ଏଥର ମିଳିବ ଜାତୀୟ ଉତ୍ସବର ଅନୁଭବ, ପ୍ରସ୍ତୁତ ହେବ ‘କଟକ ଇନ୍‌ କଟକ’ ପାଭିଲିୟନ୍‌

କଟକ: ରାଜ୍ୟସ୍ତରୀୟ ଉତ୍ସବ ଭାବେ ଏଥର ପ୍ରଥମ କରି ପାଳନ ହେଉଛି କଟକର ଐତିହାସିକ ବାଲିଯାତ୍ରା। ଯଦିଓ ୨୦୧୯ରୁ ବାଲିଯାତ୍ରାକୁ ରାଜ୍ୟସ୍ତରୀୟ ଉତ୍ସବ ଭାବେ ଘେଷଣା କରାଯାଇଥିଲା, କିନ୍ତୁ କୋଭିଡ୍‌ ପାଇଁ ଦୁଇ ବର୍ଷ ହେବ ବନ୍ଦ ରହିଥିଲା ବାଲିଯାତ୍ରା। ଫଳରେ ଚଳିତବର୍ଷ କଟକ ବାଲିଯାତ୍ରାକୁ ଯଦିଓ ରାଜ୍ୟସ୍ତରୀୟ ଉତ୍ସବଭାବେ ପାଳନ କରାଯିବ କିନ୍ତୁ ଜାତୀୟ ବା ଆନ୍ତର୍ଜାତିକ ସ୍ତରର ଉତ୍ସବଭାବେ କଟକ ବାଲିଯାତ୍ରାର ମାନକୁ ବୃଦ୍ଧି କରାଯିବାର ଯୋଜନା କରିଛି ପ୍ରଶାସନ। ଏଥିପାଇଁ ଅନେକ କିଛି ନୂଆ ଯୋଜନା ଓ ପଦକ୍ଷେପ ହାତକୁ ନିଆଯାଇଛି। ଏଥର ବାଲିଯାତ୍ରାକୁ ସଂପୂର୍ଣ୍ଣ ନିଆରା ଢଙ୍ଗରେ ଆୟୋଜନ କରାଯାଉଛି ଯାହାକି ଆନ୍ତର୍ଜାତିକ ସ୍ତରର ଉତ୍ସବ ଭଳି ହେବ ବୋଲି ଜିଲ୍ଲାପାଳ ଡକ୍ଟର ଭବାନୀ ଶଙ୍କର ଚୟନୀ ସୂଚନା ଦେଇଛନ୍ତି। ଅନ୍ୟପଟେ ବାଲିଯାତ୍ରା ପାଇଁ ଚଳିତବର୍ଷ ପ୍ରଥମ ଥର ପ୍ଲଟ୍‌ ନିଲାମ ପ୍ରକ୍ରିୟା କରାଯାଉଥିବାବେଳେ ପ୍ରଥମ ଦିନରେ ୧୬୯ ପ୍ଲଟ୍‌ ଓ ୨ୟ ଦିନରେ ୨୨୨ ପ୍ଲଟ୍‌ ଆବଣ୍ଟିତ ହୋଇଛି। ଯେଉଁମାନେ ପ୍ଲଟ୍‌ ନେଉଛନ୍ତି ସେମାନଙ୍କୁ ୪୮ଘଣ୍ଟା ଭିତରେ ଟଙ୍କା ପଇଠ ପାଇଁ ସମୟସୀମା ଦିଆଯାଇଛି। ପ୍ଲଟ୍‌ ଆବଣ୍ଟନ ପାଇଁ ବାରବାଟୀ ପ୍ୟାଲେସ୍‌, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ କନ୍‌ଫରେନ୍ସ ହଲ, ଡିଆରଡିଏ କନ୍‌ଫରେନ୍ସ ହଲ, ଉପଜିଲ୍ଲାପାଳ, ସିଡିଏ କନଫରେନ୍ସ ହଲ ଓ ସ୍ବରାଜ ଆଶ୍ରମରେ କାଉଣ୍ଟର କରାଯାଇଛି।

ଚଳିବ ବର୍ଷ ନଭେମ୍ବର ୮ରୁ ୧୬ ତାରିକ ପର୍ଯ୍ୟନ୍ତ ବାଲିଯାତ୍ରା ଆୟୋଜନ ହେବ। ଏଥିପାଇଁ ପ୍ରାକ୍‌ ଉତ୍ସବ, ମହାନଦୀ ଆଳତୀ ସହ ସାଂସ୍କୃତିକ ଶୋଭାଯାତ୍ରା ଓ ଅନେକ କିଛି ନୂଆ ଢଙ୍ଗ‌ର କାର୍ଯ୍ୟକ୍ରମ ଆୟୋଜନ କରିବାର ପ୍ରୟାସ ଆରମ୍ଭ କରିଛି କଟକ ଜିଲ୍ଲା ପ୍ରାଶସନ। ରାଜ୍ୟସ୍ତରୀୟ ଉତ୍ସବ ପାଳନ ପାଇଁ ପାଖାପାଖି କୋଟିଏ ଟଙ୍କାର ଅନୁଦାନ ବିଭିନ୍ନ ସରକାରୀସ୍ତରରୁ ଆସିବ ବୋଲି ପ୍ରଶାସନ ପକ୍ଷରୁ ଆକଳନ କରାଯାଉଛି। ପ୍ରଥମ ଥର ‘କଟକ ଇନ୍‌ କଟକ’ ପ୍ୟାଭିଲିୟନ୍‌ ରହିବ। ଯେଉଁଠି କଟକ ଭିତରେ କଟକକୁ ଦେଖିବାର ନିଆରା ଅନୁଭୂତି ରହିବ। କଟକର ଐତିହାସିକ ଘଟଣା, କଟକର ପ୍ରସିଦ୍ଧିର କାରଣ ଇତ୍ୟାଦିକୁ ଉକ୍ତ ସ୍ଥାନରେ ସ୍ଥାନିତ କରାଯିବ। ‌ଯେଉଁଠି ୧୪ଟି ବ୍ଲକ୍‌ର ସ୍ବତନ୍ତ୍ରତା ସ୍ପଷ୍ଟ ବାରି ହୋଇ ପଡିବ। ଲକ୍ଷ ଲକ୍ଷ ଦର୍ଶକ ବି କଟକ ସଂପର୍କରେ ଜାଣିବେ। ଅନ୍ୟପ‌ଟେ ପ୍ରଥମ ଥର ଆର୍‌ବିଆଇ ପକ୍ଷରୁ ଆଉଟ୍‌ଲେଟ୍‌ ଓ ପ୍ରଦର୍ଶନୀ ସହ ସତସତିକା ସେଲ୍‌ଫି ଜୋନ ହେବ ଯେଉଁଠି ଲାଇଭ୍‌ ଆକ୍ଟିଭିଟି ଯଥା, ହାଣ୍ଡି, ମାଠିଆ ତିଆରି ହେଉଥିବ, ତନ୍ତ ବୁଣାଯାଉଥିବ, ‌ବିଭିନ୍ନ ପେଣ୍ଟିଙ୍ଗ ଚାଲିଥିବ…। ଲୋକେ ବାଲିଯାତ୍ରାର ମଜା ନେବା ସହ ଏଭଳି ଲାଇଭ୍‌ ଆକ୍ଟିଭିଟିରେ ‌ସାମିଲ ହୋଇ ସେଲ୍‌ଫି ନେବେ। ଏଥର ବାଲିଯାତ୍ରାରେ ଲୋକଙ୍କ ପାଇଁ ଏଭଳି ଅନୁଭବ ଆଣିବାକୁ ବିଭିନ୍ନ ପ୍ରକାର ସେଲ୍‌ଫି ଜୋନ ପ୍ରଶାସନ ପକ୍ଷରୁ ପ୍ରସ୍ତୁତ କରାଯିବ। ମହିଳା ଓ ଶିଶୁଙ୍କ ପାଇଁ ସ୍ବତନ୍ତ୍ର କର୍ଣ୍ଣର ମଧ୍ୟ କରାଯିବାର ଯୋଜନା କରାଯାଇଛି। ଅନ୍ୟପଟେ ପ୍ରି- ବାଲିଯାତ୍ରା ଉତ୍ସବ ମାଧ୍ୟମରେ ପୁରୁଣା ଲୋକକଳା ଓ ସାଂସ୍କୃତିକ କାର୍ଯ୍ୟକ୍ରମର ପ୍ରଚାର ପ୍ରସାର ମଧ୍ୟ କରାଯାଉଛି।

ସମ୍ବନ୍ଧିତ ଖବର