ଗତିରାଉତପାଟଣା ନାବାଳିକା ଦୁଷ୍କର୍ମ ମାମଲା : ବିବାହର ପ୍ରତିଶ୍ରୁତି ଦେଇ ଫସାଇଥିଲେ ନାବାଳିକାକୁ

କଟକ/ମହାନଦୀବିହାର: ପାରିବାରିକ ଅବହେଳାର ଶିକାର ଜଣେ ନାବାଳିକା କିଭଳି ଦୁର୍ବୃତ୍ତଙ୍କ ହାବୁଡରେ ପଡି ଦୁଷ୍କର୍ମର ଶିକାର ହୋଇଛି, ତାହାର ପ୍ରମାଣ ଧରା ପଡିଛି ଗତିରାଉତପାଟଣା ଘଟଣାର ପ୍ରାଥମିକ ତଦନ୍ତରୁ। ଏହି ୧୫ ବର୍ଷର ନାବାଳିକାକୁ ପ୍ରଥମେ ବିବାହର ପ୍ରତିଶ୍ରୁତି ଦେଇ ଫୁସଲାଇ ରଖିବା ଏବଂ ପରେ ଧମକ ଦେଇ ବ୍ୟବହାର କରିବା ଭଳି ସଂଗିନ ଘଟଣା ସାମନାକୁ ଆସିଛି। କିନ୍ତୁ ନାବାଳିକାଟି ଏତେ ଦିନ ଧରି ବାହାରେ ନିର୍ଯାତନାର ଶିକାର ହୋଇ ଚାଲିଥିଲେ ବି କୌଣସି ଥାନାରେ ତା’ର ପରିବାର ଲୋକ ଅଭିଯୋଗ କରି ନଥିବା ପୁଲିସ ତଦନ୍ତରୁ ସୂଚନା ମିଳିଛି।

ପୁଲିସ ଓ ସିଡବ୍ଲୁସି ଆଜି ଘଟଣାର ପ୍ରାଥମିକ ତଦନ୍ତ କରିବା ସହିତ ନାବାଳିକାର ବୟାନ ରେକର୍ଡ କରିଛନ୍ତି। ଏହି ଘଟଣାରେ କୁକୁଡ଼ା ଦୋକାନ ମାଲିକ ରାକେଶ ରାଉତ(୨୫) ଓ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସନ୍ତୋଷ କୁମାର ବେହେରା ଓରଫ ଟିକିକୁ ପୁଲିସ ଗିରଫ କରିଛି। ସିଡବ୍ଲୁସି ଅଧ୍ୟକ୍ଷା ମନ୍ଦାକିନୀ ଜେମା କହିବା ଅନୁଯାୟୀ ନାବାଳିକା ତିର୍ତ୍ତୋଲ ଥାନା ଅଞ୍ଚଳରେ ଥିବା ତା’ର ଘରୁ କଟକର ପ୍ରଫେସର ପଡାରେ ଥିବା ତାର ଭଉଣୀ ଘରକୁ ଚାଲି ଆସିଥିଲା।

ସେଠାରେ କିଛି ଦିନ ରହିବା ପରେ ସେଠାରେ ପାଟିତୁଣ୍ଡ ସମସ୍ୟା ହେବାରୁ ପୁଣି ଗାଁକୁ ଫେରି ଯିବା ପାଇଁ ଓଏମପି ଛକରେ ଥିବା ବେଳେ ସନ୍ତୋଷ ହାବୁଡରେ ପଡିଥିଲା। ସନ୍ତୋଷ ତାକୁ ଫୁସଲାଇ ନିଜ ସହିତ ନେଇଥିଲା। ତାକୁ ବାହା ହେବାର ପ୍ରତିଶ୍ରୁତି ଦେଇ ଗତିରାଉତପାଟଣାରେ ସେହି ଘରେ ରଖିଥିଲା। କିଛି ଦିନ ଯାଏ ବି ସେ ତାହା ସହ ଶାରୀରିକ ସଂପର୍କ ରଖି ନ ଥିଲା।

दैनिक भास्कर

କିନ୍ତୁ ନାବାଳିକାକୁ ପ୍ରଭାବିତ କରି ସେ ତା’ ସହ ଦୁଷ୍କର୍ମ କରିଥିଲା। ବାହା ହେବା ପାଇଁ ଆଧାର କାର୍ଡ ଦରକାର ବୋଲି କହିବା ପରେ ନାବାଳିକାଟି ତା’ ଗାଁକୁ ଯାଇ ସାତ ଦିନ ପୂର୍ବରୁ ପୁଣି ଫେରି ଆସିଥିଲା। କିନ୍ତୁ ଏଥର ତା’ ସହିତ ସନ୍ତୋଷ ଆଉ ରାକା ଦୁଷ୍କର୍ମ କରିଥିଲେ। ତା’ର ଭିଡିଓ ରେକର୍ଡିଂ କରି ଧମକ ଦେଇଥିଲେ। ଏଭଳି ସ୍ଥିତିରେ ନାବାଳିକାଟି ଭୟଭୀତ ଅବସ୍ଥାରେ ଦିନ କାଟୁଥିଲା। ୧୨ ତାରିଖ ସଂଧ୍ୟାରେ ସେ ସେହି ଘରୁ ବାହାରି ଆସି ଗତିରାଉତପାଟଣାରେ ଥିବା ହନୁମାନ ମୂର୍ତ୍ତି ନିକଟରେ ବସି କାନ୍ଦୁ ଥିବା ବେଳେ ଗ୍ରାମବାସୀ ତାକୁ ଦେଖି ପଚରାପଚରି କରିଥିଲେ।

ଗ୍ରାମର କିଛି ଲୋକ ଏ ସଂପର୍କରେ ପୁଲିସକୁ ସୂଚନା ଦେବା ପରେ ଚାଉଳିଆଗଂଜ ଥାନା ପୁଲିସ ସେଠାରେ ପହଞ୍ଚି ନାବାଳିକାକୁ ଉଦ୍ଧାର କରିବା ସହିତ ସିଡବ୍ଲୁସିକୁ ଖବର ଦେଇଥିଲା। କିନ୍ତୁ ଏହି ଘଟଣାରେ ଆଉ କିଛି ଯୁବକ ସଂପୃକ୍ତ ଥିବା ପୁଲିସ ସନ୍ଦେହ କରୁଛି। ସେଠାରେ ଯେଉଁ ରାକେଟ୍ ଚାଲିଥିଲା, ସେଥିରେ ଆଉ କିଏ ସଂପୃକ୍ତ ଅଛନ୍ତି, ସେ ସଂପର୍କରେ ଖୋଳତାଡ ଆରମ୍ଭ ହୋଇଛି।

ଅନ୍ୟପଟେ ତିର୍ତ୍ତୋଲ ଥାନା ଏସଆଇ ଦୁଃଖୀଶ୍ୟାମ ସେଠୀ କହିବା ଅନୁଯାୟୀ ସଂପୃକ୍ତ ନାବାଳିକା ନିଖୋଜ ସଂକ୍ରାନ୍ତରେ କୌଣସି ଅଭିଯୋଗ ତାଙ୍କ ଥାନାକୁ ଆସି ନାହିଁ। ଘଟଣା ସଂପର୍କରେ ସେ ଗଣମାଧ୍ୟମରୁ ଜାଣୁଛନ୍ତି। ବର୍ତ୍ତମାନ ପୁଲିସ ସନ୍ତୋଷକୁ ଧରିବା ପାଇଁ ଚଢାଉ ଜାରି ରଖିଥିବା ବେଳେ ସିଡବ୍ଲୁସି ଟିମ୍‌ ବି ଘଟଣା ସଂପର୍କରେ ଅଧିକ ତଥ୍ୟ ସଂଗ୍ରହ କରୁଛି।

ପାରିବାରିକ ଅଶାନ୍ତିରୁ ନାବାଳିକା ଏଭଳି ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥିଲେ ବି ପରିବାର ଲୋକ କେମିତି ଏତେ ଦିନ ଯାଏ ତା’ ସଂପର୍କରେ ଖୋଜଖବର ନେଇ ନଥିଲେ, ତାହା ଚକିତ କରୁଛି। ସନ୍ତୋଷ ଓ ରାକେଶଙ୍କୁ ଜେରା ପରେ ଘଟଣା ସଂପର୍କରେ ଅଧିକ ତଥ୍ୟ ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର