ୪ ଫୁଟ୍ ଉଚ୍ଚତା ନିର୍ଦ୍ଧାରଣ ଓ ପୁଲିସ କମିସନରଙ୍କ ଏ ସଂପର୍କିତ ସେପ୍ଟେମ୍ବର ୧୭ର ସାନି ନିର୍ଦ୍ଦେଶନାମା ବିରୋଧରେ ବାଲୁବଜାର ପୂଜା କମିଟି ଦାୟର କରିଥିବା ମାମଲାର ହାଇକୋର୍ଟ ଶୁଣାଣି କରି ସରକାରଙ୍କ ନିକଟରୁ ଜବାବ ତଲବ କରିଛନ୍ତି। କେଉଁ ଆଧାରରେ ପୁଲିସ କମିସନର ଏପରି ନିର୍ଦ୍ଦେଶନାମା ପ୍ରଦାନ କରିଥିଲେ ସେ ନେଇ ପକ୍ଷ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୩୦ ତାରିଖକୁ ଧାର୍ଯ୍ୟ କରାଯାଇଛି।

ବାଲୁବଜାର ପୂଜା କମିଟି ଆବେଦନ ସହିତ ଫିରିଙ୍ଗିବଜାର ପୂଜା କମିଟି ଓ ଉପର ତେଲେଙ୍ଗାବଜାର ପୂଜା କମିଟି ମାମଲାର ଏକତ୍ର ଶୁଣାଣି ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ ଓ ଡକ୍ଟର ଜଷ୍ଟିସ ବି.ଆର. ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ଦଶହରାରେ ମୂର୍ତ୍ତିର ୪ ଫୁଟ୍ ଉଚ୍ଚତା ନିର୍ଦ୍ଧାରଣ ପ୍ରସଂଗ ନେଇ ବାଲୁବଜାର ପୂଜା କମିଟି, ଫିରିଙ୍ଗିବଜାର ପୂଜା କମିଟି ଓ ଉପର ତେଲେଙ୍ଗାବଜାର ପୂଜା କମିଟି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ପୁଲିସ କମିସନର ସେପ୍ଟେମ୍ବର ୧୭ରେ ମୂର୍ତ୍ତି ଉଚ୍ଚତା ୪ ଫୁଟ୍‌ରେ ସୀମିତ ରଖିବା ପାଇଁ ଜାରି କରିଥିବା ନିର୍ଦ୍ଦେଶକୁ ଚାଲେଞ୍ଜ କରି ଏହି ସବୁ ମାମଲା ରୁଜୁ ହୋଇଛି।

ବାଲୁବଜାର ପୂଜା କମିଟି ତରଫରୁ ସଭାପତି ଆଇନଜୀବୀ ସୂର୍ଯ୍ୟକାନ୍ତ ସାଙ୍ଗନେରିଆ ଓ ଅନ୍ୟମାନେ ଦାୟର କରିଥିବା ମାମଲାରେ ଦର୍ଶାଯାଇଛି ଯେ ପୁଲିସ କମିସନର ସେପ୍ଟେମ୍ବର ୧୭ରେ ମୂର୍ତ୍ତିର ଉଚ୍ଚତା ୪ ଫୁଟ୍‌ରେ ସୀମିତ ରଖିବା ପ୍ରସଂଗରେ ଯେଉଁ ନି‌ର୍ଦ୍ଦେଶ ଦେଇଥିଲେ ତାହା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ। ମୂର୍ତ୍ତି ଉଚ୍ଚତା ୪ ଫୁଟ ନିର୍ଦ୍ଧାରଣ କରିବା ପ୍ରସଂଗରେ ଯେଉଁ ବ୍ୟକ୍ତିବିଶେଷଙ୍କ ସହିତ ଆଲୋଚନା କରାଯାଇଥିବା ସଂପର୍କରେ କମିସନରଙ୍କ ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି ତାହା ସଂପୂର୍ଣ୍ଣ ଭାବେ ସନ୍ଦେହ ଘେରରେ ରହିଛି।

ଏହି ବ୍ୟକ୍ତିଙ୍କ ଭିତରୁ କେତେଜଣ ସେମାନଙ୍କୁ ଏହି ପ୍ରସଂଗରେ ପଚରା ଯାଇ ନାହିଁ ବୋଲି ସର୍ବସାଧାରଣରେ କହି ସାରିଛନ୍ତି। ହାଇକୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ଉଲ୍ଲଂଘନ କରି ଏପରି ସାନି ନିର୍ଦ୍ଦେଶନାମା କମିସନର ଜାରି କରିଛନ୍ତି। ଏପରି ନିର୍ଦ୍ଦେଶନାମା ରଦ୍ଦ କରାଯାଉ ଓ ଆବେଦନକାରୀଙ୍କୁ ପୂର୍ବବର୍ଷ ଭଳି ନିର୍ଦ୍ଧାରିତ ଉଚ୍ଚତାର ମୂର୍ତ୍ତି ନିର୍ମାଣ କରି ପୂଜା ପାଇଁ ଅନୁମତି ଦିଆଯାଉ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ମାମଲାରେ ରାଜ୍ୟ ସରକାର, ପୁଲିସ କମିସନର ଓ କଟକ ଡିସିପିଙ୍କୁ ପକ୍ଷଭୁକ୍ତ କରାଯାଇଛି।

ଏଠାରେ ଉଲ୍ଲେଖଯୋଗ୍ୟ, ପୂଜା ମଣ୍ଡପମାନେ ନିଜର ମୂର୍ତ୍ତି ନିର୍ମାଣ ସ୍ଥିତି ସଂପର୍କରେ ପୁଲିସ କମିସନରଙ୍କୁ ଅବଗତ କରିବେ ଏବଂ ଏହି ପ୍ରସଂଗରେ କମିସନର ବିଚାର କରି ନିଷ୍ପତ୍ତି ନେବେ ବୋଲି ହାଇକୋର୍ଟ ସେପ୍ଟେମ୍ବର ୧୬ରେ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ବାଲୁବଜାର ସହିତ ଆଉ କେତେକ ପୂଜା କମିଟି ଏ ନେଇ ଆବେଦନ କରିଥିଲେ। ସେପ୍ଟେମ୍ବର ୧୭ରେ ପୁଲିସ କମିସନର ମୂର୍ତ୍ତିର ଉଚ୍ଚତା ୪ ଫୁଟରେ ସୀମିତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ବାଲୁବଜାର ଓ ଅନ୍ୟ ପୂଜା ମଣ୍ଡପଗୁଡିକୁ ପୂର୍ବବର୍ଷ ଭଳି ମୂର୍ତ୍ତି ନିର୍ମାଣ ପାଇଁ ଅନୁମତି ପ୍ରଦାନ କରି ନଥିଲେ ପୁଲିସ କମିସନର। ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଛି ଯେ ନିୟମାବଳୀ ଆସିବା ପୂର୍ବରୁ ରାଧାଷ୍ଟମୀରୁ ମାଟି ଅନୁକୂଳ କରାଯାଇ ମୂର୍ତ୍ତି ନିର୍ମାଣ କାମ ଆରମ୍ଭ ହୋଇଥିଲା। ମୂର୍ତ୍ତି ନିର୍ମାଣ କାମ ବହୁ ବାଟ ଆଗେଇ ଯାଇ ଏକ ପ୍ରକାର ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।

କଟକରେ ଦୁର୍ଗାପୂଜାର ପରମ୍ପରା ୫ଶହ ବର୍ଷରୁ ଅଧିକ ହୋଇଥିବା ବେଳେ ପ୍ରତିବର୍ଷ ଏକାଭଳି ନିର୍ଦ୍ଦିଷ୍ଟ ଉଚ୍ଚତାର ମୂର୍ତ୍ତି ନିର୍ମାଣ କରାଯାଏ। ମୂର୍ତ୍ତିର ନିର୍ଦ୍ଦିଷ୍ଟ ମୁଖା ରହିଛି। ମୂର୍ତ୍ତିର ଆକାର ଛୋଟ ହେଲେ କିପରି ସମାନ ମୁଖାର ମୂର୍ତ୍ତି ନିର୍ମାଣ କରାଯିବ ବୋଲି ଆବେଦନକାରୀଙ୍କ ପକ୍ଷରୁ ପ୍ରଶ୍ନ କରାଯାଇଛି।

ଏଥି ସହିତ ପୂଜା କମିଟି ପକ୍ଷରୁ କେନ୍ଦ୍ର ଓ ରାଜ୍ୟ ସରକାର ଜାରି କରିଥିବା ସମସ୍ତ ନିୟମାବଳୀ ପାଳନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି। ବାଲୁବଜାର ପୂଜା କମିଟି ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଶୋକ କୁମାର ମହାନ୍ତି, ଆଇନଜୀବୀ ଅନିରୁଦ୍ଧ ସାଙ୍ଗନେରିଆ, ଅନ୍ୟ ପୂଜା କମିଟି ପାଇଁ ଆଇନଜୀବୀ ବିଭୂତି ଭୂଷଣ ଚୌଧୁରୀ, ସରକାରଙ୍କ ତରଫରୁ ଆଡଭୋକେଟ ଜେନେରାଲ ଅଶୋକ କୁମାର ପରିଜା ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର