ନାବାଳିକା ଦୁଷ୍କର୍ମ ମାମଲା : ଦୋଷୀକୁ ୨୦ ବର୍ଷ ଜେଲ ଓ ୧୦ ହଜାର ଟଙ୍କା ଜରିମାନା

ପୀଡ଼ିତାଙ୍କୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ନିର୍ଦ୍ଦେଶ

କଟକ: କଟକ ଅତିରିକ୍ତ ଦୌରା ଅଦାଲତ ତଥା ସ୍ବତନ୍ତ୍ର ପୋକ୍‌ସୋ ଅଦାଲତ ବିଚାରପତି ବନ୍ଦନା କର ଏକ ନାବାଳିକା ଦୁଷ୍କର୍ମ ମାମଲାର ଶୁଣାଣି କରି ଆସାମୀ ରାମ ମୁଣ୍ଡା ଓରଫ ରାମ ଲାଗୁରି(୩୦)କୁ ୨୦ ବର୍ଷ ସଶ୍ରମ କରାଦଣ୍ଡ ସହିତ ୧୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଆଇପିସିର ଦଫା ୩୭୬(୨)(ଆଇ) ଓ ପୋକ୍‌ସୋ ଆଇନର ଧାରା ୬ରେ ରାମକୁ ଅଦାଲତ ଦୋଷୀ ସାବ୍ୟସ୍ତ କରି ଏହି ଦଣ୍ଡାଦେଶ ଦେଇଛନ୍ତି। ଜରିମାନା ରାଶି ଅନାଦେୟ ହେଲେ ଆସାମୀକୁ ଅଧିକ ୧ ବର୍ଷ ସଶ୍ରମ କାରାଦଣ୍ଡ ଭୋଗ କରିବାକୁ ପଡିବ ବୋଲି ପ୍ରକାଶିତ ରାୟରେ ସ୍ପଷ୍ଟ କରାଯାଇଛି। ଆସାମୀ ରାମ ମୁଣ୍ଡା କେନ୍ଦୁଝର ସଦର ଥାନା ଅନ୍ତର୍ଗତ ରାୟଗଡ଼ର ମୂଳ ବାସିନ୍ଦା ହୋଇଥିବା ବେଳେ ଘଟଣା ବେଳେ ସେ ସିଡିଏ ସେକ୍ଟର ୧୧ରେ ରହୁଥ‌ିଲେ। ଏଥି ସହିତ ଏହି ଘଟଣାରେ ପୀଡିତକୁ ୨ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୧୫, ମାର୍ଚ୍ଚ ୧୯ରେ ମର୍କତନଗର ଥାନାରେ ପୀଡିତାର ମା’ ଅଭିଯୋଗ କରିଥିଲେ ଯେ ୫ ଦିନ ତଳେ ରାମ ତାଙ୍କ ଝିଅ ସହିତ ଦୁଷ୍କର୍ମ କରିଥିଲା। ୭ ବର୍ଷିୟା ପୀଡିତା ତା’ ଭାଇ ସହିତ ଖେଳୁଥିବା ବେଳେ ରାମ ଦୁଇ ଜଣଙ୍କୁ  ସାଇକେଲରେ ବସାଇ ବୁଲାଇବାକୁ ନେଇଥିଲା। ଏହି ସମୟରେ ଏକ ନିଛାଟିଆ ସ୍ଥାନରେ ରାମ ନାବାଳିକା ପୀଡିତା ସହିତ ଦୁଷ୍କର୍ମ କରିଥିଲା। ଅଭିଯୋଗକାରିଣୀ ଘରକୁ ଫେରିବା ପରେ ଏ ନେଇ ପୀଡିତା କାନ୍ଦି କାନ୍ଦି କହିଥିଲେ। ପୀଡିତାର ୮ ବର୍ଷିୟ ଭାଇ ମଧ୍ୟ ଏ ନେଇ ଘରେ କହିଥିଲା। ପୀଡିତାଙ୍କ ଘରେ ଚିକିତ୍ସା କରାଯାଇଥିବା ବେଳେ ପରବର୍ତ୍ତୀ ସମୟ‌େର ଏ ନେଇ ମର୍କତନଗର ଥାନାରେ ଏତଲା ରୁଜୁ କରାଯାଇଥିଲା। ପୁଲିସ ୨୦୧୫, ମାର୍ଚ୍ଚ ୧୯ରେ ଆଇପିସିର ଦଫା ୩୭୬, ପୋକ୍‌ସୋ ଆଇନର ଧାରା ୪ ଓ ୬ରେ ଏତଲା ରୁଜୁ କରିବା ପରେ ରାମକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଚାର୍ଜସିଟ ପରେ ଅଦାଲତରେ ଶୁଣାଣି ସମୟରେ ପ୍ରସିକ୍ୟୁସନ ପକ୍ଷରୁ ୧୦ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ମାମଲାର ଶୁଣାଣି ସମୟରେ ରାମକୁ ଜାମିନ ମିଳି ନ ଥିବା ବେଳେ ସେ ଜେଲରେ ରହିଥିଲା। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପବ୍ଲିକ୍ ପ୍ରସିକ୍ୟୁଟର ‌ରମେଶଚନ୍ଦ୍ର ମହାନ୍ତି ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର