ନୂଆବର୍ଷ ପାଇଁ ଜମୁଛି ଡାଏରି ବେପାର, ଫୋଲଡର୍‌ ଉଇଥ୍‌ ୱାଚ୍‌ ଆଣ୍ତ କାଲକୁଲେଟର୍‌ ଡାଏରି ଓ ସ୍ପାଇରାଲ୍‌ ଥ୍ରିଡି କ୍ୟାଲେଣ୍ତର୍‌

କଟକ: ଦିନକ ପରେ ନୂଆବର୍ଷ। ନିଜ ପ୍ରିୟଜନଙ୍କୁ ଭଳି କି ଭଳି ଉପହାର ଦେଇ ନୂଆବର୍ଷର ଶୁଭେଚ୍ଛା ଜଣାଇଥାନ୍ତି ଲୋ‌କେ। ଉପହାର ମଧ୍ୟରେ ନୂଆବର୍ଷରେ ସ୍ବତନ୍ତ୍ର ରହିଥାଏ ଡାଏରୀ ଓ କ୍ୟାଲେଣ୍ତର। ଖାସ କରି ଏହି ଉପହାର ଦେଇ ପ୍ରିୟଜନଙ୍କୁ ଶୁଭେଚ୍ଛା ଜଣାଇବା ବେଶ ପସନ୍ଦ କରିଥାନ୍ତି ଲୋକେ। ସେହିଭଳି ନୂଆବର୍ଷକୁ ନଜରରେ ରଖି ଭଳି କି ଭଳି ଡ଼ାଏରି ଓ କ୍ୟାଲେଣ୍ତର ପସରା ମେଲାଇଛନ୍ତି ‌ବ୍ୟବସାୟୀ। ସହରର କଲେଜ‌ ଛକ, ରାଣୀହାଟ, ମଙ୍ଗଳାବାଗ, ଦୋଳମୁଣ୍ତାଇ, ଚୌଧୁରୀ ବଜାର ଆଦି ପ୍ରମୁଖ ସ୍ଥାନରେ ଏହି ଡାଏରୀ ଓ କ୍ୟ‌ାଲେଣ୍ତର କିଣିବା ପାଇଁ ଜମିଛି ଗ୍ରାହକଙ୍କ ଭିଡ଼। ଡାଏରୀ ଗୁଡ଼ିକ ଦିଲ୍ଲୀ, କଳିକତା ଭଳି ସ୍ଥାନରୁ ଆସିଥାଏ। ଦୁଇ ଶହରୁ ଅଧିକ ଭେରାଇଟିର ଡାଏରି ରହିଥିବା ବେଳେ ସେଥିମଧ୍ୟରେ ରହିଛି ଆମେଜିଂ ଡାଏରି, ଗଡ଼ ଡାଏରି, କାଲକୁଲେଟର ଉଇଥ୍‌ ୱାଚ୍‌ ଡାଏରି, ବଟମ ଡାଏରି, ଲେଦର ଡାଏରି, ଫୋମ୍‌ ଡାଏରି, ଫୋଲ୍ଡ଼ର ଉଇଥ୍‌ ୱାଚ୍‌ ଆଣ୍ତ କାଲକୁଲେଟର ଡାଏରି, ସ୍ପାଇରାଲ ଡାଏରି, ଓଡ଼ିଆ ପ୍ରିଣ୍ଟିଂ ଡାଏରି, ଗୋ ଗ୍ରୀନ ଡାଏରି ରହିଛି।

ସମସ୍ତ ଡାଏରିର ଦର ୬୫ ଟଙ୍କାରୁ ୧୫ଶହ ଟଙ୍କା ରହିଥିବାବେଳେ ଚଳିତବର୍ଷ ଫୋଲ୍ଡ଼ର ଉଇଥ୍‌ ୱାଚ୍‌ ଆଣ୍ତ କାଲକୁଲେଟର ଡାଏରି ନୂଆ କରି ଆସିଛି। ସେହିଭଳି କ୍ୟାଲେଣ୍ତର ମଧ୍ୟରେ ରହିଛି ଟେବୁଲ କ୍ୟାଲେଣ୍ତର। ତେବେ ଟେବୁଲ କ୍ୟାଲେଣ୍ତର ମଧ୍ୟରେ ନୂଆକରି ରହିଛି ସ୍ପାଇରାଲ ଥ୍ରିଡ଼ି କ୍ୟାଲେଣ୍ତର। ଯାହାର ଦର ୫୦ ରୁ ୨ଶହ ଟଙ୍କା ରହିଛି। ନୂଆବର୍ଷ ପାଇଁ ଆଜିକୁ ୮ ରୁ ୧୦ ଦିନ ହେବ ଡାଏରି ବେପାର ଆରମ୍ଭ ହୋଇଥିବାବେଳେ ବେପାର ୩୦ ପ୍ରତିଶତ ହୋଇଥିବା ‌ବ୍ୟବସାୟୀ ପ୍ରକାଶ କରିଛନ୍ତି।

ଭଲ ବେପାର ନେଇ ଆଶା ରହିଛି
ଆଜିକୁ ଆଠ ଦିନ ହେବ ଡାଏରି, କ୍ୟାଲେଣ୍ତର ଓ ପେନ୍‌ର ବେପାର ଆରମ୍ଭ ହୋଇଛି। ୫୬ ବର୍ଷ ହେବ ଏହି ବ୍ୟବସାୟ କରିଆସୁଛୁ। ହେଲେ ଦୁଇ ବର୍ଷ ହେବ କୋଭିଡ଼ ଯୋଗୁଁ ବେପାର ସ୍ଥିତି ସମ୍ପୂର୍ଣ୍ଣ ଖରାପ ରହିଥିଲା। ହେଲେ ଚଳିତବର୍ଷ ବେପାର ଭଲ ରହିଛି। ‌ଏହି ବେପାର ଜାନୁଆରି ଶେଷ ପର୍ଯ୍ୟନ୍ତ ରହିବ। ଆଶା ରହିଛି ଭଲ ଦୁଇ ପଇସା ବେପାର ହେବ।
ବିଜୟ କୁମାର ନନ୍ଦ, ବିଜୟ ବୁକ୍‌ ଡ଼ିପୋ

କାଁ ଭାଁ ବେପାର ହେଉଛି
ବେପାରକୁ ନେଇ ମନରେ ଉତ୍କଣ୍ଠା ବହୁତ ରହିଛି। ଦଶ ଦିନ ହେବ ଡାଏରି ବେପାର ଆରମ୍ଭ ହୋଇଛି। କାଁ ଭାଁ ଲୋକେ ସାମଗ୍ରୀ ନେଉଛନ୍ତି। ନୂଆବର୍ଷର ପ୍ରଥମ ମାସ ବା ଜାନୁଆରି ମାସ ଯାକ ଏହି ବେପାର ଜାରି ରହିଥାଏ। ଆଶା ରହିଛି ଭଲ ବେପାର ହେବ।
ଶ୍ୟାମ ସୁନ୍ଦର ସାହୁ, ଶ୍ୟାମ ସୁନ୍ଦର ଟ୍ରେଡ଼ର୍ସ

ବେପାର ଭଲ ରହିଛି
କୋଭିଡ଼ ପରିସ୍ଥିତି ଯୋଗୁଁ ଦୁଇ ବର୍ଷ ବେପାରରେ ବହୁତ କ୍ଷତିର ସାମ୍ନା କରିବାକୁ ପଡ଼ିଛି। ଏବେ ଯେହେତୁ ଅନଲକ୍‌ ରହିଛି ସେଥିପାଇଁ ବେପାର ଭଲ ରହିଛି ଏବେ ଯାଏଁ। ଆଶା ରହିଛି ଏହିଭଳି ବେପାର ଜାରି ରହିବ।
ରଶ୍ମୀରଞ୍ଜନ ପଣ୍ତା, ନ୍ୟୁଜ ଆଣ୍ତ ଭ୍ୟୁଜ

ସମ୍ବନ୍ଧିତ ଖବର