ହାଇକୋର୍ଟରେ କଟକ ସହର ସମସ୍ୟା; ରାସ୍ତାଘାଟ ମରାମତି ହୋଇ ନଥିବାରୁ ଅଦାଲତ ଅସନ୍ତୁଷ୍ଟ

କ୍ୟାବିନେଟ ଅନୁମୋଦନ ଅପେକ୍ଷାରେ ବକ୍ସ ଡ୍ରେନ୍ ଟେଣ୍ଡର ପ୍ରସଂଗ, ସମୟ ନେଲେ ସରକାର

କଟକ: କଟକ ସହର ସମସ୍ୟା ସଂପର୍କିତ ମାମଲାର ହାଇକୋର୍ଟ ଶୁଣାରି କରି ଆଡଭୋକେଟ୍ କମିଟି ରିପୋର୍ଟ ଆଧାରରେ ସହରର ରାସ୍ତାଘାଟ ମରାମତି ହୋଇ ନଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ପରବର୍ତ୍ତୀ ଶୁଣାଣି ପୂର୍ବରୁ ଏହି ପ୍ରସଂଗରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ରିପୋର୍ଟରେ ରହିଥିବା ତଥ୍ୟ ଅନୁସାରେ କେଉଁ ସବୁ ରାସ୍ତା ମରାମତି ସରିଛି, କଣ ସବୁ କାମ ବାକି ଅଛି ଓ କେବେ ସୁଦ୍ଧା ଅବଶିଷ୍ଟ କାମ ସରିବ ସେ ନେଇ ଆର ଆଣ୍ଡ ବି ଆଡ‌େଭାକେଟ କମିଟିକୁ ଅବଗତ କରିବ। ଏଥି ସହିତ ପରବର୍ତ୍ତୀ ଶୁଣାଣି ପୂର୍ବରୁ ସହରର ରାସ୍ତାଘାଟ ମରାମତି ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂକ୍ରାନ୍ତରେ ଆର ଆଣ୍ଡ ବି ନିର୍ବାହୀ ଯନ୍ତ୍ରୀ ସବିଶେଷ ତଥ୍ୟ ଦାଖଲ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଅନ୍ୟପକ୍ଷରେ ବକ୍ସ ଡ୍ରେନ୍ ଟେଣ୍ଡର ପ୍ରସଂଗରେ ଆଜି ସରକାରଙ୍କ ପକ୍ଷରୁ ଅଧିକ ସମୟ ଲୋଡ଼ା ଯାଇଥିଲା। ପଟ୍ଟାପୋଲ, ବଜ୍ରକବାଟୀ ଓ ମାତୃଭବନ ଦେଇ ଯାଇଥିବା ମୁଖ୍ୟ ଡ୍ରେନ ଉପରେ ବକ୍ସ ଡ୍ରେନ୍ ନିର୍ମାଣ ଟେଣ୍ଡର ଶହେ କୋଟିରୁ ଅଧିକ ଟଙ୍କାର ହୋଇଥିବାରୁ ଏଥି ପାଇଁ କ୍ୟାବିନେଟ ଅନୁମୋଦନ ଆବଶ୍ୟକ। କ୍ୟାବିନେଟ୍ ଅନୁମୋଦନ ପାଇଁ ଏହି ପ୍ରସ୍ତାବ ପଠାଯାଇଛି ବୋଲି ଦର୍ଶାଯାଇ ସରକାରଙ୍କ ପକ୍ଷରୁ ଅଧିକ ସମୟ ଲୋଡା ଯାଇଥିଲା। ହାଇକୋର୍ଟ ଏଥି ପାଇଁ ଅନୁମତି ଦେବା ସହିତ ମାମଲାର ପରବର୍ତ୍ତୀ ଶୁଣାଣି ଜୁନ୍ ୨୧କୁ ଧାର୍ଯ୍ୟ କରିଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ  ହାଇକୋର୍ଟ ରେଜିଷ୍ଟ୍ରି ପକ୍ଷରୁ ଦାୟର ଜନସ୍ବାର୍ଥ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଏଠାରେ ସୂଚନା ଯୋଗ୍ୟ ଯେ  ହାଇକୋର୍ଟ ଏ ସଂପର୍କିତ ମାମଲାର ଶୁଣାଣି କରି କଟକ ସହରରେ ତୁରନ୍ତ ପରିସ୍ଥିତିରେ ସୁଧାର ପାଇଁ ପଦକ୍ଷେପ ନେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେବା ସହିତ ସ୍ଥିତି ନ ସୁଧୁରିଲେ ଚରମ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଥିଲେ। ସହରର ରାସ୍ତାଘାଟ ତୁରନ୍ତ ମରାମତି କରିବାକୁ ହାଇକୋର୍ଟ ଆର୍ ଅଣ୍ଡ୍ ବି ଓ ସିଏମସିକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ରାସ୍ତାଘାଟର ଉପଯୁକ୍ତ ମରାମତି ନ ହେବା, ଠିକ୍ ଭାବେ ଡ୍ରେନ୍ ସଫେଇ ନହେବା ଓ ସାଧାରଣ ମୌଳିକ ସୁବିଧା ପ୍ରଦାନରେ ଅବହେଳା ପ୍ରସଂଗକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିବା ସହିତ ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ଦାଖଲ ପାଇଁ ଆମିକସ୍କ୍ୟୁରୀଙ୍କୁ ନିଯୁକ୍ତି ଦେଇଥିଲେ। ଏଥି ସହିତ କଟକ ସହରର ରାସ୍ତାଘାଟ ମରାମତି, ଜାଇକା କାର୍ଯ୍ୟ, ଡ୍ରେନ୍ ସଫେଇ, ପରିମଳ, ପାନୀୟ ଜଳ ଓ ଅନ୍ୟାନ୍ୟ ପ୍ରସଂଗ ଅନୁଧ୍ୟାନ କରିବା ପାଇଁ ଆଡଭୋକେଟ କମିଟିକୁ ନିଯୁକ୍ତି ଦେଇଥିଲେ। ଆଡଭୋକେଟ କମିଟି ସଦସ୍ୟ ସରୋଜ କୁମାର ପାଢୀ, ସିଦ୍ଧାର୍ଥ ପ୍ରସାଦ ଦାଶ, ଶ୍ରୀଜିତ ମହାନ୍ତି, ପ୍ରବୋଧ ଚନ୍ଦ୍ର ନାୟକ, ପଦ୍ମାଳୟା ମହାପାତ୍ର ହାଇକୋର୍ଟରେ ଅନ୍ତରୀଣ ରିପୋର୍ଟ ଦାଖଲ କରିଥିଲେ।

ସମ୍ବନ୍ଧିତ ଖବର