କଟକ ପୁଲିସ୍‌ର ସ୍ବତନ୍ତ୍ର ଯୋଜନା; ସମାଜସେବାରେ ନିୟୋଜିତ ହେବେ ନିଶା ଛାଡ଼ିଥିବା ଯୁବକ

କଟକ: ଲକଡାଉନ ସମୟରେ ସହରରେ ବଢିଛି ବ୍ରାଉନସୁଗାର ସେବନକାରୀଙ୍କ ସଂଖ୍ୟା। ଏଥିପାଇଁ ସହରରେ ନିଶା ମାଫିଆଙ୍କୁ ସାବାଡ଼ କରିବା ସହିତ ନିଶା ସେବନ କରୁଥିବା ଯୁବକଙ୍କୁ ମୁଖ୍ୟ ସ୍ରୋତକୁ ଫେରାଇ ଆଣିବା ପାଇଁ ଭିନ୍ନ ପଦକ୍ଷେପ ନେଇଛି କଟକ କମିସନରେଟ୍ ପୁଲିସ। ନିଶାଡ଼ିଙ୍କୁ ଚିହ୍ନଟ କରି ନିଶାମୁକ୍ତି କେନ୍ଦ୍ରରେ ଭର୍ତ୍ତି କରିବା ପ୍ରକ୍ରିୟା ପୁଲିସ ଆରମ୍ଭ କରିଛି।

ଏମାନେ ସୁସ୍ଥ ହେଲେ ପୁଣି ଯେଭଳି ନିଶାସକ୍ତ ନହେବେ ଏଥିପାଇଁ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନରେ ସାମାଜିକ କର୍ମୀ ଭାବେ ସେମାନଙ୍କୁ ନିୟୋଜିତ କରାଯିବାକୁ କଟକ କମିସନରେଟ୍ ପୁଲିସ ନିଷ୍ପତ୍ତି ନେଇଛି। ସଂଗଠନ ସହିତ ଏ ସଂକ୍ରାନ୍ତରେ ଆଲୋଚନା ବି ପୁଲିସ କରିଛି। ସୂଚନା ଅନୁଯାୟୀ, କଟକର ବୋସ୍‌ ସ୍କୁଲ ନିକଟ ସୁଇପର କଲୋନି, ମାଛୁଆ ବଜାର, ଗାନ୍ଧୀ ପଲ୍ଲୀ, ନେହେରୁ ପଲ୍ଲୀ, ନରାଜ, ସିଡିଏ ସେକ୍ଟର ୧୧ ଅଞ୍ଚଳରେ ବ୍ରାଉନସୁଗାର କାରବାର ବୃଦ୍ଧି ପାଉଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ କଟକର ୧୭ଟି ପୁଲିସ ଥାନା ଅଞ୍ଚଳରେ ବ୍ରାଉନସୁଗାର ସେବନ କରୁଥିବା ଯୁବକଙ୍କୁ ଚିହ୍ନଟ କରିବାକୁ କମିସନରେଟ୍ ପୁଲିସ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ସେମାନଙ୍କୁ ନିକଟସ୍ଥ ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି କରାଯିବ। ଏଥିପାଇଁ ସହରରେ ଥିବା ପ୍ରାୟ ୨୦ରୁ ୨୨ ନିଶା ନିବାରଣ କେନ୍ଦ୍ର ସହିତ କମିସନରେଟ୍ ପୁଲିସ ଯୋଗାଯୋଗ କରିଛି। ଚିହ୍ନଟ ହେଉଥିବା ଯୁବକଙ୍କୁ ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି କରି ସେମାନଙ୍କୁ କାଉନସେଲିଂ କରାଯାଉଛି।

ବର୍ତ୍ତମାନ ସୁଦ୍ଧା ପୁଲିସ ପ୍ରାୟ ୧୭ ଜଣ ଯୁବକଙ୍କୁ ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି କରିସାରିଲାଣି। ଏମାନେ କେନ୍ଦ୍ରରୁ ବାହାରିବା ପରେ ପୁଣି ସଂଗଦୋଷରେ ପଡ଼ି ନିଶା ସେବନ କରୁଥିବାରୁ ଉଭୟ କଟକ କମିସନରେଟ୍ ପୁଲିସ ଓ ନିଶା ନିବାରଣ କେନ୍ଦ୍ର କର୍ତ୍ତୃପକ୍ଷଙ୍କ ମିଳିତ ସହଯୋଗରେ ସମ୍ପୃକ୍ତ ଯୁବଗୋଷ୍ଠୀଙ୍କୁ ସାମାଜିକ କର୍ମୀ ଭାବେ ସମ୍ପୃକ୍ତ ସଂସ୍ଥାରେ ନିୟୋଜିତ କରିବାକୁ ନିଷ୍ପତ୍ତି ହୋଇଛି। ନିଶା କଟକ ସହରକୁ କିଭଳି ପ୍ରବେଶ କରେ ଏବଂ କେଉଁଠାରେ ବିକ୍ରି ହୁଏ, ଏହି ଯୁବକଙ୍କ ନିକଟରେ ସୂଚନା ରହୁଥିବାରୁ ଏମାନେ ଏଣିକି ପୁଲିସକୁ ସୂଚନା ପ୍ରଦାନରେ ସହଯୋଗ କରିବେ। ଡିସିପି ପ୍ରତୀକ ସିଂହ ସହରରେ ଥିବା କିଛି ପ୍ରମୁଖ ନିଶା ନିବାରଣ କେନ୍ଦ୍ର ଗସ୍ତ କରି ଏହି ଯୁବକମାନଙ୍କୁ ବ୍ୟକ୍ତିଗତ ଭାବେ ଭେଟି ନିଶା କାରବାର ଓ ନିୟନ୍ତ୍ରଣ ସମ୍ପର୍କରେ ଆଲୋଚନା କରିଛନ୍ତି। ଏହି ଯୁବକମାନଙ୍କୁ ନିୟମିତ ଯୋଗ ଓ କାଉନସେଲିଂ କରାଯାଉଛି।

ଡିସିପି ପ୍ରତୀକ ସିଂହ କହିଛନ୍ତି ଯେ ସହରରେ ଯେଭଳି ବ୍ରାଉନସୁଗାର, ଗଞ୍ଜେଇ ଭଳି ନିଶାଦ୍ରବ୍ୟ ମିଳିବା ସହଜ ହେବ ନାହିଁ, ସେଥିପାଇଁ ସ୍ବତନ୍ତ୍ର ଧ୍ୟାନ ଦିଆଯାଉଛି। ନିଶା କାରବାର କରୁଥିବା ବଡ଼ ବ୍ୟବସାୟୀଙ୍କ ଉପରେ ନଜର ରହିଛି। ତା ସହିତ ସହର ଭିତରେ ଛୋଟ ବ୍ୟବସାୟୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଥାନା ପୁଲିସକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁମାନେ ନିଶା ସେବନ କରୁଛନ୍ତି ସେମାନଙ୍କୁ ମଧ୍ୟ ସୁଧାରିବା ପାଇଁ ପୁଲିସ ପଦକ୍ଷେପ ନେଉଥିବା ଶ୍ରୀ ସିଂହ କହିଛନ୍ତି। ଅନ୍ୟପଟେ କଟକ ସିଟି ହସପିଟାଲ୍ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ପ୍ରଶାନ୍ତ କୁମାର ମହାପାତ୍ର କହିଛନ୍ତି ଯେ ୧୫ରୁ ୩୦ ବର୍ଷ ବୟସରେ ଅଧିକ ପରିମାଣରେ ବ୍ରାଉନସୁଗାର ନିଶା ସେବନ କରୁଥିବା ଦେଖିବାକୁ ମିଳୁଛି। ସଂଗଦୋଷରୁ ଏଭଳି ଅଧିକ ମାତ୍ରାରେ ଦେଖାଯାଉଛି। ନିଶାଡ଼ି ହେବା ଦ୍ବାରା ସେମାନଙ୍କୁ ଭଲ ନିଦ ହେଉଥିବା ବେଳେ ଚାଲିଲା ବେଳେ ପାଦ ଠିକରେ ପଡ଼ି ନଥାଏ। କଥା ଠିକ ଭାବରେ କହିପାରନ୍ତି ନାହିଁ। ଯୁବକଙ୍କ ଚିନ୍ତାଶକ୍ତି ହ୍ରାସ ପାଉଛି। ଧ୍ୟାନ କେନ୍ଦ୍ରିତ କରିବାରେ ବି ସମସ୍ୟା ହେଉଛି। ମାନସିକ ରୋଗୀ ହେବାର ଆଶଙ୍କା ଅଧିକ ରହିଛି। ବ୍ରାଉନସୁଗାର ଛାଡ଼ିବା ପାଇଁ ଇଚ୍ଛାଶକ୍ତିର ଆବଶ୍ୟକତା ରହିଛି। ଛାଡ଼ିବା ମାତ୍ରକେ ଆଖିରେ ଲୁହ ବୋହିବା ଆରମ୍ଭ କରେ। ପାଟି ଖନି ମାରେ। ହାତ ଥରିବା ସହିତ ମାଂସପେଶୀ ଦରଜ ରହିଥାଏ। ନିଦ ହୁଏ ନାହିଁ। ଭୋକ କମିଯାଏ। ତେଣୁ ସେମାନଙ୍କୁ ମାନସିକ ରୋଗ ବିଶେଷଜ୍ଞଙ୍କ ସହିତ ତୁରନ୍ତ ଯୋଗାଯୋଗ କରିବା ଆବଶ୍ୟକ।

ସମ୍ବନ୍ଧିତ ଖବର