ଗ୍ୟାଙ୍ଗଷ୍ଟର ଧଳସାମନ୍ତ ବ୍ରଦର୍ସଙ୍କ ଘର ତଲାସୀ ବେଳେ ଗୁପ୍ତ କୋଠରିରୁ ମିଳିଲା ୧୬.୫ ଲକ୍ଷ ଟଙ୍କା, ୧୭୫ ରାଉଣ୍ତ ଗୁଳି ଜବତ

କଟକ: ଗ୍ୟାଙ୍ଗଷ୍ଟର ଧଳସାମନ୍ତ ବ୍ରଦର୍ସଙ୍କ ଘରୁ ତଲାସୀ ବେଳେ ପୁଣି ମିଳିଛି ଶହ ଶହ ଗୁଳି। ଆଜି ଦ୍ବିତୀୟ ଦିନ ରିମାଣ୍ତର ଜେରା ସମୟରେ ଧଳସାମନ୍ତ ବ୍ରଦର୍ସଙ୍କ ଘର ତଲାସୀ କରିଥିଲା କମିସନରେଟ୍ ପୁଲିସ୍। ତାଙ୍କ ଘରର ବେଡ଼୍‌ ରୁମ୍‌ ସିଲିଂ ଭିତରୁ ୧୬ ଲକ୍ଷ ୫୦ ହଜାର ନଗଦ ଟଙ୍କା ଓ ୧୭୫ ରାଉଣ୍ତ ଗୁଳି ଜବତ ହୋଇଛି । ଏହାସହ ଗତକାଲି ସେଠାରୁ ୩ଟି ବନ୍ଧୁକ ଓ ଶହେରୁ ଅଧିକ ରାଉଣ୍ତ ଗୁଳି ଜବତ କରାଯାଇଥିଲା। କଟକ ଡିସିପି  ପ୍ରତୀକ୍‌ ସିଂହ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଏ ସଂପର୍କରେ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ଗ୍ୟାଙ୍ଗଷ୍ଟର ଧଳସାମନ୍ତ ବ୍ରଦର୍ସଙ୍କୁ କମିସନରେଟ୍‌ ପୁଲିସ ୩ ଦିନିଆ ରିମାଣ୍ତରେ ନେଇଥିବା‌ ବେଳେ ଗତକାଲି ରିମାଣ୍ତର ପ୍ରଥମ ଦିନରେ ଦୁଇ ଭାଇଙ୍କୁ ଅଲଗା ଅଲଗା  ଜେରା କରାଯାଇଥିଲା। ଏଥିସହ କଟକ ସିଡିଏସ୍ଥିତ ଘର ତଲାସୀ ବେଳେ ୩ଟି ବନ୍ଧୁକ ଓ ଶହେରୁ ଅଧିକ ରାଉଣ୍ତ ଗୁଳି ଜବତ ହୋଇଥିଲା। ଆଜି ଦ୍ବିତୀୟ ଦିନର ରିମାଣ୍ତରେ ପଚରାଉଚରା ସହ ସର୍ଚ୍ଚ ବେଳେ ଡ଼ି ବ୍ରଦର୍ସଙ୍କ ଘର ବେଡ଼ ରୁମ୍ ସିଲିଂ ମଧ୍ୟରୁ ସାଢ଼େ ୧୬ଲକ୍ଷ ଟଙ୍କା ଓ ୧୭୫ ରାଉଣ୍ତ ଗୁଳି ଜବତ  ହୋଇଛି । ସେହିଭଳି ବନ୍ଧୁକଗୁଡ଼ିକ ଚୋରାରେ ଆସି ଅପରାଧୀଙ୍କୁ ବିକ୍ରି କରାଯାଉଥିବା କଟକ ଡ଼ିସିପି ପ୍ରତୀକ୍‌ ସିଂହ ସୂଚନା ଦେଇଛନ୍ତି।‌

ଗତକାଲି ରିମାଣ୍ଡର ପ୍ରଥମ ଦିନରେ ପ୍ରଥମେ ସୁଶାନ୍ତ ଧଳସାମନ୍ତକୁ ଆଣି ପୁଲିସ୍‌ ଘରର ବିଭିନ୍ନ କୋଣ ଅନୁକୋଣକୁ ଖୋଜିଥିଲା। ପରେ ସୁଶୀଲ ଧଳସାମନ୍ତକୁ ଆଣି ଘର ଭିତରେ ବନ୍ଧୁକ ଖୋଜଯାଇଥିଲା। ଶେଷରେ ଘର ଭିତରୁ ମୋଟ ୩ଟି ବନ୍ଧୁକ,୧୦୦ରୁ ଅଧିକ ଗୁଳି ଓ ବିପୁଳ ପରିମାଣର ଟଙ୍କା ଜବତ କରାଯାଇଥିଲା। ଏଥିସହ ପୁଲିସ୍‌ ଜେରା ସମୟରେ ବିହାରରୁ କଟକ ପର୍ଯ୍ୟନ୍ତ କିପରି ବନ୍ଧୁକ କାରବାର ହେଉଥିଲା ସେ ବିଷୟରେ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିଥିଲା । ଏଯାଏ ଚୋରା ବନ୍ଧୁକ କାରବାର ମାମଲାରେ ଧଳସାମନ୍ତଙ୍କ ଘରୁ ମୋଟ ୧୧ଟି ବନ୍ଧୁକ ଜବତ ହୋଇସାରିଲାଣି ବୋଲି ଡିସିପି ପ୍ରତୀକ ସି˚ହ ସୂଚନା ଦେଇଛନ୍ତି। ରିମାଣ୍ତର ପ୍ରଥମ ଦିନ କମିସନରେଟ ପୁଲିସ୍‌ ପାଇଁ ବେଶ୍‌ ଫଳପ୍ରଦ ହୋଇଥିବା କୁହାଯାଇଛି।

Sambad

ପ୍ରଥମ ଦିନ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦୁଇ ଭାଇଙ୍କୁ ପୁଲିସ୍‌ ଜେରା କରିଥିଲା। ସୁଶାନ୍ତକୁ ମାଲଗୋଦାମ ଥାନାରେ ଓ ସୁଶୀଲକୁ ଚୌଦ୍ବାର ଥାନାରେ ଅଲଗା ଅଲଗା କରି ଜେରା କରାଯାଇଥିଲା। ପରେ ରାତି ପ୍ରାୟ ୨ଟା ବେଳକୁ ଦୁଇ ଭାଇଙ୍କୁ ଏକ ଗୁପ୍ତ ସ୍ଥାନରେ ମୁହାଁମୁହିଁ ଜେରା କରାଯାଇଥିଲା। ପୁଲିସ୍‌କୁ ବନ୍ଧୁକ କାରବାର ସ˚କ୍ରାନ୍ତରେ କିଛି ଠୋସ୍‌ ପ୍ରମାଣ ମିଳିବା ପରେ ଧଳସାମନ୍ତଙ୍କ ସିଡିଏ ସ୍ଥିତ ଘରେ ଆହୁରି ବନ୍ଧୁକ ଗୁଳି ରଖାଯାଇଥିବା ଜେରା ବେଳେ ପୁଲିସ୍‌ ଜାଣିବାକୁ ପାଇଥିଲା। ଶୁକ୍ରବାର ଦିନ ପ୍ରାୟ ସାଢେ ୧୧ଟା ବେଳକୁ ସୁଶାନ୍ତକୁ ପୁଲିସ୍‌ ସିଡିଏସ୍ଥିତ ଘରକୁ ନେଇଥିଲା। ହେଲେ ପୁଲିସ୍‌କୁ ସେ କିଛି ବି ସହଯୋଗ କରିନଥିଲା। ଯାହାଫଳରେ ପୁଲିସ୍‌ ବନ୍ଧୁକ ବିଷୟରେ ବିଶେଷ ସୂଚନା ପାଇନଥିଲା। ତେଣୁ ମେଟାଲ ଡିଟେକ୍ଟର ଓ ସନ୍ଧାନୀ କୁକୁରର ସହାୟତା ନିଆଯାଇଥିଲା। କିନ୍ତ ସେମାନେ ବି ଫେଲ୍‌ ମାରିଥିଲେ। ଦିନ ପ୍ରାୟ ୨ଟା ବେଳକୁ ସୁଶୀଲକୁ ଘରକୁ ନିଆଯାଇ ଖୋଜାଖୋଜି କରାଯିବା ବେଳେ ସେ ପୁଲିସ୍‌କୁ ଗୁପ୍ତ ସ୍ଥାନ ବିଷୟରେ ଜଣାଇ ଦେଇଥିଲା। ସେତେବେଳକୁ ଘରର ଅଧାରୁ ଅଧିକ କାନ୍ଥକୁ ପୁଲିସ୍‌ ଖୋଳି ଦେଇଥିଲା। ଗୁପ୍ତ ଚାମ୍ବର ଭିତରୁ ପୁଲିସ୍‌ ତିନୋଟି ବନ୍ଧୁକ ଓ ଗୁଳି ପାଇଥିଲା। ଘରର ଅନ୍ୟ ସ୍ଥାନରୁ ପୁଲିସ୍‌କୁ ବିପୁଳ ପରିମାଣର ଟଙ୍କା ମିଳିଥିବା ସୂଚନା ମିଳିଛି। ରିମାଣ୍ତର ପ୍ରଥମ ଦିନର ସ˚ଧ୍ୟାବେଳେ ଧଳସାମନ୍ତ ଭାଇଙ୍କୁ ଘରୁ ଫେରାଇ ନିଆଯାଇ ବିଭିନ୍ନ ସ୍ଥାନରେ ରଖାଯାଇ ପୁଲିସ୍‌ ଜେରା କରିଥିଲା।

ଗତ ୧୦ ତାରିଖରେ ଧଳସାମନ୍ତଙ୍କ ବନ୍ଧୁକ କାରବାର ସ˚କ୍ରାନ୍ତରେ ଚୌଦ୍ବାର ଥାନା ପୁଲିସ୍‌କୁ ଖବର ମିଳିଥିଲା। ବିରୂପା ବ୍ରିଜ ନିକଟରେ ବନ୍ଧୁକ କାରବାର ହେଉଥିବା ଖବର ପାଇ ଚୌଦ୍ବାର ଆଇଆଇସି ସେଠାରେ ଚଢାଉ କରିବା ସହ ଦୁଇଜଣ ଅଭିଯୁକ୍ତଙ୍କୁ ନିଜ ହେପାଜତକୁ ନେଇଥିଲେ। ସେମାନଙ୍କୁ ଜେରା କରାଯାଇ ଏହି କାରବାରରେ ଧଳସାମନ୍ତ ଭାଇ ମୁଖ୍ୟ କାର୍ପଟଦାର ବୋଲି ପୁଲିସ୍‌ ଜାଣିବାକୁ ପାଇଥିଲା। ତେଣୁ ଯେଉଁମାନଙ୍କୁ ବନ୍ଧୁକ ଯୋଗାଇ ଦିଆଯାଇଥିଲା, ସେମାନଙ୍କ ମଧ୍ୟରୁ ଅନେକଙ୍କୁ ପୁଲିସ୍‌ ଧରିବା ସହିତ ୨୦ରୁ ଅଧିକ ବନ୍ଧୁକ ଜବତ ଓ ହଜାରେରୁ ଅଧିକ ଗୁଳି ଜବତ କରିଥିଲା। ଏବେ ବି ଆହୁରି ଅନେକ ସ୍ଥାନକୁ ବନ୍ଧୁକ ଚାଲାଣ ହୋଇଥିବା ନେଇ ପୁଲିସ୍‌ ସନ୍ଦେହ କରୁଛି। ତେଣୁ କେଉଁଭଳି ଭାବେ ବିହାରରୁ କଟକକୁ ବନ୍ଧୁକ ଆସୁଥିଲା ତାହା ଉପରେ ପୁଲିସ୍‌ ଏହି ରିମାଣ୍ତ ସମୟରେ ତଥ୍ୟ ସ˚ଗ୍ରହ କରିବାରେ ଲାଗିପଡ଼ିଛି। ତଥାପି ଏହି ଦୁଇ ଭାଇ ନିଜେ ବିହାର ନଯାଇ କୌଣସି ଡିଲରଙ୍କ ମାଧ୍ୟମରେ କାରବାର ନିୟନ୍ତ୍ରଣ କରୁଥିବା ସୂଚନା ମିଳିଥିବା କୁହାଯାଉଛି।

ସମ୍ବନ୍ଧିତ ଖବର