କଟକ : ବିଦେଶୀ ଉପହାରର ଲୋଭ ଦେଖାଇ ୪୧ ଲକ୍ଷ ଟଙ୍କା ଲୁଟି ନେଇଥିବା ଜଣେ ନାଇଜେରିଆର ନାଗରିକଙ୍କୁ କ୍ରାଇମବ୍ରାଞ୍ଚ ସାଇବର ଥାନା ପୁଲିସ ଗିରଫ କରିଛି। ଏହି ବିଦେଶୀ ନାଗରିକ ଜଣକ ଲିଗାଲ ଏଡ୍ର ଜଣେ ମହିଳା କର୍ମଚାରୀଙ୍କୁ ଠକି ଧରା ପଡିଛନ୍ତି। ଗିରଫ ଅଭିଯୁକ୍ତ ହେଉଛନ୍ତି ନୌବୁଏଜ ଚୁକୌଦ୍ଦି ଭିନ୍ସେଟ୍(୩୫)। ନୌବୁଏଜ୍ ଏବେ ଦିଲ୍ଲୀ ଉତ୍ତମ ନଗର ଥାନା ମୋହନ ଗାର୍ଡେନ୍ ଅଞ୍ଚଳରେ ଭଡ଼ା ନେଇ ରହୁଛନ୍ତି। ଏହି ଠକେଇ କାରବାରରେ ତାଙ୍କର ଅନ୍ୟତମ ସହଯୋଗୀ ଦିଲ୍ଲୀ ସାହାଦରର ପୂର୍ବ ବାବରପୁରରେ ରହୁଥିବା ପୀୟୁଷ ଆର୍ଯ୍ୟ(୨୨)ଙ୍କ ମଧ୍ୟ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ଲାପ୍ଟପ, ମୋବାଇଲ ଫୋନ, ପେନ୍ଡ୍ରାଇଭ୍ ସମେତ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି। ଉଭୟଙ୍କୁ ପୁରୀ ଏସ୍ଡିଜେଏମ୍ଙ୍କ କୋର୍ଟ ହାଜର ପରେ ୫ ଦିନିଆ ରିମାଣ୍ତରେ ଆଣିବାକୁ କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ଆବେଦନ କରାଯାଇଛି।
ଏହି ନାଇଜେରୀୟ ପୁରୀର ଏକ ସରକାରୀ ଦପ୍ତରରେ ଲିଗାଲ ଏଡ୍ ବରିଷ୍ଠ କର୍ମଚାରୀ ଭାବେ କାର୍ଯ୍ୟ କରୁଥିବା ଜଣେ ମହିଳାଙ୍କ ଠାରୁ ୪୧ ଲକ୍ଷ ଟଙ୍କା ଠକି ନେଇଥିଲେ। ସମ୍ପୃକ୍ତ ମହିଳା ଜଣକ ଠକାମିର ଶିକାର ହୋଇଥିବା ଜାଣିବା ପରେ କ୍ରାଇମ୍ବ୍ରାଞ୍ଚରେ ଅଗଷ୍ଟ ୨୧ ତାରିଖରେ ଅଭିଯୋଗ କରିଥିଲେ। ସାଇବର୍ ଥାନା ଦଫା ୪୧୯, ୪୨୦, ୪୬୫, ୪୬୭,୪୬୮,୪୭୧,୧୨୦-ବି, ୩୪ ଏବ˚ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଆଇନର ଦଫା ୬୬-ସି/୬୬-ଡି’ରେ ମାମଲା(କେସ୍ ନ˚ ୧୭) ରୁଜୁ କରି କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ସାଇବର ଥାନା ଇନ୍ସ୍ପେକ୍ଟର ଅନିଲା ଆନନ୍ଦଙ୍କ ନେତୃତ୍ବରେ ଏକ ଟିମ୍ ଦିଲ୍ଲୀରେ ପହଞ୍ଚିଲା ପରେ ନାଇଜେରୀୟ ନେଟ୍ଵାର୍କ ସାମନାକୁ ଆସିଥିଲା। ନିଜକୁ ଓସ୍କାର ଡେଭିଡ୍ର ପରିଚୟ ଦେଇଥିବା ବ୍ୟକ୍ତି ଜଣକ ପ୍ରକୃତରେ ସାଇବର ଅପରାଧୀ ନୌବୁଏଜ ଚୁକୌଦ୍ଦି ଭିନ୍ସେଟ୍ ବୋଲି ଜଣାପଡ଼ିଥିଲା। ନକଲି ପରିଚୟ ‘ଓସ୍କାର’ ବ୍ୟବହାର କରି ସମ୍ପୃକ୍ତ ମହିଳାଙ୍କୁ ଠକିଥିବା ତଦନ୍ତରୁ ସ୍ପଷ୍ଟ ହୋଇଥିଲା। ଉଭୟ ନୌବୁଏଜ ଏବ˚ ପିୟୁଷଙ୍କ ସମ୍ପୃକ୍ତି ସ୍ପଷ୍ଟ ହେବା ପରେ ସେମାନଙ୍କୁ ଗିରଫ କରାଯାଇ ଦିଲ୍ଲୀ ଏସିଏମ୍ ଦ୍ବାରକା କୋର୍ଟରେ ହାଜର କରାଯାଇଥିଲା। ୩ ତିନିଆ ଟ୍ରାନ୍ଜିଟ୍ ରିମାଣ୍ତରେ ଆଣି ଆଜି କଟକ କ୍ରାଇମ୍ବ୍ରାଞ୍ଚ କାର୍ଯ୍ୟାଳୟରେ ଜେରା କରାଯାଇଥିଲା। ପରେ ତାକୁ ପୁରୀ ଏସ୍ଡିଜେଏମ୍ଙ୍କ କୋର୍ଟରେ ହାଜର କରାଯାଇଥିବା କ୍ରାଇମ୍ବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/caryim-branch-pakhyaru-2-thaka-giraf-2-f-1.jpg)