ଜିଓ ନମ୍ବର ରିଚାର୍ଜ କଥା କହି ଲକ୍ଷେ ୯୪ ହଜାର ଲୁଟି ନେଇଥିଲେ ସାଇବର‌୍‌ ଅପରାଧୀ

କ୍ରାଇମବ୍ରାଞ୍ଚରେ ଅଭିଯୋଗ ପରେ ଫେରି ପାଇଲେ ଲକ୍ଷେ ୭୬ ହଜାର

କଟକ: କ୍ରାଇମବ୍ରାଞ୍ଚରେ ଏତଲା ହେବାର ମାତ୍ର ୨ ଦିନ ବ୍ୟବଧାନରେ ସାଇବର‌୍‌ ଅପରାଧୀଙ୍କ ଠାରୁ ଲୁଟ୍‌ ଟଙ୍କା ଫେରସ୍ତ ଆସିଛି। ଲୁଟର ଶିକାର ହୋଇଥିବା ମଙ୍ଗଳାବାଗର ଜଣେ ସାନିଟାରି ସାମଗ୍ରୀ ବ୍ୟବସାୟୀ ନିଜ ଲୁଟ୍‌ ଟଙ୍କା ଫେରିପାଇଛନ୍ତି। ମୋଟ ୧ ଲକ୍ଷ ୯୪ ହଜାର ଟଙ୍କାରୁ ୧ ଲକ୍ଷ ୭୬ ହଜାର ଟଙ୍କା ଫେରିପାଇଛନ୍ତି। କିନ୍ତୁ ଏହି ମାମଲାରେ ସମ୍ପୃକ୍ତ ସାଇବର‌୍‌ ଅପରାଧୀଙ୍କୁ ବର୍ତ୍ତମାନ ସୁଦ୍ଧା କ୍ରାଇମବ୍ରାଞ୍ଚ ଠାବ କରିନଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ମଙ୍ଗଳାବାଗ ଅଞ୍ଚଳରେ ସାନିଟାରୀ ଦୋକାନ ଦେଇଥିବା ଚାଉଳିଗଞ୍ଜ ନୂଆବଜାର ଅଞ୍ଚଳର ବିଷ୍ଣୁପ୍ରସାଦ ଲେଙ୍କାଙ୍କ ମୋବାଇଲକୁ ଗଲା ୨୨ ତାରିଖ ଦିନ ପ୍ରାୟ ୧୧ଟା ବେଳେ ଏକ ଫୋନ୍‌ କଲ୍‌ ଆସିଥିଲା। ଫୋନ୍‌ କରିଥିବା ବ୍ୟକ୍ତି ହୀନ୍ଦିରେ କଥା ହେଉଥିବା ବେଳେ ନିଜକୁ ଜିଓ କଷ୍ଟମର କେୟାର କର୍ମଚାରୀ ପରିଚୟ ଦେଇଥିଲା। ବିଷ୍ଣୁପ୍ରସାଦଙ୍କ ଜିଓ ନମ୍ବରରେ କାଗଜପତ୍ର ଜମା ହୋଇନଥିବାରୁ ୨୪ ଘଣ୍ଟା ମଧ୍ୟରେ ସ˚ଯୋଗ ବିଚ୍ଛିନ୍ନ କରି ଦିଆଯିବ।

ତେଣୁ ତୁରନ୍ତ କାଗଜପତ୍ର ଜମା କରିବାକୁ କୁହାଯାଇଥିଲା। ଏହା ସହିତ ମୋବାଇଲରେ ୧୦ ଟଙ୍କା ଆକ୍ଟିଭେସନ୍‌ ବାବଦ ରିଚାର୍ଜ କରିବାକୁ କୁହାଯାଇଥିଲା। ବିଷ୍ଣୁପ୍ରସାଦ ରିଚାର୍ଜ ସମୟରେ ତାଙ୍କ ଫୋନରେ ଟିମ୍‌ ଭିଉଅର‌୍‌ ଆପ୍ଲିକେସନ୍‌ ଡାଉନଲୋଡ କରିବାକୁ ଫୋନ୍‌ କରିଥିବା ବ୍ୟକ୍ତି ଜଣକ କହିଥିଲା। ବିଷ୍ଣୁପ୍ରସାଦ ଆପ୍ଲିକେସନ୍‌ ଡାଉନଲୋଡ୍‌ କରିବା ମାତ୍ରକେ ତାଙ୍କ ମୋବାଇଲକୁ ସମ୍ପୂର୍ଣ୍ଣ ଗୋପନୀୟ ଭାବେ ନିଜ ଅକ୍ତିଆରକୁ ନେଇଯାଇଥିଲା ସମ୍ପୃକ୍ତ ଦୁର୍ବୃତ୍ତ। ଯେତେବେଳେ ବିଷ୍ଣୁପ୍ରସାଦ ମୋବାଇଲରେ ରିଚାର୍ଜ ସମୟରେ ଏଟିଏମ କାର୍ଡର ସମ୍ପୂର୍ଣ୍ଣ ତଥ୍ୟ ଟାଇପ୍‌ କରିଥିଲେ ସେହି ତଥ୍ୟ ଆପ୍ଲିକେସନ୍‌ ମାଧ୍ୟମରେ ଚୋରି କରିନେଇଥିଲା ଜିଓ କର୍ମଚାରୀ ପରିଚୟରେ ଫୋନ୍‌ କରିଥିବା ସାଇବର‌୍‌ ଅପରାଧୀ। ତୁରନ୍ତ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଫ୍ଲିପକାର୍ଟରେ ସପି˚ ବାବଦରେ ୧ ଲକ୍ଷ ୪୬ ହଜାର ଏବ˚ ପେୟୁ ନାଁରେ ୪୮ ହଜାର ଟଙ୍କା ଗାଏବ୍‌ ହୋଇଯାଇଥିଲା।

ଏ ସ˚କ୍ରାନ୍ତରେ ବିଷ୍ଣୁପ୍ରସାଦ ଜାଣିବା ପରେ ଆଇସିଆସିଆଇ ବ୍ୟାଙ୍କ କଲେଜ ଛକ ଶାଖାରେ ଅଭିଯୋଗ କରିଥିଲେ। ଏହାସହିତ କାର୍ଡ ବ୍ଲକ କରି ବ୍ୟାଙ୍କର ପରାମର୍ଶ କ୍ରମେ ସେ କ୍ରାଇମବ୍ରାଞ୍ଚରେ ସେଦିନ ଏତଲା ଦେଇଥିଲେ। ମାତ୍ର ୨ ଦିନ ବ୍ୟବଧାନରେ ୨୪ ତାରିଖରେ ତାଙ୍କ ବ୍ୟାଙ୍କ୍‌ ଆକାଉଣ୍ଟକୁ ୧ ଲକ୍ଷ ୭୬ ହଜାର ଟଙ୍କା ଫେରି ଆସିଛି। କ୍ରାଇମବ୍ରାଞ୍ଚ ଟିମ୍‌ ତଦନ୍ତ କରି ଟଙ୍କା ଫେରସ୍ତ କରିବାରେ ସକ୍ଷମ ହୋଇପାରିଛି। ଅନ୍ୟପଟେ ଆହୁରି ୧୮ ହଜାର ଟଙ୍କା ଆସିନଥିବା ସୂଚନା ଦେଇଛନ୍ତି ବିଷ୍ଣୁପ୍ରସାଦ।

ସମ୍ବନ୍ଧିତ ଖବର