ପୁଣି ସତର୍କ କଲା କମିସନରେଟ୍ ପୁଲିସ: ସାଇବର୍ ମାମଲାରେ ୩୭ ଲକ୍ଷ ଜବତ, ୫ ଗିରଫ

କଟକ: ହ୍ବାଟ୍‌ସଆପ୍‌ରେ ଅପରିଚତ ଲୋକଙ୍କ ସହିତ ଭିଡିଓ କଲ୍ କଲେ ଫସିବେ! ଏମାନେ ଅଶ୍ଳୀଳ ଭିଡିଓ ଚାଟ୍‌ କରିବାକୁ ପ୍ରବର୍ତ୍ତାଇ ବ୍ଲାକମେଲ୍ କରୁଛନ୍ତି। ସିଡିଏ ସେକ୍ଟର-୧୧ରେ ଜଣେ ଛାତ୍ରୀ ଏଭଳି ଢଂଗରେ ଫସିବା ପରେ କମିସନରେଟ୍ ପୁଲିସ ସତର୍କ କରାଯାଇଛି। କୌଣସି ଅପରିଚିତ ବ୍ୟକ୍ତିଙ୍କ ସହିତ ସୋସିଆଲ୍ ମିଡିଆରେ ବ୍ୟକ୍ତିଗତ ତଥ୍ୟ ନଦେବାକୁ ପରାମର୍ଶ ଦିଆଯାଇଛି। କଟକ କମିସନରେଟ୍ ପୁଲିସ ଲକଡାଉନ୍‌ର ଦ୍ବିତୀୟ ଲହରରେ ୩୬ ଲକ୍ଷ ୫୧ ହଜାର ୪୧୯ ଟଙ୍କା ସାଇବର୍ ମାମଲାରେ ଜବତ କଲାଣି। ଏଥି ସହିତ ପଶ୍ଚିମବଙ୍ଗ, ବିହାର ଓ ଓଡ଼ିଶାର ୫ ଜଣ ସାଇବର୍ ଅପରାଧୀଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।

କମିସନରେଟ୍‌ ପୁଲିସ ପକ୍ଷରୁ ଜାରି ହୋଇଥିବା ଏକ ପରାମର୍ଶବଳୀରେ ଦର୍ଶାଯାଇଛି ଯେ ନିଜର ବ୍ୟକ୍ତିଗତ ବିବରଣୀ ଯେଭଳି କି ଜନ୍ମ ତାରିଖ, ନାମକୁ ପାସଵାର୍ଡ ଭାବେ ବ୍ୟବହାର କରନ୍ତୁ ନାହିଁ। ଯଦି କୌଣସି ସ୍ଥାନକୁ ବୁଲିବାକୁ ଯାଉଛନ୍ତି ତେବେ ସାମାଜିକ ଗଣମାଧ୍ୟମରେ ଏହାର ଫଟୋ ତୁରନ୍ତ ଦିଅନ୍ତୁ ନାହିଁ। ଅଜଣା ୱେବସାଇଟ, ଲିଙ୍କ୍‌ କିମ୍ବା ଇ-ମେଲ୍‌ ଉପରେ କ୍ଲିକ କରନ୍ତୁ ନାହିଁ। ଅନଲାଇନ୍‌ରେ କୌଣସି ଆକାଉଣ୍ଟ ଲଗ୍‌-ଇନ୍‌ କଲେ କାମ ଶେଷ କରିବା ପରେ ଲଗ୍‌ ଆଉଟ୍‌ କରନ୍ତୁ। ନିଜର କ୍ରେଡିଟ କିମ୍ବା ଡେବିଟ୍‌ କାର୍ଡର ପାସଵାର୍ଡକୁ ୱେବସାଇଟ୍‌, ବ୍ରାଉଜର କିମ୍ବା ମୋବାଇଲରେ ସେଭ କରନ୍ତୁ ନାହିଁ। କୌଣସି ଆପ୍‌ ସମ୍ପର୍କରେ ସୂଚନା ନଥିଲେ ତାକୁ ଡାଉନ୍‌ଲୋଡ୍‌ କରନ୍ତୁ ନାହିଁ। ଅଜଣା ଲୋକଙ୍କ ସହିତ ମୋବାଇଲ୍‌ କିମ୍ବା ସୋସିଆଲ୍‌ ମିଡିଆରେ କଥାବାର୍ତ୍ତା କରନ୍ତୁ ନାହିଁ। ନିଜର କ୍ରେଡିଟ୍‌ କାର୍ଡ କିମ୍ବା ଡେବିଟ୍‌ କାର୍ଡ ପଛରେ ପାସଵାର୍ଡ ଲେଖନ୍ତୁ ନାହିଁ। ଏହା ହଜିଗଲେ ତୁରନ୍ତ ବ୍ୟାଙ୍କ ସହିତ ଯୋଗାଯୋଗ କରି ବନ୍ଦ କରନ୍ତୁ। ଲଟେରି ଜିତିଛନ୍ତି, ଟାଵାର୍‌ ବସାଇବାକୁ ଇଚ୍ଛୁକ ଅଛନ୍ତି, ଚାକିରି ପାଇଁ ଆଗ୍ରହ… ଯଦି ଏପରି କିଛି ଫୋନ୍‌, ମେଲ୍‌ କିମ୍ବା ମେସେଜ୍‌ ଆସୁଛି, ଏହାକୁ ବିଶ୍ବାସକୁ ନିଅନ୍ତୁ ନାହିଁ। କେଵାଇସି ଅପଡେଟ୍‌ କରିବା ପାଇଁ ଇନସ୍ୟୁରାନ୍ସ ଅଫିସ କିମ୍ବା ବ୍ୟାଙ୍କରୁ ଆସିଥିବା ଫୋନକୁ ଅଣଦେଖା କରନ୍ତୁ। ଫୋନରେ କୌଣସି ପ୍ରକାର କେଵାଇସି ଅପଡେଟ୍‌ ହୋଇ ନଥାଏ। ଭିଡିଓ କଲ୍‌ କଲା ବେଳେ ସତର୍କ ରୁହନ୍ତି। ନଚେତ୍‌ ଅନ୍ତରଙ୍ଗ ମୂହୁର୍ତ୍ତର ଭିଡିଓ ସାଇବର‌୍‌ ଅପରାଧୀ ରେକର୍ଡ କରି ସୋସିଆଲ୍‌ ମିଡିଆରେ ଭାଇରାଲ୍‌ କରିଦେବେ। ଟଙ୍କା ପାଇବା ସମୟରେ କୌଣସି ପ୍ରକାର ଓଟିପି କିମ୍ବା ପିନ୍‌ର ଆବଶ୍ୟକତା ପଡ଼ି ନଥାଏ।

ତେଣୁ ଆପଣ ଟଙ୍କା ଦେବା-ନେବା ସମୟରେ ସତର୍କ ରହିବାକୁ କମିସନରେଟ୍ ପୁଲିସ ପରାମର୍ଶବଳୀରେ ଦର୍ଶାଇଛି। କଟକ ସହରରେ ବର୍ତ୍ତମାନ ସୁଦ୍ଧା ମୋଟ ୪ଟି ମାମଲାରେ ପୁଲିସ ସାଇବର୍ ଅପରାଧୀଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ସବୁଠାରୁ ବଡ଼ ସାଇବର୍ ଅପରାଧ ଘଟିଥିଲା ଜଗତପୁର ନଜରପୁର ଅଞ୍ଚଳରେ। ଦିଲ୍ଲୀପ କୁମାର ସାହୁଙ୍କ ଜମିରେ ଜିଓ ଟାଓାର୍‌ ବସାଇବାକୁ କହି ସାଇବର୍ ଅପରାଧୀ ୪୦ ଲକ୍ଷ ଟଙ୍କା ଠକିନେବା ଘଟଣା କଟକ କମିସନରେଟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଜୁନ ୪ ତାରିଖରେ ଜଗତପୁର ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ପୁଲିସ ଏହି ମାମଲାରେ ଜୁଲାଇ ୭ତାରିଖରେ ବଙ୍ଗୀୟ ଠକ ଅନିଲେଶ ଆନନ୍ଦ ଏବଂ ଅଙ୍କିତ ରାୟକୁ ଗିରଫ କରିଥିବା ବେଳେ ୨୫ ଲକ୍ଷ ୭୦ ହଜାର ୩୦୦ ଟଙ୍କା ଜବତ କରିଥିଲା। ପରେ ଅଗଷ୍ଟ ପ୍ରଥମ ସପ୍ତାହରେ ମହତାବ ରୋଡ୍‌ର ଶାଲିନୀ ଜୈନଙ୍କ ଆକାଉଣ୍ଟରୁ ୧ ଲକ୍ଷ ଟଙ୍କା ଏକ ସାଇବର୍ ଅପରାଧୀ ଗ୍ୟାଙ୍ଗ ଲୁଟିନେଇଥିଲେ। ପୁଲିସ ଏହି ମାମଲାରେ ଜଗତସିଂହପୁରର ପ୍ରିୟଜିତ ବେଉରା ଓ ପୁରୀର ସୁପ୍ରଭାତ ମହାପାତ୍ରକୁ ଗିରଫ କରିଥିଲା। ଏମାନଙ୍କ ନିକଟରୁ ୬୬ ହଜାର ଟଙ୍କା ଜବତ ହୋଇଥିଲା। ଏହି ଗ୍ୟାଙ୍ଗ୍ ସେହି ପ୍ରଥମ ସପ୍ତାହରେ ହିଁ ଚାଉଳିଆଗଞ୍ଜ ନୂଆବଜାରର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟରୁ ୪୦ ହଜାର ଟଙ୍କା ଲୁଟି ନେଇଥିଲା। ପୁଲିସ ଏହି ମାମଲାରେ ସୁପ୍ରଭାତକୁ ଅଭିଯୁକ୍ତ ଦର୍ଶାଇଥିଲା। ସିଡିଏ ଫେଜ୍-୨ ଅଞ୍ଚଳର ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ସୁରଟ ସୂତାକଳରେ କାମ କରୁଥିବା ବିହାର ମୁଜାଫରପୁରର ପ୍ରକାଶ କୁମାର ହ୍ବାଟ୍‌ସଆପ୍ ଭିଡିଓ କଲ୍‌ରେ ଫସାଇ ଦେଇଥିଲା। ଛାତ୍ରୀଙ୍କୁ ହ୍ବାଟ୍‌ସଆପ୍‌ରେ ଅଶ୍ଳୀଳ ଭିଡିଓ କଲ୍ କରିବାକୁ କହି ତାକୁ ରେକର୍ଡ କରି ଇଣ୍ଟରନେଟ୍‌ରେ ଭାଇରାଲ୍ କରିଦେଇଥିଲା। ଅଗଷ୍ଟ ୨୧ ତାରିଖରେ ଫେଜ୍-୨ ଥାନାରେ ଏତଲା ହୋଇଥିଲା। ଲାଇକ୍ ଆପରୁ ପ୍ରକାଶ ସମ୍ପର୍କ ଯୋଡ଼ି ପରେ ଏଭଳି କାଣ୍ଡ ଘଟାଇ ଗଲା ଅକ୍ଟୋବର ୩୧ ତାରିଖରେ ଗିରଫ ହୋଇଥିଲା। ଏହି ଚାରିଟି ଥାନାରେ ରୁଜୁ ହୋଇଥିବା ସାଇବର ମାମଲା ବାଦ୍ ଅନ୍ୟ ଥାନାରେ ଯେଉଁ ସାଇବର୍ ଅପରାଧ ମାମଲା ରୁଜୁ ହୋଇଛି ପୁଲିସ କେବଳ ଟଙ୍କା ଫେରସ୍ତ କରିବାରେ ସଫଳ ହୋଇଛି। କିନ୍ତୁ ରାଜ୍ୟ ବାହାରେ ଝାରଖଣ୍ଡ, ବିହାର, ଦିଲ୍ଲୀ ଓ ଉତ୍ତରପ୍ରଦେଶରେ ନିୟନ୍ତ୍ରଣ କରୁଥିବା ସାଇବର୍ ଅପରାଧୀଙ୍କ ନିକଟରେ ପହଞ୍ଚିବା ସମ୍ଭବପର ହେଉ ନଥିବା କୁହାଯାଉଛି। ଚୌଧୁରୀବଜାର ଜୁବିଲି ଟାଓ୍ବାରର ଶତାବ୍ଦୀ ଶୁକ୍ଳା ଗଲା ଏପ୍ରିଲ ୩୦ ତାରିଖରେ ଅନଲାଇନ ସପିଂ ଓ୍ବେବସାଇଟ୍ ଇଣ୍ଡିଆ ମାର୍ଟରେ ମାସ୍କ, ସାନିଟାଇଜର୍, ଅକ୍ସିମିଟର୍, ହ୍ୟାଣ୍ଡ ଓ୍ବାସ୍ ଇତ୍ୟାତି କୋଭିଡ୍‌ରେ ବ୍ୟବହାର ହେଉଥିବା ଅତ୍ୟାବଶ୍ୟକ ସାମଗ୍ରୀ କିଣିଥିଲେ। କିନ୍ତୁ ସାଇବର୍ ଅପରାଧୀ କୌଶଳକ୍ରମେ ୨ ଲକ୍ଷ ୯୦ ହଜାର ଟଙ୍କା ଠକି ନେଇଥିଲେ। କିନ୍ତୁ ଏହି ମାମଲାରେ ପୁଲିସ ଅପରାଧୀଙ୍କ ନିକଟରେ ପହଞ୍ଚି ପାରିଲା ନାହିଁ। ଯେଉଁ ମୋବାଇଲ ନମ୍ବରରୁ ସାଇବର୍ ଅପରାଧୀ ଶତାଦ୍ଦୀଙ୍କ ସହିତ ଯୋଗାଯୋଗ କରିଥିଲା, ଉକ୍ତ ନମ୍ବର ସୁଇଚ୍ ଅଫ୍ ଥିବାରୁ ପୁଲିସ ଏହି ମାମଲାରେ କୌଣସି ଅଗ୍ରଗତି କରିପାରୁ ନଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର