କଟକ: ନୂଆବର୍ଷ ପାଇଁ ଜମି ଯାଏ ଡାଏରୀ, କଲମ ଆଉ କ୍ୟାଲେଣ୍ତର କାରବାର। ଡିସେମ୍ବର ଶେଷ ସପ୍ତାହରୁ ଜାନୁଆରି ମାସକଯାକ ଏ ବେପାର ଖୁବ୍ ଜମେ। ହେଲେ ଏଥିର ଏଥିରେ ବି କଣ୍ଟା ସାଜିଛି କରୋନା। କରୋନା ପାଇଁ ଚାହିଦା ମୁତାବକ ସାମଗ୍ରୀ ନାହିଁ। ଗ୍ରାହକ ଯେଉଁ ଧରଣର ଏସବୁ ସାମଗ୍ରୀ ଚାହୁଁଛନ୍ତି, ତାହା ମିଳୁନାହିଁ। କେଉଁଠି ଆବଶ୍ୟକତା ଅନୁଯାୟୀ ସାମଗ୍ରୀ ନାହିଁ ତ କେଉଁଠି ଦୋକାନରେ ଥିବା ସାମଗ୍ରୀ ଗ୍ରାହକଙ୍କ ପସନ୍ଦ ହେଉନାହିଁ। ଫଳରେ ଯେଉଁଠି ଏହି କାରବାରରୁ ଦୋକାନୀ ୫ ରୁ ୭ ଲକ୍ଷ ଟଙ୍କା ରୋଜଗାର କରୁଥିଲେ, ତାହା ଏଥର ୨୦ ହଜାର ଟଙ୍କା ଛୁଇଁବା କଷ୍ଟକର ହୋଇଯାଇଛି। ଅନ୍ୟପଟେ ନୂଆବର୍ଷ ବହୁ ପୂର୍ବରୁ ଯେଭଳି ଲୋକେ ଆଗୁଆ ଅର୍ଡର କରୁଥିଲେ ତାହା ଏଥର ନଥିବାରୁ ଭଲ ସାମଗ୍ରୀ ଆସି ପାରି ନଥିବା କେତେକ ଦୋକାନୀ କହିଛନ୍ତି।
୭୫ ପ୍ରତିଶତ ବେପାର ଠପ୍ ହୋଇଛି
କରୋନା ଯୋଗୁଁ ସମ୍ପୂର୍ଣ୍ଣ ବେପାର ଠପ୍ ହୋଇଯାଇଛି। ୭୫ ପ୍ରତିଶତ ବେପାର ବନ୍ଦ ହୋଇଯାଇଛି। ଏହି ନୂଆବର୍ଷର ଏକ ସପ୍ତାହ ମଧ୍ୟରେ ୫ ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରିଥାଉ। ହେଲେ ଚଳିତବର୍ଷ ଏବେ ଯାଏ ବେପାର ୨୦ ହଜାର ଛୁଇଁ ନାହିଁ। କରୋନା ଯୋଗୁଁ ଚଳିତବର୍ଷ ନୂଆ ଭେରାଇଟି ମଧ୍ୟ ଆସି ପାରି ନାହିଁ।
ବିପ୍ଳବ ନନ୍ଦ, ବିଜୟ ବୁକ୍ ଡିପୋଟ୍, କଲେଜ ଛକ
ଗୋଟିଏ ବି ଅର୍ଡର ଆସି ନାହିଁ
ଯେଉଁଠି ନୂଆବର୍ଷ ପୂର୍ବରୁ ୨ହଜାର ପାଖାପାଖି ଆଗୁଆ ଅର୍ଡର ଆସୁଥିଲା। ଚଳିତବର୍ଷ ଏବେ ଯାଏ ଗୋଟିଏ ବି ଅର୍ଡର ଆସି ନାହିଁ। ଗ୍ରାହକଙ୍କ କିଣିବା ସଂଖ୍ୟା ବଢ଼ିଛି ହେଲେ ସାମଗ୍ରୀ ଆବଶ୍ୟକତା ଅନୁଯାୟୀ ଆସି ପାରୁ ନାହିଁ। ଫଳରେ ଗ୍ରାହକ ନିରାଶ ହୋଇ ଫେରୁଛନ୍ତି। ଯାହାର ସିଧାସଳଖ ପ୍ରଭାବ ବେପାର ଉପରେ ରହିଛି।
ସିଦ୍ଧାନ୍ତ ସାହୁ, କୈଳାସ ବୁକ୍ସ, କଲେଜ ଛକ
ସାମଗ୍ରୀ ନଥିବାରୁ ଗ୍ରାହକ ନିରାଶ ହେଉଛନ୍ତି
ଚଳିତବର୍ଷ ଗ୍ରାହକଙ୍କ କିଣିବା ସଂଖ୍ୟା ବଢ଼ିଛି। ହେଲେ ଗ୍ରାହକଙ୍କ ଆବଶ୍ୟକତା ଅନୁଯାୟୀ ସାମଗ୍ରୀ ନାହିଁ। କଲିକତାରୁ ସମସ୍ତ ସାମଗ୍ରୀ ଆସୁଥିବାବେଳେ କରୋନା ଏଥିରେ ବାଧା ସୃଷ୍ଟି କରିଛି। ଆବଶ୍ୟକତା ଅନୁଯାୟୀ ସାମଗ୍ରୀ ଦୋକାନରେ ନଥିବାରୁ ଗ୍ରାହକ ନିରାଶ ହୋଇ ଫେରୁଛନ୍ତି।
ସଞ୍ଜୟ ଶତପଥୀ, ରାଜା ପେନ୍ ସେଣ୍ଟର, ପିଠାପୁର
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/20201231_122329052031.jpg)