ଲୋନ୍ ଆପ୍‌ରେ ଫସିଗଲେ ଯୁବତୀ, ଅଶ୍ଳୀଳ ଫଟୋ ଦେଖାଇ ଲୁଟିଲେଣି ଲକ୍ଷେ

ପରିବାର, ବନ୍ଧୁବାନ୍ଧବଙ୍କୁ ବି ବ୍ଲାକ୍‌ମେଲ୍

କଟକ: ଲୋନ୍ ଆପ୍ଲିକେସନ ଜାଲରେ ଫସି ଯାଇଛନ୍ତି ସଦର କୁରାଙ୍ଗ ପ୍ରଧାନ ଅଞ୍ଚଳର ଜଣେ ଯୁବତୀ। ଆପ୍ଲିକେସନ୍ ମାଧ୍ୟମରେ ୫ ହଜାର ଟଙ୍କାର ଋଣ ଆଣି ସୁଝିଥିବା ସତ୍ତ୍ବେ ସାଇବର୍ ଅପରାଧୀ ଯୁବତୀଙ୍କ ଅଶ୍ଳୀଳ ଫଟୋ ଦେଖାଇ ୧ ଲକ୍ଷ ଟଙ୍କା ଲୁଟି ନେଲେଣି। ସୋସିଆଲ୍ ମିଡିଆରେ ଥିବା ଯୁବତୀଙ୍କ ଏକ ଫଟୋ ଏଡିଟ୍ କରି ସାଇବର୍ ଅପରାଧୀ ଗଲା ୪ ମାସ ହେବ ବ୍ଲାକମେଲ୍ କରୁଛନ୍ତି। ଏବେ ଯୁବତୀଙ୍କ ମୋବାଇଲ କଣ୍ଟାକ୍ଟ ଲିଷ୍ଟରେ ଥିବା ପରିବାର ଓ ବନ୍ଧୁବାନ୍ଧବଙ୍କୁ ବି ବ୍ଲାକମେଲ୍ କରିବା ଆରମ୍ଭ କରିଥିବା ଘଟଣା ଭୟ ସୃଷ୍ଟି କରିଛି। ଏ ସଂକ୍ରାନ୍ତରେ ସାଇବର୍ ଥାନାରେ ଏକ ଏତଲା ହୋଇଥିବା ସୂଚନା ମିଳିଛି। ବ୍ୟାଙ୍କିଂ ସେକ୍ଟରରେ କାମ କରୁଥିବା ସଦର କୁରାଙ୍ଗ ପ୍ରଧାନ ଅଞ୍ଚଳର ଜଣେ ଯୁବତୀଙ୍କୁ ଗଲା ମେ’ ଶେଷ ଆଡ଼କୁ ମୋବାଇଲରେ ‘ହୋମ୍ କ୍ୟାସ୍’ ଆପ୍ଲିକେସନରୁ ବାରମ୍ବାର ଋଣ ନେବାକୁ ମ୍ୟାସେଜ ଆସିଥିଲା। ଯୁବତୀ ଜଣକ ୧ ଲକ୍ଷରୁ ୪ ଲକ୍ଷ ଯାଏ ଋଣ ନେବାକୁ ଯୋଗ୍ୟ ହୋଇଥିବା ସମ୍ପର୍କିତ ମ୍ୟାସେଜ୍ ଆସିଥିଲା। ଯୁବତୀ ଜଣକ ଏହି ମ୍ୟାସେଜରେ ଥିବା ଏକ ଲିଙ୍କ୍ କ୍ଲିକ୍ କରିବା ପରେ ହୋମ୍ କ୍ୟାସ୍ ଆପ୍ଲିକେସନ୍ ମୋବାଇଲରେ ଡାଉନଲୋଡ୍ ହୋଇଯାଇଥିଲା। ଏଥିରେ ସେ ଆଧାର ଓ ପ୍ୟାନ୍ କାର୍ଡ ନମ୍ବର ଦେଇଥିଲେ। ପରେ ତାଙ୍କୁ ପ୍ରଥମ ପର୍ଯ୍ୟାୟରେ ୫ ହଜାର ଟଙ୍କାର ଋଣ ଅନୁମୋଦନ ହେଇଥିଲା। କିନ୍ତୁ ଋଣ ନେବାର ଦୁଇ ଦିନ ପରେ ହ୍ବାଟସଆପରେ ଜଣେ ବ୍ୟକ୍ତି ଫୋନ୍ କରି ଋଣ ନେଇଥିବା ଟଙ୍କା ଜମା କରିବାକୁ କହିଥିଲେ।

ଏକ ୟୁପିଆଇ ଲିଙ୍କରେ ପୀଡ଼ିତା ୫ ହଜାର ଟଙ୍କା ପୈଠ କରିଥିଲେ। ଟଙ୍କା ପୈଠ କରିଥିଲେ ସୁଦ୍ଧା ମେ’ରୁ ଆଜି ଯାଏ ସାଇବର୍ ଅପରାଧୀ ବାରମ୍ବାର ଫୋନ୍ କରି ଟଙ୍କା ମାଗୁଛନ୍ତି। ଟଙ୍କା ନଦେଲେ ଯୁବତୀଙ୍କ ଏଡିଟ୍ ହୋଇଥିବା ଅଶ୍ଳୀଳ ଫଟୋ ଭାଇରାଲ୍ କରିଦେବାକୁ ବ୍ଲାକମେଲ୍ କରୁଛନ୍ତି। ଏଡିଟ୍ ହୋଇଥିବା ଅଶ୍ଳୀଳ ଫଟୋ ଭାଇରାଲ୍ ଭୟରେ ଯୁବତୀ ଜଣକ ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ଟଙ୍କା ସାଇବର୍ ଅପରାଧୀଙ୍କୁ ବିଭିନ୍ନ ପର୍ଯ୍ୟାୟରେ ଦେଇ ସାରିଲେଣି। ଯୁବତୀଙ୍କ ମୋବାଇଲରେ ଥିବା ୧ ହଜାର ୫୩ ଫୋନ ନମ୍ବର କପି କରି ସେଥିରେ ଥିବା ଯୁବତୀଙ୍କ ପରିବାର ଓ ସମ୍ପର୍କୀୟଙ୍କ ସମେତ ବାନ୍ଧବୀଙ୍କୁ ଏବେ ସାଇବର୍ ଅପରାଧୀମାନେ ଫୋନ୍ କରିବା ଆରମ୍ଭ କରିଦେଇଛନ୍ତି। ସେମାନଙ୍କୁ ସାଇବର୍ ଅପରାଧୀ ଟଙ୍କା ଦେବାକୁ କହୁଛନ୍ତି। ଟଙ୍କା ନଦେଲେ ସେମାନଙ୍କ ଅଶ୍ଳୀଳ ଫଟୋ ଏଡିଟ୍ କରି ଭାଇରାଲ୍ କରିଦେବାକୁ ଧମକ ଦେଉଛନ୍ତି। ଏବେ ବନ୍ଧୁବାନ୍ଧବ ଓ ପରିବାର ସଦସ୍ୟ ଅକଳରେ ପଡ଼ିଯାଇଛନ୍ତି। ହିନ୍ଦିରେ କଥା ହେଉଥିବା ଏହି ସାଇବର୍ ଅପରାଧୀ ପାଖାପାଖି ୫ରୁ ୬ଟି ମୋବାଇଲ ଫୋନରୁ ଯୁବତୀ ଓ ତାଙ୍କ ସମ୍ପର୍କୀୟଙ୍କୁ ୪ ମାସ ହେବ ଫୋନ୍ କରୁଛନ୍ତି। ଗଲା ୬ ତାରିଖ ସକାଳ ପ୍ରାୟ ୯ଟା ୩୦ରେ ପୀଡ଼ିତାଙ୍କ ବାପାଙ୍କୁ ଫୋନ୍ କରି ୩ ହଜାର ୫୦୦ ଟଙ୍କା ମାଗିଥିଲେ। ୧୧ଟା ବେଳେ ଆଉ ଜଣେ ଫୋନ୍ କରି ପୁଣି ୨୦ ହଜାର ଟଙ୍କା ମାଗିଥିଲେ। ଟଙ୍କା ନେଇସାରି ବି ନାକେଦମ୍ କରିସାରିଲେଣି ଏହି ଅପରାଧୀ ଗୋଷ୍ଠୀ। ଗଲା ୬ ତାରିଖରେ ଏ ସଂକ୍ରାନ୍ତରେ କଟକ କମିସନରେଟ ପୁଲିସର ସାଇବର ଥାନାରେ ପରିବାର ଲୋକେ ଏତଲା ଦେଇଥିଲେ। ପୁଲିସ ଏକ ମାମଲା ରୁଜୁ କରିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର